Unknown

 

 

 

 

 

 

 

 

 

 

 

ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ

ବୀରକିଶୋର ଦାସ

 

“Chakrabarty Rajagopalachari—or C. R., or Rajajee as they usually called him—was the greatest living Indian and perhaps the greatest man in the whole world.”

 

—Monica Felton

Image

 

ଆତ୍ମନେପଦୀ

 

ସ୍ଵାମୀ ବିବେକାନନ୍ଦ ଥରେ କହିଥିଲେ ଯେ କେବଳ ରାମକୃଷ୍ଣ ପରମହଂସ ବା ଅନ୍ୟଜଣେ ବିବେକାନନ୍ଦ ତାଙ୍କୁ ବୁଝିପାରିବେ । ସେହିପରି ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ କେବଳ ମହାତ୍ମାଗାନ୍ଧୀ ବା ଆଉ ଜଣେ ରାଜାଜୀ ହିଁ ରାଜାଜୀଙ୍କୁ ବୁଝିବାକୁ ସମର୍ଥ । ରାଜାଜୀଙ୍କ ଜୀବନୀ ଯଥାର୍ଥ ଗୋଟିଏ ସ୍ୱତନ୍ତ୍ର ଯୁଗର ବାର୍ତ୍ତାବହ । ଜନ୍ମଭୂମିକୁ ପରାଧୀନତା ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଯେଉଁମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଗାନ୍ଧୀଜୀଙ୍କର ନିକଟତମ ହୋଇପାରିଥିଲେ କେବଳ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ । ତାଙ୍କର ପ୍ରଖର ଦୂରଦୃଷ୍ଟି, ଅବିକଳ୍ପ ଧୀଶକ୍ତି, ଅପରିସୀମ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ନିର୍ଭୟଚିତ୍ତତା ବଳରେ, ସେ କେବଳ ଭାରତରେ କାହିଁକି, ସମଗ୍ର ବିଶ୍ଵରେ ଯୁଗମାନବ ହେବାର ଗୌରବ ଅର୍ଜନ କରିପାରିଅଛନ୍ତି । ଗୁଡ଼ି ଉଡ଼ାଇ ଆକାଶର ଦୂରତା ମାପିବା ଭଳି ତାଙ୍କର ଘଟଣାବହୁଳ ଜୀବନୀ ପ୍ରଣୟନ କରିବା ଯଥାର୍ଥେ ଏକ ଦୁଃସାଧ୍ୟ ପ୍ରଚେଷ୍ଟା ।

 

ସେ ଯାହାହେଉ ରାଜାଜୀ ଆମ ଗହଣରୁ ଚିର ବିଦାୟ ନେଇଥିଲେ ମଧ୍ୟ ଗୋଟିଏ ଦେହ ତ୍ୟଗକରି ସେ ଏବେ କୋଟିଏ ମନର ଅଧିକାରୀ । ମୃତ୍ୟକୁ ପରାଭୂତକରି ସେ ମୃତ୍ୟୁଞ୍ଜୟୀ-। ସେହି ମହାମନାଙ୍କର ଜୀବନୀ ଭାରତୀୟ ସାହିତ୍ୟରେ ଏପର୍ଯ୍ୟନ୍ତ ଲିପିବଦ୍ଧ ହୋଇନାହିଁ । ବ୍ରିଟେନ୍‌ର ଲେଖିକା ମୋନିକା ଫେଲ୍‌ଟନ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ମଧ୍ୟ ଯେଉଁ ଜୀବନୀ ପ୍ରଣୟନ କରିଛନ୍ତି, ତାହା ଅସଂପୂର୍ଣ୍ଣ । ତାହା ବୋଲି ମୁଁ ଯେ ତାଙ୍କର ସ୍ୱୟଂ ସଂପୂର୍ଣ୍ଣ ଜୀବନୀ ପ୍ରଣୟନ କରିବାରେ ସଫଳକାମ ହୋଇଛି, ଏପରି କହିବା ମୋ ପକ୍ଷରେ ଧୃଷ୍ଟତା ମାତ୍ର । ବରଂ ଏହାକୁ ତାଙ୍କ ଦୀର୍ଘ ତଥା ଘଟଣାବହୁଳ ଜୀବନର ଏକ ବିହଙ୍ଗାବଲୋକନ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ପ୍ରଣୟନ ଦିଗରେ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଏମ୍. ଭାସ୍କର ରାଓ ଓ ଶୁଭେନ୍ଦ୍ର ବର୍ମାଙ୍କର ସଦୟ ସାହାଯ୍ୟ ମୁଁ ସ୍ଵୀକାର କରୁଛି ।

 

ପରିଶେଷରେ ବିଦ୍ୟାପୁରୀର ଶ୍ରୀ ପୀତାମ୍ବର ମିଶ୍ର ଏହାର ମୁଦ୍ରଣ ଲାଗି ଆଗ୍ରହ ପ୍ରକାଶ କରିଥିବାରୁ, ମୁଁ ସେ ମହାଶୟଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛି ।

 

ଗଣେଶ ଚତୁର୍ଥୀ

ବିନୀତ

(୧୯୭୫)

ଲେଖକ

ଅଲଣାହାଟ

 

Image

 

ଅନୁକ୍ରମ

 

୧.

ସ୍ୱାମୀଜୀଙ୍କ ଆଶୀର୍ବାଦ

୨.

ବାପୁ ବିବେକର କର୍ଣ୍ଣଧାର

୩.

କର୍ମଯୋଗୀଙ୍କ କାରାବାସ

୪.

ଭୀଷ୍ମ ପିତାମହ

୫.

ତାଙ୍କ ଦୃଷ୍ଟିରେ ଭାରତୀୟ ସଂସ୍କୃତି

୬.

ଗଣତନ୍ତ୍ରର ଦଧିଚି

୭.

ଚେତାବନୀ

୮.

ଏ ଯୁଗର ବ୍ୟାସ ଓ ବାଲ୍ମୀକି

୯.

ଗାନ୍ଧୀ ଯୁଗର ଶେଷ ସୈନିକ

୧୦.

ଭାରତର ଅତନ୍ଦ୍ର ପ୍ରହରୀ

୧୧.

ଜଣେ କର୍ମଠ ଚରମପନ୍ଥୀ

୧୨.

ଗୌରବୋଜ୍ଜ୍ୱଳ ଦେଶସେବା

୧୩.

ଜବାହରଲାଲଙ୍କ ଯତ୍ନ ନିଅନ୍ତୁ

୧୪.

ମହାନ ଭାରତୀୟ

୧୫.

ମରିନାହିଁ ସେତ ମରଣଜୟୀ

୧୬.

ଶ୍ରଦ୍ଧାଞ୍ଜଳି

୧୭.

ବାଣୀ ଓ ବାର୍ତ୍ତା

୧୮.

ଜୀବନ ପଞ୍ଜିକା

Image

 

ସ୍ୱାମୀଜୀଙ୍କ ଆଶୀର୍ବାଦ

 

ସନ୍ଧ୍ୟା ଆସନ୍ନ ପ୍ରାୟ । ନୀଡ଼ବାହୁଡ଼ା ପକ୍ଷୀଙ୍କ କାକଳିରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଅଙ୍ଗନ ମୁଖରିତ । ବିଶ୍ୱବିଦ୍ୟାଳୟର ସୀମିତ ପରିବେଶ ଆଜି ଲୋକାରଣ୍ୟ । ଦର୍ଶନେଚ୍ଛୁ ଜନତାଙ୍କ ମୁହଁରେ ଗୋଟିଏ ପ୍ରଶ୍ନ “ସ୍ୱାମୀଜୀ ଆସିବେ କେତେବେଳେ” ? ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇନାହିଁ, ଗଗନ ପବନ ନିନାଦିତ ହୋଇ ଉଠିଲା-ଜୟ, ସ୍ୱାମୀ ବିବେକାନନ୍ଦ କି ଜୟ’ । ବିଦେଶରେ ଐକ୍ୟ ଓ ଉଦାର ସହନଶୀଳତାର ସାର୍ବଜନୀନ ବାଣୀ ପ୍ରଚାର କରି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ସ୍ଵାମୀଜୀ । ଶାନ୍ତ ସୁନ୍ଦର ତେଜୋଦୀପ୍ତ ବପୁ ଗୈରିକ ବସନରେ ଆଚ୍ଛାଦିତ-। ମସ୍ତକରେ ଶିରସ୍ତ୍ରାଣ, ଦୀପ୍ୟମାନ ଚକ୍ଷୁ ଯୁଗଳରେ ବ୍ରହ୍ମତେଜ ସ୍ପଷ୍ଟ । ମଞ୍ଚ ଉପରେ ଦଣ୍ଡାୟମାନ ହୋଇ ଆଜାନୁଲମ୍ୱିତ ବାହୁ ଉତ୍ତୋଳନ କରି ସମବେତ ଜନତାକୁ ଆଶୀର୍ବାଦ କଲେ ସେ । କ୍ରମେ ଜନସମୁଦ୍ର ଅପସରି ଗଲା । ଆଗ୍ରହୀ ଛାତ୍ରମାନଙ୍କର ଅନୁରୋଧ ଏଡ଼ି ନପାରି ସ୍ଵାମୀଜୀ ବିଜେ କଲେ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ । ହଠାତ୍ ତାଙ୍କର ଦୃଷ୍ଟି ଆକର୍ଷିତ ହେଲା ଛାତ୍ରାବାସର ଏକ ପ୍ରକୋଷ୍ଠରେ ଥିବା ଶ୍ରୀକୃଷ୍ଣଙ୍କର ଚିତ୍ରପଟ ଉପରେ । ସଙ୍ଗେ ସଙ୍ଗେ ଉପସ୍ଥିତ ଛାତ୍ରମାନଙ୍କୁ ସେ ପ୍ରଶ୍ନ କରିଥିଲେ ‘‘ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରପଟରେ ନୀଳରଙ୍ଗ ବ୍ୟବହାର କରାଯାଇଛି କାହିଁକି-?” ପ୍ରଶ୍ନ ଶୁଣି ଛାତ୍ରମାନେ ନିରୁତ୍ତର ରହିଲେ; କିନ୍ତୁ ସେମାନଙ୍କ ମଧ୍ୟରୁ ହଠାତ୍ ଜଣେ ପ୍ରତ୍ୟୁତ୍‌ପନ୍ନମତି ଛାତ୍ର ଉତ୍ତର ଦେଇଥିଲେ–‘‘ମନୁଷ୍ୟ ଦୃଷ୍ଟିରେ ଆକାଶ ଓ ସାଗର ଉଭୟେ ଅନନ୍ତ । ତେଣୁ ଉଭୟର ରଙ୍ଗ ନୀଳ । ସେହିପରି ଭଗବାନ ଶ୍ରୀକୃଷ୍ଣ ଯେହେତୁ ଅନନ୍ତ, ତେଣୁ ତାଙ୍କର ରଙ୍ଗ ନୀଳ’’ । ଜଣେ ଊନବିଂଶ ବର୍ଷୀୟ କ୍ଷୀଣକାୟ ଯୁବକଙ୍କ ଠାରୁ ଏପରି କଠିନ ପ୍ରଶ୍ନର ଉତ୍ତର ଶୁଣି ସ୍ଵାମୀଜୀ ବିସ୍ମିତ ହୋଇ ସଙ୍ଗେ ସଙ୍ଗେ ଆଶୀର୍ବାଦଭରା କଣ୍ଠରେ କହିଉଠିଥିଲେ–‘‘ଏ ଯୁବକଟି ଦିନେ ବଡ଼ ମଣିଷ ହେବ’’ । ମହାମନା ବିବେକାନନ୍ଦଙ୍କ ବାଣୀ ସତ୍ୟ ହେଲା । ସେହି ଯୁବକ ଜଣକ ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ଏ ଯୁଗର ଭୀଷ୍ମପିତାମହ ଭାରତରତ୍ନ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ।

 

୧୮୭୮ ମସିହା ଡିସେମ୍ବର ୨୮ ତାରିଖ । ଭାରତୀୟ ଦିନପଞ୍ଜିକାରେ ଏହା ଯେ ଦିନେ ସ୍ମରଣୀୟ ଦିବସରୂପେ ପରିଗଣିତ ହେବ, ତାହା କେହି କେବେ ଭାବି ନଥିଲେ । ସେହି ଦିନ ମାନ୍ଦ୍ରାଜର କୃଷ୍ଣଗିରି ତାଲୁକ ନିକଟସ୍ଥ ଥୋରାପଲ୍ଲୀ ନାମକ ଏକ କ୍ଷୁଦ୍ର ଗ୍ରାମର ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲା ଗୋଟିଏ କ୍ଷୀଣକାୟ ଶିଶୁ । ପିତା ଚକ୍ରବର୍ତ୍ତୀ ଆୟଙ୍ଗାର କେବେ ଭାବିନଥିଲେ ଯେ ତାଙ୍କର ପୁତ୍ର ଦିନେ ଭାରତରେ ହେବ ସର୍ବୋଚ୍ଚ ଆସନର ଅଧିକାରୀ । ଯେହେତୁ ସେ ଥିଲେ ଜଣେ ସଂସ୍କୃତ ପଣ୍ଡିତ, ତେଣୁ ବାଛି ବାଛି ପୁଅର ନାମ ଦେଇଥିଲେ ରାଜଗୋପାଳାଚାରୀ । ତାଙ୍କ ପୂର୍ବପୁରୁଷମାନେ କିପରି ଚକ୍ରବର୍ତ୍ତୀ ଉପାଧି ପାଇଲେ ସେ ବିଷୟରେ ଏକ କୌତୂହଳପୂର୍ଣ୍ଣ ପ୍ରବାଦ ଅଛି । ଥୋଗପଲ୍ଲୀର ଅଦୂରରେ ଗୋଟିଏ କ୍ଷୁଦ୍ର ନଦୀ ପ୍ରବାହିତ ହେଉଥିଲା । ସେହି ନଦୀରେ ସ୍ନାନ କରୁଥିଲେ ରାଜାଜୀଙ୍କ ପୂର୍ବପୁରୁଷମାନେ । ସେହି ନଦୀ ଗର୍ଭରେ ଥରେ ଗୋଟିଏ ଶବ ଭାସି ଯାଉଥିଲା । ତାଙ୍କ ପୂର୍ବପୁରୁଷମାନଙ୍କ ମଧ୍ୟରୁ ଜଣେ ଶବଟିକୁ ଉଦ୍ଧାର କରି ଆଗ୍ରହ ସହକାରେ ସମାପନ କରିଥିଲେ ତା’ର ଶେଷକ୍ରିୟା । ସେ ସମୟରେ ଦକ୍ଷିଣ ଭାରତରେ ବ୍ରାହ୍ମଣମାନେ ଥିଲେ ଅତି ରକ୍ଷଣଶୀଳ । ଯେତେବେଳେ ଜଣାପଡ଼ିଲା ଯେ ଶବଟି ଜଣେ ହରିଜନର, ଗ୍ରାମର ଅନ୍ୟ ବ୍ରାହ୍ମଣ ପରିବାର ରାଜାଜୀଙ୍କ ପରିବାରକୁ ଘୃଣା ସହକାରେ ବାସନ୍ଦ କରିଥିଲେ । ତେଣୁ ନିୟମାନୁଯାୟୀ ଶୁଦ୍ଧିକ୍ରିୟା ପାଳନ କରାଯାଇଥିଲେ ମଧ୍ୟ ଗ୍ରାମର କୌଣସି ବ୍ରାହ୍ମଣ ସେଥିରେ ସହଯୋଗ କରି ନଥିଲେ । ଗ୍ରାମବାସୀଙ୍କର ଅସହଯୋଗରେ ରାଜାଜୀଙ୍କ ପୂର୍ବପୁରୁଷମାନେ ବିଶେଷ ଚିନ୍ତିତ ହୋଇ ପଡ଼ିଥିଲେ । ସେହିଦିନ ଗ୍ରାମରେ ହଠାତ୍ ଜଣେ ଯୋଗୀଙ୍କର ଆବିର୍ଭାବ ହେଲା । ଦିନକ ପାଇଁ ଯୋଗୀ ଜଣକ ରାଜାଜୀଙ୍କ ଗୃହରେ ଅତିଥି ହେଲେ । ପରିବାରର ଆତିଥ୍ୟରେ ସେ ପ୍ରୀତ ହୋଇ ସମସ୍ତଙ୍କୁ ଆଶୀର୍ବାଦ କରି ‘ନିଲମ୍ ଚକ୍ରବର୍ତ୍ତୀ’ (ରାଜାଧିରାଜ) ଉପାଧି ପ୍ରଦାନ କରିଥିଲେ । ସେହିଦିନ ରାଜାଜୀଙ୍କ ପରିବାର ଚକ୍ରବର୍ତ୍ତୀ ଉପାଧିରେ ହେଲେ ଭୂଷିତ ।

 

ଗ୍ରାମ୍ୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରି ରାଜାଜୀ ହୋସୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଥିଲେ । ବାଲ୍ୟ କାଳରୁ ତାଙ୍କର ଦୃଷ୍ଟିଶକ୍ତି ଖରାପ ଥିଲା, ତେଣୁ ସେ ବେଶୀ ପରିଶ୍ରମ କରିପାରୁ ନଥିଲେ । ଶ୍ରେଣୀରେ ବସିଲାବେଳେ ସବୁ ଜିନିଷ ତାଙ୍କୁ ଅସ୍ପଷ୍ଟ ଦିଶୁଥିଲା । କଳାପଟାରେ ଶିକ୍ଷକ ଯାହା ଲେଖୁଥିଲେ, ତାହା ସେ ଆଦୌ ଦେଖିପାରୁ ନଥିଲେ । ତେଣୁ ତାଙ୍କପାଇଁ ଗୋଟିଏ ଚଷମା କିଣିବାକୁ ପିତାଙ୍କୁ ସେ ଅନୁରୋଧ କଲେ; କିନ୍ତୁ ପିତା ସେଥିରେ ରାଜି ହୋଇ ନଥିଲେ, କାରଣ ସେ ସମୟରେ ୪୫ ବର୍ଷ ପୂର୍ବରୁ କେହି ଚଷମା ବ୍ୟବହାର କରୁନଥିଲେ । ତେଣୁ ମାଧ୍ୟମିକ ସ୍କୁଲର ଛାତ୍ର ଥିଲା ବେଳେ ଦୃଷ୍ଟିଶକ୍ତିହୀନତା ଯୋଗୁଁ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ; କିନ୍ତୁ ପ୍ରବେଶିକା ପରୀକ୍ଷାବେଳକୁ ଭଗବାନଙ୍କ ଦୟାରୁ ହଠାତ୍ ସେ ଦୃଷ୍ଟିଶକ୍ତି ଫେରି ପାଇଥିଲେ । ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ସହକାରେ ଉତ୍ତୀର୍ଣ୍ଣ ହେଲା ପରେ ବାଙ୍ଗାଲୋର ସେଣ୍ଟ୍ରାଲ କଲେଜରେ ତାଙ୍କର ନାମ ଲେଖାଗଲା । ସେହି କଲେଜରୁ ସେ ବି. ଏ. ପାଶ କଲା ପରେ ମାନ୍ଦ୍ରାଜ ଆଇନ କଲେଜରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ଓ ୧୯ଶହ ମସିହାରେ ସାଲେମ୍‌ରେ ଏକାଧିକ ଫୌଜଦାରୀ ମୋକଦ୍ଦମା ହାତକୁ ନେଇ ଓକିଲ ହିସାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଆଇନ ବ୍ୟବସାୟରେ ତାଙ୍କର ଖ୍ୟାତି ଓ ପ୍ରତିପତ୍ତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଅର୍ଥ ଉପାର୍ଜନ ମଧ୍ୟ ବୃଦ୍ଧି ପାଇଥିଲା । ତେଣୁ ସାଲେମ୍ ସହରରେ ସେ ପ୍ରଥମେ ଫ୍ରାନ୍ସ ତିଆରି ମଟର ଗାଡ଼ି କିଣିବାକୁ ସକ୍ଷମ ହୋଇ ପାରିଥିଲେ । ତାଙ୍କୁ ଯେତେବେଳେ କୋଡ଼ିଏ ବର୍ଷ, ସେତେବେଳେ ସେ ଶ୍ରୀମତୀ ଆଲାମେଲୁର୍ ମାଙ୍ଗାମ୍ମଲଙ୍କୁ ବିବାହ କରିଥିଲେ । ୧୯୧୭ରେ ସ୍ତ୍ରୀଙ୍କ ବିୟୋଗ ପରେ ସେ ସାଲେମ ଛାଡ଼ି ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ମାନ୍ଦ୍ରାଜ ସହରରେ ।

 

ଛାତ୍ରାବସ୍ଥାରେ ରାଜାଜୀ ବିଶେଷ ଅଧ୍ୟବସାୟୀ ନଥିଲେ । ତା ସତ୍ତ୍ୱେ ବି. ଏ. ରେ ପଦାର୍ଥ ବିଜ୍ଞାନ ନେଇ ସେ ଖୁବ୍ କୃତିତ୍ୱ ସହକାରେ ପାଶ୍ କରିଥିଲେ । ଛାତ୍ରଜୀବନରୁ ଇଂରାଜୀ ଭାଷାରେ ତାଙ୍କର ଗଭୀର ଅନୁପ୍ରବେଶ ଥିଲା । ବିଶିଷ୍ଟ ଇଂରାଜୀ ଭାଷାବିତ୍ ଜନ୍ ଟାଇଟ୍ ଥିଲେ ତାଙ୍କର ଇଂରାଜୀ ଶିକ୍ଷକ । ରାଜାଜୀ ଥିଲେ ତାଙ୍କର ପ୍ରିୟ ଛାତ୍ର । ଶିକ୍ଷକ ଜୀବନରୁ ଅବସର ନେଇ ସେ ବିଲାତକୁ ଫେରି ଯାଇଥିଲେ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରାଜାଜୀଙ୍କ ସହିତ ପତ୍ରାଳାପ କରୁଥିଲେ । ରାଜାଜୀ ଥିଲେ ଧୂମପାନର ବିରୋଧୀ । ତାହା ସତ୍ତ୍ୱେ ସେ ନିଜର ଗୁରୁଦେବଙ୍କ ନିକଟକୁ ଶେଷ ଜୀବନ ପର୍ଯ୍ୟନ୍ତ ଭାରତୀୟ ତମାଖୁ ପଠାଇବାକୁ ଭୁଲୁ ନଥିଲେ; କାରଣ ହୁକା ପାଇଁ ଟାଇଟ୍‌ଙ୍କର ଭାରତୀୟ ତମାଖୁ ଥିଲା ସବୁଠାରୁ ବେଶୀ ପ୍ରିୟ ।

 

୧୯୧୯ ମସିହାରେ ସେ ଲାଭକରୀ ଆଇନ ବ୍ୟବସାୟର ମୋହ ଛାଡ଼ି ଗାନ୍ଧୀଜୀଙ୍କ ଆହ୍ୱାନ କ୍ରମେ ଝାସ ଦେଇଥିଲେ ସ୍ଵାଧୀନତା ସଂଗ୍ରାମରେ । ସେତେବେଳେ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କର ଓଜସ୍ୱୀନୀ ଲେଖା ଓ ଭାଷଣ ପ୍ରାୟ ପ୍ରତ୍ୟେକ ଭାରତୀୟ ଯୁବକଙ୍କ ମନରେ ଭରି ଦେଇଥିଲା ଅଫୁରନ୍ତ ପ୍ରେରଣା । ରାଜାଜୀ ମଧ୍ୟ ସେ ସମୟର ତୁଙ୍ଗନେତା ଲାଲାଜୀଙ୍କଠାରୁ ପରୋକ୍ଷ ପ୍ରେରଣା ପାଇଥିଲେ । ପ୍ରଥମ ମହାଯୁଦ୍ଧର ଅବସାନ ପରେ ଜିନିଷପତ୍ରର ଦରଦାମ ଅତି ମାତ୍ରାରେ ବୃଦ୍ଧି ପାଇବାରୁ ଲୋକଙ୍କର ଆର୍ଥିକ ଅବସ୍ଥା ଦୟନୀୟ ରୂପ ଧାରଣ କଲା । ତାହା ସତ୍ତ୍ୱେ ଲାଲାଜୀ, ତିଲକ୍ ଓ ଗାନ୍ଧୀ ଇତ୍ୟାଦିଙ୍କ ନେତୃତ୍ୱ ଲୋକଙ୍କ ମନରେ ଭରି ଦେଇଥିଲା ଅସରନ୍ତି ରାଜନୈତିକ ଚେତନା । ‘ସ୍ଵାଧୀନତା ଆମର ଜନ୍ମଗତ ଅଧିକାର’—ଏହି ମନ୍ତ୍ରରେ ଲୋକମାନ୍ୟ ତିଲକ୍ ସମଗ୍ର ଦେଶକୁ କରିଥିଲେ ଅଭିମନ୍ତ୍ରିତ । ତାଙ୍କର ଯୁଗାନ୍ତକାରୀ ସିଦ୍ଧାନ୍ତରେ ଯୁବସଂପ୍ରଦାୟ ଉଦ୍‌ବୁଦ୍ଧ ହୋଇଉଠିଥିଲେ । ଇତ୍ୟବସରରେ ‘ମଣ୍ଟେଗୁ-ଚେମ୍‍ସ ଫୋର୍ଡ ସଂସ୍କାର’ ବଳବତ୍ତର ହେଲା । ଆଂଶିକ ଭାବେ ସ୍ୱାୟତ୍ତ ଶାସନ ମିଳିବାରୁ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିଲା ନାହିଁ । ପୁନଶ୍ଚ ଆଭ୍ୟନ୍ତରୀଣ ବନ୍ଦୀମାନଙ୍କୁ ଖଲାସ କରା ନ ଯିବାରୁ ଦେଶସାରା ଅଶାନ୍ତି ବ୍ୟାପିଗଲା । ସାର୍ ରାଓଲଟ୍ ସିଡ଼ନିଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସି ଯେଉଁ ରିପୋର୍ଟ ଦେଲେ, ସେଥିରେ ସରକାରଙ୍କୁ ସମର୍ଥନ କରାଗଲା । ଫଳରେ ଜନସାଧାରଣ ଅତ୍ୟନ୍ତ ଉତ୍ୟକ୍ତ ହୋଇ ପଡ଼ିଲେ । ସେହି କମିଟିର ରିପୋର୍ଟକୁ Black bill ଓ Lawless law ବୋଲି ଲୋକେ କହିବାକୁ ଲାଗିଲେ । ଗାନ୍ଧୀଜୀ ଏହି ରିପୋର୍ଟର ତୀବ୍ର ବିରୋଧ କରି ବଡ଼ଲାଟଙ୍କ ନିକଟକୁ ପତ୍ର ଲେଖିଲେ; କିନ୍ତୁ କିଛି ସୁଫଳ ହେଲା ନାହିଁ । ତାଙ୍କର ଆହ୍ୱାନ କ୍ରମେ ୧୯୧୯ ମସିହା ଅପ୍ରେଲ ୬ ତାରିଖରେ ଦେଶବ୍ୟାପୀ ହରତାଳ ପାଳନ କରାଗଲା । ଦେଶବାସୀଙ୍କର ମାନସିକ ଦୃଢ଼ତା ଆଣିବା ପାଇଁ ଅନଶନ, ମିଳିତ ପ୍ରାର୍ଥନା ଓ ପ୍ରତିବାଦ ସଭାମାନ କରାଗଲା । ହିନ୍ଦୁ ଓ ମୁସଲମାନ୍‌ମାନଙ୍କର ଏକ ମିଳିତ ଶୋଭଯାତ୍ରା ଉପରକୁ ଚାଲିଚାଳନା କରାଯିବାରୁ ବିଶିଷ୍ଟ ହିନ୍ଦୁଧର୍ମବିଶାରଦ ସ୍ୱାମୀ ସାରଦାନନ୍ଦଙ୍କର ମୃତ୍ୟୁ ଘଟିଲା । ଦେଶସାରା ବାତ୍ୟା ପରି ଏହି ଆନ୍ଦୋଳନ ଏପରି ବ୍ୟାପିଗଲା ଯେ ବ୍ରିଟିଶ ସରକାର ବିବ୍ରତ ହୋଇପଡ଼ିଲେ । ସଭାସମିତି ଉପରେ ଦୃଢ଼ କଟକଣା ଜାରି କରାଗଲା; କିନ୍ତୁ ଲୋକେ ତାଙ୍କ ପ୍ରତିଜ୍ଞାରୁ ଓହରିଲେ ନାହିଁ । ଆନ୍ଦୋଳନକୁ ଦମନ କରିବା ପୋଲିସ କର୍ମଚାରୀଙ୍କ ପକ୍ଷେ ସମ୍ଭବ ନ ହେବାରୁ ସୈନ୍ୟବାହିନୀର ସାହାଯ୍ୟ ନିଆଗଲା । ସ୍ଵତଃପ୍ରବୃତ୍ତ ହୋଇ ବହୁସ୍ଥାନରେ ଲୋକେ ମୃତ୍ୟୁ ବରଣ କଲେ ।

 

ଖିଲାପତ୍ ଆଇନର ପ୍ରତିବାଦସ୍ୱରୂପ ଦେଶସାରା ସ୍ଵାଧୀନତା ଆନ୍ଦୋଳନ ତେଜି ଉଠିଲା-। ଏହି ଆନ୍ଦୋଳନର ନେତୃତ୍ୱ ନେଲେ ନିଜେ ମହାତ୍ମାଗାନ୍ଧୀ । ପଞ୍ଜାବରେ ଏହି ଆନ୍ଦୋଳନ ଭୟଙ୍କର ରୂପ ଧାରଣ କଲା । ଆନ୍ଦୋଳନକୁ ଦୁର୍ବଳ କରିବା ଲାଗି ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ସରକାର କାରାରୁଦ୍ଧ କଲେ । ୧୯୧୯ ମସିହା ଅପ୍ରେଲ ୧୩ ତାରିଖ ଦିନ ପଣା ସଂକ୍ରାନ୍ତି ଯୋଗୁଁ ସ୍କୁଲ କଲେଜ ବନ୍ଦ ଥାଏ । ସେହିଦିନ ଅପରାହ୍ନରେ ଜାଲିଆନୱାଲାବାଗଠାରେ ଗୋଟିଏ ସାଧାରଣ ସଭାର ଆୟୋଜନ କରାଗଲା । ସେ ସମୟରେ ପଞ୍ଜାବ ସୈନ୍ୟବାହିନୀର ମୁଖ୍ୟ ଥାନ୍ତି ଜେନେରାଲ ଡାୟାର । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଭାରତ ସରକାରଙ୍କର ଏତାଦୃଶ କାର୍ଯ୍ୟର ବିରୋଧ କରିବା ଲାଗି ସୈନ୍ୟବାହିନୀ ସେହି ପାଚେରୀ ଘେରା ପାର୍କକୁ ଘେରାଉ କଲେ-। ଯିବାଆସିବାକୁ ଥିବା ସଂକୀର୍ଣ୍ଣ ଦ୍ୱାର ଦେଶକୁ ମିଲିଟାରୀ ମୋଟରଗାଡ଼ି ଦ୍ୱାରା ଅବରୋଧ କରାଗଲା । ସମବେତ ଜନତା ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ ଡାୟାର ସାହେବ-। ପ୍ରାୟ ଦଶମିନିଟ ଭିତରେ ୧୬୫୦ ରାଉଣ୍ଡ ଗୁଳି ଚାଲିଲା । ତଦ୍ଦ୍ୱାରା ୧୨ ଶହ ଲୋକ ମୃତ୍ୟୁ ବରଣ କଲେ ୫ ହଜାର ଲୋକ ଆହତ ହେଲେ । ନିରୀହ ନିରସ୍ତ୍ର ଜନତା ଆତ୍ମସମର୍ପଣ ଉଦ୍ଦେଶ୍ୟରେ ଦୁଇହାତ ଉପରକୁ ଟେକି ରହିଥିବାବେଳେ ସେମାନଙ୍କ ବକ୍ଷ ଦେଶକୁ ଲକ୍ଷ୍ୟ କରି ଗୁଳି ବର୍ଷଣ କରାଗଲା । ଆତ୍ମରକ୍ଷା ଲାଗି ବାଗ୍‌ର ଗୋଟିଏ ପାର୍ଶ୍ୱରେ ଥିବା କୂପ ଭିତରକୁ ଡେଇଁପଡ଼ି ୧୨୦ ଜଣ ଲୋକ ପ୍ରାଣ ହରାଇଲେ । ଗୁଳି ଶେଷ ହୋଇଯିବାରୁ ଡାୟାର ସାହେବ କ୍ୟାମ୍ପକୁ ଫେରିଗଲେ ମଧ୍ୟ ମିଲିଟାରୀ ଗାଡ଼ିଗୁଡ଼ିକୁ ସେହିପରି ପଥ ଅବରୋଧ କରିବାକୁ ଆଦେଶ ଦେଇଗଲେ । ବାଗ୍ ଭିତରକୁ ଆତ୍ମୀୟସ୍ୱଜନମାନେ ଯାଇ ସେମାନଙ୍କ ଲୋକଙ୍କୁ ଖୋଜି ବାହାର କରିବାକୁ ଅନୁମତି ଦିଆଗଲା ନାହିଁ । ଅମୃତସରରେ ସେଦିନ ସାନ୍ଧ୍ୟ ଆଇନ ଜାରି କରାଗଲା-। ମୁମୂର୍ଷୁଙ୍କ କରୁଣ ଚିତ୍କାରରେ ଅମୃତସର ହେଲା ନରକରେ ପରିଣତ ।

 

ସେଦିନର ବିଭତ୍ସ ତଥା ନିର୍ମମ ହତ୍ୟାକାଣ୍ଡ ଓ ତା’ପରେ ବର୍ବରୋଚିତ ଅତ୍ୟାଚାର ଏକ ଅଭୂତପୂର୍ବ ଜନଜାଗରଣ ପାଇଁ ପଥ ପରିଷ୍କାର କରି ଦେଲା । ସେତିକିରେ ଡାୟାର ସାହେବଙ୍କ ମନ ଶାନ୍ତ ହେଲା ନାହିଁ । କ୍ରମାଗତ ଦୁଇମାସ ଧରି ଗୋଟିଏ ପରେ ଗୋଟିଏ ଆଦେଶନାମା ଜାରି କରି ସେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲେ । ପ୍ରତ୍ୟହ ସହରର ପ୍ରତ୍ୟେକ ସ୍କୁଲ କଲେଜର ଛ’ଜଣ କରି ଛାତ୍ରଙ୍କୁ ଚାବୁକମାଡ଼ ଦିଆଯାଉଥିଲା । ପଞ୍ଜାବ ବାରକାଉନ୍ସିଲର ଓକିଲ ଓ ବାରିଷ୍ଟରମାନଙ୍କୁ ଜରୁରୀକାଳୀନ କନେଷ୍ଟବଲ ଦାୟିତ୍ୱ ତୁଲାଇବାକୁ ବାଧ୍ୟ କରଯାଇଥିଲା । ଏପରିକି ସଭାସମିତିକୁ ଟେବୁଲ ଚେୟାର ବୁହାଇବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା । ସହରର କେନ୍ଦ୍ର-ସ୍ଥଳରେ ଗୋଟିଏ କାଠ ଖୁଣ୍ଟରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ବାନ୍ଧି ରଖି ଚାବୁକ୍ ମାଡ଼ ଦିଆଯାଉଥିଲା । ମାଡ଼ ଖାଇ ଲୋକେ ସଂଜ୍ଞାହୀନ ହୋଇ ପଡ଼ୁଥିଲେ ଓ କେହି କେହି ମୃତ୍ୟୁ ମଧ୍ୟ ବରଣ କରୁଥିଲେ । ମିଲିଟାରୀ କ୍ୟାମ୍ପମାନଙ୍କରେ ଉଡ଼ୁଥିବା ‘ଇଉନିୟନ ଜାକ୍‌’କୁ ଦିନକୁ ତିନିଥର ସାଲିଉଟ୍ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଧ୍ୟାପକଙ୍କୁ କଡ଼ା ନିର୍ଦ୍ଧେଶ ଦିଆଯାଇଥିଲା । ସେଥିପାଇଁ କେତେକଙ୍କୁ ପ୍ରବଳ ଗ୍ରୀଷ୍ମତାପ ସତ୍ତ୍ୱେ ୧୮ । ୧୯ ମାଇଲ ପଥ ଅତିକ୍ରମ କରିବାକୁ ପଡ଼ୁଥିଲା । ସର୍ବସାଧାରଣଙ୍କୁ ଶବାରି, ପାଲଙ୍କି କିମ୍ବା ମୋଟର ଗାଡ଼ିରେ ଯିବା ଆସିବାକୁ ନିଷେଧ ଆଦେଶ ଜାରି କରାଯାଇଥିଲା । ଯାନବାହନରେ ଯିବା ସମୟରେ ଗୋରାଲୋକଙ୍କୁ ଦେଖିଲେ ତହିଁରୁ ଶୀଘ୍ର ଓହ୍ଲାଇ ଆସି ସଲାମଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପରେ ଅବଶ୍ୟ ଦୀନବଂଧୁ ଆଣ୍ଡୃଜଙ୍କ ପ୍ରଚେଷ୍ଟାରେ ହଣ୍ଟରସାହେବଙ୍କ ଅଧ୍ୟକ୍ଷତାରେ ଗୋଟିଏ ତଦନ୍ତ କମିସନ୍ ବସାଯାଇ ଡାୟାରଙ୍କ କାର୍ଯ୍ୟକଳାପ କ୍ଷଣିକ ଉତ୍ତେଜନାମୂଳକ ବୋଲି ପ୍ରମାଣ କରାଯାଇ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା । ତାହା ସତ୍ତ୍ୱେ ଶାସକ ଓ ଶାସିତଙ୍କ ସଂପର୍କ ଚରମ ତିକ୍ତତାରେ ପହଞ୍ଚିଥିଲା । ମୃତ୍ୟୁଦଣ୍ଡ ଲୋକଙ୍କୁ ଭୟଭୀତ କରିପାରିଲା ନାହିଁ । ହସି ହସି ଲୋକେ କାରାବରଣ କଲେ ।

 

୧୯୨୦ ମସିହା ସେପ୍ଟେମ୍ବର ମାସରେ କଂଗ୍ରେସର ଏକ ସ୍ଵତନ୍ତ୍ର ଅଧିବେଶନରେ ବାପୁଜୀଙ୍କ ନିର୍ଦ୍ଧାରିତ ଅସହଯୋଗ ଆନ୍ଦୋଳନ ଗୃହୀତ ହେଲା । ସେହି ବର୍ଷ ଡିସେମ୍ବର ମାସରେ ନାଗପୁରଠାରେ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଜିନ୍ନା ପ୍ରଭୃତି ନେତାମାନେ ଗାନ୍ଧୀଜୀଙ୍କର ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଲେ । ରାଜାଜୀ ସେହି ବର୍ଷ କଚେରୀ ବର୍ଜନ କରି ଝାସ ଦେଇଥିଲେ ସ୍ଵାଧୀନତା ଆନ୍ଦୋଳନରେ । କାକିନେଡ଼ା କଂଗ୍ରେସ ପରେ କଂଗ୍ରେସ ସଭ୍ୟମାନଙ୍କୁ ବ୍ୟବସ୍ଥା ସଭାରେ ପ୍ରବେଶ ଲାଗି ଅନୁମତି ମିଳିଲା । ରାଜାଜୀ ତାହାର ବିରୋଧ କରି ସକ୍ରିୟ ରାଜନୀତିରୁ ଓହରିଯାଇ ନିଜର ରଚନାତ୍ମକ କାର୍ଯ୍ୟ ଆରମ୍ଭ କଲେ । ତିରୁଚେନ୍ ଗୁଣ୍ଡୁ ଆଶ୍ରମ ପ୍ରତିଷ୍ଠା କରି ହରିଜନ ଉନ୍ନୟନ, ଗଦି ପ୍ରସାର ଓ ନିଶା ନିବାରଣକଳ୍ପେ ବହୁ କାର୍ଯ୍ୟକ୍ରମ ସେ ହାତକୁ ନେଇଥିଲେ । କିଛିଦିନ ପରେ ଗାନ୍ଧୀଜୀଙ୍କ ଅନୁରୋଧ କ୍ରମେ ସେ କଂଗ୍ରେସରେ ପୁଣି ଯୋଗ ଦେଇଥିଲେ ଓ ‘ୟଙ୍ଗ ଇଣ୍ଡିଆ’ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।

 

କାଳକ୍ରମେ ସ୍ୱକୀୟ କାର୍ଯ୍ୟଦକ୍ଷତା ଯୋଗୁଁ ସେ ମହାତ୍ମା ଗାନ୍ଧୀଙ୍କର ହୋଇ ପାରିଥିଲେ ସବୁଠାରୁ ବେଶୀ ପ୍ରିୟ । ତେଣୁ ଯେକୌଣସି ଗୁରୁତର ନିଷ୍ପତ୍ତି ନେଇ ପୂର୍ବରୁ ଗାନ୍ଧୀଜୀ ରାଜାଜୀଙ୍କର ମତାମତ ଗ୍ରହଣ କରୁଥିଲେ । ୧୯୪୫ ମସିହାରେ ସାର ଷ୍ଟାଫୋର୍ଡକ୍ରିପ୍‌ସ ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ ଯେ ଭାରତୀୟ ରାଷ୍ଟ୍ରନୀତିଜ୍ଞମାନଙ୍କ ମଧ୍ୟରେ ବଡ଼ କିଏ ? ସେମାନଙ୍କ ମଧ୍ୟରେ କିଏ ଗାନ୍ଧୀଜୀ, କିଏ ନେହେରୁ, କିଏ ପଟେଲ, ଆଉ କିଏ ଜିନ୍ନା ବୋଲି ଉତ୍ତର ଦେଇଥିଲେ; କିନ୍ତୁ କ୍ରିପ୍ସ ସାହେବ ହସି ହସି କହିଥିଲେ–‘‘ହଁ, ସେମାନେ ଜଣେ ଜଣେ ଧୂରୀଣ ରାଷ୍ଟ୍ରନୀତିଜ୍ଞ, ମାତ୍ର ସମସ୍ତଙ୍କଠାରୁ ବଡ଼ ରାଷ୍ଟ୍ରନୀତିଜ୍ଞ ହେଉଛନ୍ତି ‘ଚକ୍ରବର୍ତ୍ତୀ ଗଜଗୋପାଳାଚାରୀ ।’’

 

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧୀନ ହେଲା । ୧୯୪୮ ମସିହା ଜୁନ୍ ମାସରେ ଲର୍ଡ ମାଉଣ୍ଟ ବ୍ୟାଟେନ୍ ବଡଲାଟ ଦାୟିତ୍ଵ ଅର୍ପଣ କଲେ ରାଜାଜୀଙ୍କ ହାତରେ । ୧୯୫୦ ମସିହା ଜାନୁଆରୀ ୨୬ତାରିଖ ପର୍ଯ୍ୟନ୍ତ ସେ ଭାରତର ଶେଷ ବଡଲାଟରୂପେ କାର୍ଯ୍ୟ ତୁଲାଇଥିଲେ । ଅବଶ୍ୟ ତତ୍‌ପୂର୍ବରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀରୂପେ କିଛିଦିନ କାର୍ଯ୍ୟ କରିବାକୁ ପଡ଼ିଥିଲା । ବଡଲାଟ ବା ଗଭର୍ଣ୍ଣର-ଜେନେରାଲ ଥିଲାବେଳେ ସେ ଖୁବ୍ ବିଚକ୍ଷଣତା ସହକାରେ କାର୍ଯ୍ୟ କରିଥିଲେ । ତେଣୁ ସମସ୍ତେ ଭାବିଥିଲେ ତାଙ୍କୁ ଭାରତର ପ୍ରଥମ ରାଷ୍ଟ୍ରପତି କରାଯିବ ବୋଲି । ବିଶେଷ କରି ଜବାହରଲାଲ ନେହେରୁ ରାଜାଜୀଙ୍କୁ ଭାରତର ପ୍ରଥମ ରାଷ୍ଟ୍ରପତି କରିବା ଲାଗି ଗଭୀର ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ଏକ ଶକ୍ତିଶାଳୀ ଗୋଷ୍ଠୀ ସଂବିଧାନ ବିଧାୟକ ସଭାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ରାଷ୍ଟ୍ରପତି କରିବା ଲାଗି ଉଦ୍ୟମ ଚଳାଇଲେ । ପ୍ରଧାନମନ୍ତ୍ରୀ ନେହେରୁ ଯେତେବେଳେ ଦେଖିଲେ ଯେ ରାଜାଜୀଙ୍କ ବିରୁଦ୍ଧରେ ଓ ରାଜେନ୍ଦ୍ର ପ୍ରସାଦଙ୍କ ସପକ୍ଷରେ କଂଗ୍ରେସର ଏକ ଶକ୍ତିଶାଳୀ ଗୋଷ୍ଠୀ ଅଭିଯାନ ଚଳାଇଛନ୍ତି, ସେତେବେଳେ ସେ ବାଧ୍ୟ ହୋଇ ରାଜାଜୀଙ୍କ ପ୍ରତି ତାଙ୍କର ସମର୍ଥନ ପ୍ରତ୍ୟାହାର କରାଇ ନେଇଥିଲେ ।

 

ବଡ଼ଲାଟ ଥିଲାବେଳେ ରାଜାଜୀ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟମାନ କରିଥିଲେ ତାହାର ଭୂୟସୀ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ଏକ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ—‘‘His vision and statesmanship were inestimable to the members of the Cabinet and to the Country’’. ରାଜାଜୀଙ୍କ ବିଦାୟ ସଭାରେ ଜବାହରଲାଲ କହିଥିଲେ—‘‘ଯେତେବେଳେ ମୁଁ କୌଣସି ଗୋଳମାଳିଆ ପରିସ୍ଥିତିର ସମ୍ମୁଖୀନ ହେଉଥିଲି, ସେତେବେଳେ ମୁଁ ପକ୍ୱଧୀଶକ୍ତିପୂର୍ଣ୍ଣ ନିର୍ଦ୍ଦେଶନା ନେବା ଲାଗି ଧାଇଁ ଆସୁଥିଲି ଆପଣଙ୍କ ପାଖକୁ, ଯାହାକି ମୋତେ ହେଉଥିଲା ସର୍ବଦା ସହାୟକ ।” ବଡ଼ଲାଟ ପଦରୁ ବିଦାୟ ନେଲେ ମଧ୍ୟ ରାଜାଜୀଙ୍କ ସହିତ ନେହେରୁଙ୍କର ସମ୍ପର୍କ ଛିନ୍ନ ହୋଇନଥିଲା । ସର୍ଦ୍ଦାର ପଟେଲଙ୍କର ତିରୋଧାନ ପରେ ନେହେରୁ ତାଙ୍କୁ କେନ୍ଦ୍ର ଘରୋଇମନ୍ତ୍ରୀ ଦାୟିତ୍ୱ ନେବା ଲାଗି ନିମନ୍ତ୍ରଣ କରିଥିଲେ ଓ ରାଜାଜୀ ତାହା ସାଦରେ ଗ୍ରହଣ କରିଥିଲେ । ବଡ଼ଲାଟ ହେଲା ପରେ ତାଙ୍କର ଏହି ପଦବୀ ଗ୍ରହଣ କରିବା ତ୍ୟାଗପୂତ ମନୋବୃତ୍ତିର ପରିଚାୟକ ନୁହେଁ କି ?

 

୧୯୩୭ ମସିହାରେ ଦେଶର ଆଠଟି ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କଲେ । ବଙ୍ଗଳା, ସିନ୍ଧୁ, ପଞ୍ଜାବ ଇତ୍ୟାଦି ରାଜ୍ୟମାନଙ୍କରେ ସରକାର ଗଠନ କଲେ ମୁସଲିମ୍‌ଲିଗ୍ ଦଳ । ମାନ୍ଦ୍ରାଜ ପ୍ରଦେଶ ସେତେବେଳେ ଆୟତନ ଦୃଷ୍ଟିରୁ ଓଡ଼ିଶାର ସୀମା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା । ସେଠାରେ କିଏ ପ୍ରଧାନ ମନ୍ତ୍ରୀ ହେବ, ସେହି ବିଷୟ ନେଇ ମତଭିନ୍ନତା ଦେଖା ଦେଇଥିଲା । ଶ୍ରୀ ଟି. ପ୍ରକାଶମ୍ ଓ ଶ୍ରୀ ସତ୍ୟମୂର୍ତ୍ତୀଙ୍କ ନାମ ମଧ୍ୟ ସେଥିପାଇଁ ସୁପାରିଶ କରାଯାଇଥିଲା । ସେତେବେଳେ ଶ୍ରୀ କାଲେଶ୍ଵର ରାଓ ମାନ୍ଦ୍ରାଜ ପ୍ରଦେଶ କଂଗ୍ରେସ କମିଟିର ଥା’ନ୍ତି ଉପସଭାପତି । ସେ ସର୍ଦ୍ଦାର ପଟେଲଙ୍କ ସହାୟତାରେ ରାଜାଜୀଙ୍କୁ ସେହି ପଦ ପାଇଁ ବହୁକଷ୍ଟରେ ରାଜି କରାଇଥିଲେ ।

 

ମାତ୍ର ଦୁଇବର୍ଷ ପ୍ରଧାନ ମନ୍ତ୍ରୀ ରହିବା ପରେ ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । କଂଗ୍ରେସ ପ୍ରସ୍ତାବ ଦେଲା ଯେ ଭାରତକୁ ସ୍ୱାଧୀନତା ଦେବା ପାଇଁ ବ୍ରିଟେନ୍ ପ୍ରତିଶ୍ରୁତି ଦେଲେ ଭାରତ ଯୁଦ୍ଧରେ ତାକୁ ସହାୟତ କରିବ; କିନ୍ତୁ ସେହି ପ୍ରତିଶ୍ରୁତିରେ ବ୍ରିଟେନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ ରାଜି ହେଲେ ନାହିଁ । ତେଣୁ ତାହାର ପ୍ରତିବାଦ କରି କଂଗ୍ରେସ ସରକାର ଇସ୍ତଫା ଦେଲେ । ରାଜାଜୀ ମନ୍ତ୍ରୀମାନଙ୍କ ସହିତ ଇସ୍ତଫା ଦେଇଥିଲେ ମଧ୍ୟ ଯୁଦ୍ଧରେ ଇଂରେଜମାନଙ୍କୁ ସାହାଯ୍ୟ କରିବା ଲାଗି ମତପୋଷଣ କରିଥିଲେ ।

 

ସେତେବେଳେ ଦେଶର ସ୍ୱାଧୀନତା ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରୁଥିଲେ ମୁସଲିମ୍ ଲିଗ୍ ଦଳ । ଏହି ଦଳର ଲାହୋର ଅଧିବେଶନରେ ସ୍ଥିର ହୋଇଥାଏ ଏକ ସ୍ଵତନ୍ତ୍ର ମୁସଲମାନ୍ ରାଷ୍ଟ୍ର–‘ପାକିସ୍ଥାନ’ ସୃଷ୍ଟି କରିବା ପାଇଁ । ଏହି ଦଳ ସହିତ ସମାଧାନର ଏକ ସୂତ୍ର ରାଜାଜୀ ବାହାର କରିଥିଲେ । ଭାରତୀୟ ରାଜନୈତିକ ଇତିହାସରେ ତାହା । ‘ରାଜାଜୀ ଫର୍ମୁଲା’ ନାମରେ ଅଭିହିତ-

 

ଏହି ଫର୍ମୁଲା ହେଲା—

 

୧.

ମୁସଲିମ୍ ଲିଗ୍ ଦେଶର ସ୍ୱାଧୀନତା ଦାବିକୁ ସମର୍ଥନ କରି ମଧ୍ୟବର୍ତ୍ତୀକାଳୀନ ସରକାର ଗଠନରେ ସାହାଯ୍ୟ ସହଯୋଗ କରିବ ।

 

 

୨.

ଯୁଦ୍ଧ ପରେ ଦେଶର ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରେ ମୁସଲ୍‌ମାନବହୁଳ ଅଞ୍ଚଳ ଚିହ୍ନଟ କରିବା ଲାଗି ଜାତୀୟ କଂଗ୍ରେସ ଯେଉଁ କମିସନ୍ ବସାଇବେ, ସେଥିରେ ସମ୍ମତ ହେବ ।

 

 

୩.

ମୁସଲ୍‌ମାନ୍ ଅଧ୍ୟୁଷିତ ଅଞ୍ଚଳ ଚିହ୍ନଟ ପରେ ଭୋଟଦ୍ୱାରା ଲୋକମତ ଗ୍ରହଣ କରାଯାଇ ଭାରତରୁ ବିଚ୍ଛିନ୍ନ ହୋଇ ଏକ ସାର୍ବଭୌମ ରାଷ୍ଟ୍ର ଗଠନ ବିଷୟରେ ଯଦି ମତାଧିକ୍ୟ ହୁଏ, ତାହାହେଲେ ଉଭୟ ପକ୍ଷ ତାହାକୁ ଗ୍ରହଣ କରିବେ ।

 

 

୪.

ବିଭାଜନ ପ୍ରଶ୍ନ ସାବ୍ୟସ୍ତ ହେଲା ପରେ ଉଭୟ ପକ୍ଷ ଦେଶ ରକ୍ଷା, ବାଣିକ୍ୟ, ଗମନାଗମନ ଇତ୍ୟାଦି ବିଷୟରେ ଏକ ପାରସ୍ପରିକ ଚୁକ୍ତିରେ ଆବଦ୍ଧ ରହିବେ । ଦେଶ ପୂର୍ଣ୍ଣ ସ୍ୱାଧୀନ ହେଲା ପରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ ।

 

ଏହି ଫର୍ମୁଲା ପ୍ରଣୟନ ପରେ ରାଜାଜୀ ବନ୍ଦୀଶାଳାରେ ଗାନ୍ଧୀଜୀଙ୍କ ସହିତ ଆଲୋଚନା କରି, ତାଙ୍କରି ସମ୍ମତି ପାଇଥିଲେ; କିନ୍ତୁ ଜିନ୍ନା ସେଥିରେ ରାଜି ହେଲେ ନାହିଁ । ସେ ରାଜାଜୀଙ୍କୁ କହିଲେ--‘ଆପଣଙ୍କର ଫର୍ମୁଲା ପ୍ରସ୍ତାବିତ ପାକିସ୍ଥାନର ଏକ କୀଟଦଷ୍ଟ ଛାୟା ମାତ୍ର” । ତାଙ୍କର ଏପରି କଟୁ ମନ୍ତବ୍ୟ କଂଗ୍ରେସ ସଭ୍ୟମାନଙ୍କ ମନରେ ଭାବାନ୍ତର ଜାତ କରାଇଥିଲା । ଗୋରା ସରକାର ମଧ୍ୟ ଏହି ସୁଯୋଗରୁ ଫାଇଦା ଉଠାଇବାକୁ ଯାଇ ପ୍ରଚାର କରିଥିଲେ । ଯେ ଦୁଇ ସଂପ୍ରଦାୟ ମଧ୍ୟରେ ଐକ୍ୟ ନ ଥିବାରୁ ଭାରତବାସୀ ସ୍ଵାଧୀନତା ପ୍ରାପ୍ତି ପାଇଁ ଉପଯୁକ୍ତ ହୋଇନାହାନ୍ତି । ତେଣୁ ପରିଶେଷରେ ଅଦମ୍ୟ ଉଦ୍ୟମ କରିଥିଲେ ମଧ୍ୟ ରାଜାଜୀ ସର୍ବସାଧାରଣରେ ନିନ୍ଦିତ ହୋଇଥିଲେ । କଂଗ୍ରେସରୁ ତାଙ୍କୁ ବିଦାୟ ଦିଆଗଲା ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜ ଜୟଯୁକ୍ତ ହେଲେ । ଜାଠଦଳ ବ୍ରିଟେନ୍‌ର ଶାସନ କ୍ଷମତାରୁ ଅପସରି ଗଲେ । ଶାସନ ଦାୟିତ୍ୱ ଗ୍ରହଣ କଲେ ଶ୍ରମିକ ଦଳ । ଏହି ଦଳ ଭାରତର ସ୍ଵାଧୀନତା ଆନ୍ଦୋଳନ ପ୍ରତି ଥିଲେ ସହାନୁଭୂତିଶୀଳ । କେଉଁ ସର୍ତ୍ତରେ ଭାରତକୁ ସ୍ୱାଧୀନତା ଦିଆଯିବ, ସେ ବିଷୟ ଆଲୋଚନା କରିବା ଲାଗି ବ୍ରିଟେନ୍‌ର ତତ୍‌କାଳୀନ ପ୍ରବୀଣ ରାଜନୀତିଜ୍ଞ ସାର ଷ୍ଟାଫୋର୍ଡ କ୍ରିପ୍‌ସ ଭାରତ ଆସି ନେତୃବୃନ୍ଦଙ୍କ ସହିତ ଆଲୋଚନା କଲେ; କିନ୍ତୁ ତାହା ବ୍ୟର୍ଥ ହେଲା । ତାପରେ ସେହି ଆଲୋଚନା ଚାଲୁ ରଖିବାକୁ ଭାରତ ଆସିଲେ ସାର ପେଥିକ୍ ଲରେନସ୍-। ସେ ମଧ୍ୟ ଆଲୋଚନାରେ ଆଶାନୁରୂପ ଅଗ୍ରଗତି କରାଇ ପାରିଲେ ନାହିଁ । ତତ୍‌କାଳୀନ ବଡଲାଟ ଲର୍ଡୱାଭେଲ୍ ମୁସଲିମ୍ ଲିଗ୍‌ଙ୍କ ପକ୍ଷ ସମର୍ଥନ କରିବାରୁ ତାଙ୍କୁ ସ୍ୱଦେଶକୁ ଫେରାଇ ନିଆଗଲା । ତା ପରେ ବଡଲାଟ ଭାବରେ ଲର୍ଡମାଉଣ୍ଟ ବ୍ୟାଟେନ୍‌ଙ୍କର ଭାରତ ଆଗମନ ସ୍ଵାଧୀନତା ପ୍ରାପ୍ତି ଲାଗି ପଥ ସୁଗମ କଲା । ରାଜାଜୀଙ୍କ ପ୍ରସ୍ତାବ ଶେଷରେ ହେଲା କାର୍ଯ୍ୟକାରୀ । ଦେଶ ପାକିସ୍ଥାନ ଓ ହିନ୍ଦୁସ୍ଥାନ ଏହିପରି ଦୁଇ ଭାଗରେ ପରିଣତ ହେଲା; କିନ୍ତୁ ତାହା ପୂର୍ବରୁ ସାଂପ୍ରଦାୟିକ ଗଣ୍ଡଗୋଳରେ ମୃତ୍ୟୁବରଣ କଲେ ଅସଂଖ୍ୟ ନିରୀହ ନରନାରୀ । ରାଜାଜୀଙ୍କ ପ୍ରସ୍ତାବ ଯଦି ପୂର୍ବରୁ କାର୍ଯ୍ୟକାରୀ ହୋଇଥାନ୍ତା, ତାହାହେଲେ ବୋଧହୁଏ ସେଇପରି ରକ୍ତପାତ ହୋଇ ନଥାନ୍ତା-

 

ସୁଗବର୍ଦ୍ଦିଙ୍କ ଶାସନକାଳରେ ବଙ୍ଗଳାରେ ଯେପରି ଅଭୂତପୂର୍ବ ରକ୍ତପାତ ଘଟିଲା ତଦ୍ଦ୍ୱାରା ହିନ୍ଦୁ-ମୁସଲମାନ ସଂପର୍କ ଚରମ ତିକ୍ତତାରେ ପହଞ୍ଚିଥିଲା । ପଞ୍ଜାବରେ ମଧ୍ୟ ସୃଷ୍ଟି ହୋଇଥିଲା ଅନୁରୂପ ତିକ୍ତତା । ବିଶେଷକରି କଲିକତା ସହର ଓ ଆଖପାଖ ମୁସଲମାନ୍ ଅଧ୍ୟୁଷିତ ଅଞ୍ଚଳକୁ କବଳିତ କରିଥିଲା ଅଶାନ୍ତିର କରାଳ ଛାୟା । ତେଣୁ ପଶ୍ଚିମବଙ୍ଗର ଅବସ୍ଥା ସୁଧାରିବା ଲାଗି କେନ୍ଦ୍ର କର୍ତ୍ତୃପକ୍ଷ ପ୍ରଶାସନ କ୍ଷେତ୍ରରେ ଦକ୍ଷତା ଥିବା ଜଣେ ରାଜ୍ୟପାଳକୁ ସେଠାରେ ନିଯୁକ୍ତି ଦେବାକୁ ଚିନ୍ତାକଲେ । ଗୋପାଳସ୍ଵାମୀ ଆୟଙ୍ଗରଙ୍କ ନାମ ପ୍ରସ୍ତାବ କରାଗଲା; କିନ୍ତୁ ପଶ୍ଚିମବଙ୍ଗର ଜଟିଳ ପରିସ୍ଥିତି ଆୟତ୍ତ କରିପାରିବେ ନାହିଁ, ସେହି ଭୟରେ ସେ ସେଠାକୁ ରାଜ୍ୟପାଳ ହୋଇଯିବା ଲାଗି ଅସମ୍ମତି ପ୍ରଦାନ କଲେ । ତାପରେ ବହୁ ଚିନ୍ତା କରାଯାଇ ଏ ଯୁଗର ଚାଣକ୍ୟ ରାଜାଜୀଙ୍କୁ ଅନୁରୋଧ କରାଗଲା ପଶ୍ଚିମବଙ୍ଗରେ ରାଜ୍ୟପାଳରୂପେ କାର୍ଯ୍ୟଭାର ଗ୍ରହଣ କରିବାଲାଗି । ନିର୍ଭୟମନା ରାଜାଜୀ ସେଥିରେ ରାଜିହେଲେ; କିନ୍ତୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ସେ ଯେତେବେଳେ କାର୍ଯ୍ୟରେ ଯୋଗଦେବା ଲାଗି ଦମଦମ୍ ବିମାନ ଘାଟିରେ ଅବତରଣ କଲେ, ତାଙ୍କୁ କଳାପତାକା ଦେଖାଇ ବହୁ ଲୋକ ବିକ୍ଷୋଭାତ୍ମକ ଧ୍ୱନି ଶୁଣାଇଥିଲେ ମଧ୍ୟ ରାଜାଜୀ ତା ପ୍ରତି ଭ୍ରୂକ୍ଷେପ କରିନଥିଲେ । ଅଗଷ୍ଟ ୧୫ ତାରିଖ ଦିନ ସେ ରାଜ୍ୟପାଳ ପଦ ଗ୍ରହଣ କରିଥିଲେ । ମାତ୍ର ଦଶମାସ ପରେ ଭାରତର ଗଭର୍ଣ୍ଣର-ଜେନେରାଲ ରୂପେ ମାଉଣ୍ଟବ୍ୟାଟେନ୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ଲାଗି ତାଙ୍କୁ ଅନୁରୋଧ କରାଗଲା । କର୍ତ୍ତବ୍ୟନିଷ୍ଠ ରାଜାଜୀ କାଳବିଳମ୍ବ ନକରି କଲିକତା ରାଜଭବନ ଛାଡ଼ି ଯାତ୍ରା କରିଥିଲେ ଦିଲୀସ୍ଥିତ ରାଷ୍ଟ୍ରପତି ଭବନ ଅଭିମୁଖେ । ଯେଉଁ ପଶ୍ଚିମବଙ୍ଗର ଅଧିବାସୀ ରାଜାଜୀ ଫେରିଯାଅ କହି କଳାପତାକା ପ୍ରଦର୍ଶନ କରିଥିଲେ ମାତ୍ର ଦଶ ମାସ ମଧ୍ୟରେ ସେମାନେ ବେଶ୍ ହୃଦୟଙ୍ଗମ କରି ପାରିଥିଲେ ଧୂରୀଣ ପ୍ରଶାସକ ରାଜାଜୀଙ୍କର ଶାସନ କ୍ଷେତ୍ରରେ ଅପରିସୀମ ପାଟବର ଅଚିନ୍ତନୀୟ ମହତ୍ତ୍ଵ । ଦୁଃଖମନରେ ସେମାନେ ବିଦାୟ ଦେଇଥିଲେ ସ୍ୱଳ୍ପ ସମୟ ମଧ୍ୟରେ ଚରମ ଲୋକପ୍ରିୟତା ହାସଲ କରିଥିବା ରାଜ୍ୟପାଳଙ୍କୁ ।

 

ପଦବୀ ଓ ମର୍ଯ୍ୟାଦାର ମୋହ ହାର ମାନିଥିଲା ରାଜାଜୀଙ୍କ ନିକଟରେ; କିନ୍ତୁ ଭାରତର ସର୍ବୋଚ୍ଚ ପଦବୀ ବଳେ ବଳେ ଆସିଥିଲା ତାଙ୍କ ପାଖକୁ । ଭାରତର ପ୍ରଥମ ଗଭର୍ଣ୍ଣର-ଜେନେରାଲ ପଦରେ ଅଭିଷିକ୍ତ ହେଲେ ମଧ୍ୟ ଗର୍ବ ତାଙ୍କ ମନକୁ ତିଳେ ହେଲେ ସ୍ପର୍ଶ କରିନଥିଲା । ପୋଷାକ ପରିଚ୍ଛଦ ଓ ଚାଲିଚଳନରେ ଆଭିଜାତ୍ୟ ସତେ ଯେପରି ଦୂରେଇ ଯାଇଥିଲା ତାଙ୍କଠାରୁ । ୧୯୫୦ ମସିହାରେ ସେ ବଡ଼ଲାଟ ପଦରୁ ବିଦାୟ ନେଲେ । ନୂତନ ସମ୍ବିଧାନ ଅନୁଯାୟୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ ହେଲେ ଭାରତର ପ୍ରଥମ ରାଷ୍ଟ୍ରପତି । ରାଜାଜୀ ବଡ଼ଲାଟ ପଦରୁ ବିଦାୟ ନେଲେ ସତ, କିନ୍ତୁ ତାଙ୍କ କର୍ମମୟ ଜୀବନର ଅବସାନ ଘଟି ନଥିଲା । ମାନ୍ଦ୍ରାଜରେ ଅବସ୍ଥାନ କାଳରେ ସେ ମାତୃଭାଷାରେ ରଚନା କରିଥିଲେ ମହାଭାରତ ଓ ରାମାୟଣ ।

 

୧୯୫୨ ନିର୍ବାଚନରେ ମାନ୍ଦ୍ରାଜରେ କଂଗ୍ରେସର ବିପର୍ଯ୍ୟୟ ଘଟିଲା । କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲା ନାହିଁ । ରାଜ୍ୟର ରାଜନୈତିକ ଅବସ୍ଥାକୁ ସୁଧାରିବା ଲାଗି ନିଜର ଅନିଚ୍ଛା ସତ୍ତ୍ୱେ, କେନ୍ଦ୍ରର ଅନୁରୋଧରେ ରାଜାଜୀ ହେଲେ ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ । ତାଙ୍କର ଏକ ନମ୍ବର ଶତ୍ରୁ କମ୍ୟୁନିଷ୍ଟମାନଙ୍କର ପ୍ରଭାବ ମାନ୍ଦ୍ରାଜରୁ କ୍ରମେ ହ୍ରାସ ପାଇଲା I ତାପରେ ୧୯୫୩ ମସିହାରେ ଆନ୍ଧ୍ରକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବାଲାଗି ତେଲୁଗୁଭାଷୀ ଲୋକମାନେ ଦାବୀ କଲେ । ରାଜ୍ୟସାରା ଅଶାନ୍ତିର ନିଆଁ ଜଳିଉଠିଲା । ସେଥିପାଇଁ ପୋଟିରାମୁଲୁ ଅନଶନ କରି ପ୍ରାଣ ବିସର୍ଜନ କଲେ । ଶେଷରେ ମାନ୍ଦ୍ରାଜ ଭାଗ ଭାଗ ହେଲା । ଗଢ଼ିଉଠିଲା ସ୍ଵତନ୍ତ୍ର ଆନ୍ଧ୍ରପ୍ରଦେଶ I ତେଲୁଗୁଭାଷୀ ଲୋକେ ମାନ୍ଦ୍ରାଜ ସହରକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ କରିବାଲାଗି ଦାବୀକଲେ; କିନ୍ତୁ ରାଜାଜୀ ସେହି ବିବାଦକୁ ସମାଧାନ କଲେ ଅତି ଚତୁରତା ସହକାରେ । କରଦରାଜ୍ୟ ହାଇଦ୍ରାବାଦ ଆନ୍ଧ୍ରର ଅଙ୍ଗୀଭୂତ ହେଲା ଓ ଶେଷରେ ହାଇଦ୍ରାବାଦ ସହର ହେଲା ନୂତନ ରାଜ୍ୟର ରାଜଧାନୀ ।

 

ବଡ଼ଲାଟ ଥିଲାବେଳେ ରାଜସ୍ୱ ଆୟ ଓ ବିକ୍ରୀକର କ୍ଷେତ୍ରରେ ସେ ଯେଉଁ ନୂତନ ନୀତି ପ୍ରବର୍ତ୍ତନ କରାଇଥିଲେ, ଏବେ ମଧ୍ୟ ତାହା ଅଳ୍ପ ବହୁତେ ପ୍ରଚଳିତ । ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ଥିଲାବେଳେ ସେ ସାଲେମ୍ ଜିଲ୍ଲାରେ ସର୍ବପ୍ରଥମେ ନିଶା ନିବାରଣ କରାଇ ସ୍ୱକୀୟ ସଂସ୍କାରମୂଳକ ମନୋଭାବର ଦେଇଥିଲେ ପରିଚୟ । ୧୯୫୫ ମସିହାରେ ସାର ସି. ଭି. ରମଣ, ଡକ୍ଟର ରାଧାକୃଷ୍ଣନ୍‌ଙ୍କ ସହିତ ପ୍ରଥମେ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଉପାଧିରେ ତାଙ୍କୁ ଭୂଷିତ କରାଯାଇଥିଲା । ଦ୍ଵିତୀୟ ଥର ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ ହୋଇ ସେ ରାଜ୍ୟରୁ ଖାଦ୍ୟଶସ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଉଠାଇ ଦେଇ ସମଗ୍ର ଦେଶରେ ନେଇଥିଲେ ଏକ ସାହସିକ ପଦକ୍ଷେପ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦାୟିତ୍ୱରେ ଥିଲାବେଳେ ସେ ବିବାଦମାନ ଅଟକବନ୍ଦୀ ବିଲ୍ ଓ ପ୍ରେସ (ଆପତ୍ତିଜନକ ବିଷୟ) ବିଲ୍ ଦୁଇଟି ପାର୍ଲିଆମେଣ୍ଟରେ ଉପସ୍ଥାପନ କରି ସ୍ଵକୀୟ ଅକାଟ୍ୟ ଯୁକ୍ତିବଳରେ ଗୃହକୁ ପ୍ରବର୍ତ୍ତାଇ ଯେପରି ତାହା ସେ ଗୃହୀତ କରାଇ ନେଇଥିଲେ ତାହା ଏପର୍ଯ୍ୟନ୍ତ ଅଲଂଘନୀୟ ହୋଇ ରହିଛି ।

 

ଅନେକେ ବିଶ୍ଵାସ କରନ୍ତି ଯେ ରାଜାଜୀ ଥିଲେ ଭୂଦାନ ଆନ୍ଦୋଳନର ବିରୋଧୀ; କିନ୍ତୁ ତାହା ସତ୍ୟ ନୁହେଁ । ଏହି ଆନ୍ଦୋଳନର ପ୍ରବର୍ତ୍ତକ ସନ୍ଥ ବିନୋବାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ଅତୁଟ । ତାଙ୍କରି ଭାଷାରେ କହିବାକୁ ଗଲେ—‘‘ବିନୋବା ଜଣେ ଋଷିପ୍ରତିମ ବ୍ୟକ୍ତି । ମୁଁ ତାଙ୍କଠାରେ କ୍ରୋଧ କେବେ ଦେଖିନାହିଁ । ଗାନ୍ଧୀଜୀ ଋଷିପ୍ରତିମ ଥିଲେ ମଧ୍ୟ ସାମୟିକ କ୍ରୋଧ ପ୍ରକାଶ କରୁଥିଲେ’’ । ରାଜାଜୀ ଭୂଦାନ ଆନ୍ଦୋଳନ ପ୍ରତି ନୁହେଁ, ସେହି ଆନ୍ଦୋଳନରେ ସଂପୃକ୍ତ କର୍ମୀମାନଙ୍କୁ ସମାଲୋଚନା କରୁଥିଲେ । କାରଣ ସ୍ୱତଃପ୍ରବୃତ୍ତ ହୋଇ ଜମି ନ ଦେଲେ ସରକାର ବଳପ୍ରୟୋଗ କରି ଲୋକଙ୍କର ବଳକା ଜମି ନେଇଯିବେ ବୋଲି କର୍ମୀମାନେ ଲୋକଙ୍କ ମନରେ ଭୁଲ ଧାରଣା ଦେଉଥିଲେ । ତେଣୁ ରାଜାଜୀ ସେହି ପ୍ରକାର ପ୍ରଚାରକୁ ଅନ୍ୟାୟ ଓ ଆନ୍ଦୋଳନର ବିରୋଧୀ ବୋଲି କହୁଥିଲେ । ତାହାଛଡ଼ା ଦାନ ମିଳିଥିବା ଜମିର ବଣ୍ଟନ ଯେଉଁ ପଦ୍ଧତିରେ ହେଉଥିଲା ସେ ତାହାର ନିନ୍ଦା କରୁଥିଲେ । ସେ କହୁଥିଲେ ଯେ ଜଣେ ଲୋକର ଜମି ଦାନରୂପେ ଗ୍ରହଣ କରି ଅନ୍ୟକୁ ଦେଇ ଭୁଦାନକର୍ମୀମାନେ ଦାନୀ ବୋଲାଇବା ଅନ୍ୟାୟ । ଜମିଦାତା ଭୂମିହୀନ ବ୍ୟକ୍ତିଙ୍କୁ ଜମିଦାନ କରି ସିଧାସଳଖ ଯେଉଁ ଆନନ୍ଦ ଓ ଆତ୍ମସନ୍ତୋଷ ପାଇବାର କଥା, ସେଥିରୁ ସେ ବଞ୍ଚିତ ହେଉଛି । ତାଙ୍କ ମତରେ ବିନୋବା ସେ ସବୁର ଊର୍ଦ୍ଧ୍ୱରେ । ଭୂଦାନ ଦ୍ୱାରା ଦେଶର ଭୂସମସ୍ୟା ସମାଧାନ ହେବ ବୋଲି ସେ ଆଦୌ ବିଶ୍ଵାସ କରିପାରୁନଥିଲେ ।

 

ରାଜାଜୀ ସର୍ବଦା ନିଜର ନିରପେକ୍ଷ ମତ ବ୍ୟକ୍ତ କରିବାକୁ ଆଦୌ କୁଣ୍ଠାବୋଧ କରୁନଥିଲେ । ମୌଲାନା ଆବୁଲ କାଲାମ ଆଜାଦଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଣୀତ ‘India wins freedom’ ପୁସ୍ତକ ପ୍ରକାଶ ପାଇଲା । ସେହି ପୁସ୍ତକରେ ଲେଖକ ଭାରତର ବିଭଗୀକରଣ ପାଇଁ ନେହେରୁଙ୍କୁ ଓ ଗାନ୍ଧୀଜୀଙ୍କ ହତ୍ୟା ପାଇଁ ସର୍ଦ୍ଦାର ପଟେଲଙ୍କୁ ଦାୟୀ ବୋଲି ଦୋଷାରୋପ କରିଛନ୍ତି; କିନ୍ତୁ ରାଜାଜୀ ତାହାକୁ ସତ୍ୟର ଅପଳାପ ବୋଲି କହିଛନ୍ତି ଓ ପୁସ୍ତକର ବହୁ ଅଧ୍ୟାୟ ପ୍ରମାଦପୂର୍ଣ୍ଣ ବୋଲି ମତ ଦେଇଅଛନ୍ତି ।

 

ରାଜାଜୀଙ୍କ ବ୍ୟକ୍ତିଗତ ଜୀବନ ଅତି ସରଳ । ସାତହାତି ଖଦଡ଼-ଧୋତି, ପଞ୍ଜାବୀ ଓ ଚାଦର ତାଙ୍କର ଥିଲା ନିତିଦିନିଆ ପରିଧାନ । ଖାଦ୍ୟ-ପେୟରେ ମଧ୍ୟ ସେ ଆଶାତୀତ ସରଳତା ଅବଲମ୍ବନ କରୁଥିଲେ । ଉପମା, ରସମ, ଚପାତି ଓ ଲହୁଣୀ ଖାଇବାକୁ ସେ ବେଶୀ ଆଦର କରୁଥିଲେ । ଫଳ ମଧ୍ୟରେ କଦଳୀ ଓ ଗମଫଳ ଥିଲା ତାଙ୍କର ଅତି ପ୍ରିୟ । ପାନୀୟ ମଧ୍ୟରେ କଡ଼ା ଗରମ କଫିକୁ ସେ ପସନ୍ଦ କରୁଥିଲେ । ପ୍ରତ୍ୟହ ସେ ନିଜ ହାତରେ ଲୁଗା ସଫା କରୁଥିଲେ । ଏପରିକି ଭାରତର ବଡ଼ଲାଟ ଥିଲା ବେଳେ ମଧ୍ୟ ସେହି ଅଭ୍ୟାସ ସେ ବଜାୟ ରଖିଥିଲେ । ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ନିଜର ପଢ଼ାଲେଖାରେ ସେ ବ୍ୟସ୍ତ ରହୁଥିଲେ । ପ୍ରାତଃ ଭ୍ରମଣ ପରେ ସେ ଅତିଥିମାନଙ୍କ ସହିତ ସାକ୍ଷାତ କରୁଥିଲେ । ଛାତ୍ର, ଶିକ୍ଷକ, ବୁଦ୍ଧିଜୀବୀ, ଯେଉଁ ସ୍ତରର ଲୋକେ ତାଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ, ସମସ୍ତଙ୍କୁ ପ୍ରଥମେ ସେ ହସ ହସ ମୁହଁରେ ପଚାରୁଥିଲେ–‘‘ଏନା ଏକରୁମା” (କେମିତି ଅଛ ବାପା) ଏଇ କୁଶଳ ପ୍ରଶ୍ନଟି ।

 

ରାଜାଜୀ ସାଧାରଣତଃ କଳାଚଷମା ବ୍ୟବହାର କରୁଥିଲେ । କେହି କହନ୍ତି ଯେ କଳାଚଷମା ବ୍ୟବହାର କରିବା ଦ୍ୱାରା ସେ ଅନ୍ୟମାନଙ୍କ ଆଖିକୁ ଦେଖି ବଳ କଷି ପାରୁଥିଲେ; ମାତ୍ର ତାଙ୍କ ଆଖି କେହି ଦେଖି ପାରୁ ନ ଥିଲେ । ଆଉ କେହି କେହି କହନ୍ତି ଯେ ଯେତେବେଳେ ସେ କଠିନ ସମସ୍ୟାର ସମ୍ମୁଖୀନ ହେଉଥିଲେ, ସେତେବେଳେ ସେ କଳା ବା ନୀଳ ଚଷମା ବ୍ୟବହାର କରୁଥିଲେ । ଥରେ ତାଙ୍କର ନାତିମାନେ ତାଙ୍କୁ ହସି ହସି ପ୍ରଶ୍ନ କରିଥିଲେ—‘‘ଅଜା ! ଆପଣ କଳା ଚଷମା ପିନ୍ଧୁଛନ୍ତି କାହିଁକି ?” ରାଜାଜୀ ତାଙ୍କ ଚିରାଚରିତ ହାସ୍ୟରସାତ୍ମକ ଶୈଳୀରେ ଉତ୍ତର ଦେଇଥିଲେ—‘So that I may read and understand anyone who meets and talks to me without letting him read anything through my eyes’; ମାତ୍ର ପ୍ରକୃତ କଥା ହେଉଛି ରାଜାଜୀ ଥିଲେ ଜଣେ ନିରବଚ୍ଛିନ୍ନ ପାଠକ ଓ ଲେଖକ । ତେଣୁ ଚକ୍ଷୁର ରକ୍ଷଣାବେକ୍ଷଣ ପାଇଁ ସେ ଥିଲେ ଅତୀବ ଯତ୍ନଶୀଳ । ଫଟୋଗ୍ରାଫରମାନଙ୍କ ଠାରୁ ସେ ସାଧାରଣତଃ ଦୂରେଇ ରହୁଥିଲେ ଓ ତାଙ୍କ ଆଖିକୁ ସୁହାଇଲା ଭଳି ଘର ଭିତରେ ଈଷତ୍ ନୀଳ, ବାହାର ଆଲୁଅରେ କଳା କିମ୍ବା ଘନନୀଳ ଓ ପଢ଼ାପଢ଼ି କଲାବେଳେ ସ୍ୱତନ୍ତ୍ର ଶକ୍ତିଶାଳୀ ଚଷମା ସେ ବ୍ୟବହାର କରୁଥିଲେ ।

 

ସାମୟିକ କୋଠରୀସ୍ଥିତ ଗୋଟିଏ ଦୋଳାରେ ସେ ବିଶ୍ରାମ କରୁଥିଲେ । ପରିଷ୍କାର ପରିଚ୍ଛନ୍ନତା ରାଜାଜୀଙ୍କ ଜୀବନର ଥିଲା ଏକ ମହାନ ଅଙ୍ଗ । ସେ ନିଜର ସ୍ନାନ ପାଇଁ ପ୍ରାୟ ଏକଘଣ୍ଟା ସମୟ ନେଉଥିଲେ । ମୁହଁ, ହାତ ଓ ଗୋଡ଼ ପୋଛିବା ପାଇଁ ସେ ସର୍ବଦା ତିନିଖଣ୍ଡ ତଉଲିଆ ବ୍ୟବହାର କରୁଥିଲେ । ତାଙ୍କର ବ୍ୟବହାର୍ଯ୍ୟ ଜିନିଷ ଶୃଙ୍ଖଳିତ ଭାବେ ନ ରହିଲେ ସେ ବିରକ୍ତି ପ୍ରକାଶ କରୁଥିଲେ । ବୋଧହୁଏ କ୍ଷୀଣ ଦୃଷ୍ଟି ଶକ୍ତି ଯୋଗୁଁ ସେ ଆଦୌ ସିନେମା ଦେଖୁ ନ ଥିଲେ । ସେହି ବିଷୟ ଉଲ୍ଲେଖ କରି ଜନ୍ ଗନ୍ଥର ୧୯୩୮ ମସିହାରେ ‘Inside Asia’ ପୁସ୍ତକରେ ଲେଖିଥିଲେ—“He is probably the only man alive—except John Tunis, the American tennis expert—Who until last year had never seen a moving picture.’’

Image

 

ବାବୁ ବିବେକର କର୍ଣ୍ଣଧାର

 

୧୯୩୧ ମସିହାରେ କରାଚୀ କଂଗ୍ରେସରେ ଗାନ୍ଧୀଜୀ ଘୋଷଣା କରିଥିଲେ ଯେ ‘ଗାନ୍ଧୀ ମରିଯାଇପାରେ; କିନ୍ତୁ ଗାନ୍ଧୀବାଦ ରହିବ ଅମର (Gandhi may die, Gondhism will not die) ! ସେହି ଗାନ୍ଧୀବାଦ ତାଙ୍କର ପଟ୍ଟଶିଷ୍ୟ ଜବାହରଲାଲ ମଧ୍ୟ ରକ୍ଷା କରିପାରି ନ ଥିଲେ । ତାଙ୍କର ସମାଜବାଦୀ ଆଦର୍ଶ ଥିଲା ସାର୍ବଜନୀନ । କୃଷିଭିତ୍ତିକ ସାମାଜିକ ଗଣତନ୍ତ୍ର ଉପରେ ତାଙ୍କର ଆସ୍ଥା ନ ଥିଲା । ଗାନ୍ଧୀବାଦକୁ ସାମୟିକ ସେ ପାଶ୍ଚାତ୍ୟ ଦୃଗ୍‌ଭଙ୍ଗୀ ନେଇ ବିଚାର କରୁଥିଲେ । ବିନୋବା ବାଭେଙ୍କ ପରି ଗାନ୍ଧୀବାଦର ଆକ୍ଷରିକ ଅନୁସରଣକରିବା ତାଙ୍କ ପକ୍ଷରେ ହୋଇଥିଲା କଷ୍ଟକର; କିନ୍ତୁ ରାଜାଜୀ ଥିଲେ ଗାନ୍ଧୀଜୀଙ୍କ ଆଧ୍ୟାତ୍ମିକ ଚେତନାର ଅନୁସାରୀ । ଅବଶ୍ୟ ଗାନ୍ଧୀବାଦର ସେ ଅନ୍ଧାନୁସରଣ କରୁ ନ ଥିଲେ । ତେଣୁ ନୀତିଗତ ବହୁ ପ୍ରଶ୍ନ ଉପରେ ଗାନ୍ଧୀଙ୍କ ସହିତ ତାଙ୍କର ମତପାର୍ଥକ୍ୟ ଦେଖାଯାଉଥିଲା; ତାହା ସତ୍ତ୍ୱେ ଗାନ୍ଧୀଜୀ ତାଙ୍କୁ ବିବେକର କର୍ଣ୍ଣଧାର (Conscience-keeper) ବୋଲି ଆଖ୍ୟା ଦେଇଥିଲେ ।

 

ଅଭୟ ରାଜାଜୀଙ୍କ ଚରିତ୍ରର ଥିଲା ଏକ ମହତ୍ ଅଙ୍ଗ । ଯେଉଁ ଭୟ ସଂସ୍କୃତିର ଅନ୍ତରାୟ ଓ ମାନବକୁ ପତନୋନ୍ମୁଖୀ କରେ ସେପରି ଭୟଠାରୁ ରାଜାଜୀଙ୍କ ହୃଦୟ ଥିଲା ବହୁ ଊର୍ଦ୍ଧ୍ୱରେ । ତେଣୁ ସେ କହୁଥିଲେ ‘‘ମୁଁ ଭଗବାନଙ୍କ ବ୍ୟତୀତ ଅନ୍ୟ କାହାକୁ ଭୟ କରେ ନାହିଁ; କାରଣ ଭଗବତ୍ ଭୟ ଜ୍ଞାନର ଉପକ୍ରମଣିକା ମାତ୍ର ।” ଗାନ୍ଧୀଜୀ ରାଜାଜୀଙ୍କୁ କିପରି ତାଙ୍କ ହୃଦୟରେ ଉଚ୍ଚ ଆସନ ଦେଇଥିଲେ, ତାହା ତାଙ୍କ ସଂପାଦିତ ‘ହରିଜନ’ରେ ପ୍ରକାଶଲାଭ କରିଥିଲା । ତନ୍ମଧ୍ୟରୁ କେତୋଟି ପଂକ୍ତି ନିମ୍ନରେ ପ୍ରଣିଧାନଯୋଗ୍ୟ ।

 

‘‘ରାଜାଜୀଙ୍କ ଜ୍ଞାନ, ସ୍ପଷ୍ଟବାଦିତା ଓ ବିଧାୟକ ହିସାବରେ ଅପରିସୀମ ତଥା ଅତୁଳନୀୟ କାର୍ଯ୍ୟଦକ୍ଷତା ପ୍ରତି ମୋର ପ୍ରଗାଢ଼ ବିଶ୍ଵାସ ରହିଛି । ତାଙ୍କର କାର୍ଯ୍ୟକାରୀ ଶକ୍ତି ସଂକୀର୍ଣ୍ଣ ନୁହେଁ । ସତ୍ୟାଗ୍ରହରେ ତାଙ୍କ ପରି ଜଣେ ସଂଗ୍ରାମୀ ନେତା ବିରଳ ।”

 

(ହରିଜନ, ସେପ୍ଟେମ୍ବର ୧୦, ୧୯୩୮)

 

‘‘ମୁଁ ଜାଣେ ଯେ ରାଜାଜୀ ଜଣେ ନିର୍ଭୀକ ବ୍ୟକ୍ତି । ତେଣୁ ଅନ୍ୟର ସାହାଯ୍ୟ ନ ନେଇ ସବୁ କାମରେ ସେ ହୋଇଥାନ୍ତି ଅଗୃସାର । କାର୍ଯ୍ୟର ନୀତି ଓ ଦାର୍ଶନିକ ଦିଗ ପ୍ରତି ସେ ସର୍ବଦା ସଚେତ ଥିବାରୁ ଯେକୌଣସି ପରିସ୍ଥିତିର ଆଶୁ ସମାଧାନ ତାଙ୍କ ପକ୍ଷରେ ସମ୍ଭବପର । ନିଜକୁ ଓ ସହଯୋଗୀମାନଙ୍କୁ ଅଧିକ କର୍ମକ୍ଷମ କରିବା ଲାଗି ସେ ସାମୟିକ ନିଜ ପକ୍ଷରୁ ହାସ୍ୟରସର ଅବତାରଣା କରିଥାନ୍ତି ।”

(ହରିଜନ, ସେପ୍ଟେମ୍ବର ୨୨, ୧୯୪୦)

 

‘‘ରାଜାଜୀ ବୁଝି ବିଚାରି ସବୁ କାମ କରିଥାନ୍ତି । ସ୍ଥିର ବିଚାରବୁଦ୍ଧି ଆରୋପ ନ କରି କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ଆଦୌ ପସନ୍ଦ କରିନଥାନ୍ତି । ଯେଉଁ କାର୍ଯ୍ୟ ସତ୍ ବୋଲି ତାଙ୍କର ହୃଦୟଙ୍ଗମ ହୁଏ, ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେହି କାମରେ ସେ ଆଗେଇ ଯା’ନ୍ତି । ମୋ ପ୍ରତି ତାଙ୍କର ଆନୁଗତ୍ୟ ଅପରିସୀମ । ଆମେ ଦୁଇଜଣ ପରସ୍ପର ପ୍ରତି ଏତେ ଅନୁରକ୍ତ ଯେ ଆମ କର୍ମକ୍ଷେତ୍ରରେ ଛାଡ଼ବାଡ଼ ଯୋଗ ନାହିଁ ।”

 

(ହରିଜନ, ସେପ୍ଟେମ୍ବର, ୨୮, ୧୯୪୪)

 

“ରାଜାଜୀ ମୋର ଜଣେ ପୁରାତନ ବନ୍ଧୁ । ମୁଁ ଯେଉଁ କର୍ମଲାଗି ପ୍ରତିଜ୍ଞାବଦ୍ଧ, ସେ ମଧ୍ୟ ସେଇଥିପାଇଁ ଦୃଢ଼ପ୍ରତିଜ୍ଞ । କେବଳ ବଚନରେ ନୁହେଁ, କର୍ମକ୍ଷେତ୍ରରେ ମଧ୍ୟ ସେ ମୋର ଏକାନ୍ତ ଅନୁବର୍ତ୍ତୀ/୧୯୪୨ ମସିହାରେ ତାଙ୍କ ମୋ ମଧ୍ୟରେ ସାମାନ୍ୟ ମତ ପାର୍ଥକ୍ୟ ହୋଇଥିଲା; କିନ୍ତୁ ତାହା ସେ ଜନସାଧାରଣଙ୍କ ନିକଟରେ ପ୍ରକାଶ କରିନଥିଲେ । ସେ ଜଣେ ଖ୍ୟାତନାମା ସମାଜସଂସ୍କାରକ । ଯାହା ଭଲ ମଣନ୍ତି, ତାହା କରିବାରେ ସେ ଆଦୌ ଭୟଭୀତ ନୁହନ୍ତି । ତାଙ୍କର ରାଜନୀତିକ ଦୂରଦୃଷ୍ଟି ଓ ସଂହତି ସଂପର୍କରେ ପ୍ରଶ୍ନ କରାଯାଇ ନ ପାରେ ।”

 

(ହରିଜନ, ଫେବୃଆରୀ ୧୦, ୧୯୪୬)

 

୧୯୧୯ ମସିହାରେ ଗାନ୍ଧୀଜୀ ରାଜାଜୀଙ୍କର ପ୍ରଥମ ସଂପର୍କରେ ଆସିଥିଲେ ତାଙ୍କର ମାନ୍ଦ୍ରାଜ ରହଣି ସମୟରେ । ସେହି ବିଷୟ ଉଲ୍ଲେଖ କରିବାକୁ ଯାଇ ବାପୁଜୀ ତାଙ୍କ ‘My Experiment with truth’ରେ ଲେଖିଛନ୍ତି-‘‘ରାଜଗୋପାଳାଚାରୀ ତାଙ୍କ ଅନ୍ତରଙ୍ଗ ବନ୍ଧୁ କସ୍ତୁରୀ ରଙ୍ଗା ଆୟାଙ୍ଗାରଙ୍କ ଅନୁରୋଧ କ୍ରମେ ସାଲେମ୍ ଛାଡ଼ି ମାନ୍ଦ୍ରାଜ ଆସିଥାନ୍ତି ସେଠାରେ ଓକିଲାତି ଆରମ୍ଭ କରିବା ଲାଗି । ସର୍ବସାଧାରଣଙ୍କ ସହିତ ଅଧିକ ସଂପର୍କ ରଖିବା ମଧ୍ୟ ତାଙ୍କର ଲକ୍ଷ୍ୟ ଥାଏ । ମୁଁ ମୋର ମାନ୍ଦ୍ରାଜ ରହଣି କାଳରେ କସ୍ତୁରୀ ଗଙ୍ଗା ଆୟାଙ୍ଗାରଙ୍କ ଘରେ ତାଙ୍କ ସହିତ ଦୁଇ ଦିନ ଏକାଠି ରହିବାର ସୁଯୋଗ ପାଇଥିଲି । ପ୍ରଥମେ ମୋର ତାଙ୍କ ସହିତ ପରିଚୟ ନଥିଲା । ମୁଁ ଭାବିଥିଲି ମୁଁ ତାଙ୍କର ଆତିଥ୍ୟ ଗ୍ରହଣ କରିଛି ବୋଲି; କିନ୍ତୁ ମହାଦେବ ଦେଶାଇ ମୋର ଭୁଲ ସଂଶୋଧନ କରି ତାଙ୍କ ସହିତ ମୋର ପରିଚୟ କରାଇଥିଲେ । ରାଜାଜୀ ଟିକିଏ ଲାଜକୁଳା ଥିବାରୁ ମୋ ସହିତ ସଂପର୍କ ରଖିବାରେ ହଠାତ୍ ଆଗଭର ହୋଇପାରି ନଥିଲେ; କିନ୍ତୁ ମହାଦେବ ମୋତେ ସେତେବେଳେ ସୂଚାଇଥିଲେ ଏହି ସେହି ଲୋକଟିକୁ ଭଲକରି ଚିହ୍ନି ରଖିବା ପାଇଁ” ।

 

ତା ପରେ ମାନ୍ଦ୍ରାଜର ସେହି ପ୍ରଖ୍ୟାତ ଆଇନଜୀବୀ ରାଜଗୋପାଳାଚାରୀ ଗାନ୍ଧୀଜୀଙ୍କ ଅନୁରୋଧ କ୍ରମେ ଝାସ ଦେଇଥିଲେ ସ୍ଵାଧୀନତା ସଂଗ୍ରାମରେ । ୧୯୨୨ ମସିହାରେ ଗୟାଠାରେ କଂଗ୍ରେସର ଅଧିବେଶନ ବସିଲା । ସେଥିରେ ସଭାପତିତ୍ୱ କରିଥିଲେ ଦେଶବଂଧୁ ଚିତ୍ତରଞ୍ଜନ ଦାସ-। କାରଣ ଗାନ୍ଧୀଜୀ ସେତେବେଳେ ଥାନ୍ତି ଜେଲରେ । ଅଧିବେଶନରେ ପ୍ରଶ୍ନ ଉଠିଥିଲା ଯେ ଗାନ୍ଧୀଜୀଙ୍କ ଅନୁପସ୍ଥିତିରେ ତାଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ଚାଲୁ ରଖାଯିବ କି ନାହିଁ-। କାଉନ୍‌ସିଲରେ ସ୍ଥାନ ପାଇବା ଆଶାରେ ପୋଖତ ନେତା ସି. ଆର୍. ଦାସ, ମୋତିଲାଲ ପଣ୍ଡିତ, ଲଜପତ୍ ରାଏ ଓ ବିଠଲ୍ ଭାଇ ପଟେଲ ପ୍ରମୁଖ ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ପସନ୍ଦ କରିନଥିଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ, ବଲ୍ଲଭ ଭାଇ, ରାଜାଜୀ ଓ ଆଚାର୍ଯ୍ୟ କୃପାଳିନୀ ପ୍ରମୁଖ ବହୁ ଯୁବନେତା ଗାନ୍ଧୀଜୀଙ୍କ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ନ ଆଣିବାକୁ ଦାବୀ ଜଣାଇଥିଲେ-। ଜବାହରଲାଲ କୌଣସି ପକ୍ଷ ସମର୍ଥନ କରିନଥିଲେ । ଯୁବନେତାମାନେ ଗାନ୍ଧୀଜୀଙ୍କ ନୀତି ସମର୍ଥନ କରୁଥିଲେ ମଧ୍ୟ ବୟୋଜ୍ୟେଷ୍ଠ ନେତୃବୃନ୍ଦଙ୍କ ସହିତ ସିଧାସଳଖ ଯୁକ୍ତି କରିବା ଲାଗି ସେତେ ସାହସ କରୁନଥିଲେ; କିନ୍ତୁ କଂଗ୍ରେସକୁ ନୂଆ ହୋଇ ଆସିଥିବା ରାଜାଜୀ ଯୁକ୍ତିରୁ ଓହରି ଆସି ନ ଥିଲେ । କାଉନ୍‌ସିଲ୍‌ ବର୍ଜନ କରିବା ଲାଗି ସେ ନିର୍ଭୟ ଚିତ୍ତରେ ଯୁକ୍ତି ବାଢ଼ି ଯୁବନେତାଙ୍କ ଦାବିକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ । ସେହି ବିଷୟକୁ କେନ୍ଦ୍ର କରି ଅଧିବେଶନରେ ଭୋଟ ଗ୍ରହଣ କରାଯାଇଥିଲା । ପୁରୁଖାନେତାମାନେ ପରାସ୍ତ ହେଲେ । ପ୍ରତିବାଦ କରି ଦେଶବଂଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

 

ଅସୁସ୍ଥତା ଯୋଗୁଁ ଗାନ୍ଧୀଜୀଙ୍କୁ ଶୀଘ୍ର ଜେଲ୍‌ରୁ ଖଲାସ କରି ଦିଆଗଲା । ଗାନ୍ଧୀଜୀ ଦଳ ମଧ୍ୟରେ ଏପରି ମତପାର୍ଥକ୍ୟକୁ ପସନ୍ଦ କରିନଥିଲେ । ବରଂ କାଉନ୍‍ସିଲ ବର୍ଜନ କରିବାକୁ ଯେଉଁମାନେ ଚାହୁଁ ନଥିଲେ (ସ୍ୱରାଜ୍ୟ ପନ୍ଥୀ) ସେମାନଙ୍କୁ ସେ କଂଗ୍ରେସ ଦଳର ସଂଗଠନ ପାଇଁ ଅନୁରୋଧ ଜଣାଇଥିଲେ ଓ ଯୁବନେତାମାନଙ୍କୁ ଗଠନମୂଳକ କାର୍ଯ୍ୟରେ ଲିପ୍ତ ରହିବା ଲାଗି ଆହ୍ଵାନ ଜଣାଇଥିଲେ । ତାଙ୍କରି ଆହ୍ୱାନକ୍ରମେ ରାଜାଜୀ ସକ୍ରିୟ ରାଜନୀତିରୁ କିଛି ସମୟ ଲାଗି ଓହରି ଆସି ଗ୍ରାମାଞ୍ଚଳରେ ଆଶ୍ରମ ଜୀବନ ଅତିବାହିତ କରିଥିଲେ । ସେତେବେଳେ ଖଦି ଓ ଗ୍ରାମ୍ୟ ଶିଳ୍ପର ବିକାଶଲାଗି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସେ ରହିଥିଲେ ବ୍ୟସ୍ତ ।

 

କାଉନ୍‍ସିଲ ବର୍ଜନ ସପକ୍ଷରେ ଥିଲେ ମଧ୍ୟ ନିର୍ବାଚନରେ କଂଗ୍ରେସର ପ୍ରତିଦ୍ୱନ୍ଦିତାକୁ ସେ ସମର୍ଥନ କରୁଥିଲେ । ୧୯୩୫ ମସିହା ମଣ୍ଟେଗୁ-ଚେମସ-ଫୋର୍ଡ଼ ସଂସ୍କାର ଅନୁଯାୟୀ ରାଜ୍ୟମାନଙ୍କରେ କଂଗ୍ରେସଦଳ ମନ୍ତ୍ରୀମଣ୍ଡଳ ଗଢ଼ିବାକୁ ସେ ବିରୋଧ କରୁନଥିଲେ । ୧୯୩୭ ମସିହାରେ ଦଳପତି ଭାବେ ସେ ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ସେହିପରି ଅନ୍ୟ ପ୍ରଦେଶମାନଙ୍କରେ ମଧ୍ୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା; କିନ୍ତୁ ଦ୍ଵିତୀୟ ମହାଯୁଦ୍ଧ ଯୋଗୁଁ ଏହି ମନ୍ତ୍ରୀମଣ୍ଡଳଗୁଡ଼ିକ ବେଶୀ ଦିନ ତିଷ୍ଠି ରହି ପାରିନଥିଲା । କାରଣ ଇଚ୍ଛା ନଥିଲେ ମଧ୍ୟ ବିଦେଶୀ ସରକାରଙ୍କର ବାଧ୍ୟ-ବାଧକତା ଯୋଗୁଁ ଭାରତ ଏହି ମହାଯୁଦ୍ଧରେ ସହାୟତା କରିଥିଲା । ପୁନଶ୍ଚ ପ୍ରାଦେଶିକ ସରକାରଙ୍କ ହାତରୁ ମଧ୍ୟ ଗୋପ ସରକାର କେତେକ କ୍ଷମତା ପ୍ରତ୍ୟାହାର କରିନେଲେ । ତେଣୁ ତାହାର ପ୍ରତିବାଦକରି କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ ।

 

ଖୁବ୍ ଅଳ୍ପଦିନ ପାଇଁ ମନ୍ତ୍ରୀମଣ୍ଡଳର ମୁଖ୍ୟ ଥାଇ ସେ ତାଙ୍କ ପ୍ରଦେଶରେ କେତେକ ସଂସ୍କାର ଆଣିବାରେ ହୋଇ ପାରିଥିଲେ କୃତକାର୍ଯ୍ୟ । ପ୍ରଦେଶରେ ନିଶାନିବାରଣ କରାଇ ସେ ସେଦିଗରେ ସମଗ୍ର ଭାରତରେ ହୋଇଥିଲେ ଅଗ୍ରଣୀ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ମାନ୍ଦ୍ରାଜରେ କୃଷିଋଣ ରିଲିଫ୍ ଆଇନ୍ ପାଶ୍ ହେବାଦ୍ୱାରା କୃଷକମାନଙ୍କ ଉପରୁ କରଭାର କମାଇ ଦିଆଯାଇଥିଲା । ପ୍ରଦେଶରେ ବିଧାୟକମାନେ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ସେ ନିର୍ଦ୍ଦେଶ-ନାମା ଜାରି କରିଥିଲେ । ଆପତ୍ତି ଅଭିଯୋଗଗୁଡ଼ିକ ବିଭାଗୀୟ ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପେଶ୍ କରିବାଲାଗି ମଧ୍ୟ ସେ ବିଧାୟକମାନଙ୍କୁ ଅନୁରୋଧ କରିଥିଲେ । ଭାରତ ଫାଶିଷ୍ଟବାଦ ଓ ନାଜିବାଦର ବିରୋଧ କରୁଥିଲେ ମଧ୍ୟ ବିଶ୍ଵଯୁଦ୍ଧରେ ଗୋଟିଏ ସ୍ଵାଧୀନ ରାଷ୍ଟ୍ରପତି ସେ ଇଂଲଣ୍ଡକୁ ସାହାଯ୍ୟ ସହଯୋଗ କରିଥିଲା; କିନ୍ତୁ ସ୍ୱାଧୀନତାର ଦାବିକୁ ଇଂଲଣ୍ଡର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସେ କହିଲେ ଯେ କଂଗ୍ରେସ ମଧ୍ୟରେ ସଂହତି ଓ ସହଯୋଗର ଅଭାବ ରହିଛି । ତେଣୁ ସେମାନଙ୍କର ଇଂଲଣ୍ଡକୁ ସାହାଯ୍ୟ କରିବା ଅନ୍ତରାଳରେ ଥିବା ସ୍ୱାଧୀନତାର ଦାବି ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

 

ସେତେବେଳେ ଜିନ୍ନାଙ୍କ ନେତୃତ୍ୱରେ ମୁସଲିମ୍ ଲିଗ୍ ଏକ ସ୍ଵତନ୍ତ୍ର ରାଷ୍ଟ୍ର—ପାକିସ୍ଥାନ ଗଠନଲାଗି ଦାବି ଉତ୍‌ଥାପନ କରିଥିଲେ । କଂଗ୍ରେସର ବହୁ ସଦସ୍ୟ ଲିଗ୍‌ର ଏହି ଦାବିକୁ ସମର୍ଥନ କରିନଥିଲେ । କିନ୍ତୁ ରାଜାଜୀ ନୀତି ଦୃଷ୍ଟିରୁ ପାକିସ୍ଥାନ ଗଠନଲାଗି ମତ ଦେଇଥିଲେ । ତାଙ୍କରି ଅନୁରୋଧକ୍ରମେ ଗାନ୍ଧୀଜୀ ୧୯୪୪ ମସିହାରେ ଏହି ସମସ୍ୟାର ସମାଧାନ ଲାଗି ଜିନ୍ନାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ରାଜି ହୋଇଥିଲେ । କାରଣ ଲିଗ କଂଗ୍ରେସ ମତଭିନ୍ନତା-ଯୋଗୁଁ ସମଗ୍ର ଦେଶରେ ସେତେବେଳେ ସାଂପ୍ରଦାୟିକ ଗଣ୍ଡଗୋଳ ତେଜି ଉଠିଥିଲା । କଥାବାର୍ତ୍ତା ଚାଲିଲା; କିନ୍ତୁ ଗାନ୍ଧୀଜୀଙ୍କଦ୍ୱାରା ଉପସ୍ଥାପିତ ରାଜାଜୀଙ୍କ ସର୍ତ୍ତଗୁଡ଼ିକରେ ଜିନ୍ନା ପ୍ରଥମେ ରାଜିହୋଇ ନଥିଲେ ।

 

ଭାରତଛାଡ଼ ଆନ୍ଦୋଳନ ଲାଗି କଂଗ୍ରେସ ଯେଉଁ ସିଦ୍ଧାନ୍ତ ଗ୍ରହଣ କଲା, ରାଜାଜୀ ତାହାର ବିରୋଧ କରି ଗାନ୍ଧୀଜୀଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ—“ଜାତୀୟ ସରକାର କ୍ଷମତାକୁ ଆସିବା ପୂର୍ବରୁ ହିନ୍ଦୁମୁସଲମାନଙ୍କ ମଧ୍ୟରେ ଗୋଟିଏ ବୁଝାମଣା ହୋଇଯିବା ଉଚିତ । ତାହା ନହେଲେ ଏହି ଆନ୍ଦୋଳନ ଭାରତୀୟମାନଙ୍କଠାରୁ ଜାପାନୀମାନଙ୍କୁ ହେବ ଅଧିକ ସହାୟକ-। ତାଙ୍କରି ସୁପାରିଶକ୍ରମେ ଭାରତ ବିଶ୍ଵଯୁଦ୍ଧରେ ଇଂରେଜମାନଙ୍କୁ ସହାୟତା କରିଥିଲା; କିନ୍ତୁ ପରିଣାମ ଦୃଷ୍ଟିରୁ ଲାଭ ପରିବର୍ତ୍ତେ ଭାରତର ହୋଇଥିଲା ଅପୂରଣୀୟ କ୍ଷତି । ସେଥିଯୋଗୁଁ କଂଗ୍ରେସଦଳ ଓ ସମଗ୍ର ଦେଶରେ ସେ ଅପ୍ରିୟ ହୋଇ ପଡ଼ିଥିଲେ । ତାହା ସତ୍ତ୍ୱେ ଗାନ୍ଧୀଜୀ ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ବହୁ ସଭ୍ୟ ରାଜାଜୀଙ୍କୁ ଅସମ୍ମାନ ପ୍ରଦର୍ଶନ କରିନଥିଲେ । କାରଣ ତାଙ୍କଠାରେ ଥିବା ବହୁ ଚାରିତ୍ରିକ ବିଶେଷତ୍ୱ ବିଷୟ ସେମାନଙ୍କୁ ଅଜଣା ନଥିଲା ।

 

ରାଜାଜୀ ସ୍ଵାଧୀନତା ସଂଗ୍ରାମରେ ଝାସଦେଇ ପାଞ୍ଚ ଥର କାରାବରଣ କରିଥିଲେ । ସରକାର ଗଠନ ଦିଗରେ ସେ ଥିଲେ ଗାନ୍ଧୀଜୀଙ୍କ ଆଦର୍ଶର ଅନୁସାରୀ । ଗାନ୍ଧୀଜୀ କହୁଥିଲେ—That Government is best which governs the least’ ରାଜାଜୀ ଯେତେଦିନ ଶାସନ ଦାୟିତ୍ୱରେ ଥିଲେ ଏହି ଆଦର୍ଶ ଥିଲା ତାଙ୍କ ଶାସନର ମାନଦଣ୍ଡ । ଗାନ୍ଧୀଜୀଙ୍କର ଯେତେ ସହକର୍ମୀ ଥିଲେ ଯୁକ୍ତିରେ ରାଜାଜୀଙ୍କ ନିକଟରେ ପ୍ରାୟ ସମସ୍ତେ ହେଉଥିଲେ ପରାସ୍ତ । ଏପରିକି ନିଜେ ଗାନ୍ଧୀଜୀ ମଧ୍ୟ ସେଥିରୁ ବାଦ ପଡ଼ୁନଥିଲେ । ସେହି ବିଷୟ ଉଲ୍ଲେଖ କରି ଥରେ ସ୍ୱର୍ଗତଃ ହୋମି ମୋଦି କହିଥିଲେ–

 

"You know if a black cat jumps over this table, he will argue it is a white cat and we will all go home firmly convinced that we all saw a white cat.’’ କର୍ମୀ ହିସାବରେ ବାପୁଜୀଙ୍କୁ ଆକାଙ୍‍କ୍ଷିତ ଅସ୍ପୃଶ୍ୟତା ନିବାରଣର ସେ ଥିଲେ ଜଣେ ପରମ ପୃଷ୍ଠପୋଷକ ।

 

୧୯୪୧ ମସିହାରେ ସେ ଅନୁଭବ କରିଥିଲେ ଯେ ବିନା ବିପ୍ଳବରେ ମାତ୍ର କେତେକ ରାଜନୀତିକ ପଦକ୍ଷେପଦ୍ୱାରା ଭାରତ ସ୍ୱାଧୀନତା ହାସଲ କରିପାରିବ । ତେଣୁ ମାନ୍ଦ୍ରାଜ କଂଗ୍ରେସ ବ୍ୟବସ୍ଥାପକ ଦଳଦ୍ୱାରା ସେ ଗୋଟିଏ ପ୍ରସ୍ତାବ ଗ୍ରହଣ କରାଇ ନେଇଥିଲେ ଯେ କଂଗ୍ରେସ ଓ ମୁସଲିମ୍ ଲିଗ୍ ମିଶି ଏକ ଜାତୀୟ ସାମ୍ମୁଖ୍ୟ ଗଠନ କରନ୍ତୁ । ଏହି ସାମ୍ମୁଖ୍ୟ କେନ୍ଦ୍ରଶାସନରେ ଅଂଶ ଗ୍ରହଣ କରୁ । ଏହି କଂଗ୍ରେସ ଓ ଲିଗର ମିଳିତ ସରକାର ଗଠନ ଉପରେ ସେ ଏତେ ଜୋର ଦେଉଥିଲେ ଯେ ତାହାକୁ ଭିତ୍ତିକରି ଗାନ୍ଧୀଜୀଙ୍କ ସହିତ ତାଙ୍କର ମଧ୍ୟ ମତଭେଦ ଦେଖାଦେଇଥିଲା I ସେତେବେଳେ ଦେଶର ଜାତୀୟବାଦୀମାନେ ମଧ୍ୟ ରାଜାଜୀଙ୍କ ଏହି ଚିନ୍ତାକୁ ବିଦ୍ରୂପ କରିଥିଲେ; କିନ୍ତୁ ଦୃଢ଼ମନା ରାଜାଜୀ ଥିଲେ ତାଙ୍କ ଚିନ୍ତାରେ ଅଟଳ । ସଭାସମିତି ତଥା ପତ୍ରପତ୍ରିକାରେ ଖୁବ୍ ଦୃଢ଼ ସ୍ୱରରେ ସେ ତାହା ଘୋଷଣା କରିଥିଲେ । ତେଣୁ ଗାଳିଗୁଲଜଠାରୁ ଅଣ୍ଡା ଓ ଆଲ୍‌କାତରା ଫୋପଡ଼ା ପର୍ଯ୍ୟନ୍ତ ତାଙ୍କୁ ସବୁ ସହିବାକୁ ପଡ଼ିଥିଲା । ଉଦାହରଣ ଦେଇ ସେ କହିଥିଲେ—“ଯଦି ଲୁଗାଟି ଫାଟିଯାଏ, ତା’ହେଲେ ଫଟା ସ୍ଥାନରେ ତାକୁ ଦୁଇଖଣ୍ଡ କରି କାଟିଦେବା ଦରକାର । ଯେପରିକି ଦୁଇଖଣ୍ଡଯାକ ବ୍ୟବହାର କରିହେବ । ନଚେତ ଗୋଟାକଯାକ ଲୁଗା ଅକାମୀ ହୋଇଯିବ । ହିନ୍ଦୁ ମୁସଲମାନ ଯଦି ଏକାଠି ଚଳି ନପାରିବେ, ତା’ହେଲେ ଦେଶକୁ ଭାଗ ଭାଗ କରି ସ୍ୱାଧୀନ ହୋଇ ରହ । ତାହା ନହେଲେ ସବୁଦିନ ଲାଗି ବିବାଦ ଲାଗି ରହିବ ଓ ଆମେ ସମସ୍ତେ ପରାଧୀନତା ଫାଶରୁ ମୁକୁଳି ପାରିବା ନାହିଁ ।”

 

କେବଳ ବାପୁଜୀଙ୍କର କାହିଁକି, ଜାତୀୟ କଂଗ୍ରେସର କର୍ଣ୍ଣଧାରଭାବେ ସେ ଦେଇପାରିଥିଲେ ଅସାମାନ୍ୟ ବୁଦ୍ଧି ଓ ସଙ୍ଗଠନ ଶକ୍ତିର ଅଭୂତପୂର୍ବ ପରିଚୟ । ରାଉଲଟ୍ ଆଇନ ବିରୁଦ୍ଧରେ ଅଭିଯାନ ଚଳାଇ ସେ କାରାବରଣ କରି ଗାନ୍ଧୀଜୀଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାର ସୁଯୋଗ ପାଇଥିଲେ । ୧୯୨୧-୨୨ ମସିହାରେ ସେ କଂଗ୍ରେସର ସାଧାରଣ ସମ୍ପାଦକରୂପେ କାର୍ଯ୍ୟକରି ଗାନ୍ଧୀଜୀଙ୍କ ଚିନ୍ତାଧାରାର ଥିଲେ ପ୍ରଧାନ ପ୍ରବକ୍ତା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନିରାକରଣ କାର୍ଯ୍ୟ ଆରମ୍ଭ କଲାପୂର୍ବରୁ ରାଜାଜୀ ତାଙ୍କ ଜନ୍ମସ୍ଥାନ ମାନ୍ଦ୍ରାଜ ରାଜ୍ୟର ସାଲେମ୍ ମୁନିସିପାଲିଟିର ଚେୟାରମ୍ୟାନରୂପେ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସେଠି ହରିଜନମାନଙ୍କୁ ପାଣିକଳ ଛୁଇଁବା ମନା ଥିଲା; କିନ୍ତୁ ପୌର ସଂସ୍ଥାର ଅଧ୍ୟକ୍ଷଭାବେ ସେ ନିର୍ଦ୍ଦେଶ ଦେଇଥିଲେ ଯେ ହରିଜନମାନଙ୍କୁ ପାଣିକଳ ବ୍ୟବହାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ପରିଚୟ ନଥିଲାବେଳେ ମଧ୍ୟ ଗାନ୍ଧୀଜୀ ଓ ରାଜାଜୀଙ୍କ ଚିନ୍ତାଧାରାରେ ଥିଲା ସାମ୍ୟ । ପରଜୀବନରେ ସେ ଗାନ୍ଧୀଜୀଙ୍କର ଜଣେ ଘନିଷ୍ଠ ସହକର୍ମୀରୂପେ କାର୍ଯ୍ୟ କରିଥିବାରୁ ତାଙ୍କୁ ମହାତ୍ମାଙ୍କର ବୁଦ୍ଧିଦାତା ବା ଲେଫଟନେଣ୍ଟ ବୋଲି କୁହାଯାଇଥାଏ ।

 

ନେହେରୁ, ରାଜାଜୀ ଓ ପଟେଲ ଜାତୀୟ ଆନ୍ଦୋଳନର ତ୍ରିବେଣୀରୂପେ ମିଶିଯାଇଥିଲେ ପବିତ୍ର ସଂଗମ ଗାନ୍ଧୀଜୀଙ୍କ ସହିତ । ନେହେରୁ ଓ ପଟେଲ ଯେକୌଣସି ସମସ୍ୟା ସମ୍ବନ୍ଧରେ ଗାନ୍ଧୀଜୀଙ୍କ ସହିତ ଅଧିକ ଯୁକ୍ତି କରିବାକୁ ପଶ୍ଚାତ୍‌ପଦ ହେଉଥିଲେ; କିନ୍ତୁ ଏ ଯୁଗର ଚାଣକ୍ୟ ରାଜାଜୀ ଅନ୍ୟମାନଙ୍କ ପରି ଗାନ୍ଧୀଜୀଙ୍କ ଉକ୍ତିକୁ ଅକ୍ଷରେ ଅକ୍ଷରେ ମଥା ପୋତି ମାନି ନେଉଥିଲେ-। ସମୟ ପଡ଼ିଲେ ପୂଜ୍ୟ ଗାନ୍ଧୀଜୀଙ୍କୁ ମଧ୍ୟ ସମାଲୋଚନା କରିବାକୁ ସେ ପଛାଉ ନଥିଲେ । ତାଙ୍କର ଅକାଟ୍ୟ ଯୁକ୍ତି ଓ ଅସାଧାରଣ ବିଶ୍ଳେଷଣ ଶକ୍ତି ଦେଖି ବାପୁଜୀ ତାଙ୍କୁ ନିଜ ବିବେକର ପ୍ରହରୀ ତଥା ତାଙ୍କର ଦ୍ୱିତୀୟ ଅବତାର ବୋଲି କହୁଥିଲେ । ଯେକୌଣସି ସମସ୍ୟାକୁ ସେ ଗାନ୍ଧୀଜୀଙ୍କ ତୁଳନାରେ ଅନ୍ତତଃ ଛ’ମାସ ଆଗରୁ ଦେଖି ପାରୁଥିଲେ । ଏ କଥା ବାପୁଜୀ ନିଜେ ମୁକ୍ତ କଣ୍ଠରେ ସ୍ୱୀକାର କରୁଥିଲେ । କୌଣସି ପ୍ରତିନିଧିଙ୍କୁ ଏକ ସମସ୍ୟା ଉପରେ ଆଲୋଚନା କରିବାକୁ ରଜାଜୀଙ୍କ ପାଖକୁ ପଠାଇଲାବେଳେ ଗାନ୍ଧୀଜୀ ତାଙ୍କୁ ସତର୍କ କରାଇ କହୁଥିଲେ–‘‘ଦେଖ....ସାବଧାନ, ନଚେତ୍ ରାଜାଜୀ ଧଳାକୁ କଳା କରିଦେବେ ।” ଏହା ସତ୍ତ୍ୱେ ରାଜାଜୀ ଗାନ୍ଧୀଜୀଙ୍କ ଠାରୁ ଶିକ୍ଷା କରିଥିଲେ ଯେ ଯାହା ସତ୍ୟ ଯେକୌଣସି ପରିସ୍ଥିତିରେ ତାହାର ସତ୍ୟତା ପ୍ରତିପାଦ୍ୟ । ତାହା ସୂଚାଇବାକୁ ଯାଇ ସେ ଲେଖିଛନ୍ତି–‘‘This is the lesson I have received from Mahatma Gandhi. That which is right is right under all conditions’’.

 

୧୯୪୮ ମସିହା ଜାନୁଆରୀ ୩୦ ତାରିଖ, ଶୁକ୍ରବାର ସଂଧ୍ୟା ପାଞ୍ଚଟା । ପ୍ରାର୍ଥନା ସଭାକୁ ଗଲାବେଳେ ଆତତାୟୀର ଗୁଳିଚୋଟରେ ଚିର ବିଦାୟ ନେଲେ ଜାତିର ଜନକ ବାପୁଜୀ । ସେହି ମର୍ମନ୍ତୁଦ ଦୁଃସମ୍ବାଦ ପାଇ ରାଜାଜୀ ଯେଉଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଫେବୃଆରୀ ୧୨ ତାରିଖରେ କଲିକତା ଆକାଶ-ବାଣୀରୁ ତାହା ପ୍ରଚାରିତ ହୋଇଥିଲା । ସେଥିରେ ରାଜାଜୀଙ୍କର ବ୍ୟଥିତ ହୃଦୟର ଦରଦ କିପରି ପ୍ରକାଶ ପାଇଥିଲା, ତାହା ଯଥାର୍ଥେ ପ୍ରଣିଧାନଯୋଗ୍ୟ ।

 

ସେ ଆମରି ଭିତରେ ବଞ୍ଚିରହିବେ

 

ଏତିକିରେ ସବୁ ସରିଗଲା ।

 

ଆଜି ବିଶ୍ଵ ନିଃସ୍ୱ । ଚତୁର୍ଦିଗରେ ନିରନ୍ଧ୍ର ଶୂନ୍ୟତା । ଜାନୁଆରୀ ୩୦ ତାରିଖ; ସେହି ଶୁକ୍ରବାର ଅପରାହ୍ନ ପାଞ୍ଚଟାରେ ପକ୍ଷୀଟି ଉଡ଼ିଗଲା । କେବଳ ମରଶରୀର ରହିଗଲା ଆମମାନଙ୍କ ଗହଣରେ । ତାଙ୍କର ହସ ହସ ମୁହଁ କିଛିଦିନ ପାଇଁ ଆମ ମନରେ ଭ୍ରମ ସୃଷ୍ଟି କରିବ; କିନ୍ତୁ ଆମେ ୩୧, ଜାନୁଆରୀ ଦିନ ଯମୁନା କୂଳରେ ଆମ ପୂର୍ବ ସୁରୀମାନଙ୍କର ତଥାକଥିତ ବିଧିବିଧାନ ଅନୁଯାୟୀ ଆମ ପ୍ରିୟ ନେତାଙ୍କ ସୌମ୍ୟକାନ୍ତ ଶରୀରକୁ ଅଗ୍ନିରେ ମିଶାଇ ଦେଇ ଆସିଲୁ, ଯାହା କିଛି ପଛରେ ରହିଗଲା, ସେ ସବୁକୁ ଏକତ୍ର କଲୁ । ଆମର ଧର୍ମନିଷ୍ଠତା ଓ ଭକ୍ତି ବାପୁଙ୍କ କଳେବରକୁ ଦେଖାଇ ଦେଇପାରିଲା ପାଉଁଶ ଆକାରରେ । ପିତୃହୀନ ଜନତା ମନରେ ଆଜି ଉଦ୍ରେକ ହୋଇଛି ସେହି ଗୋଟିଏ ଅନୁଚିନ୍ତା । କିନ୍ତୁ ଆମ ପୂର୍ବ ସୁରୀମାନଙ୍କର ପବିତ୍ର ଜ୍ଞାନ ଗାରିମା ପୁନର୍ବାର ବିବେକ ମନ୍ଥନ କରି କହୁଛି ଯେ ଏହି ଚିତାଭସ୍ମକୁ ଉପକ୍ରମଣିକା ରୂପେ ବିଚାରି ଆମର ଚିନ୍ତାଧାରାକୁ ଭଗବତ୍ ଅନୁଗାମୀ କରିବାକୁ ହେବ । ତେଣୁ ସେହି ଚିତାଭସ୍ମକୁ ପବିତ୍ର ଗଙ୍ଗାରେ ବିସର୍ଜନ କରି ଆମେ ପ୍ରାର୍ଥନା କଲୁ । ଯେତେବେଳେ ଦୁଃଖାର୍ତ୍ତ ହୃଦୟରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲୁ ଚତୁର୍ଦିଗରେ ବିରାଜମାନ କରୁଥିଲା ଶୂନ୍ୟତା । ଆମର ପ୍ରିୟ ଗୁରୁ,ଅଜାତଶତ୍ରୁ ସତ୍ୟଧର୍ମ ପରାକ୍ରମଶାଳୀ ମହାମନା, ନିର୍ଭୟ ଚିତ୍ତରେ ଜନତା ଜନାର୍ଦ୍ଦନ ପାଇଁ ଜୀବନ ଦେଇ ପ୍ରେମ ଭାବର ଉଦ୍ରେକ କରିଗଲେ । ସମାଜର ଗଳିତ କ୍ଷତ-ଗୁଡ଼ିକର ଅସ୍ତ୍ରୋପଚାର କରି ଭୟ ସ୍ଥାନରେ ସେ ସଂସ୍ଥାପନ କରିଗଲେ ପ୍ରେମର ସମୁଚ୍ଚ ମନ୍ଦିର । ତେଣୁ ଆମ ଚିନ୍ତାରାଜ୍ୟରେ ତାଙ୍କର କର୍ମ ଓ ଆଦର୍ଶ ଚିରଦିନପାଇଁ ଭାସ୍କର ହୋଇ ରହିବ ।

 

ପ୍ରତ୍ୟହ ଅପରାହ୍ନ ପାଞ୍ଚଟାରେ ଅଗଣିତ ଭାରତୀୟ ନରନାରୀ, ଯେପରି ତାଙ୍କ ପ୍ରାର୍ଥନା ସଭାରେ ଏକତ୍ରିତ ହୋଇ ବାପୁଙ୍କୁ ଅପେକ୍ଷା କରି ରହୁଥିଲେ, ଠିକ ସେହିପରି ସେହି ସମୟରେ ଅର୍ଥାତ୍‌ ପ୍ରତ୍ୟହ ଅପରାହ୍ନ ୫ଟାରେ ପ୍ରତ୍ୟେକ ଭାରତୀୟ ସେ ଯେଉଁଥିପାଇଁ ପ୍ରାର୍ଥନା କରୁଥିଲେ, ସେ ବିଷୟ ସ୍ମରଣ କରନ୍ତୁ । ତଦ୍ୱାରା ସେ ଯାହା ଚାହୁଁଥିଲେ ତାହା ସମ୍ଭବ ହୋଇପାରିବ । ପ୍ରତ୍ୟହ ଅନ୍ତତଃ ଦୁଇମିନିଟ ଆମେ ପ୍ରାର୍ଥନା କରିବା ଯେ ବିଶ୍ଵପାଇଁ ଆମ ମନରେ ସଦିଚ୍ଛା ଜାତ ହେଉ । ଏହାଦ୍ଵାରା ଆମର ଦୁଃଖ ଲାଘବ ହେବା ସଙ୍ଗେ ସଙ୍ଗେ ମନରୁ କ୍ରୋଧ ଓ ହିଂସା ସ୍ୱତଃ ଅନ୍ତର୍ହିତ ହେବ । ଅନ୍ତର୍ନିହିତ ଶକ୍ତି ଆମର ପ୍ରଧାନ ରକ୍ଷକ । ଯେଉଁ ମୌଳିକ ପାପାଚାର ଆମର ଏହି ଶକ୍ତିକୁ କଳୁଷିତ କରୁଅଛି, ଆମେ ତାହାଠାରୁ ଏହି ଶକ୍ତିକୁ ଦୂରରେ ରଖିବା । ଦଳନ ଓ ଦେଶଗତ ବଳ ପ୍ରୟୋଗ ଏହି ତ୍ରୁଟି ସଂକୁଳ ଦୁନିଆରୁ କେବେହେଲେ ଦୂରେଇ ଯାଇପାରିବ ନାହିଁ; କିନ୍ତୁ ଆମେ ନିଶ୍ଚିତ ଭାବେ ଭାବିବା ଉଚିତ ଯେ ଶୁଭେଚ୍ଛା ପାଇବାକୁ ହେଲେ ଶୁଭେଚ୍ଛା ପ୍ରଦର୍ଶନ କରିବାକୁ ହେବ । ଆମର ପରମ ପୂଜ୍ୟ ନେତା ଯେଉଁପ୍ରକାର ଚିନ୍ତା କରିଯାଇଛନ୍ତି, ତାହା ବ୍ୟତୀତ ଅନ୍ୟ ଉପାୟ ନାହିଁ, ଯଦ୍ଦ୍ୱାରା ମନ୍ଦମାର୍ଗ ପରିହାର କରାଯାଇ ପାରିବ । ଶାନ୍ତି ଓ ସଦିଚ୍ଛାର ଭିତ୍ତି ପ୍ରସ୍ତର ସ୍ଥାପନ ଲାଗି ବହୁ ସରଗରମ ଆଲୋଚନା ହୋଇ ଯାଇଛି; କିନ୍ତୁ ଅଗ୍ନି କେବେହେଲେ ତୈଳରେ ନିର୍ବାପିତ ହୁଏ ନାହିଁ । ଆମର ପ୍ରିୟ ନେତା ଆମପାଇଁ ଆଣିଦେଇଛନ୍ତି ପ୍ରେମ-ପରିପୃତ ଜ୍ଞାନର ଅମନ୍ଦ ମନ୍ଦାକିନୀ । ଆମେ ସେଥିରେ ଅବଗାହନ କରିବା ।

 

ପ୍ରେମ କେବେ ଦାବୀ କରାଯାଇ ପାରେନା । ଯଦି ଦାବୀ କରାଯାଏ, ତାହାହେଲେ ପ୍ରେମପ୍ରାପ୍ତି ଅସମ୍ଭବ । ଅନ୍ୟକୁ ଆଦର କର, ନିଶ୍ଚୟ ତୁମେ ଆଦୃତ ହେବ । ଅନ୍ୟପ୍ରତି ତୁମର ସ୍ନେହ ବୃଦ୍ଧି ପାଇଲେ ମଧ୍ୟ ତୁମ ସ୍ନେହର ଭଣ୍ଡାର ଅକ୍ଷୁଣ୍ଣ ରହିବ । ଏହା ହେଉଛି ବିଧିର ବିଧାନ । ଆଇନ କିମ୍ବା ତର୍କ ବଳରେ ତାହାର ପରିବର୍ତ୍ତନ ଅସମ୍ଭବ । ସେ ଆଉ ବାହୁଡ଼ିବେ ନାହିଁ । କିନ୍ତୁ ଯଦି ସେ ଦେଇଥିବା ଶିକ୍ଷାର ଆମେ ଅନୁବର୍ତ୍ତୀ ହୋଇ ନପାରିବା, ତାହାହେଲେ ସେ ଶିକ୍ଷା ସ୍ଵତଃ ବିଲୟ ଲଭିବ ଓ କାଳକ୍ରମେ ଆମେ ହେବା ତାଙ୍କର ହତ୍ୟାକାରୀ । ଯଦି ଆମେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା, ତାହାହେଲେ ସେ ଆମ ଭିତରେ ଓ ଆମରି ମାଧ୍ୟମରେ ବଞ୍ଚିରହିବେ । ଆମେ ଆଜି ସ୍ମରଣ କରିବା କିପରି ଆମର ପ୍ରିୟ ନେତା ପ୍ରତ୍ୟହ ପ୍ରାର୍ଥନା ସଭାରେ ଆମ୍ଭମାନଙ୍କ ସହିତ ଗାଉଥିଲେ—

 

“ଈଶ୍ୱର ଆଲ୍ଲା ତେରେ ନାମ ।

ସବକୋ ସନମତି ଦେ ଭଗବାନ ।।

ବାୟୁରନିଳମମୃତମଥେଦଂ ଭସ୍ମାନ୍ତଂ ଶରୀରମ୍ ।

ଓଁ କ୍ରତେ ସ୍ମର କୁତଂ ସ୍ମର କ୍ରତୋ ସ୍ମର କୃତଂ ସୁର ।।’’

 

ତାଙ୍କ ରାହା ଧରିବା ଆଉ ସମ୍ଭବ ନୁହେଁ

 

ଯଦି ଶ୍ରୀମତୀ ସରୋଜିନୀ ଦେବୀ ଓ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କର ଶ୍ରଦ୍ଧାଜ୍ଞଳି ଓ ଗୁଣକୀର୍ତ୍ତନ ସମୟରେ ଆତ୍ମ ମନ୍ଥନକୁ ଉପଯୁକ୍ତ ଭାଷା ମାଧ୍ୟମରେ ବ୍ୟକ୍ତ କରିବାକୁ ଅକ୍ଷମ, ତେବେ ମୁଁ ବା ପାରିବି କିପରି ? ନିର୍ଦ୍ଦୟ ବ୍ୟାଧର ଶରାଘାତରେ ନିହତ ପକ୍ଷିଣୀର ମୁଖା ପରି ଆଜି ଭାରତ ବିମର୍ଷ । ମହାମନା ବାଲ୍ମୀକି ମୁଣ୍ଡ ଉପରେ ଦେଖିଲେ ବିରହବିଧୁର ପକ୍ଷୀଟି କରୁଣ ବିଳାପ କରୁଛି । ସେହି ବିଳାପଧ୍ୱନିର ମୂର୍ଚ୍ଛନା ନିନାଦିତ ହୋଇଛି ଶ୍ରୀରାମଚନ୍ଦ୍ରଙ୍କର ପବିତ୍ର ଚରିତ ବର୍ଣ୍ଣନାରେ । ଯେତେବେଳେ ଆମର ପ୍ରିୟ ବାପୁ ପ୍ରେମ ଓ ସତ୍ୟପାଇଁ ଆତତାୟୀ ଗୁଳିର ଶିକାର ହେଲେ, ସେତେବେଳେ ଆମ ଇତିହାସ ଓ ଭାରତର ଭବିଷ୍ୟତ ଏହି କରୁଣ କାହାଣୀ ଲିପିବଦ୍ଧ କରି ରଖିବ । ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ । ଯେଉଁ କାର୍ଯ୍ୟ ତାଙ୍କ ସ୍ୱର୍ଗତଃ ଆତ୍ମାକୁ ଶାନ୍ତିଦେବାରେ ଅକ୍ଷମ ଆମେ ସେପରି କାର୍ଯ୍ୟରୁ ଦୂରରେ ରହିବା । ଯଦିଓ ତାଙ୍କର ମରଶରୀର ଆମ ଆଖି ଆଗରୁ ଅନ୍ତର ହୋଇ ଯାଇଛି, ତଥାପି ଆମର କାର୍ଯ୍ୟକଳାପ ତାଙ୍କର ଆତ୍ମା ଉପରେ ରହି ଦେଖୁଛି ।

 

‘ହରିଜନ’ ପତ୍ରିକା ବାପୁଙ୍କର ବାର୍ତ୍ତାବହ । ତାଙ୍କର ତିରୋଧାନ ଫଳରେ ‘ହରିଜନ’ ଆଉ ତାଙ୍କ ବାର୍ତ୍ତାର ବାହକ ହୋଇପାରିବ ନାହିଁ । ଯଦି ତାହାକୁ କେହି ପ୍ରକାଶ କରିବାକୁ ଉଦ୍ୟମ କରେ ତାହାହେଲେ ତାହା ମୌଳିକତା ହରାଇ ଭିନ୍ନ ରୂପ ନେବ ।

 

ହରିଜନଙ୍କର ଦୁଃଖଦୁର୍ଦ୍ଦଶା ମୋଚନପାଇଁ ସେ ଯେପରି ଭାବେ ଉଦ୍ୟମ କରିଯାଇଛନ୍ତି, ତାଙ୍କ ତିରୋଧାନ ପରେ ମଧ୍ୟ ହରିଜନମାନେ ତାଙ୍କ ଭବିଷ୍ୟତ ପାଇଁ ଅଯଥା ଚିନ୍ତିତ ହୋଇପଡ଼ିବା ଉଚିତ ନୁହେଁ । ଜାତିର ଏ ଦୁଃଖ ଓ ଉତ୍କଣ୍ଠାରେ ସେମାନେ ନିଶ୍ଚୟ ଭାଗ ନେବେ; କିନ୍ତୁ ସେମାନେ ଏତିକି ଜାଣିରଖିବା ଉଚିତ ଯେ ଭାରତ କେବେହେଲେ ପୂର୍ଣ୍ଣପ୍ରାଣରେ ତାଙ୍କ ପ୍ରିୟ ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବ ନାହିଁ ।

 

(ହରିଜନ ତା ୧୫ । ୨ । ୪୮, ପୃଷ୍ଠା-୨୫)

 

ଆମେ ସମସ୍ତେ ଦେଖିଛେ ଯେ ରକେଟ୍ ପ୍ରବଳ ବେଗରେ ପ୍ରଖର ଦୀପ୍ତି ପ୍ରକାଶ କରି ଶୂନ୍ୟ ମାର୍ଗରେ ଧାବମାନ ହୋଇ ଅନନ୍ତ ଆକାଶରେ ହଜିଯାଏ । ଆମେ ଆକାଶମାର୍ଗକୁ କିଛି ସମୟ ନିରୀକ୍ଷଣ କରି ଶେଷରେ ଦେଖୁ କେବଳ ସେହି ଶୂନ୍ୟ । ସେହିପରି ବାପୁ ଆଜି ଲୁଚିଯାଇଛନ୍ତି । ସେ ବାରମାସ ପୂର୍ବରୁ ତେଜୋଦୀପ୍ତ ଆଲୋକ ବିକୀରଣ କରି ବିଲୟ ଲଭିଛନ୍ତି; କିନ୍ତୁ ଆମେ ଏବେ ଚାହିଁରହି ଦେଖୁଛୁ ସେହି ଆଲୋକ ସ୍ଥାନରେ ଭରି ରହିଛି ଅସଂଖ୍ୟ କୃଷ୍ଣଚିହ୍ନ । ୧୯୪୭ ମସିହା ଶେଷଆଡ଼କୁ ଭାରତ-ସ୍ଵାଧୀନତା ପାଇଲା; କିନ୍ତୁ ଯେଉଁ ଅବ୍ୟବସ୍ଥା ଓ ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜିଲା ତାହା ବାପୁଙ୍କ ମନରେ ସୃଷ୍ଟି କରିଥିଲା ଗଭୀର ଦୁଃଖ ଓ ନୈରାଶ୍ୟ, ଯେଉଁଥିପାଇଁକି ସେ ଆଦୌ ପ୍ରସ୍ତୁତ ନଥିଲେ । ସେତେବେଳକୁ ସେ ଆନ୍ତର୍ଜାତିକ ପ୍ରସିଦ୍ଧି ଓ ଗୌରବର ହୋଇସାରିଥିଲେ ଅଧିକାରୀ ।

 

ମୁଁ ତାଙ୍କ ସହିତ ଦୀର୍ଘ ୨୮ ବର୍ଷ ଘନିଷ୍ଠତା ସହକାରେ କାର୍ଯ୍ୟ କରିବାର ସୁଯୋଗ ପାଇଛି । ସେ ବର୍ଷ ଗୁଡ଼ିକ ମୋ ପକ୍ଷରେ ସବୁଠାରୁ ବେଶୀ ମୂଲ୍ୟବାନ୍ । ଆମେ ପରସ୍ପରକୁ ଏପରି ଭଲ ପାଉଥିଲୁ ଯେ ଅନ୍ୟତ୍ର ତାହା ସମ୍ଭବ ନୁହେଁ । ୧୯୪୭ ମସିହା ଶେଷ ମାସ ସୁଦ୍ଧା ତାଙ୍କ ପ୍ରତି ମୋର ଭକ୍ତି ଏକ ବିସ୍ମୟାଭିଭୂତ ଅବସ୍ଥାରେ ପହଞ୍ଚିଥିଲା । ସେ ମୋତେ ଦିନେ କହିଲେ—‘‘ତୁମେ କ’ଣ ମୋ ସହିତ ଏକମତ ହେବ ? ତୁମେ କ’ଣ ଦୃଢ଼ନୀତିବାଦୀ ଏକ ପକ୍ଷୀୟ ପ୍ରେମର ପ୍ରଚେଷ୍ଟାକୁ ଗ୍ରହଣ କରିପାରିବ ? ତାହା ଶୁଣି ଖୁବ୍ ଆଗ୍ରହ ସହକାରେ ନିଃସନ୍ଦେହ ଚିତ୍ତରେ ମୁଁ ଉତ୍ତର ଦେଇଥିଲି–‘‘ଏହା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ ।” ତତ୍ପରେ ସେ ଖୁବ୍ ଖୁସି ହୋଇ କହିଥିଲେ–‘‘ତାହାହିଁ କରିବାକୁ ହେବ ।” ମୁଁ ଯେତେବେଳେ ତାଙ୍କ କଥାରେ ରାଜି ହେଉଥିଲି ସେତେବେଳେ ସେ ଅତ୍ୟନ୍ତ ଆନନ୍ଦିତ ହେଉଥିଲେ । ଏହା ମୋର ପ୍ରଶସ୍ତି ନୁହେଁ ।

 

ତାଙ୍କ ପ୍ରଦର୍ଶିତ ମାର୍ଗ ଥିଲା ସରଳ । ତାଙ୍କ ଆଦର୍ଶ ଫଳପ୍ରସୂ ହେଉ ବା ନ ହେଉ, ଅନ୍ୟ ପକ୍ଷ ତାଙ୍କୁ ସମର୍ଥନ କରନ୍ତୁ ବା ନ କରନ୍ତୁ, ସେଥିପତି ସେ ଆଦୌ ଗୁରୁତ୍ୱ ଆରୋପ କରୁନଥିଲେ । ବାପୁଜୀଙ୍କ ଜୀବନ ଧାରା ଓ କର୍ମ ସବୁବେଳେ ଥିଲା ଏହିପରି । ଆମେ କେଇଜଣ ଆଦର୍ଶ ସମ୍ପର୍କରେ ଥିଲୁ ଅବହିତ । ବାପୁଜୀ ଏପରି ଅବିଶ୍ରାନ୍ତ ଓ ଅପରିଶ୍ରାନ୍ତ ଭାବେ ସେହି ଆଦର୍ଶର ମୂଲ୍ୟାୟନ କରିଗଲେ, ଯାହାକି ଆମେ ପୂର୍ବରୁ ଜାଣି ପାରି ନଥିଲୁ । ସେହି ରକେଟର ବିସ୍ଫୋରଣ ଘଟିଲା ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ । ସେଥିରୁ ବିକୀର୍ଣ୍ଣ ହେଲା ଅବିକଳ୍ପ ଔଜଲ୍ୟ । ଆଜି କିନ୍ତୁ ଚତୁର୍ଦ୍ଦିଗ ଅନ୍ଧକାରମୟ । ସେହି କାନ୍ତି ଆମ ଚକ୍ଷୁ ସମକ୍ଷରୁ ଆଜି ଅପସରି ଯାଇଛି ।

 

ଆମେ କ’ଣ ପ୍ରକୃତରେ ଈଶ୍ୱର ଅଛନ୍ତି ବୋଲି ବିଶ୍ଵାସ କରୁ ? ଯଦି କରୁ, ତାହାହେଲେ ପ୍ରେମବିନା ତାଙ୍କୁ କଳ୍ପନା କରିପାରିବା ନାହିଁ । ସେହି ପ୍ରେମ ଶିଶୁ ପ୍ରତି ଜନନୀର ପ୍ରେମପରି ଅନାବିଳ । ଆମେ ଜାଣୁ ଯେ ସକଳ ଘଟେ ନାରାୟଣ ବିଦ୍ୟମାନ । ଯଦି ଏହା ସତ୍ୟ, ତାହାହେଲେ ଯେଉଁଠି ଦୟା, ସହାନୁଭୂତି, ପ୍ରେମ, ତୀତିକ୍ଷା ଗୋଟିଏ ହୃଦୟରୁ ଅନ୍ୟ ପ୍ରତି ବିଗଳିତ ହେଉଛି ସେଇଠିହିଁ ତାଙ୍କର ପ୍ରକୃତ ସ୍ଥିତି । ଯେତେବେଳେ ମଣିଷ ହୃଦୟରୁ ପ୍ରେମ ବିଦାୟ ନିଏ, ସେତେବେଳେ ତା’ ପାଇଁ ଭଗବତ୍ ମାର୍ଗ ହୋଇଥାଏ ରୁଦ୍ଧ । ତେଣୁ ଆମ ମନରେ ଦୃଢ଼ ବିଶ୍ଵାସ ଆସିବା ଉଚିତ ଯେ–

 

“ଇଶା ବାସ୍ୟମିଦଂ ସର୍ବଂ, ଯତ୍ କିଞ୍ଚିତ୍ ଜଗତ୍ୟାଂ ଜଗତ୍’’ ।

 

ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ ମଧ୍ୟରେ ଦେଖିବା । ଯଦିଓ ଆମେ ଆଜି ଦୁର୍ଦ୍ଦଶାର ସମ୍ମୁଖୀନ, ଭବିଷ୍ୟତରେ ଆମର ମଙ୍ଗଳ ଅବଶ୍ୟମ୍ଭାବୀ । ଅହିଂସା, ଆଇନ ଅମାନ୍ୟ ଇତ୍ୟାଦି ଏହାର ଗୋଟିଏ ଗୋଟିଏ ବୈଷୟିକ ଦିଗ । ବାପୁଜୀଙ୍କ ଶିକ୍ଷା ମାଧ୍ୟମରେ ଆମ୍ଭେମାନେ ପ୍ରକୃତ ପ୍ରେମର ସନ୍ଧାନ ପାଇ ପାରିବା ।

 

ଆମ ଅନ୍ତରରେ ପ୍ରେମ ହେଉଛି ଭଗବାନଙ୍କ ଅବତାର । ଆମର ଚିନ୍ତା, କର୍ମ ଓ ବାକ୍ୟ ଏହି ପ୍ରେମ ଜରିଆରେ ନିରାମୟ ହେବ । କେବଳ ପାରସ୍ପରିକ ପ୍ରେମ ଓ ସହଯୋଗିତା ବଳରେହିଁ ଆମେ ବାପୁଜୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧା ନିବେଦନ କରିପାରିବା ।

 

(ହରିଜନ-ତା ୩୦ । ୧ । ୪୯୨, ପୃଷ୍ଠା ୪୦୪)

Image

 

କର୍ମଯୋଗୀଙ୍କ କାରାବାସ

 

ସ୍ଵାଧୀନତା ସଂଗ୍ରାମରେ ଝାସଦେଇ ରାଜାଜୀ ତାଙ୍କ ଜୀବନ କାଳ ମଧ୍ୟରେ ସର୍ବମୋଟ ପାଞ୍ଚଥର କାରାବରଣ କରିଥିଲେ । ୧୯୨୧ ମସିହାରେ ସର୍ବପ୍ରଥମେ ସତ୍ୟାଗ୍ରହୀ ହିସାବରେ ତାଙ୍କୁ ଭେଲୋରଠାରେ କାରାବରଣ କରିବାକୁ ପଡ଼ିଥିଲା । ଜେଲରେ ଥିଲାବେଳେ ରାଜନୀତିକ ବନ୍ଦୀଙ୍କୁ ଯେଉଁ ସମ୍ମାନ ଦିଆଯାଏ, ସେତେବେଳେ ସତ୍ୟାଗ୍ରହୀମାନଙ୍କୁ ତାହା ଦିଆ ଯାଉନଥିଲା । ତେଣୁ ରାଜାଜୀଙ୍କୁ ଅକଥନୀୟ ଅଭାବ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାହା ସତ୍ତ୍ୱେ ସେ ନିଜର ଜେଲ ଡାଏରୀ ଲେଖିଦେଇ ଯାଇଛନ୍ତି । ଜେଲରେ ରହଣି କାଳରେ ରାଜାଜୀ ଅଧିକାଂଶ ସମୟ ଅଧ୍ୟୟନ-ରତ ରହୁଥିଲେ । ଯେଉଁ ବନ୍ଦୀମାନେ ସଶ୍ରମ କାରାଦଣ୍ଡ ଯୋଗୁଁ ହତାଶ ହୋଇ ପଡ଼ୁଥିଲେ ତାଙ୍କୁ ସେ ସାନ୍ତ୍ୱନା ଦେଇ କହୁଥିଲେ–‘‘The whole Country is a jail and we are inside a small prison. The men outside are like dogs let loose by the master. We are like tigers kept inside barred cages’’

 

ଜେଲର ଶୃଙ୍ଖଳାବଦ୍ଧ ଦୈନନ୍ଦିନ ଜୀବନ ମଧ୍ୟରେ ସେ ରାତିରେ ଶହେ ଆଠଥର ଗାୟତ୍ରୀ ପାଠ କରୁଥିଲେ । ତାହାର କାରଣ ଦର୍ଶାଇ ସେ ତାଙ୍କ ଡାଏରୀ (ଡିସେମ୍ବର ୨୪, ୧୯୨୧)ରେ ଲେଖିଛନ୍ତି–‘‘ପ୍ରଥମେ ଏକାଗ୍ର ଚିତ୍ତରେ ଗାୟତ୍ରୀ ପାଠ କରିବା ମୋ ପକ୍ଷରେ ଏକ କଷ୍ଟକର ବ୍ୟାପାର ଥିଲା । କାରଣ ଜେଲର ଅଶାନ୍ତ ତଥା କୋଳାହଳପୂର୍ଣ୍ଣ ବାତାବରଣ ମଧ୍ୟରେ ଏକାଗ୍ରଚିତ୍ତତା ମୋ ପକ୍ଷରେ ସମ୍ଭବ ହୋଇପାରୁନଥିଲା; କିନ୍ତୁ କ୍ରମେ ଗାୟତ୍ରୀ ଅଭ୍ୟାସ କରିବା ଦ୍ୱାରା ମୋର ମନ ହେଉଥିଲା ଦୃଢ଼ ଓ ନିରାମୟ । ସେତେବେଳେ ମୋର ସଂସ୍କୃତ ଓ ସଂଗୀତରେ ପ୍ରବେଶ ନଥିବାରୁ ମୁଁ ଅସୁବିଧାରେ ପଡ଼ୁଥିଲି । ଏହି ଦୁଇ ବିଦ୍ୟାରେ ଦଖଲ ନଥିଲେ କୌଣସି ହିନ୍ଦୁ ପକ୍ଷରେ ବୋଧହୁଏ ଭକ୍ତି ଅର୍ଘ୍ୟ ବାଢ଼ିବା ସହଜ ନୁହେଁ । ଏହାରି ସାହାଯ୍ୟରେ ବିଜନ ମରୁପ୍ରାନ୍ତର ଧର୍ମ ଓ ଆନନ୍ଦରେ ଚେଇଁ ଉଠିଥାଏ’’ ।

 

ସେହି ମାସ ୨୫ ତାରିଖ ଡାଏରୀରେ ସେ ଲେଖିଛନ୍ତି–‘‘ଜେଲ ଜୀବନ ମୋ ପକ୍ଷରେ ଏତେ ଦୁର୍ବିସହ ହୋଇପଡ଼ିଲା ଯେ ହଠାତ୍ ମୁଁ ଶ୍ଵାସ ରୋଗରେ ଆକ୍ରାନ୍ତ ହୋଇପଡ଼ିଲି । ବାରମ୍ବାର ଅନୁରୋଧ କଲାପରେ ଡେପୁଟି ଜେଲର ମୋ ଗାଧୋଇବା ଲାଗି ଗରମ ପାଣିର ବ୍ୟବସ୍ଥା କରିଥିଲେ । ସାମୟିକ ପରିବାଧୁଆ ପାଣି ମଧ୍ୟ ଗରମ କରି ଦିଆଯାଉଥିଲା । ତେଣୁ ମୋତେ ଦିନେ ଦିନେ ଅଗାଧୁଆ ରହିବାକୁ ପଡ଼ୁଥିଲା । ଆମ ଅସହଯୋଗୀମାନଙ୍କ ପ୍ରତି ଡେପୁଟି ଜେଲର ଘୃଣା କରୁଥିଲେ । ସେ କହୁଥିଲେ ଯେ ଆମ ଆଗମନ ପୂର୍ବରୁ ଜେଲ୍ କୁଆଡ଼େ ଥିଲା ସ୍ୱର୍ଗପରି ସୁଖପ୍ରଦ; କିନ୍ତୁ ଆମ୍ଭେମାନେ ତାହାକୁ ନରକରେ ପରିଣତ କରିଅଛୁ । ସେ ଯାହାହେଉ ଶ୍ଵାସ ଯୋଗୁଁ ମୋତେ ମଝିରେ ମଝିରେ ସାରା ରାତି ଉଜାଗର ରହିବାକୁ ପଡ଼ୁଥିଲା । ଯନ୍ତ୍ରଣା ହେଲାବେଳେ ମୁଁ ଟିକିଏ ଔଷଧ ଖାଇବାକୁ ପାଉନଥିଲି । ମୋତେ ଯେଉଁ କୋଠରୀଟି ମିଳିଥିଲା ସେଥିରେ ମାତ୍ର ଗୋଟିଏ ଛୋଟିଆ ଝରକା ଥିଲା । ପାଇପରେ ପାଣି ଠିକ୍ ମୁତାବକ ଆସୁ ନଥିବାରୁ କାରବାର ପାଇଁ ଗୋଟିଏ ମାଟି ହାଣ୍ଡିରେ ମୋତେ ପାଣି ସଂଗ୍ରହ କରି ରଖିବାକୁ ପଡ଼ୁଥିଲା । ମୋ କୋଠରୀ ପଛପଟେ ଯାଇଥିବା ନଳାର ପରିସ୍ରା ଗନ୍ଧ ମୋତେ ଅସ୍ୱାସ୍ଥ୍ୟକର ବୋଧ ହେଉଥିଲା । ସେଥିପାଇଁ ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଆପତ୍ତି କରିବା ପରେ ବହୁ ବିଳମ୍ୱରେ ସେଥିପ୍ରତି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିଲା । ମୁଁ ଜେଲ୍‌ରୁ ବିଦା ହେବାକୁ ମାତ୍ର ଅଳ୍ପଦିନ ଅଛି, କଏଦୀମାନଙ୍କୁ ସେଠାରେ ପରିସ୍ରା କରିବାକୁ ମନା କରାଯାଇଥିଲା ।

 

ଜେଲ୍‌ରେ ଆମ୍ଭମାନଙ୍କୁ ଆଲ୍‌ମିନିଅମ୍ ଥାଳୀ ଓ ତାଟିଆରେ ଖାଇବାକୁ ପଡ଼ୁଥିଲା । ବସି ଖାଇବାକୁ ସେପରି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲା । ଅନେକ ମଧ୍ୟ ଠିଆ ହୋଇ ଖାଉଥିଲେ । ବସିବାପାଇଁ ଆସନର ବ୍ୟବସ୍ଥା ନଥିଲା । ଜଗୁଆଳି ଯେଉଁଠି ଛିଡ଼ାହୋଇ ରହେ, ସେଠି ମଧ୍ୟ ଆମକୁ ବସି ଖାଇବାକୁ ପଡ଼ୁଥିଲା । ପାଇଖାନା ବ୍ୟବସ୍ଥା ଅତି କଦର୍ଯ୍ୟ ଥିଲା । ବହୁ ବନ୍ଦୀଙ୍କ ପାଇଁ ଅଳ୍ପସଂଖ୍ୟକ ପାଇଖାନା ଥିବାରୁ ଅସୁବିଧା କହିଲେ ନସରେ । ରାତିରେ ଜଗୁଆଳିମାନେ ଏପରି ପାଟିତୁଣ୍ଡ କରୁଥିଲେ ଯେ ଶାନ୍ତିରେ ଶୋଇବା ସମ୍ଭବ ହେଉନଥିଲା । ମୁଁ କାଗଜ, ଲୁଗାପଟା, ମହମବତୀ, ଦିଆସିଲି ଓ ଦାନ୍ତଘଷା ପାଉଡ଼ର ଇତ୍ୟାଦି ଜେଲରଙ୍କ ଜରିଆରେ ବଜାରରୁ କିଣି ଆଣୁଥିଲି; କିନ୍ତୁ ଖବରକାଗଜ ଆମେ କିଣିବାକୁ ଚାହିଲେ ମଧ୍ୟ ଯୋଗାଇ ଦିଆଯାଉ ନଥିଲେ ।

 

ସେହି ମାସ ୨୨ ତାରିଖ ଡାଏରୀରେ ରାଜାଜୀ ଉଲ୍ଲେଖ କରିଛନ୍ତି ଯେ ପ୍ରତି ସୋମବାର ଦିନ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଜେଲର ପ୍ରତି ବ୍ଲକ ବୁଲି ଦେଖୁଥିଲେ । ସେ କୋଠରୀରେ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ବନ୍ଦୀଙ୍କୁ ନିଜର ବିଛଣାପତ୍ର ବାହାରେ ରଖି ଛିଡ଼ାହୋଇ ରହିବାକୁ ପଡ଼ୁଥିଲା । “ମୁଁ ଜେଲ ତରଫରୁ ମିଳିଥିବା ବିଛଣା ବ୍ୟବହାର କରୁନଥିଲି । ତେଣୁ ସେ ମୋ କୋଠରୀରେ ପ୍ରବେଶକଲା ପୂର୍ବରୁ ମୁଁ ବିଛଣା ସ୍ଥାନାନ୍ତର କରୁନଥିଲି । ସେଥିପାଇଁ ସେ ମୋ ଉପରେ ବିରକ୍ତି ପ୍ରକାଶ କରି କହିଥିଲେ--“Even your private bedding should be kept out. If the ground is too dirty you might put it out on the verandah’’ ଜେଲରେ ରହଣି ସମୟରେ ବନ୍ଦୀମାନଙ୍କ ମଧ୍ୟରେ ଆଶାନୁରୂପ ସ୍ନେହ ସଦିଚ୍ଛା ନଥିଲା । ତେଣୁ ଅନ୍ୟମାନଙ୍କ ଠାରୁ ମୁଁ ଯେଉଁ ସ୍ନେହ ଚାହୁଁଥିଲି ତାହା ମିଳୁନଥିଲା । ସ୍ୱାଧୀନତା ଓ ଆମ୍ଭମାନଙ୍କ ମଧ୍ୟରେ ଥିଲା ଦୁଇଟି ପ୍ରତିବନ୍ଧକ । ସେ ଦୁଇଟି ହେଲା ଯଥାକ୍ରମେ ଜେଲଦଣ୍ଡ ଓ ମୃତ୍ୟୁର ଭୟ । ଧର୍ମାଲୋଚନା ଦ୍ୱାରା ଏହା ଅତିକ୍ରମ କରାଯାଇ ପାରିବ ବୋଲି ମୁଁ ବନ୍ଧୁମାନଙ୍କୁ ବୁଝାଉଥିଲି । ସବୁଦିନେ ନିୟମିତ ଭାବେ ଗରମ ପାଣି ନ ମିଳିବାରୁ ମୋତେ ଥଣ୍ଡା ପାଣିରେ ଗାଧୋଇବାକୁ ପଡ଼ୁଥିଲା । ଯେତେବେଳେ ଟିକିଏ ବିଶ୍ରାମ ମିଳୁଥିଲା, କାରାବରଣ କରିଥିବା ମୋର ଅସହଯୋଗୀ ଭାଇମାନେ ମୋତେ ପଚାରୁଥିଲେ—‘‘ଆମକୁ କେତେଦିନ ଏପରି କଠିନ ପରିଶ୍ରମ କରିବାକୁ ପଡ଼ିବ ? ସ୍ୱରାଜ୍ୟ ମିଳୁଛି କେବେ ? ଆମେ କ’ଣ ଜୟଯୁକ୍ତ ହେବା ? ଗାନ୍ଧୀଜୀ କେଉଁଠି ଅଛନ୍ତି ?” ଏମିତି ଅନେକ ପ୍ରଶ୍ନ ।

 

ଆମକୁ ଖାଇବାକୁ ଯେଉଁ ଭାତ ଦିଆଯାଉଥିଲା, ସେଥିରେ ଗୋଡ଼ି, ବାଳ ଇତ୍ୟାଦି ଏତେ ବାହାରୁଥିଲା ଯେ ଅଶାନ୍ତ ମନରେ ଆମେ ଖାଉଥିଲୁ । ପୁନଶ୍ଚ ଜାତି ଦୃଷ୍ଟିର ଖାଦ୍ୟର ମାନ ଓ ପ୍ରକାର ଧାର୍ଯ୍ୟ କରାଯାଇଥିଲା । ଆମ ବ୍ୟତୀତ ଅନ୍ୟ ବନ୍ଦୀ ବିଶେଷ କରି ସୁସ୍ଥକାୟ ଯୁବବନ୍ଦୀମାନଙ୍କୁ ଦାସ ପରି ଖଟା ଯାଉଥିଲା । ଘଣା ପେଲିବା ଥିଲା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟନିର୍ଘଣ୍ଟର ଅନ୍ତର୍ଭୁକ୍ତ । ମୁଁ ସେମାନଙ୍କୁ ବୁଝାଉଥିଲି ଯେ ଜେଲଦଣ୍ଡକୁ ସେମାନେ କେବଳ ଶାରୀରିକ ଦଣ୍ଡଭାବରେ ଗ୍ରହଣ ନକରି ହୃଦୟଙ୍ଗମ କରନ୍ତୁ ।” ସତ୍ୟାଗ୍ରହୀମାନଙ୍କୁ ମୁଁ ବେଳେ ବେଳେ ବୁଝାଇ କହୁଥିଲି ଯେ ଯଦି ଭାରତୀୟ ନରନାରୀ ଜେଲଦଣ୍ଡକୁ ଜାତୀୟତାର ପ୍ରଚଳିତ ପଦ୍ଧତି ନଭାବି, ସ୍ଵର୍ଗୀୟ ଜୀବନ ବୋଲି ଭାବିବା, ତାହାହେଲେ ଆମ ଦେଶକୁ ଏହି ଜେଲର ଦ୍ୱାର ଦେଇ ସ୍ୱାଧୀନତା ଫେରିଆସିବ । ଯଦି ଆମେ ଅହିଂସା, ପ୍ରେମ ଓ ଯନ୍ତ୍ରଣାର ନୀତି ଉପରେ ଆସ୍ଥା ରଖୁ, ତାହାହେଲେ ଆମପାଇଁ ସ୍ଵାଧୀନତାର ପଥ ସୁଗମ ହେବ । କାରାବରଣକୁ ଆମେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ବୋଲି ଭାବିବାକୁ ହେବ । ଆମ ପ୍ରତି କର୍ତ୍ତୃପକ୍ଷଙ୍କ ବ୍ୟବହାର ଯେତେ କଠୋର ହେବ, ପରାଧୀନତାର ବିଲୋପ ସାଧନ ଲାଗି ଆମେ ସେତିକି ତ୍ୟାଗ ସ୍ୱୀକାର କରିପାରିବା । ପାଶ୍ଚାତ୍ୟ ଦେଶରେ ଧର୍ମ ଓ ସ୍ଵାଧୀନତା ଲାଗି ଲୋକେ ନିରନ୍ଧ୍ର କୋଠରୀରେ ନିକ୍ଷିପ୍ତ ହୋଇ ହସି ହସି ବରଣ କରିନେଇଥିଲେ ନାରକୀୟ ଦଣ୍ଡ । ସେହି ଦୁଃଖ ଯନ୍ତ୍ରଣାର ଏକଶତାଂଶ ବି ଆମେ ଏପର୍ଯ୍ୟନ୍ତ ସହ୍ୟ କରିନାହୁଁ । କେତେ ସଂଖ୍ୟାରେ ଦେଶପ୍ରେମୀ କାରାବରଣ କଲେ, ତାହା ବିଚାରକୁ ନ ନେଇ, କାରାବରଣ କରୁଥିବା ଭାଇ-ଭଉଣୀଙ୍କର ନିଷ୍କପଟତା, ସୌଜନ୍ୟ ଓ ସୌହାର୍ଯ୍ୟକୁ ଆମେ କଳନା କରିବା ଉଚିତ୍ । ସରକାରଙ୍କୁ ଅସୁବିଧାରେ ପକାଇବା ଲାଗି କାରାବରଣକୁ ପନ୍ଥା ରୂପେ ଅବଲମ୍ୱନ ନକରି ଅନ୍ତର୍ବିପ୍ଳବର ନୈତିକ ପ୍ରୟୋଜନୀୟତା ବୋଲି ତାହାକୁ ଭାବିବାକୁ ହେବ-

 

ସେହି ମାସ ୩୦ ଓ ୩୧ ତାରିଖ ଡାଏରୀରେ ରାଜାଜୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଶ୍ୱାସ ରୋଗ ବହୁମାତ୍ରାରେ ବଢ଼ି ଯାଇଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ଲାଗି କୌଣସି ଆଶୁ ବନ୍ଦୋବସ୍ତ କରାଯାଇ ନ ଥିଲା । ତେଣୁ ସେ ଯନ୍ତ୍ରଣା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲେ । ତାହା ସତ୍ତ୍ୱେ ତାଙ୍କୁ ବାହାର ଡାକ୍ତରଖାନାକୁ ନ ପଠାଯାଇ ଜେଲରେ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା । ଜେଲ ଭିତରେ ଯେଉଁ ଛୋଟିଆ ଡାକ୍ତରଖାନାଟି ଥିଲା, ସେଥିରେ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ ନଥିଲା । ତେଣୁ ସେ ଲେଖିଛନ୍ତି ‘The hospital is a real addition to the terrors of prison life.’ ଜେଲ ଡାକ୍ତରଖାନାରେ ଯେଉଁ ଶଯ୍ୟାର ବ୍ୟବସ୍ଥା ଥିଲା, ତାହା ଅତି ନିକୃଷ୍ଟ ଧରଣର । ସେଥିରେ ଥିବା ଛାରପୋକ ରୋଗୀଙ୍କୁ ଶୁଆଇ ଦେଉ ନ ଥିଲେ । କୋଠରୀଗୁଡ଼ିକରେ ଝରକା ନ ଥିବାରୁ ମୁକ୍ତବାୟୁ ସେବନ କରିବାକୁ ରୋଗୀଙ୍କୁ ମିଳୁ ନ ଥିଲା । ପୁଣି ଜଗୁଆଳି ବାରମ୍ବାର ଏତେ ବଡ଼ ପାଟିରେ କୁହାଟୁଥିଲା ଯେ ରାତିରେ ବହୁବାର ରୋଗୀଙ୍କର ନିଦ୍ରାଭଙ୍ଗ ହେଉଥିଲା । ରାତିରେ ଡାକ୍ତରଖାନାର ପଛପାଖ ବାରଣ୍ଡାରେ ରୋଗୀମାନେ ମଳମୂତ୍ର ତ୍ୟାଗ କରୁଥିଲେ । କାରଣ ଡାକ୍ତରଖାନାର ଫାଟକ ସଂଧ୍ୟା ଛ’ଟା ବେଳେ ବନ୍ଦକରି ଦିଆଯାଉଥିଲା । ତେଣୁ ରାତିରେ କେହି ପାଇଖାନା ଯାଇପାରୁ ନ ଥିଲେ । ଡାକ୍ତରଖାନାର ପରିବେଶ ରାତିରେ ଏକପ୍ରକାର ନରକରେ ପରିଣତ ହେଉଥିଲା । ସେଠାରେ ଥିଲାବେଳେ ସେ ରାତିରେ ଉପଯୁକ୍ତ ପଥ୍ୟ ପାଉ ନ ଥିଲେ । ନିଦାନ ସିଂହ ନାମକ ଜଣେ ବୃଦ୍ଧ ପଞ୍ଜାବୀ ବନ୍ଦୀ, ତାଙ୍କୁ ପ୍ରତିଦିନ ସକାଳେ ଗୋଟିଏ ଲେଖାଏଁ ଅଟା ପିଠା ଦେଇ ବନ୍ଦେ ମାତରମ୍ କହି ଶୁଭେଚ୍ଛା ଜଣାଉଥିଲେ । କ୍ରମେ ରାଜାଜୀ ଆରୋଗ୍ୟ ଲାଭ କରୁଥିଲେ ମଧ୍ୟ ଅତିମାତ୍ରାରେ ଦୁର୍ବଳତା ଅନୁଭବ କରୁଥିଲେ ।

 

୧୯୨୨, ଜାନୁଆରି ୩ ତାରିଖ ଡାଏରୀରେ ରାଜାଜୀ ଲେଖିଛନ୍ତି-“ମୋ ସାଥିରେ କାରାବରଣ କରିଥିବା ସୁବା ରାଓ ଓ ଭେଙ୍କଟ ରାଓଙ୍କୁ ଦଣ୍ଡ ଦିଆଯାଇ ଦୁଇଟି ନିର୍ଜନ କୋଠରୀରେ ବାସନ୍ଦ କରି ରଖାଯାଇଥିଲା । ସେ ଦୁହିଁଙ୍କର ଅପରାଧ ହେଲା ପ୍ରଥମ ଜଣକ ଜେଲରଙ୍କ ଦୁର୍ବ୍ୟବହାର ଯୋଗୁଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅନଶନ କରିବେ ବୋଲି ଧମକ ଦେଇଥିଲେ ଓ ଦ୍ୱିତୀୟ ବ୍ୟକ୍ତି ସାପ୍ତାହିକ ପରେଡ଼ରେ ନିର୍ଦ୍ଧାରିତ ଭଙ୍ଗୀରେ ଛିଡ଼ା ନ ହୋଇ ଛାତିରେ ହାତ ରଖିଥିଲେ । ଏହା ଯେ କାହିଁକି ଅପରାଧ ହେବ ତାହା ମୁଁ ବୁଝିପାରୁ ନ ଥିଲି । ହୀରା ସିଂହ ନାମକ ଜଣେ ବନ୍ଦୀଙ୍କୁ ମଧ୍ୟ ଆମ ଜେଲକୁ ଅଣା ଯାଇଥିଲା । ସେ କହୁଥିଲେ ଯେ ସେ ହଜାରିବାଗ ଜେଲରେ ଥିବାବେଳେ ଦୀର୍ଘ ୬ ବର୍ଷ କାଳ ସେ ସୂର୍ଯ୍ୟଙ୍କୁ ଦେଖିବାକୁ ପାଇ ନ ଥିଲେ ଅର୍ଥାତ୍ ତାଙ୍କୁ ସେହି ସମୟ ଅନ୍ଧକାର ପ୍ରକୋଷ୍ଠ ମଧ୍ୟରେ ରହିବାକୁ ପଡ଼ିଥିଲା । ଦୀର୍ଘ ଦିନ ରହିଥିବାରୁ ସେ କହୁଥିଲେ–‘‘ଜେଲ ମୋର ଘର । ବିନା ବଳ ପ୍ରୟୋଗରେ କୌଣସି ଜାତି ସ୍ଵାଧୀନତା ହାସଲ କରିନାହିଁ । ଅହିଂସା ଉପାୟରେ ଲୋକେ ତ୍ୟାଗ ସ୍ୱୀକାର କରିବେ ତାହା ମୁଁ ଆଦୌ ଭାବିପାରୁ ନାହିଁ’’; କିନ୍ତୁ ମୁଁ ତାଙ୍କ ମତ ଖଣ୍ଡନ କରି କହିଥିଲି ଯେ ଅହିଂସା ଉପାୟରେ ଏ ଜାତି ନିଶ୍ଚୟ ସ୍ଵାଧୀନତା ହାସଲ କରିପାରିବ । ହୀରା ସିଂହ ପୁଣି ତାଙ୍କ ହଜାରିବାଗ ଜେଲର ଅନୁଭୂତି ବର୍ଣ୍ଣନା କରି କହିଥିଲେ–‘‘ଲାହୋର ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ବନ୍ଦୀମାନଙ୍କୁ ଅକଥନୀୟ ଦଣ୍ଡବିଧାନ କରାଯାଇଥିଲା । ସେମାନଙ୍କୁ ପଛାଡ଼ୁଆ ହାତକଡ଼ି ପକାଇ ସାତଦିନ ଛିଡ଼ାହୋଇ ରହିବାକୁ ହୋଇଥିଲା । ରାତିରେ ମଧ୍ୟ ସେମାନଙ୍କ ହାତରୁ କଡ଼ି ଖୋଲା ଯାଉନଥିଲା । ମୋଟା ଅଖା ସେମାନଙ୍କୁ ପିନ୍ଧିବାକୁ ଦିଆଯାଉଥିଲା ।”

 

‘‘ଜେଲରେ ମୁଁ ଯେତେ ବହି ପଢ଼ିଥିଲି ତନ୍ମଧ୍ୟରୁ ‘Trial and death of Socrates’ ମୋ ମନରେ ବିଶେଷ ଆଗ୍ରହ ସୃଷ୍ଟି କରିଥିଲା । ସେତେବେଳେ ମାସକୁ ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରିବାକୁ ଓ ଘରକୁ ଖଣ୍ଡିଏ ମାତ୍ର ଚିଠି ଲେଖିବାକୁ ସୁଯୋଗ ମିଳୁଥିଲା । ଜାନୁଆରୀ ୧୩ ତାରିଖ ଦିନ ପ୍ରିନ୍‍ସ ଅଫ୍ ଓଏଲ୍‌ଙ୍କର ମାନ୍ଦ୍ରାଜ ଆଗମନ ଯୋଗୁଁ ବୋଧହୁଏ ବିପୁଳ ଆୟୋଜନ କରାଯାଉଥାଏ; କିନ୍ତୁ ସେ ଦିନଟିକୁ ଆମେ ପ୍ରତିବାଦ ଦିବସରୂପେ ପାଳନ କରି ସମୂହ ଅନଶନ କରିଥିଲୁ । ସକ୍ରେଟିସଙ୍କର ଅନ୍ୟାନ୍ୟ ବହି ପଢ଼ିବା ସହିତ ସୂତା କାଟିବାକୁ ମୁଁ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟର ଅଙ୍ଗୀଭୂତ କରିଥିଲି ।”

 

“ସେହି ମାସ ୧୩ ତାରିଖ ଦିନ ଜେଲରେ ନୂଆ ଆଇନ ପ୍ରଚଳନ କରାଯାଇଥିଲା । ସେଥିରେ ବ୍ୟବସ୍ଥା ଥିଲା ଯେ ଆମେ ରହୁଥିବା କୋଠରୀଗୁଡ଼ିକର ଦ୍ୱାରରେ ଦିନରାତି ତାଲା ପକାଯିବ । ସେହି ନୂଆ ନୀତିରେ ମୁଁ ଦୃଢ଼ ବିରୋଧ କରିଥିଲି । ଯେଉଁମାନେ ସଶ୍ରମ କାରାଦଣ୍ଡ ଭୋଗୁଛନ୍ତି, ସେମାନେ ମୁକ୍ତ ଭାବରେ ଚଳପ୍ରଚଳ କରୁଥିବାବେଳେ ଆମକୁ ନିର୍ଜନ କାରାବାସ ଦଣ୍ଡରେ ଦଣ୍ଡିତ କରି କର୍ତ୍ତୃପକ୍ଷ ସେମାନଙ୍କର ପଶୁ ପ୍ରବୃତ୍ତି ପ୍ରଦର୍ଶନ କରୁଥିଲେ । ମୁଁ ଆଜୀବନ ଦହି ଓ ଚହ୍ଲା ଖାଇବାରେ ଅଭ୍ୟସ୍ତ; କିନ୍ତୁ ମୋତେ ତାହା ଦିଆଯାଉ ନ ଥିବାରୁ ମୋର ସାମୟିକ ଉଦର ପୀଡ଼ା ହେଉଥିଲା । ମଧ୍ୟାହ୍ନ ଭୋଜନ କରିବାକୁ ମୋତେ ଅନ୍ୟୂନ ଏକଘଣ୍ଟା ଲାଗୁଥିଲା । ଭାତ ଖାଇବାରେ ମୁଁ ଅଭ୍ୟସ୍ତ; କିନ୍ତୁ ମୋତେ ଶୁଖିଲା ପାଉଁରୁଟି ଦିଆଯାଉଥିବାରୁ ତାହା ଭାରି ବିରକ୍ତିକର ବୋଧ ହେଉଥିଲା । ଦୁର୍ବଳତା ଯୋଗୁଁ ମୋର ଓଜନ ୯୮ ପାଉଣ୍ଡକୁ କମି ଆସିଥିଲା ।”

 

ମୋ ସହିତ ଯେଉଁମାନେ ଆଜୀବନ କାରାଦଣ୍ଡ ଭୋଗୁଥିଲେ, ସେମାନଙ୍କୁ ନିଜ ହାତରେ ପାଇଖାନା ସଫା କରିବାକୁ ପଡ଼ୁଥିଲା । ମଇଳା ବୋହିବାକୁ ଦିଆଯାଇଥିବା ବାଲତି ଉପରେ କୌଣସି ଘୋଡ଼ଣିର ବ୍ୟବସ୍ଥା ନଥିଲା । ଉଚ୍ଚ ଶ୍ରେଣୀର ରାଜନୈତିକ ବନ୍ଦୀଙ୍କ ପକ୍ଷରେ ଏହା ଥିଲା ଏକ ଅମାନୁଷିକ ଦଣ୍ଡ । ଯେଉଁ କୋଠରୀଗୁଡ଼ିକ ଖୁନୀ ଆସାମୀଙ୍କ ପାଇଁ ଉଦ୍ଦିଷ୍ଟ, ସେଥିରେ ରାଜନୈତିକ ବନ୍ଦୀଙ୍କୁ ରଖି ଏପରି ବାଧ୍ୟତାମୂଳକ କାର୍ଯ୍ୟ କରାଇବା ନିହାତି ନିନ୍ଦନୀୟ ବିଷୟ । ସେମାନେ ସରକାରୀ ବିରୋଧ କାର୍ଯ୍ୟ କରୁଥିଲେ ବୋଲି, ତାଙ୍କୁ ଏପରି ଦଣ୍ଡ ଦିଆଯାଉଥିଲା । ଯେହେତୁ ସେମାନେ ଜେଲକର୍ତ୍ତୃପକ୍ଷଙ୍କ ଦୁର୍ନୀତି ଓ ଅମାନୁଷିକ ଅତ୍ୟାଚାର ବିଷୟ ବାହାର ଲୋକଙ୍କୁ ଜଣାଇବାକୁ ଉଦ୍ୟମ କରୁଥିଲେ । ତେଣୁ ସେମାନଙ୍କୁ ଏହିପ୍ରକାର ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।

 

ଜେଲରେ ମା’ଙ୍କ କଥା ସବୁବେଳେ ମୋର ମନେ ପଡ଼ୁଥିଲା । ଯେଉଁ ମା ମୋ ଯୋଗୁଁ ଆଶାୟୀ ହୋଇ ଗର୍ବ ଅନୁଭବ କରୁଥିଲେ, ସେ ଯଦି ମୋର ଏ ଅବସ୍ଥା ଦେଖନ୍ତେ ତାହାହେଲେ ତାଙ୍କ ମନରେ କି ଭାବନା ଆସନ୍ତା ! ବାପା ଯଦି ଥା’ନ୍ତେ ସେବି ଚିନ୍ତାକରି ପାରନ୍ତେ ନାହିଁ ମୋର ଏ ଦୁଃଖକଷ୍ଟ । ଶ୍ଵାସ ଯୋଗୁଁ ମୁଁ ଦାରୁଣ କଷ୍ଟ ଅନୁଭବ କରୁଥିଲେ ମଧ୍ୟ ଏହିପରି ବହୁ ବିକ୍ଷିପ୍ତ ଚିନ୍ତା ମନକୁ ମୋର କରୁଥିଲା ବିଚଳିତ ।

 

ଅସହଯୋଗ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ କେବଳ ଅସ୍ତ୍ର ନ ଥିଲା । ଏହା ଆମ୍ଭମାନଙ୍କର ଧର୍ମରେ ପରିଣତ ହୋଇ ସାରିଥିଲା । ଆମ ଜେଲ୍‌ର ମୁଖ୍ୟ ପ୍ରହରୀଙ୍କ ପୁଅ ମଧ୍ୟ ମାନ୍ଦ୍ରାଜ ପୋଲିସ ବିଭାଗରୁ ଇସ୍ତଫା ଦେଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ତାହା ଜାଣି ଆମ୍ଭେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ । ମୁଁ ବନ୍ଦୀମାନଙ୍କର ଯେତିକି ନିକଟତର ହେଉଥିଲି, ସେତିକି ମୋର ଧାରଣା ହେଉଥିଲା ଯେ ଆମର ପ୍ରଚଳିତ ଆଇନରେ ଦଣ୍ଡ ବ୍ୟବସ୍ଥା ଆମୂଳଚୂଳ ତ୍ରୁଟିପୂର୍ଣ୍ଣ । ବେଳେବେଳେ ଜେଲ ନିକଟସ୍ଥ କୁଡ଼ିଆଘରୁ ଭାସି ଆସୁଥିଲା ଗ୍ରାମ୍ୟ ନାଗେଶ୍ୱରମ୍ ଗୀତ । ତଦ୍ଦ୍ୱାରା ମୋର ଗ୍ରାମ୍ୟ ଜୀବନ ଓ ତାହା ସହିତ ଜଡ଼ି ରହିଥିବା ବହୁଘଟଣା ମୋ ସ୍ମୃତି ମୁକୁରରେ ନାଚି ଉଠୁଥିଲା । ଯୌବନର ଆଶା ଓ ଆନନ୍ଦ ସତେ ଯେପରି ସେଥିରେ ହେଉଥିଲା ପ୍ରତିଧ୍ୱନିତ । କ୍ଷଣକପାଇଁ ମୁଁ ସ୍ୱପ୍ନରାଜ୍ୟରେ ବିଚରଣ କରୁଥିଲି । ଚକ୍ଷୁ ମୋର ଲୋତକରେ ଛଳଛଳ ହୋଇ ଉଠୁଥିଲା । ଭାବୁଥିଲି ଭଗବାନ କ’ଣ ଏଡ଼େ ନିର୍ଦ୍ଦୟ । ସ୍ତ୍ରୀ ପରିବାର ବନ୍ଧୁ ସମସ୍ତେ ମୋ ଲାଗି ସାଇତି ରଖିଥିଲେ ଅମାପ ସଦ୍ଦିଚ୍ଛା; କିନ୍ତୁ କାରାବାସ ମୋତେ ସେଥିରୁ କରିଥିଲା ବଞ୍ଚିତ । ଏହି ଭାବନା ମନରେ ମୋର ସୃଷ୍ଟି କରୁଥିଲା ଦୁର୍ବଳତା । ଯେତେବେଳେ ମୁଁ କଠୋର ବାସ୍ତବ ରାଜ୍ୟକୁ ଫେରି ଆସୁଥିଲି, ସେତେବେଳେ ମୋର ଅନ୍ତରାତ୍ମା କହୁଥିଲା–‘‘ସଂଗ୍ରାମ ପାଇଁ ଶକ୍ତି ସଞ୍ଚୟ କର, ମନକୁ ସୁବାସିତ ଉଦ୍ୟାନରେ ବିଚରଣ କରିବାକୁ ଛାଡ଼ିଦିଅ ନାହିଁ । ଏହା କ୍ଷଣିକ ଆନନ୍ଦ ଦେଲେ ମଧ୍ୟ ଚକ୍ଷୁରେ ସୃଷ୍ଟି କରିବ ଲୋତକର ଅବାରିତ ଧାରା । କର୍ତ୍ତବ୍ୟ ସଂପାଦନ ପାଇଁ ହୃଦୟରେ ଶକ୍ତି ସଞ୍ଚୟ କର ।”

 

‘‘ରବିବାର ଓ ଅନ୍ୟ ଛୁଟି ଦିନଗୁଡ଼ିକ ଆମ ପକ୍ଷରେ ଥିଲା ବେଶ ଆନନ୍ଦଦାୟକ । କାରଣ ସେହି ଦିନଗୁଡ଼ିକରେ ପ୍ରହରୀ ଓ ଜେଲ୍‌ର ଅନ୍ୟାନ୍ୟ ଅଫିସର ଛୁଟି ଉପଭୋଗ କରିବାକୁ ବେଳା ବେଳି ଘରକୁ ପଳାଉଥିଲେ । ତେଣୁ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଖାଇ ପିଇ ଏକାଠି ବସି ଆଳାପ ଆଲୋଚନା କରୁଥିଲୁ । ମୋ ଦୃଷ୍ଟିରେ ପ୍ରହରୀ ଜୀବନ ଓ କଇଦୀ ଜୀବନ ମଧ୍ୟରେ ସେପରି କିଛି ତଫାତ୍ ନଥିଲା । କଇଦୀଙ୍କୁ ବିନା ଖର୍ଚ୍ଚରେ ଖାଇବାକୁ ମିଳୁଥିଲା; କିନ୍ତୁ ପ୍ରହରୀମାନେ ପାରିଶ୍ରମିକ ବ୍ୟତୀତ ବୋଧହୁଏ ଅନ୍ୟ କିଛି ପାଉନଥିଲେ । କଇଦୀଙ୍କଠାରୁ ସେମାନେ ବେଶୀ ଭୟ କରୁଥିଲେ ଜେଲର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ । ଯଦିଓ ସେମାନେ ଅଜ୍ଞତା ଯୋଗୁଁ କଇଦୀମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଥିଲେ ତଥାପି ତାଙ୍କର ଦୁଃଖମୟ ଜୀବନ ପ୍ରତି ସେମାନେ ଥିଲେ ସଚେତନ । ସେମାନେ ସ୍ଥିରମନରେ ବେଳେ ବେଳେ କହୁଥିଲେ—“ଆମକୁ ମାସିକ ବେତନ ଟ ୩୦.୦୦ ମିଳିଲେ ଖୁସୀ । ସେ ଟଙ୍କା ଗାନ୍ଧୀ ଦିଅନ୍ତୁ ବା ସରକାର ଦିଅନ୍ତୁ, ସେଥିରେ ଆମର ଯାଏ ଆସେ ନାହିଁ । ତେବେ ଯଦି ଗାନ୍ଧୀ ଆମକୁ ଟଙ୍କା ଦିଅନ୍ତି, ଆମେ ଅଧିକ ଖୁସି ହେବୁ-।”

 

‘‘ଆମ ବିଛଣାରେ ଛାର ପୋକ ଭର୍ତ୍ତି ହୋଇ ରହିଥିଲେ । ବିଛଣାପତ୍ର ନିୟମିତ ଭାବେ ସଫା ହେବାର ସୁବନ୍ଦୋବସ୍ତ ହେଉନଥିଲା । ଗାଧୋଇବା ପାଇଁ ଏତେ କମ ପାଣି ଦିଆଯାଉଥିଲା ଯେ ଦେହର ଅଙ୍ଗପ୍ରତ୍ୟଙ୍ଗ ପୂରା ଭାବେ ଧୋଇବା ସମ୍ଭବ ହେଉନଥିଲା । ଶୋଇବା ପାଇଁ ଖଟ ପରିବର୍ତ୍ତେ ଇଟାରେ ଗୋଟିଏ ଲେଖାଏଁ ଲମ୍ବା ବେଦୀ ତିଆରି ହୋଇଥିଲା । ପ୍ରତ୍ୟେକ କୋଠରୀର କବାଟ ଥିଲା ଲୁହାରେ ତିଆରି । ଯେଉଁ ଭଣ୍ଡାରୀମାନେ ଖିଅର କରିବାକୁ ଜେଲ ଭିତରକୁ ଆସୁଥିଲେ ସେମାନଙ୍କର ଖୁର, କତୁରୀ ଇତ୍ୟାଦିରେ ଧାର ନଥିବାରୁ ଆମକୁ ବଡ଼ ହଇରାଣ ହେବାକୁ ପଡ଼ୁଥିଲା । ସେଠାରେ ଯେଉଁ ଖାଦ୍ୟପଦାର୍ଥ ତିଆରି ହେଉଥିଲା, ତାହା ଆଦୌ ରୁଚିକର ହେଉନଥିଲା । କାରଣ ଚାଉଳ, ଡାଲି ଓ ପରିବାପତ୍ର ଭଲ ଭାବରେ ଧୁଆ ନହେଉ ଥିବାରୁ ଖାଇଲା ବେଳେ ମନରେ ସାମୟିକ ଘୃଣା ଜାତ ହେଉଥିଲା । ତେଣୁ ଶିଖବନ୍ଦୀମାନେ ନିଜ ହାତରେ ରୋଷେଇ କରୁଥିଲେ । ଯେତେବେଳେ ଖବର ପାଇଲୁ ଯେ ପଞ୍ଜାବ କେଶରୀ ଲାଲାଜୀଙ୍କୁ ଦୀର୍ଘ କାରାବାସ ପରେ ସରକାର ଖଲାସ କରି ଦେଇଛନ୍ତି, ସେତେବେଳେ ମୋ ସମେତ ପଞ୍ଜାବୀ ବନ୍ଦୀମାନେ ବିଶେଷ ଆନନ୍ଦ ପ୍ରକାଶ କରିଥିଲେ । କିଛିଦିନ ପରେ ଖବର ଆସି ପହଞ୍ଚିଲା ଯେ ବମ୍ବେରେ ଦୁଇ ହଜାର ସତ୍ୟାଗ୍ରହୀ କାରାବରଣ କରିଛନ୍ତି ଓ ସେମାନଙ୍କୁ ମାନ୍ଦ୍ରାଜ ଜେଲ୍‌କୁ ଅଣାଯାଇଛି । ପୁଣି ଖବର ମିଳିଲା ଯେ ସାଲେମ୍‌ଠାରେ ଜିଲ୍ଲା କଲେକଟରଙ୍କୁ ହତ୍ୟା କରାଯାଇଛି ।”

 

ଜାନୁଆରୀ ୩୧ ତାରିଖ ଡାଏରୀରେ ରାଜାଜୀ ଲେଖିଛନ୍ତି—“ବାରିଷ୍ଟର ଲକ୍ଷ୍ମୀ ନାରାୟଣ ଓ ନରସିମା ଚାରିଆର୍ କର୍ତ୍ତୃପକ୍ଷଙ୍କ ଅବହେଳାର ପ୍ରତିବାଦ କରି ନିଜ ହାତରେ ପରିସ୍ରା ସଫା କରୁଥିବାର ଦେଖି ମୁଁ ଦୁଃଖ ପ୍ରକାଶ କରିଥିଲି । ବନ୍ଦୀମାନଙ୍କ ମଧ୍ୟରୁ କାହାର ଦେହ ଅତି ଖରାପ ହେଲେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜଣାଇ ଦିଆଯାଉଥିଲା । ସେ ଅଧିକ ଯତ୍ନବାନ୍ ଓ ସହାନୁଭୂତିଶୀଳ ହେବା ପରିବର୍ତ୍ତେ କହୁଥିଲେ—“We do not mind if you lose weight or die in jail.’’ ମୁଁ ତାହାର ପ୍ରତିବାଦ କରୁଥିଲେ ମଧ୍ୟ ବିବ୍ରତ ହେଉନଥିଲି । ଚୋରୀ, ଡକାୟତି ଆଦି ନୈତିକ ଅପରାଧ କରି ଯେଉଁମାନେ ଜେଲ୍ ଭୋଗୁଥିଲେ । ରାଜନୈତିକ ବନ୍ଦୀଙ୍କୁ ତାଙ୍କଠାରୁ ଅଧିକ ଖରାପ ବ୍ୟବହାର କରାଯାଉଥିଲା । ତାଙ୍କ ଆଖିରେ ନୈତିକ ଅପରାଧଠାରୁ ରାଜନୈତିକ ଅପରାଧ ଥିଲା ଅଧିକ ଦୋଷାବହ । ମୋର ଅନେକ ସାଥି ବନ୍ଦୀ ସେଥିଯୋଗୁଁ କ୍ରୋଧ ପ୍ରକାଶ କରୁଥିଲେ । ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଇ କହୁଥିଲି ଯଦି ଆମ୍ଭମାନଙ୍କର ସ୍ୱାଧୀନତା ପ୍ରାପ୍ତି ଲାଗି ପବିତ୍ର ପ୍ରତିଜ୍ଞା ଅଛି, ତାହା ହେଲେ ଆମକୁ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ । ନଚେତ୍ ଆମର ଦୁଃଖ ଓ ଯନ୍ତ୍ରଣା ଆଦୌ ଫଳପ୍ରସୂ ହୋଇପାରିବ ନାହିଁ ।”

 

‘‘ଜେଲରେ ଥିବା ବେଳେ ରେଳଗାଡ଼ିର ହୁଇସିଲ୍ ବ୍ୟତୀତ ମୁଁ ବାହାର ଦୁନିଆଁର କୌଣସି ଶବ୍ଦ ଶୁଣିବାକୁ ପାଉନଥିଲି । ପ୍ରତ୍ୟହ ଶଯ୍ୟା ତ୍ୟାଗ କରି ମୁଁ ସକାଳ ୫ ଘଣ୍ଟା ୩୦ ମିନିଟରେ ପ୍ରାର୍ଥନା କରୁଥିଲି । ବିଛଣା ଗୁଡ଼ାଇ ଯଥାସ୍ଥାନରେ ରଖିସାରିଲା ପରେ ଦାନ୍ତ ଘଷି ସାରି ବାହାରେ କିଛି ସମୟ ବୁଲୁଥିଲି । ତାପରେ ସାମାନ୍ୟ ଟିକିଏ ଜଳଖିଆ ଖାଇ ଛେପଦାନୀ ନିଜ ହାତରେ ଧୋଇ ସଫା କରୁଥିଲି । ଘର ଓଳାଇ ସାରି ପିଇବା ପାଇଁ ପାଣି ରଖି ୭-୩୦ ମିନିଟ୍‌ରୁ ୯-୩୦ ମିନିଟ୍ ପର୍ଯ୍ୟନ୍ତ ସୂତା କାଟୁଥିଲି । ତାପରେ ପଟ୍ଟନାଗୁପିଲାଇ ଆରଙ୍କ ଲେଖା ଓ ସକ୍ରେଟିସ୍‌ଙ୍କ ଲେଖା ଯଥାକ୍ରମେ ଏକ ଘଣ୍ଟା ଓ ପଚାଶ ମିନିଟ୍ ପଢ଼ୁଥିଲି । ଗାଧୋଇ ଓ ଖାଇ ସାରି ୧୧-୩୦ ମିନିଟ୍‌ରୁ ୧୨-୪୫ ମିନିଟ୍‍ ପର୍ଯ୍ୟନ୍ତ ସୂତା କାଟୁଥିଲି । ତାପରେ ଗୋଟାଏ ପର୍ଯ୍ୟନ୍ତ ପୂର୍ଣ୍ଣ ବିଶ୍ରାମ ନେଉଥିଲି । ୨-୩୦ ମିନିଟ୍ ପର୍ଯ୍ୟନ୍ତ ରବିନ୍‌ସନ୍ କ୍ରୁସୋ ଓ ଅନ୍ୟାନ୍ୟ ବହି ପଢ଼ୁଥିଲି ଓ ପୁଣି ଥରେ ଗାଧୁଆପାଧୁଆ ଶେଷ କରି ୫-୧୦ରେ ରାତ୍ରି ଭୋଜନ ଶେଷ କରୁଥିଲି । ୬-୩୦ରୁ ୭ଟା ପର୍ଯ୍ୟନ୍ତ ପ୍ରାର୍ଥନା ଓ ୮-୩୦ ପର୍ଯ୍ୟନ୍ତ ବାଇବେଲ୍ ଇତ୍ୟାଦି ଧର୍ମଗ୍ରନ୍ଥ ପଢ଼ୁଥିଲି । ୮-୧୫ରେ ଦିନକର କାର୍ଯ୍ୟ ଶେଷ କରି ନିଦ୍ରା ଯାଉଥିଲି ।”

 

‘‘ଫେବୃଆରି ୫ ତାରିଖ ଦିନ ଜେଲ ସୁପରିଣ୍ଟେଣ୍ଡେଣ୍ଟ ମୋତେ ଆସି କହିଲେ ଯେ ରାଜନୈତିକ ବନ୍ଦୀମାନେ ଜେଲର ନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟରେ ଅସହଯୋଗ କରୁଛନ୍ତି । ମୁଁ ପରେ ବୁଝିଲି ଯେ ବନ୍ଦୀମାନଙ୍କୁ ଯେଉଁ କାର୍ଯ୍ୟ ଦିଆଯାଉଛି, ତାହା କରିବା ତାଙ୍କ କ୍ଷମତାର ବହିର୍ଭୂତ । ତାହା ସତ୍ତ୍ୱେ ମୁଁ ସେମାନଙ୍କୁ ବାରମ୍ବାର ବୁଝାଇ କହିଥିଲି ଯେ କର୍ତ୍ତୃପକ୍ଷ ଯେକୌଣସି ପ୍ରକାର ନିର୍ଦୟ କାର୍ଯ୍ୟ ଆମକୁ କରିବାକୁ କହିବେ, ହସି ହସି ତାହା ଆମେ ମାନିନେବା ଭଲ । ଅନେକ ବନ୍ଦୀ ମୋ କଥାରେ ରାଜି ହୋଇଥିଲେ; କିନ୍ତୁ ଯେଉଁମାନେ ଅଧିକ ଆବେଗ ପରାୟଣ ସେମାନେ କହିଲେ—‘‘ଆମେ ପଛକେ କଠିନ ଦଣ୍ଡ ଭୋଗ କରିବୁ, ହେଲେ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ସହ୍ୟ କରିପାରିବୁ ନାହିଁ ।” ତାହା ସତ୍ତ୍ୱେ ମୁଁ ଏକାଧିକବାର ବନ୍ଦୀ ବନ୍ଧୁମାନଙ୍କ ସହିତ ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ଆଲେଚନା କରିଥିଲି । ଶେଷରେ ଲକ୍ଷ୍ମୀ ନାରାୟଣୀଙ୍କ ବ୍ୟତୀତ ପ୍ରାୟ ସମସ୍ତେ ମୋ କଥାରେ ରାଜି ହୋଇଥିଲେ ଓ ପରେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟବହାରରେ ଆଶାନୁରୂପ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ପୁଣି ଶୁଣିଲି ଯେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ମିଳିଛି ଯେ ରାଜନୈତିକ ବନ୍ଦୀମାନଙ୍କ ପ୍ରତି ଅଧିକ କଠୋର ଆଚରଣ ପ୍ରଦର୍ଶନ ନ କରିବାକୁ । ମୋ କୋଠରୀ ସମ୍ମୁଖରେ ଗୋଟିଏ ଛୋଟିଆ ସଭାର ଆୟୋଜନ କରାଯାଇଥିଲା । ସେଥିରେ ପ୍ରସ୍ତାବ ଗ୍ରହଣ କରଯାଇଥିଲା ଯେ (୧) ପରିସ୍ରା ପାତ୍ର ସଫା କରିବା ଲାଗି ରାଜନୈତିକ ବନ୍ଦୀମାନଙ୍କ ପକ୍ଷରେ ବାଧ୍ୟବାଧକତା ରହିବା ଉଚିତ ନୁହେଁ । (୨) କଠିନ ଶାରୀରିକ ଶ୍ରମ ବ୍ୟବସ୍ଥା ଉଠାଇ ଦିଆଯିବା ଉଚିତ । (୩) ପ୍ରାର୍ଥନା କରିବା ଲାଗି ମୁସଲମାନ ବଂଧୁମାନଙ୍କୁ ଆଣ୍ଠୁଲୁଚା ଲୁଗା ମିଳିବା ଉଚିତ । (୪) ସଂଖ୍ୟା ଓ ସମୟ ଦୃଷ୍ଟିରୁ ଚିଠି ଓ ସାକ୍ଷାତକାର ବଢ଼ାଇ ଦିଆଯିବା ସଙ୍ଗେ ସଙ୍ଗେ ଦୈନିକ ଗାଧୋଇବା ଲାଗି ଆବଶ୍ୟକ ମତେ ପାଣି ମିଳିବା ଦରକାର । (୫) ଆନ୍ଧ୍ର ବନ୍ଦୀମାନଙ୍କ ପାଇଁ ସ୍ଵତନ୍ତ୍ର ରୋଷେଇ ବ୍ୟବସ୍ଥା କରାଯାଉ । ଆମର ପ୍ରାୟ ସବୁ ପ୍ରସ୍ତାବରେ ସୁପରିଣ୍ଟେଣ୍ଡେଣ୍ଟ ରାଜି ହୋଇଥିଲେ । ଆବଦ୍ଧ କୋଠରୀରେ ଆମ୍ଭମାନଙ୍କର ରହିବା ବ୍ୟବସ୍ଥା ମଧ୍ୟ ଉଠାଇ ଦିଆଯାଇଥିଲା ଓ ଜେଲର ପ୍ରଥମ ଧାଡ଼ିରେ ଥିବା କୋଠରୀରେ ଆମ ରହଣିର ବନ୍ଦୋବସ୍ତ କରାଯାଇଥିଲା ।”

 

‘‘ଚିତୋର ଜେଲ୍‌ରେ ଥିଲାବେଳେ ମୁଁ ଗାନ୍ଧୀଜୀଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଥିଲି । ତାହା ଥିଲା ପୂରା ମାତ୍ରାରେ ଘରୋଇ । ବୁଦ୍ଦୌଳୀରୁ ସେ ଲେଖିଥିଲେ—‘‘ରାଜାଜୀ ! ତୁମର ପତ୍ର ପାଇ ଖୁସି ହେଲି ଓ ନିଜକୁ ଧନ୍ୟ ମନେ କଲି । ଖବରକାଗଜ ନ ପାଇଲେ କିଛି ଯାଏ ଆସେ ନାହିଁ । ତୁମର ସୂତା କଟା ଓ ରାମାୟଣ ଲେଖା ବିଷୟ ଜାଣି ମୋର ଅବଚେତନ ମନରେ ଈର୍ଷାଜାତ ହେଉଛି । ତୁମ ଲିଖିତ ରାମାୟଣର କିୟଦଂଶ ମୁଁ ପଢ଼ିଛି । ତାହା ବାଲ୍ମୀକି ରାମାୟଣର ବିକୃତ ଅନୁବାଦ ନୁହେଁ । ବରଂ ସେଥିରେ କମ୍ୱନଙ୍କର ମୌଳିକ ଚିନ୍ତାଧାରା ପରିସ୍ଫୁଟ । ମୁଁ ଆଶା କରେ ତୁମେ ଦୈନିକ ପ୍ରଚୁର କ୍ଷୀର ପାଉଥିବ । କ୍ଷୀର ସହିତ ଅଙ୍ଗୁର ଓ କମଳା ଇତ୍ୟାଦି ଫଳ ଖାଅ ଶ୍ଵାସ କମିଯିବ ଓ ଓଜନ ନିଶ୍ଚୟ ବଢ଼ିବ ।”

 

‘‘ଜେଲରେ ଥିଲାବେଳେ ମୋର ବିଶ୍ୱାସ ଥିଲା ଯେ କେବଳ ବକ୍ତୃତା ଓ ଲେଖାଦ୍ଵାରା ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ନାହିଁ । ଶୃଙ୍ଖଳିତ କର୍ମହିଁ ଆମକୁ ଲକ୍ଷ୍ୟସ୍ଥଳକୁ ଆଗେଇ ନେବ । ତେବେ ଏହି ଶୃଙ୍ଖଳା ଆମ ଜୀବନରେ ଆସିବ କେବଳ ବ୍ୟକ୍ତିଗତ ପରୀକ୍ଷା, ବିଫଳତା ଓ ଉଦାହରଣ ଦ୍ଵାରା । କେବଳ ପ୍ରଚାରଦ୍ୱାରା ଗଣମନରେ ଅସହଯୋଗର ବୀଜ ବପିତ ହୋଇପାରିବ, ବାପୁଜୀଙ୍କର ଏହି ଉକ୍ତି ସହିତ ମୁଁ ତେଣୁ ଆଦୌ ସମ୍ମତ ନଥିଲି । ଗାନ୍ଧୀଜୀ ବର୍ଦୋଳୀଠାରେ କାରାବରଣ କରିବା ପୂର୍ବରୁ ‘ୟଙ୍ଗ-ଇଣ୍ଡିଆ’ରେ ମୋତେ ଜଣେ ସାଧାରଣ ବନ୍ଦୀଙ୍କ ପରି ବ୍ୟବହାର କରାଯାଉଛି ବୋଲି ଉଲ୍ଲେଖ କରିଥିଲେ । ସେହି ବିଷୟ ଯେତେବେଳେ ଜେଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଲା କାଳବିଳମ୍ବ ନକରି ଦୁଇଜଣ ସବ୍-ଆସିଷ୍ଟାଣ୍ଡ ସର୍ଜନଙ୍କ ସହିତ ସୁପରିଂଟେଣ୍ଡେଣ୍ଟ ମୋ କୋଠରୀକୁ ଆସି କହିଥିଲେ ଯେ ବାପୁଜୀଙ୍କ ଲେଖା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ମୋ ପ୍ରତି କୁଆଡ଼େ ସେମାନଙ୍କ ବ୍ୟବହାର ଆପତ୍ତିଜନକ ନୁହେଁ ବୋଲି ସମସ୍ତେ ଏକ ସ୍ୱରରେ କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ଥିବାରୁ ଖବରକାଗଜ ମୋତେ ଯୋଗାଇ ଦିଆଯିବ ନାହିଁ ବୋଲି ସେମାନେ ମୋତେ କହିଥିଲେ ।”

 

ଲବଣ ସତ୍ୟାଗ୍ରହରେ ବାପୁଜୀଙ୍କର ରାଜାଜୀ ଥିଲେ ଜନୈକ ପ୍ରଧାନ ସମର୍ଥକ । ୧୯୩୦ ମସିହାରେ ସେ ତିରୁଚିରପଲ୍ଲୀଠାରୁ ଦଳେ ସତ୍ୟାଗ୍ରହୀଙ୍କୁ ନେଇ ବେଦରାନାୟମଠାରେ ସରକାରଙ୍କର ଲବଣ ଆଇନ ଭଙ୍ଗ କରିଥିଲେ, ଯାହା ଫଳରେ ତାଙ୍କୁ ଦୀର୍ଘ ୨୧ ମାସ କାରାବରଣ କରିବାକୁ ପଡ଼ିଥିଲା । ଗାନ୍ଧୀ-ଇରୁଇନ୍ ଚୁକ୍ତି ହେବାରୁ ତାଙ୍କୁ କାରାମୁକ୍ତ କରାଯାଇଥିଲା-। ତାପରେ ସେ ପୁଣିଥରେ କାରାବରଣ କରି ୧୯୩୨ ମସିହା ଜୁନ୍ ମାସରେ ଖଲାସ ହୋଇଥିଲେ-। ୧୯୪୦ ମସିହା ଡିସେମ୍ବର ମାସରେ ବ୍ୟକ୍ତିଗତ ଭାବେ ସତ୍ୟାଗ୍ରହ କରିବାରୁ ଭାରତରକ୍ଷା ଆଇନ ବଳରେ ତାଙ୍କୁ ପୁଣି ଏକବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ଜେଲ ରହଣି ସମୟରେ ସେ ନିୟମିତ-ଭାବେ ନିଜର ଡାଏରୀ ଲେଖୁଥିଲେ; କିନ୍ତୁ ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନଥିବାରୁ ତାଙ୍କ କାରାଜୀବନର ସମ୍ୟକ ଚିତ୍ର ଦେବା ଅସମ୍ଭବ ।

 

(ଭବନ୍‍ସ ଜର୍ଣ୍ଣାଲରେ ପ୍ରକାଶିତ ‘Rajaji's Jail Diary’ରୁ ସଂଗୃହୀତ)

Image

 

Unknown

ଭୀଷ୍ମ ପିତାମହ

 

ମହାଭାରତ ଯୁଗର କଥା । ଜଣେ ଯୁବରାଜ କଠୋର ପ୍ରତିଜ୍ଞାବଦ୍ଧ ହୋଇ କହି ଉଠିଥିଲେ—‘‘ନା, ମୋର ରାଜସିଂହାସନ ଦରକାର ନାହିଁ । ମୁଁ ଆଜୀବନ ବ୍ରହ୍ମଚାରୀ ହୋଇ ଜୀବନଯାପନ କରିବି । ମୋର ପିତା ନିର୍ବିଘ୍ନରେ ଧୀବର ରାଜକନ୍ୟାଙ୍କ ପାଣିଗ୍ରହଣ କରନ୍ତୁ” । ତାଙ୍କର ସେହି ପ୍ରତିଜ୍ଞା ସାର୍ଥକ ହେଲା । ପିତୃମର୍ଯ୍ୟାଦା ଓ ନିଜ ବାକ୍ୟରେ ଅଟଳ ରହି ଭୀଷଣ ପ୍ରତିଜ୍ଞାବଦ୍ଧ ହୋଇଥିଲେ ବୋଲି ସେହିଦିନଠାରୁ ସେ ଭୀଷ୍ମ ବୋଲି ହେଲେ ସର୍ବତ୍ର ପରିଚିତ । ତାଙ୍କର ତୁଳନା ଥିଲେ ସେ ନିଜେ । ନୈତିକ ଜୀବନଯାତ୍ରାର ପଥ ପ୍ରଦର୍ଶକରୂପେ ତଥା ଆର୍ଯୋଚିତ କର୍ମଧାରାର ଶ୍ରେଷ୍ଠ ଉପାସକଭାବରେ ତାଙ୍କର ପ୍ରତିଷ୍ଠା ଓ କୃତିତ୍ୱରେ ସମଗ୍ର ବିଶ୍ଵ ହୋଇଥିଲା ବିମୋହିତ । ଖଳାଚାରୀ ଦୁର୍ଯୋଧନ, ଦୁଃଶାସନ ପ୍ରଭୃତିଙ୍କୁ ସତ୍‌ପଥକୁ ଆଣିବା ଲାଗି ଚେଷ୍ଟାକରି ବିଫଳ ମନୋରଥ ହୋଇଥିଲେ ମଧ୍ୟ, ତାଙ୍କର ଆଦର୍ଶପୂତ ପ୍ରେରଣା ସମଗ୍ର ବିଶ୍ଵ ଅନୁଧ୍ୟାନ କରୁ । ସେଥିଲାଗି ଧର୍ମ ଓ ନ୍ୟାୟର ତୁର୍ଯ୍ୟନାଦ କରିବାକୁ ସେ ମହାଭାରତରେ କେବେ କେଉଁଠି ପଛାଇ ନାହାନ୍ତି । ସେହିପରି ଥିଲେ ଆଧୁନିକ ଭାରତର ଭୀଷ୍ମ ରାଜାଜୀ । ସେ ଭାରତର ରାଜନୀତି-ସମରରେ ଭୀଷ୍ମଙ୍କ ଭୂମିକା ଗ୍ରହଣ କରିଥିଲେ । ସତ୍ୟ ଓ ନ୍ୟାୟ ପ୍ରଖ୍ୟାପନ କରିବାକୁ ସେ କାହାକୁ ତିଳେହେଲେ ଭୟ କରୁନଥିଲେ । ଅର୍ଥ-ଜଡ଼ିତ ପଦ ଓ ପଦବୀର ଲାଳସା ତାଙ୍କ ହୃଦୟକୁ ସ୍ପର୍ଶକରି ପାରିନଥିଲା । ଶରଶଯ୍ୟାରେ ଥାଇ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଥିଲେ—‘ଅର୍ଥସ୍ୟ ପୁର ଷୋଦାସଃ, ଦାସସ୍ତର୍ଥୋ ନ କସ୍ୟଚିତ୍—ଅର୍ଥାତ୍ ମଣିଷ ଅର୍ଥର ଦାସ, କିନ୍ତୁ ଅର୍ଥ କାହାର ଦାସ ହୋଇ ନଥାଏ’ । ଏହି ଉକ୍ତି ଥିଲା ରାଜାଜୀଙ୍କ ଜୀବନର ନିୟାମକ । ସେ କହୁଥିଲେ—‘‘ଭାରତୀୟ ସଂସ୍କୃତି ତ୍ୟାଗବାଦର ସଂସ୍କୃତି । ଯେହେତୁ ଧନ ତୁମର ବା ମୋର ନୁହେଁ, ଅଯଥା ଧନପ୍ରାପ୍ତି ପାଇଁ ବା ଅସତ୍ ଉପାୟରେ ଧନପ୍ରାପ୍ତି ପାଇଁ ଆସକ୍ତ ହୁଅନାହିଁ । ଧନଲୋଭ ହିଁ ଦୁର୍ନୀତିର କାରଣ” ।

 

ରାଜାଜୀଙ୍କର ଆତ୍ମଜ୍ଞାନ, ତୀକ୍ଷ୍‍ଣବୁଦ୍ଧି ଓ ବିଚକ୍ଷଣ ବୁଦ୍ଧିମତ୍ତା ଯୋଗୁଁ ସେ କେବେହେଲେ କାହା ପାଖେ ମୁଣ୍ଡ ନୂଆଁଉ ନଥିଲେ । ଚିନ୍ତାରାଜ୍ୟରେ କାହାର ଅଧୀନତା ସ୍ୱୀକାର କରିବା ତାଙ୍କ ଜାତକରେ ନଥିଲା । ତାଙ୍କର ହୃଦୟ ଥିଲା ବଜ୍ରଠାରୁ କଠିନ ଓ କୁସୁମଠାରୁ ଆହୁରି କୋମଳ । ୟୁରୋପୀୟ ଐତିହାସିକ ଗଳ୍ପରଙ୍କ ଭାଷାରେ ସେ ଥିଲେ–‘‘A man of razor-blade intellect’’. ଅର୍ଥାତ୍ ତାଙ୍କର ବୁଦ୍ଧି କ୍ଷୁରଧାର ପରି ତୀକ୍ଷ୍‍ଣ । ମହାଭାରତ ପ୍ରଣେତା ବ୍ୟାସଦେବଙ୍କ ପରି ଅତି ଜଟିଳ ତତ୍ତ୍ୱକୁ ସରଳଭାଷା ଓ ସାବଲୀଳ ଉଦାହରଣ ଛଳରେ ସେ ଯେପରି ଉପସ୍ଥାପନ କରି ପାରୁଥିଲେ ତାହାର ପଟାନ୍ତର ନାହିଁ । ସମରବିଶାରଦ ମାଉଣ୍ଟ ବ୍ୟାଟେନ୍ କୁଟନୀତିରେ ଜବାହରଲାଲଙ୍କୁ କରିପାରିଥିଲେ ମନ୍ତ୍ରମୁଗ୍ଧ; କିନ୍ତୁ ବିଚକ୍ଷଣ ରାଜାଜୀଙ୍କ ନିକଟରେ ମାଉଣ୍ଟ ବ୍ୟାଟେନ୍ କୁଟନୀତିରେ ହୋଇଥିଲେ ପରାଜିତ । ଇଂରେଜମାନଙ୍କ ଉଦାରତା ଅନ୍ତରାଳରେ ଥିବା କୁଟନୀତି ପ୍ରତି ସେ ଥିଲେ ପୂର୍ବରୁ ସାବଧାନ । ତେଣୁ ମାଉଣ୍ଟବ୍ୟାଟେନ୍‌ଙ୍କର କୂଟନୈତିକ ଅଭିସନ୍ଧି ତାଙ୍କୁ ଆଦୌ ପ୍ରଭାବିତ କରି ପାରିନଥିଲା । ସ୍ଵାଧୀନତା ପାଇଁ ଭାରତକୁ ଭାଗ ଭାଗ କରିବା ପ୍ରସ୍ତାବରେ ମାଉଣ୍ଟ ବ୍ୟାଟେନ୍ ନେହେରୁଙ୍କୁ କରି ପାରିଥିଲେ ପ୍ରଭାବିତ; କିନ୍ତୁ ପୂର୍ବରୁ ଭାରତଛାଡ଼ ଆନ୍ଦୋଳନ ସମୟରୁ ଏହି ବିଭକ୍ତୀରଣ ପ୍ରସ୍ତାବକୁ ରାଜାଜୀ ସ୍ୱାଗତ କରିଥିଲେ-। ସାମ୍ରାଜ୍ୟବାଦୀ ତୃତୀୟ ପକ୍ଷ କବଳରୁ ଦେଶକୁ ଉଦ୍ଧାର କରି ଦୁଇଭାଇ ଭିନ୍ନ ହେଇ ପରି କଂଗ୍ରେସ ଓ ମୁସ୍‌ଲିମ୍ ଲିଗ୍ ଉଭୟେ ସ୍ୱତନ୍ତ୍ର ଅଞ୍ଚଳର ଦାୟିତ୍ୱ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଭୀଷ୍ମ ଜାଣିଥିଲେ ଯେ ପାଣ୍ଡବଙ୍କ ପକ୍ଷରେ ଧର୍ମ ଓ ନ୍ୟାୟ ଅଛି । ତାହା ସତ୍ତ୍ୱେ ସେ ଯେପରି କୌରବ ପକ୍ଷରେ ରହି ମହାଭାରତ ଯୁଦ୍ଧ ପରିଚାଳନା କରୁଥିଲେ ଠିକ୍ ସେହିପରି ବାପୁକଳ୍ପିତ ଏକତା ଓ ଜାତୀୟତାର ନ୍ୟାୟୋଚିତ ମହତ୍ତ୍ୱ ହୃଦୟଙ୍ଗମ କରିଥିଲେ ମଧ୍ୟ ଜିନ୍ନା ଓ ମୁସଲମାନ ସଂପ୍ରଦାୟଙ୍କୁ ଇଂରେଜ କବଳରୁ ଉଦ୍ଧାର କରି ପଡ଼ୋଶୀ ଭାତୃରାଜ୍ୟ ପ୍ରତିଷ୍ଠା କରିବା ଥିଲା ରାଜାଜୀଙ୍କର ଅଭିପ୍ରାୟ । ଅବଶ୍ୟ ପରେ ତାଙ୍କର ସେହି ପରିକଳ୍ପନା ଅସତ୍ୟ ପ୍ରତିପାଦିତ ହୋଇଥିଲା ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତକୁ ଇଂରେଜ ସରକାର ଯୁଦ୍ଧରେ ପକ୍ଷଭୁକ୍ତ କଲେ । ସେତେବେଳେ ସାରା ଦେଶରେ ଏହାର ପ୍ରତିବାଦ କରାଯାଇଥିଲା; କିନ୍ତୁ ରାଷ୍ଟ୍ରନୀତିଜ୍ଞ ରାଜାଜୀ କହିଥିଲେ-The Congress cannot give all its love to Britain. It must reserve that which is India’s own dues’—ଅର୍ଥାତ୍ ଭାରତ ତାହାର ସକଳ ସ୍ନେହ ସୌହାର୍ଦ୍ୟ ବ୍ରିଟେନକୁ ଦେଇନପାରେ । ଭାରତର ଯାହା ନିଜସ୍ୱ, ତାହା ସୁରକ୍ଷିତ ରଖିବା ତା’ର କର୍ତ୍ତବ୍ୟ ।

 

ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣୟନ ପୂର୍ବରୁ ୧୯୪୭ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ସେ ବଙ୍ଗଳାର ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ । ଥରେ ତତ୍‌କାଳୀନ ଆମେରିକାର ରାଷ୍ଟ୍ରଦୂତ ମିଃ ଗ୍ରାଣ୍ତିଂଙ୍କ ଉପସ୍ଥିତିରେ ସେ ଯେଉଁ ଭାଷଣ ଦେଇଥିଲେ ତାହା ବିଶେଷ କୌତୁକପୂର୍ଣ୍ଣ ହୋଇଥିଲା । ଖୁବ୍ ସୁନ୍ଦର ଅଥଚ ବ୍ୟଞ୍ଜନାପୂର୍ଣ୍ଣ ଭାଷାରେ ସେ କହିଥିଲେ—

 

‘‘Things so diverse in nature as oil, which is greasy, unclean and unpleasant to handle, and caustic soda, which causes irritation and burns when combined, give us excellent soap. I hope that the caustic soda of Russia and the oil of U. S. A. will give us the soap we so much require for washing a dirty world.’’

 

ଅର୍ଥାତ୍ ଗୁଣ ଦୃଷ୍ଟିରୁ ଭିନ୍ନ ଏପରିକି ବିପରୀତ ପ୍ରକୃତିସମ୍ପନ୍ନ ଏକ ପକ୍ଷରେ ହାତକୁ ଚିକିଟା ଓ ଅସନା ଲାଗୁଥିବା ମଇଳା ତେଲ ଓ ଅପର ପକ୍ଷରେ ହାତକୁ ପୋଡ଼ିଦେଲାପରି ବୋଧ ହେଉଥିବା କିଛି ଉତ୍ତେଜକ କଷ୍ଟିକ୍ ସୋଡ଼ା ମିଶାଇଦେଲେ ସେଥିରୁ ଯେପରି ଅତି ଉଚ୍ଚକୋଟୀର ସାବୁନ ତିଆରି ହୁଏ, ମୁଁ ଆଶାକରେ ଯେ ଋଷିଆର କଷ୍ଟିକ୍‌ ସୋଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାର ମଇଳା ତେଲ ମିଶି ଏପରି ଦରକାରୀ ସାବୁନ ତିଆରି ହେବ, ଯଦ୍ଦ୍ୱାରା ଏ ଆବର୍ଜନା ପୂର୍ଣ୍ଣ ବିଶ୍ଵର ସବୁ ମଳିନତା ପରିଷ୍କୃତ ହୋଇଯିବ ।

 

ପରୋକ୍ଷରେ ଏହା ଥିଲା ଋଷିଆର କମ୍ୟୁନିଷ୍ଟ ମତବାଦ ଓ ଯୁକ୍ତରାଷ୍ଟ୍ର ଆମେରିକାର ଗଣତାନ୍ତ୍ରିକ ପୁଞ୍ଜିବାଦ ବିରୁଦ୍ଧରେ ଏକ କଟୁ ସମାଲୋଚନା । ସେ ଚାହୁଥିଲେ । ବିଶ୍ୱର ବିରାଟ ଶକ୍ତି ଋଷିଆ ଓ ଆମେରିକା ଉଭୟେ ଆଭିମୁଖ୍ୟରେ ସମନ୍ଵୟ ଆଣି ଏପରି ଏକ ଅଭିନବ ମାର୍ଗ ଅନୁସରଣ କରନ୍ତୁ, ଯଦ୍ଦ୍ୱାରା ବିଶ୍ଵ-ବକ୍ଷରୁ ହିଂସା, ଦ୍ୱେଷଜନିତ ଦାରୁଣ ବିଭୀଷିକା ଚିରଦିନ ପାଇଁ ଦୂର ହୋଇପାରିବ ।

 

ରାଜାଜୀ ଭାଷଣ ଛଳରେ ମୃଦୁ ବ୍ୟଙ୍ଗୋକ୍ତି ଜରିଆରେ ଯେଉଁ ପ୍ରତ୍ୟୁତ୍ତରମାନ ଦେଉଥିଲେ ତାହା ସମାଲୋଚକ ପାଇଁ ଥିଲା ଅବ୍ୟର୍ଥ ଚେତାବନୀ । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଦ୍ୱିତୀୟ ମହାସମରରେ ଯେତେବେଳେ ବ୍ରିଟେନ ଭାରତକୁ ପକ୍ଷଭୁକ୍ତ କଲା, ସମଗ୍ର ଦେଶ ତା’ର ତୀବ୍ର ବିରୋଧ କଲା; କିନ୍ତୁ ନିର୍ଭୟମନା ରାଜାଜୀ ଦେଶବାସୀଙ୍କ ସହିତ ଏକମତ ହୋଇ ପାରିନଥିଲେ । ଭୀଷ୍ମଙ୍କ ପରି ସେ ତାଙ୍କ ସିଦ୍ଧାନ୍ତରେ ରହିଥିଲେ ଅଟଳ । ଦେଶବାସୀଙ୍କ ବିରୋଧ ସତ୍ତ୍ୱେ ସେ ତାଙ୍କ ନିଜର ମତ ପରିବର୍ତ୍ତନ କରିନଥିଲେ । ସେହି ସମୟରେ ବମ୍ୱେଠାରେ ସେ ଗୋଟିଏ ସାଧାରଣ ସଭାରେ ଭାଷଣ ଦେଉଥାନ୍ତି । ଉପସ୍ଥିତ ଜନସାଧାରଣ ତାଙ୍କ ଭାଷଣ ନ ଶୁଣିବାରୁ କ୍ରମେ ଚାରିଆଡ଼େ ପ୍ରବଳ ପାଟିତୁଣ୍ଡ ହେଲା । ସେହି ସୁଯୋଗ ଉଣ୍ଡି ଜଣେ କେହି ମରାମତ ହେଉଥିବା ପାଖ ରାସ୍ତାରୁ ତରଳ ପିଚୁ ଆଣି ତାଙ୍କ ଉପରକୁ ଲକ୍ଷ୍ୟ କରି ଫିଙ୍ଗିଲା । ପିଚୁ ପଡ଼ିଲା ରାଜାଜୀଙ୍କ ମୁହଁରେ । ଚାରିଆଡ଼ ତାଙ୍କୁ ଅନ୍ଧାର ଦେଖାଗଲା; କିନ୍ତୁ ସେଥିରେ ଅକୁତୋଭୟ-। ସଙ୍ଗେ ସଙ୍ଗେ ବଜ୍ରଗମ୍ଭୀର ସ୍ୱରରେ ସେ କହିଥିଲେ–‘‘ତୁମେ ମୋର ମୁହଁରେ କଳା ବୋଳିପାର; କିନ୍ତୁ ମୋର ଅନ୍ତରରେ କାଳିମା ଲଗାଇବା ସମ୍ଭବ ନୁହେଁ” । ତାପରେ ସେ ପୁଣି ନିଜର ବକ୍ତୃତା ଚାଲୁ ରଖିଥିଲେ ।

 

ଭି. ଭି. ଗିରିଙ୍କର ଶ୍ରମନୀତିକୁ ରାଜାଜୀ ପସନ୍ଦ କରୁଥିଲେ; କିନ୍ତୁ ସବୁ କ୍ଷେତ୍ରରେ ତାଙ୍କ ସହିତ ଏକମତ ହୋଇ ପାରୁନଥିଲେ । ରାଜାଜୀଙ୍କ ମନ୍ତ୍ରୀମଣ୍ଡଳରେ ଗିରି ଥିଲେ ଶ୍ରମମନ୍ତ୍ରୀ । ୧୯୩୯ ମସିହାରେ ମାନ୍ଦ୍ରାଜରେ ଏକ ସଫଳ ଶ୍ରମନୀତି କାର୍ଯ୍ୟକାରୀ କରାଇବା ପାଇଁ ସେ ଗୋଟିଏ ତ୍ରିପକ୍ଷ ସମ୍ମିଳନୀ ଆହ୍ୱାନ କରିଥିଲେ । ଉଭୟେ ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ ରାଜାଜୀ ଓ ରାଜ୍ୟପାଳ ଲର୍ଡ଼ ଏରସକାଇନ ତାଙ୍କର ଏହି ଉଦ୍ୟମକୁ ନାପସନ୍ଦ କରିଥିଲେ । ମନ୍ତ୍ରୀମଣ୍ଡଳର ପରାମର୍ଶ ନ ନେଇ ଗିରି କରୁଥିବା କାର୍ଯ୍ୟକୁ ସେ ବିରୋଧ କରିଥିଲେ । ମାଲିକ, ଶ୍ରମିକ ଓ ସରକାରୀ ପ୍ରତିନିଧିମାନଙ୍କର ଏହି ସମ୍ମିଳନୀକୁ ଗିରିଙ୍କର ଦରବାର ବୋଲି ସେ ପରିହାସରେ ଉଡ଼ାଇ ଦେଇଥିଲେ । ସେତେବେଳେ ବର୍ମା, ମାଲୟ, ସିଂହଳରୁ ଶହ ଶହ ଭାରତୀୟ ସିଂହଳରୁ ଫେରି ଆସୁଥିଲେ । ତେଣୁ ସେମାନଙ୍କର ଥଇଥାନ ଏକ ବିରାଟ ସମସ୍ୟାରେ ପରିଣତ ହୋଇଥିଲା । ସେଥିପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଧାରିତ ମତେ କ୍ଷତିପୂରଣ ଦେବାକୁ ପଡ଼ୁଥିଲା । ଗିରି ପୁନର୍ବସତି ଦାୟିତ୍ୱରେ ଥିବାରୁ ସେଥିପାଇଁ ବିଭିନ୍ନ ଉପାୟରେ ପାଣ୍ଠି ସୃଷ୍ଟି କରିବାଲାଗି ଓ ସେମାନଙ୍କ ଫେରିବା ବନ୍ଦ ରଖିବାଲାଗି ଭାରତସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ରାଜାଜୀ ଗିରିଙ୍କର ସେହି ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି କହିଥିଲେ—‘‘ବିଦେଶରେ ଥିବା ଭାରତୀୟ ନାଗରିକମାନେ ଖାଦ୍ୟପେୟରେ ପ୍ରଦେଶ ଉପରେ ନିର୍ଭର ନକରି ଜନ୍ମଭୂଇଁରେ ଥିବା ସେମାନଙ୍କ ବନ୍ଧୁ ବିରାଦଙ୍କ ନିକଟକୁ ଟଙ୍କା ପଠାଇ ମାନ୍ଦ୍ରାଜର ଅର୍ଥନୈତିକ ବିକାଶରେ ହେଉଛନ୍ତି ସହାୟକ । ତେଣୁ ଅସୁବିଧାବେଳେ ସେମାନଙ୍କର ପୁନରାଗମନ ବନ୍ଦ କରାଯିବା ଉଚିତ ନୁହେଁ ।” ଗିରିଙ୍କର ଏ ପ୍ରକାର କାର୍ଯ୍ୟକୁ ସେ ଅତ୍ୟଧିକ ଆବେଗପରାୟଣତା ବୋଲି ଆକ୍ଷେପ କରିଥିଲେ ।

 

ପ୍ରଶାସନିକ କ୍ଷେତ୍ରରେ ଗିରିଙ୍କୁ ସେ ବହୁବାର ବିରୋଧ କରିଥିଲେ ମଧ୍ୟ ଆନ୍ତରିକ ସ୍ନେହ ଓ ସମ୍ମାନ କରୁଥିଲେ । ସେତେବେଳେ ଗିରି ଥାନ୍ତି କେନ୍ଦ୍ରୀୟ ବିଧାନ ସଭାରେ ଜନୈକ ଦକ୍ଷ ଓ ପ୍ରଗତିବାଦୀ ସଭ୍ୟ । ତାଙ୍କୁ ମାନ୍ଦ୍ରାଜ ବିଧାନ ସଭାରେ ପ୍ରାର୍ଥୀ ହେବାଲାଗି କଂଗ୍ରେସ କର୍ତ୍ତୃପକ୍ଷ ମନୋନୀତ କଲେ । ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବୋବିଲି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବାଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଗଲା । ବୋବିଲି ଥିଲା ସେତେବେଳେ ସ୍ଥାନୀୟ ଜମିଦାରଙ୍କର ଅଭେଦ୍ୟ ଦୁର୍ଗ । ବାହାରୁ କୌଣସି ନେତା ସେଠି ପ୍ରତିଦ୍ୱନ୍ଦିତା କରିବାକୁ ସାହସ କରୁନଥିଲେ; କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେହି ପରମ୍ପରା ଭଙ୍ଗ କରିବାଲାଗି ଶ୍ରମିକନେତା ଗିରିଙ୍କୁ ମନୋନୀତ କଲେ । ଗିରି ବିଧାନ ପରିଷଦର ସଭ୍ୟ ପଦରୁ ଇସ୍ତଫା ନଦେଇ ନିର୍ବାଚନରେ ହେଲେ ପ୍ରତିଦ୍ୱନ୍ଦୀ । ତୁମୁଳ ନିର୍ବାଚନ ପରେ ସେ ହେଲେ ଜୟଯୁକ୍ତ; କିନ୍ତୁ ସେ ଚାହୁଁ ନଥିଲେ ପ୍ରାଦେଶିକ ରାଜନୀତିରେ ଭାଗନେବା ପାଇଁ । ତେଣୁ ସେ ପ୍ରାଦେଶିକ ଆସେମ୍ଲିରୁ ଇସ୍ତଫା ଦେଇ ପୂର୍ବପରି କେନ୍ଦ୍ରୀୟ ବିଧାନସଭାରେ ରହିବାକୁ ଚାହିଲେ । ରାଜାଜୀ ତାଙ୍କୁ ଇସ୍ତଫା ନଦେବା ପାଇଁ ପ୍ରବର୍ତ୍ତାଇ ଲେଖିଥିଲେ—‘‘You know the esteem in which you are held in our circles. I have no doubt in all probability you would have been one of the important persons kept in view’’. ଆମ ଅଞ୍ଚଳରେ ଆପଣ କିପରି ପ୍ରଶଂସିତ ଓ ସମ୍ମାନିତ ତାହା ବୋଧହୁଏ ଆପଣଙ୍କୁ ଅଜଣା ନଥିବ । ମୁଁ ନିଃସନ୍ଦେହ ଚିତ୍ତରେ କହିପାରେ ଯେ ସମସ୍ତଙ୍କ ଦୃଷ୍ଟିରେ ଆପଣ ଜଣେ ମହାନ୍ ବ୍ୟକ୍ତି” । ଏଥିରୁ ରାଜାଜୀଙ୍କର ଦୃଢ଼ ଅଥଚ ପ୍ରଶସ୍ତ ହୃଦୟର ପରିଚୟ ମିଳିଥାଏ ।

 

ଯେଉଁ ସତ୍ୟ ଓ ଆଦର୍ଶ ତାଙ୍କର ହୃଦବୋଧ ହେଉଥିଲା ସେ ଲୌକିକ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ତାହାର ଉପସ୍ଥାପନ କରୁଥିଲେ । ତାଙ୍କୁ ଯଦି କିଏ କହୁଥିଲା ଯେ ଆପଣଙ୍କ ନୀତି ଓ ଆଦର୍ଶ ଲୋକେ ଗ୍ରହଣ କରିବାକୁ ନାରାଜ, ସଙ୍ଗେ ସଙ୍ଗେ ସେ ତାଙ୍କୁ ଉତ୍ତର ଦେଉଥିଲେ—

 

‘‘I shall continue to give expression to my thoughts and views regardless of acceptance or otherwise’’ । “ସତ୍ୟମେବ ଜୟତେ” ଏହି ମହାଭାରତୀୟ ଆଦର୍ଶରେ ସେ ହୋଇଥିଲେ ଅନୁପ୍ରାଣିତ । ଧର୍ମ ସତ୍ୟର ପରିପୂରକ ହେଉ, ଏହାହିଁ ଥିଲା ତାଙ୍କର କାମନା । ଜୀବନ-ରଥର ଗତି ପାଇଁ ଏ ଦୁହେଁ ଚକ୍ର ପରି କାର୍ଯ୍ୟ କରନ୍ତୁ । ନଚେତ୍ ଜୀବନ ବିପଦସଙ୍କୁଳ ହେବ, ରାଜାଜୀ ଏହା ବାରମ୍ବାର ଉଲ୍ଲେଖ କରୁଥିଲେ ।

 

ସେ ଥିଲେ ଅସରନ୍ତି ଗୁଣର ରତ୍ନଭଣ୍ଡାର । ଗୁଣୀବ୍ୟକ୍ତି ତାଙ୍କଠାରେ ଦେଖିପାରୁଥିଲେ ନିଜର ପ୍ରତିଚ୍ଛାୟା । ତାଙ୍କଠାରେ ତ୍ୟାଗୀ ପାଉଥିଲା ତ୍ୟାଗର ସନ୍ଧାନ, ଯୁବକ ପାଉଥିଲା ଯୁବ ମନୋଭାବ, କବି ପାଉଥିଲା କବିତ୍ୱ, ସେବକ ପାଉଥିଲା ସେବା ମନୋଭାବ, ଆଉ କୂଟନୀତିଜ୍ଞମାନେ ତାଙ୍କୁ ଦେଖୁଥିଲେ ଏ ଯୁଗର ଚାଣକ୍ୟରୂପେ ।

 

ପିତାମହ ଭୀଷ୍ମଙ୍କ ଜୀବନ ସହିତ ରାଜାଜୀଙ୍କ ଜୀବନ ମଧ୍ୟ ତୁଳନୀୟ । ଭୀଷ୍ମ ନ୍ୟାୟ ଦର୍ଶନ ଓ ଜ୍ଞାନ ଭକ୍ତିସମ୍ବଳିତ ତତ୍ତ୍ୱଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଶୀଳନ କରି ତଦନୁଯାୟୀ ଜୀବନର ଆଦର୍ଶକୁ କରିଥିଲେ । ନିୟନ୍ତ୍ରିତ ଓ ସମୃଦ୍ଧ । ରାଜାଜୀଙ୍କର ଜୀବନାଦର୍ଶ ମଧ୍ୟ ଠିକ୍ ସେହି ଉପାୟରେ ହୋଇଥିଲା ନିୟନ୍ତ୍ରିତ । ରାଜାଜୀଙ୍କ ପିତା ଥିଲେ ଜଣେ ସଂସ୍କୃତ ପଣ୍ଡିତ ଓ ଗ୍ରାମ ଶିବ ମନ୍ଦିରର ପୂଜକ । ତେଣୁ ବାଲ୍ୟକାଳରୁ ଶାସ୍ତ୍ରାଲୋଚନା ଓ ଦେବଭକ୍ତିର ବୀଜ ବପିତ ହୋଇଥିଲା ତାଙ୍କ ହୃଦୟରେ । ଶିଖଣ୍ଡୀକୁ ଦେଖି ଅସ୍ତ୍ର ତ୍ୟାଗ କଲାବେଳେ ଅର୍ଜୁନଙ୍କ ଶରାଘାତ ଭୀଷ୍ମଙ୍କୁ କରିଥିଲା କ୍ଷତବିକ୍ଷତ । ଶରଶଯ୍ୟାରେ ଥାଇ ମଧ୍ୟ ସେ ଥିଲେ ନ୍ୟାୟ ମାର୍ଗରେ ଅଟଳ । ଶରୀରରେ ଅସହ୍ୟ ଯାତନା ଭୋଗକରି ମଧ୍ୟ ଯୁଧିଷ୍ଠିରଙ୍କୁ ସତ୍ୟ, ସଦାଚାର, ସଂଜତ ଜୀବନ ଯାପନ ଲାଗି ସେ ଯେଉଁ ଉପଦେଶ ଶୁଣାଇଥିଲେ, ତାହା କେବଳ ଯୁଧିଷ୍ଠିରଙ୍କ ଲାଗି ଅଭିପ୍ରେତ ନୁହେଁ । ବରଂ ପ୍ରତ୍ୟେକ ନୀତିନିୟନ୍ତ୍ରିତ, ସଦାଚାରୀ ତଥା ଧର୍ମନିଷ୍ଠ ବ୍ୟକ୍ତିଙ୍କ ପ୍ରତି ତାହା ପ୍ରଯୁଜ୍ୟ । ରାଜାଜୀ କ୍ଷୀଣକାୟ ତଥା ରୋଗାକୀର୍ଣ୍ଣ ଅବସ୍ଥାରେ ଥାଇ ମଧ୍ୟ ପିତାମହ ଭୀଷ୍ମଙ୍କ ପରି ନିର୍ଭୟ ଚିତ୍ତରେ ଯେଉଁ ସାବଧାନୀ ସୂଚକ ଉପଦେଶମାନ ଦେଇଥିଲେ ତାହା ଘଟଣା ସ୍ଥଳରେ ଥିବା ଛାତ୍ର, ଜନସାଧାରଣ ରାଜନୈତିକ କର୍ମୀ କିମ୍ବା ଶାସନ ଦାୟିତ୍ୱରେ ଥିବା ସରକାରଙ୍କ ପ୍ରତି ଅଭିପ୍ରେତ ନଥିଲା, ତାହା ଥିଲା ସମଗ୍ର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା । ତାଙ୍କ ପ୍ରଣୀତ ରାମାୟଣ, ମହାଭାରତ, କଠୋପନିଷଦ, ଭଗବତ୍ ଗୀତା, ଭଜଗୋବିନ୍ଦମ୍, Hinduism: Doctrine and way of life, Stories for the innocent, Avviar, kwral–The great Book of Tiruvalluvar ଇତ୍ୟାଦିରେ ସେଗୁଡ଼ିକ ଲିପିବଦ୍ଧ ।

 

ଭୀଷ୍ମଙ୍କ ପରି ରାଜାଜୀ ଥିଲେ ମାନବବାଦୀ । ଯୁଧିଷ୍ଠିରଙ୍କୁ ଭୀଷ୍ମ କହିଥିଲେ—‘ନ ମାନୁଷାତ୍ ଶ୍ରେଷ୍ଠତରଂ ହି କିଞ୍ଚିତ’ ଅର୍ଥାତ୍ ମନୁଷ୍ୟଠାରୁ ବଡ଼ କେହି ନାହାନ୍ତି । ରାଜାଜୀ ସେହି ଆଦର୍ଶର ଅନୁବର୍ତ୍ତୀ ହୋଇ ମାନବବାଦକୁ ସବୁଠାରୁ ଉଚ୍ଚସ୍ଥାନ ଦେଉଥିଲେ । ସେ କହୁଥିଲେ ଆମର ଉନ୍ନତ ପରମ୍ପରାକୁ ଆଖି ଆଗରେ ରଖି, ଅତ୍ୟାଧୁନିକ ବୈଜ୍ଞାନିକ ଯୁଗ ସହିତ ତାଳଦେଇ ପୂରାତନ ଓ ନୂତନର ମଧୁର ସମନ୍ୱୟ କରିବାକୁ ପଡ଼ିବ । ପ୍ରାଚୀନ ଭାବଧାରାକୁ ନୂତନ ପନ୍ଥାରେ ପରିଚାଳିତ କରିବାକୁ ହେବ । ସର୍ବୋପରି ଆମର ଲକ୍ଷ୍ୟ ହେବ—‘‘ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ” । ଉପନିଷଦୀୟ ଭାବଧାରାର ଆଦର୍ଶ—ସର୍ବଂ ଖଳୁ ଇଦଂ ବ୍ରହ୍ମ—ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟଠାରେ ବ୍ରହ୍ମସଭା ବା ଭଗବତ୍ ସଭା ବିଦ୍ୟମାନ, ତାଙ୍କୁ ମାନବଧର୍ମୀ ହେବାଲାଗି ସବୁଠାରୁ ବେଶୀ ପ୍ରଭାବିତ କରିଥିଲା । Tolerance ବା inter-religious understanding (ଅହିଂସା ଓ ମୈତ୍ରୀଭାବ) ଯାହାକି ଭାରତୀୟ ଦର୍ଶନର ମୂଳମନ୍ତ୍ର ତାହାର ପ୍ରଚାର ଓ ପ୍ରସାର ପାଇଁ ସେ ମସୀଚାଳନା କରୁଥିଲେ ।

 

ଭୀଷ୍ମ ଯୁଧିଷ୍ଠିରଙ୍କୁ ରାଜଧର୍ମ ବିଷୟରେ ପରାମର୍ଶ ଦେଇ କହିଥିଲେ–“ହେ ମହାରାଜ ! ରାଜା ବା ରାଜ ପ୍ରତିନିଧି ସର୍ବପ୍ରଥମେ ଚିତ୍ତକୁ ପରାଜୟ କରି ସର୍ବ ଶେଷରେ ଶତ୍ରୁର ବିଜୟ ପାଇଁ ପ୍ରସ୍ତୁତ ହେବା ଉଚିତ । ନିଜ ଚିତ୍ତକୁ ପରାଜୟ ନକଲେ ଶତ୍ରୁ ପରାଜୟର ସମ୍ଭାବନା ନାହିଁ-। ଇନ୍ଦ୍ରିୟମାନେ ପରାଜିତ ହେଲେ ଚିତ୍ତସ୍ୱତଃ ପରାଜିତ ହୋଇଥାଏ” । ଏ ଯୁଗର ଭୀଷ୍ମ ପିତାମହ ରାଜାଜୀଙ୍କର ଶାସକ ଗୋଷ୍ଠୀଙ୍କ ପ୍ରତି ଥିଲା ଅନୁରୂପ ନିର୍ଦ୍ଦେଶନା । ଯେହେତୁ ପ୍ରଚଳିତ ଗଳଧର୍ମ ନୀତି, ଅନୀତି, ନ୍ୟାୟ, ଅନ୍ୟାୟ କଥା ବିଚାର କରିବାରେ ବିମୁଖତା ପ୍ରକାଶ କରୁଛି, ତେଣୁ ରାଜାଜୀ ସର୍ବପ୍ରଥମେ ଶାସକମାନଙ୍କୁ ନିର୍ମଳ ଶାସନ ପ୍ରତିଷ୍ଠା ଲାଗି ଯେତେଦୂର ପାରନ୍ତି ଜିତେନ୍ଦ୍ରିୟ ହେବାଲାଗି ବାରମ୍ବାର ଆବେଦନ ନିବେଦନ କରୁଥିଲେ । ସେ କହୁଥିଲେ ନ୍ୟାୟ ଓ ନୀତିଚ୍ୟୁତ କ୍ଷମତା, ଅର୍ଥ ଓ ଭୋଗ ଲିପ୍ସା ଗଣତନ୍ତ୍ରକୁ ବିପଥଗାମୀ କରିବ । ଶାସକଗୋଷ୍ଠୀ କେବଳ କଥାରେ କହୁଥିଲେ ମଧ୍ୟ ନିରପେକ୍ଷତା ସେମାନଙ୍କ କର୍ମରୁ ବିଦାୟ ନେଇଛି । ମହାଭାରତ ଯୁଗରେ ଭୀଷ୍ମ ମଧ୍ୟ ସେହି ବିଷୟରେ ଚେତାବନୀ ଶୁଣାଇ ଯୁଧିଷ୍ଠିରଙ୍କୁ କହିଥିଲେ—

 

‘‘ସର୍ବ ଶରୀର ନିରପେକ୍ଷ । ମୋ ରୂପ ଦେଖିବ ପ୍ରତ୍ୟକ୍ଷ ।”

 

ସେହି ମହାଭରତୀୟ ରାଜଧର୍ମ ଆଜି ଆମ ଦେଶରେ କିୟଦଂଶ ବି ଅନୁକୃତ ହେଉନାହିଁ । ସେଥିପାଇଁ ରାଜାଜୀ ଭାଷଣ ଓ ପତ୍ରପତ୍ରିକା ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ।

Image

 

ତାଙ୍କ ଦୃଷ୍ଟିରେ ଭାରତୀୟ ସଂସ୍କୃତି

 

ମନୁଷ୍ୟର ଲୌକିକ, ପାରଲୌକିକ ସର୍ବାଭ୍ୟୁଦୟର ଅନୁକୂଳ ଆଚାର ବିଚାର ହିଁ ସଂସ୍କୃତି । ଏହି ସଂସ୍କୃତିରେ ମାନବ ଜୀବନର ସମସ୍ତ କ୍ଷେତ୍ର ଅଙ୍ଗୀଭୂତ । ବର୍ଣ୍ଣାଶ୍ରମାନୁକୂଳ ଆଚାର ବିଚାରହିଁ ହିନ୍ଦୁ ସଂସ୍କୃତିର ପ୍ରତ୍ୟକ୍ଷ ରୂପ । ବ୍ୟକ୍ତିଗତ, ସାମାଜିକ, ଆର୍ଥିକ, ରାଜନୀତିକ, ଧାର୍ମିକ ତଥା କଳାକୌଶଳ, ଭାଷା, ବେଶଭୂଷା, ଉପାସନା ଆଦି ଆଚାର ବିଚାର ବର୍ଣ୍ଣାଶ୍ରମ ଧର୍ମାନୁକୂଳ, ତେଣୁ ତାହା ହେଉଛି ହିନ୍ଦୁ ସଂସ୍କୃତିର ଆଦର୍ଶ । ସୀମିତ ଆଦାନ ଓ ଅସୀମିତ ବିସର୍ଗ (ତ୍ୟାଗ) ଭାରତୀୟ ସଂସ୍କୃତିର ହେଉଛି ଏକ ପ୍ରଧାନ ବିଶେଷତ୍ୱ । ଏଥିରେ ବ୍ୟକ୍ତି ବାଦର ବିଶେଷ ସ୍ଥାନ ନାହିଁ କିନ୍ତୁ ବ୍ୟକ୍ତିଗତ ଆତ୍ମୋନ୍ନତି ପାଇଁ ଅଛି ବିସ୍ତୃତ ସୁଯୋଗ । ଆଧୁନିକ ଯୁବସଂପ୍ରଦାୟ ଏହାକୁ କୁସଂସ୍କାର ବୋଲି ଅବଜ୍ଞା କରିଥାନ୍ତି; କିନ୍ତୁ ରାଜାଜୀ ଆମ ସଂସ୍କୃତିକୁ ଯେପରି ଉଚ୍ଚ ଆସନ ଦେଇଛନ୍ତି, ତାହା ଏଠାରେ ପ୍ରଣିଧାନଯୋଗ୍ୟ ।

 

ଆମ ପୂର୍ବ ସୂରୀମାନଙ୍କ ମତରେ ସଂସ୍କୃତି ହେଉଛି ଆତ୍ମା ସମ୍ୱନ୍ଧୀୟ, ଆତ୍ମିକ ଉତ୍‌ଥାନର ଚିହ୍ନ, ଆତ୍ମିକ ଉତ୍କର୍ଷର ସୋପାନ ଓ ଆତ୍ମଦର୍ଶନର ମାର୍ଗ । ରାଜାଜୀ ମଧ୍ୟ କହନ୍ତି ଯେ ଭାରତୀୟ ସଂସ୍କୃତି ହେଉଛି ଆତ୍ମସଂଯମର ସଫଳ ଅଭ୍ୟାସ । “କାୟ, ମନ, ବାକ୍ୟ ସର୍ବତ୍ର ସଂଯମହିଁ ତପସ୍ୟା ଓ ସେହି ତପସ୍ୟାହିଁ ଭାରତୀୟ ସଂସ୍କୃତି । ସତ୍ୟ, ସଂଯମ ଓ ସାଧୁତା ଏହାର ମୁଖ୍ୟ ଲକ୍ଷଣ । ଏବେ ସାଂସ୍କୃତିକ ମୂଲ୍ୟବୋଧରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କ୍ଷଣସ୍ଥାୟୀ । କାଳ ସ୍ରୋତରେ ତାହା ପୁଣି ନିଶ୍ଚିହ୍ନ ହୋଇଯିବ । କାରଣ ସଂସ୍କୃତି ଚିରନ୍ତନ । ଯେହେତୁ ପରମ୍ପରାଗତ ସଂସ୍କାରର ଅନ୍ୟ ନାମ ହେଉଛି ସଂସ୍କୃତି ତାହା ସମ୍ଭବତଃ ଅପରିବର୍ତ୍ତନୀୟ ।

 

ରାଜାଜୀଙ୍କ ମତରେ ସଂସ୍କୃତି କେବଳ ଚରିତ୍ର କିମ୍ବା ନୈତିକତା ନୁହେଁ । ଚରିତ୍ର ହେଉଛି ମନୁଷ୍ୟର ଆଭ୍ୟନ୍ତରୀଣ ବିଭବ; କିନ୍ତୁ ଏକ ବାହ୍ୟ ବିଭାବ ହେଲେ ମଧ୍ୟ ପରସ୍ପର ସମ୍ବନ୍ଧଶୀଳ । କାରଣ ମଣିଷର ଚାଲିଚଳଣ, ଆବଭାବ ଚରିତ୍ର ସହିତ ନିବିଡ଼ଭାବେ ସଂପୃକ୍ତ । ଆମର ପୂର୍ବସୂରୀମାନେ ସଭ୍ୟତା ଓ ସଂସ୍କୃତିକୁ ଏକାର୍ଥବ୍ୟଞ୍ଜକ ଶବ୍ଦ ବୋଲି ବ୍ୟବହାର କରିଅଛନ୍ତି । ସେମାନଙ୍କ ମତରେ ସଭାରେ ସାଧୁତାହିଁ ସଭ୍ୟତା । ସମାନ ବିଚାରଧାରାରେ ଅନୁପ୍ରାଣିତ ମାନବ ସମୂହକୁ ସଭା କୁହାଯାଏ । ଏହି ସଭାରେ ଦକ୍ଷ (ସାଧୁ) ପୁରୁଷଙ୍କୁ ସଭ୍ୟ କହନ୍ତି । ସଭ୍ୟର ଭାବ ହିଁ ସଭ୍ୟତା । ନୀତିଶାସ୍ତ୍ର କହେ-‘‘ସହ ଭାତି ସା ସଭା । ସଭୟାଂ ସାଧୁଃ (ନିପୁଣ) ସଭ୍ୟଃ । ସଭ୍ୟସ୍ୟ ଭାବଃ ସଭ୍ୟତା । ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ—‘‘Civilization is an expression of flesh, while culture is the manifestation of soul.” ରାଜାଜୀ କିନ୍ତୁ ଭିନ୍ନ ମତପୋଷଣ କରିଛନ୍ତି । ସେ କହିଛନ୍ତି—‘‘ସଭ୍ୟତା କହିଲେ କେବଳ ଶିଳ୍ପୋନ୍ନତି କିମ୍ୱା ଅଧିକ ଟଙ୍କାପଇସା, ଧନସମ୍ପତ୍ତିକୁ ବୁଝାଏ ନାହିଁ । ‘ସଭ୍ୟତା’ ଶବ୍ଦ ଗୋଟିଏ ଗୁଣବାଚକ ବିଶେଷ୍ୟ, ତାହା କୌଣସି ବସ୍ତୁକୁ ନ ବୁଝେଇ ବରଂ ଜୀବନର ଗୋଟିଏ ଅବସ୍ଥାକୁ ବୁଝାଏ । ମନୁଷ୍ୟର ବଣ୍ୟବର୍ବରତା ତଥା ଆନ୍ତରିକ କ୍ଷୁଧା ଓ ପ୍ରବୃତ୍ତିକୁ ସଂଯତକରିବା ତା’ର ପ୍ରଧାନ ଲକ୍ଷ୍ୟ” । ସଂସ୍କୃତିକୁ ସେ ସଭ୍ୟତାର ଏକ ଅଙ୍ଗରୂପେ ଗ୍ରହଣ କରିଛନ୍ତି । ଶିକ୍ଷା, ସାହିତ୍ୟ, ଧର୍ମବିଶ୍ଵାସ ଓ ପରମ୍ପରା ମାଧ୍ୟମରେ ଆତ୍ମପ୍ରକାଶ କରିଥାଏ । ଆତ୍ମସଂଯମର ସଫଳ ଅଭ୍ୟାସ କରିପାରିଲେ ମଣିଷ ହୁଏ ସଂସ୍କୃତ । ଯାହା ଆତ୍ମସଂଯମର ପରିପନ୍ଥୀ ତାହା ଆଦୌ ସଂସ୍କୃତି ହୋଇ ନପାରେ ।

 

ରାଜାଜୀ କହନ୍ତି ଯେ ସଂସ୍କୃତି ମଣିଷର ଏକ ସାମାଜିକ ଗୁଣ । କେତେକ ଫଳରେ ଥିବା ଚୋପାର ଗନ୍ଧ ଯେପରି ମଣିଷକୁ ଆକୃଷ୍ଟ କରିଥାଏ, ସେହିପରି ଚରିତ୍ରଠାରୁ ସଂସ୍କୃତି ସମସ୍ତଙ୍କୁ ଅଧିକ ଆକୃଷ୍ଟ କରିଥାଏ; କିନ୍ତୁ ଚୋପ ଫଳ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ସେହିପରି ସଂସ୍କୃତି ଓ ଚରିତ୍ର ପରସ୍ପର ଭିନ୍ନ ନୁହନ୍ତି । ବିନୟ, ବାକ୍ ଓ ଭାବ ସଂଯମ ସଂସ୍କୃତିର ଅପରିହାର୍ଯ୍ୟ ଅଙ୍ଗ । ନୀଚତା ଅସାଧୁତା ଓ ନିର୍ଦ୍ଦୟତାଠାରୁ ଏହା ଅତି ଉଚ୍ଚରେ । ଅନ୍ୟଠାରୁ ଆମେ ଯେଉଁ ବ୍ୟବହାର ଚାହୁଁ, ଅନ୍ୟ ପ୍ରତି ଆମେ ଠିକ୍ ସେହି ବ୍ୟବହାର କଲେ ଉଭୟ ବାକ୍ୟ ଓ କର୍ମରେ ଆମେ ସଂସ୍କୃତିର ପ୍ରକୃତ ମର୍ମ ହୃଦୟଙ୍ଗମ କରିପାରିବା । ନିଜକୁ ଅନ୍ୟର ପରିସ୍ଥିତିରେ ରଖି ଅନ୍ୟର ସୁଖଦୁଃଖ ହୃଦୟଙ୍ଗମ କରିବା ସଂସ୍କୃତିର ଏକ ଅପରିତାଜ୍ୟ ବିଭବ ।

 

ହିନ୍ଦୁ ସଂସ୍କୃତି ସର୍ବସାମର୍ଥ୍ୟମୟ, ସର୍ବାଙ୍ଗୀନ ଓ ସ୍ୱୟଂ ସମ୍ପୁର୍ଣ୍ଣ । ଏହା ସର୍ବକଲ୍ୟାଣକାରୀ, ଏଥିରେ କର୍ମର ପ୍ରଭାବ କର୍ତ୍ତାଠାରେ ସୀମିତ ନରହି ସମଗ୍ର ବ୍ରହ୍ମାଣ୍ଡ ଉପରେ ବିଚ୍ଛୁରିତ ହୋଇ ପଡ଼ିଥାଏ । ଏହା ମନୁଷ୍ୟକୁ ସିଦ୍ଧି-ସମ୍ପନ୍ନ କରି ଅନନ୍ତାନନ୍ଦ ସାମ୍ରାଜ୍ୟର ଅଧିକାରୀ କରିଥାଏ । ‘କର୍ମ ବୀଜଂ ସଂସ୍କାରଃ ଓ ତନ୍ନିମିତ୍ତା ସୃଷ୍ଟିଃ’–ଅର୍ଥାତ୍ ସଂସ୍କାର ହେଉଛି କର୍ମର ବୀଜ ସ୍ୱରୁପ ଓ ଏହା ସୃଷ୍ଟିର କାରଣ । ଜୀବ ସର୍ବଦା ସଂସ୍କାରର ଦାସ । ଶୁଦ୍ଧାଶୁଦ୍ଧ ଓ ସ୍ପୃଶାସ୍ପୃଶ୍ୟ ବିବେକ ଏହି ସଂସ୍କୃତିର ଏକ ବିଶେଷତ୍ଵ । ଆଧ୍ୟାତ୍ମିକତାବିହୀନ ସାମ୍ୟବାଦ ଓ ସମାଜବାଦ ହିନ୍ଦୁ ସଂସ୍କୃତିର ବହିର୍ଭୂତ; କିନ୍ତୁ ରାଜାଜୀ କହନ୍ତି ଯେ ଯାହା ଆତ୍ମସଂଯମକୁ ସାହାଯ୍ୟ ନକରି ତହିଁରେ ବାଧା ସୃଷ୍ଟିକରେ ତାହା କଦାପି ସଂସ୍କୃତି ହୋଇନପାରେ । ‘‘ଖାଇବା ପିନ୍ଧିବା ବ୍ୟତୀତ ଅନ୍ୟ ଯାହାସବୁ ମନୁଷ୍ୟର ଜୀବନକୁ ରସୋତ୍ତୀର୍ଣ୍ଣ କରେ ତାହାର ସମାହାରହିଁ ହୁଏ ଜାତୀୟ ସଂସ୍କୃତି । ମନୁଷ୍ୟ ଶାରୀରିକ ଅଭାବ ପୂରଣ କରିସାରିଲା ପରେ, ଜ୍ଞାନ ପିପାସାର ଅପନୋଦନ ହୋଇନଥାଏ । ଏହି ପିପାସା ନିବାରିତ ହେଲେ ମଣିଷ ଜୀବନରେ ଆସିଥାଏ ପୂର୍ଣ୍ଣତା; ଅର୍ଥାତ୍ ସଂସ୍କୃତି ପ୍ରାପ୍ତି ବିନା ମଣିଷର ଜୀବନ ଅପୂର୍ଣ୍ଣ ରହେ । ଗୋଟିଏ ଜାତି ସର୍ବସମ୍ମତି କ୍ରମେ ଯେଉଁ ଆଦର୍ଶର ଅନୁସାରୀ ହୁଏ ଓ ଯାହା ଜୀବନର ମାନଦଣ୍ଡରୂପେ ହୁଏ ଅନୁସୃତ, ତାହାର ଅନ୍ୟ ନାମ ଜାତୀୟ ସଂସ୍କୃତି । ଜାତିର ବ୍ୟବହାର ଓ ତହିଁରେ ପ୍ରକଟିତ ତ୍ରୁଟି ଜାତୀୟ ସଂସ୍କୃତିର ଅନ୍ତର୍ଭୁକ୍ତ ନୁହେଁ ।

 

ରାଜାଜୀଙ୍କ ମତରେ ବାସ୍ତବତାକୁ ଉପେକ୍ଷା କରି କୌଣସି ଜାତିର ସଂସ୍କୃତି କେବଳ ଶୁଷ୍କ ଆଦର୍ଶବାଦ ଉପରେ ତିଷ୍ଠି ରହିପାରେ ନାହିଁ । ଜାତିର ଅଗ୍ରସାରଥିମାନେ ଯାହାକୁ ଧ୍ୟେୟ ମନେ କରନ୍ତି ଓ ଯାହା ଜାତୀୟ ଜୀବନକୁ ନିୟନ୍ତ୍ରିତ କରିବାରେ ସକ୍ଷମ ତାହାହିଁ ସଂସ୍କୃତି । ଭାରତୀୟ ସଂସ୍କୃତି ବିଷୟରେ ମତଦେଇ ସେ କହିଛନ୍ତି—‘‘ମୋର ଧାରଣା ଭାରତୀୟ ସଂସ୍କୃତିରେ ଯେଉଁ ସରଳତା ପରିଦୃଷ୍ଟ ହୁଏ, ତାହାର କାରଣ ଅନ୍ୟ କିଛି ନୁହେଁ । କେବଳ ଆଦର୍ଶ ହିଁ ତାହାର କାରଣ । ଭାରତୀୟମାନେ ଜାଣିଶୁଣି ତାଙ୍କ ସଂସ୍କୃତିକୁ କରିଛନ୍ତି ସରଳ । ଅଯଥା ଅଭାବ ସୃଷ୍ଟିକରି ଜୀବନକୁ ଜଟିଳ କରିବାପାଇଁ ସେମାନେ ଉଦ୍ୟମ କରିନାହାନ୍ତି । କାରଣ ଏହା ହେଉଛି ଭାରତୀୟ ନୀତି ଓ ଆଦର୍ଶର ପରମ୍ପରା ।”

 

ଏହା ସତ୍ୟ ଯେ ପ୍ରତ୍ୟେକ ଜାତିର ସଂସ୍କୃତି ନିର୍ଭର କରେ, ଧର୍ମ, ଦର୍ଶନ, ଇତିହାସ ଓ ଭୌଗୋଳିକ ପରିସ୍ଥିତି ଉପରେ । କୂଳଧର୍ମ ଜାତୀୟ ସଂସ୍କୃତିର ପରମ ପରିଚାୟକ । କୂଳଧର୍ମ ପରି ଜାତିର ଓ ଦେଶର ଧର୍ମ ମଧ୍ୟ ସ୍ଵୀକାର୍ଯ୍ୟ । ଏହି ଜାତିଧର୍ମ ଓ ଦେଶଧର୍ମ ଯୋଗୁଁ ବିଦେଶୀଙ୍କଠାରୁ ଆମେ ଭିନ୍ନ । ଏହାକୁ କୁସଂସ୍କାର କହିବା ବାଚାଳତା ମାତ୍ର । ଆମ ଦେଶରେ ଯେତେ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ହେଲେ ମଧ୍ୟ ଦେଶଧର୍ମ ଅକ୍ଷୁର୍ଣ୍ଣ ରହିଛି, ରହିବା ସ୍ୱଭାବିକ ମଧ୍ୟ । ପାଶ୍ଚାତ୍ୟ ଦେଶପରି ବ୍ୟକ୍ତି ସ୍ଵାଧୀନତା ଆମ ସଂସ୍କୃତିର ଅଙ୍ଗୀଭୂତ ନୁହେଁ । ବାଦବିସମ୍ୱାଦ ସତ୍ତ୍ଵେ ମଧ୍ୟ ଆମ ଦେଶରେ ଆମେ ପରିବାର ଧର୍ମ ପାଳନ କରିଥାଉଁ । ଏଥିରେ ତ୍ରୁଟିକଲେ ସମାଜରେ ଆମକୁ ନିନ୍ଦା ସହିବାକୁ ପଡ଼େ । ଭାରତୀୟ ପରିବାରକୁ ଗୋଟିଏ ସାମ୍ୟବାଦୀ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ସମସ୍ତେ ସମାନ ନୀତିନିୟମରେ ଆବଦ୍ଧ । ତାହା ସତ୍ତ୍ୱେ ଆମର ବ୍ୟକ୍ତିଗତ ସ୍ୱାଧୀନତା ଅଛି । ଯଦି କିଏ ଚାହେଁ, ତାହାହେଲେ ଏକାନ୍ନବର୍ତ୍ତୀ ପରିବାରକୁ ମଧ୍ୟ ସେ ତ୍ୟାଗ କରିପାରେ । ତାହା ସତ୍ତ୍ଵେ ନିଜର ସୌଭାଗ୍ୟରେ ଅନ୍ୟକୁ ଭାଗୀ କରିବା ହେଉଛି ଭାରତୀୟ ସଂସ୍କୃତି; କିନ୍ତୁ ରାଜାଜୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ପାଶ୍ଚାତ୍ୟ ସଭ୍ୟତାର ବ୍ୟକ୍ତିବାଦ ତଥାକଥିତ ସମାଜ ସଂସ୍କାରର ଭ୍ରଷ୍ଟ ପ୍ରଚାରଦ୍ୱାରା ଭାରତୀୟ ସଂସ୍କୃତି ଦୁର୍ବଳ ହୋଇପଡ଼ୁଛି । କାରଣ ଏକାନ୍ତବର୍ତ୍ତୀ ପରିବାର-ସଂସ୍କୃତି ଆମ ଭାରତର ଏକ ପ୍ରାଚୀନତମ ବୈଶିଷ୍ଟ୍ୟ । ଏହି ସଂସ୍କୃତି ବିରୁଦ୍ଧରେ ତଥାକଥିତ ପ୍ରଗତିର ଦ୍ୱାହି ଦେଇ ଯେଉଁ ଆନ୍ଦୋଳନ ଚାଲିଲା ତାହା ବହୁକାଳରୁ ପ୍ରଚଳିତ ବିକେନ୍ଦ୍ରୀକୃତ ସାମ୍ୟବାଦର ପ୍ରତିବନ୍ଧକ ହେଲା । ତେଣୁ ରାଜାଜୀ ତାହାର ଦୃଢ଼ ବିରୋଧ କରି କହିଛନ୍ତି ଯେ ଆମେ ତାହାଦ୍ୱାରା ଭୁଲ ପଥରେ ପରିଚାଳିତ ହେଲୁ । ଯେଉଁମାନେ ଆମ ସଂସ୍କୃତିରେ ଥିବା ସାହାଯ୍ୟ ବିଧିକୁ ପ୍ରତିକ୍ରିୟାଶୀଳ ବୋଲି ମନେକରନ୍ତି ସେମାନଙ୍କୁ ମଧ୍ୟ ରାଜାଜୀ ଭାବୀ ପରିଣାମ ପ୍ରତି ସାବଧାନ କରାଇ ଦେଇଅଛନ୍ତି ।

 

ଏକାନ୍ନବର୍ତ୍ତୀ ପରିବାର ଓ ଜାତି ଜରିଆରେ ଏପରିକି ଅରାଜକତା ସମୟରେ ମଧ୍ୟ ଆମ ଦେଶରେ କିପରି ବାଣିଜ୍ୟ, କଳା ଓ ସ୍ଥାପତ୍ୟର ବିକାଶ ଘଟିଥିଲା ତାହା ରାଜାଜୀ ଲେଖା ଓ ବକ୍ତୃତା ମାଧ୍ୟମରେ ବାରମ୍ବାର ଦେଶବାସୀଙ୍କ ନିକଟରେ କରିଛନ୍ତି ଉପସ୍ଥାପନ । ଆମେ ଆଜି ପରିବାର ଓ ଜାତି ପ୍ରଥାକୁ ସଂକୀର୍ଣ୍ଣତା ବୋଲି କହି ନାସିକା କୁଞ୍ଚନ କରିପାରୁ; କିନ୍ତୁ ତଦ୍ଦ୍ୱାରା କିପରି ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ଦର୍ଶନ ଅକ୍ଷୁଣ୍ଣ ରହିଥିଲା ଓ ଏ ଜାତି ସଂଯମ ଓ ଶୃଙ୍ଖଳାର ଅନୁବର୍ତ୍ତୀ ହୋଇପାରିଥିଲା, ତାହା ସେ ବେଶ୍ ହୃଦୟଙ୍ଗମ କରିଥିଲେ । ଗୋଷ୍ଠୀ ଓ ପରିବାର ଯୋଗୁଁ ଲୋକେ କୁଳଧର୍ମ, ଜାତିଧର୍ମ ତଥା ସର୍ବଭାରତୀୟ ଧର୍ମରେ ହୋଇଥିଲେ ଆବଦ୍ଧ । ସେ ସମୟରେ ସଂସ୍କୃତି ଜୀବନରେ ପୂର୍ତ୍ତିବିଧାନ କରିବା ସଙ୍ଗେ ସଙ୍ଗେ ଅରାଜକତା ସମୟରେ ତୁଲାଉଥିଲା ରାଜପୁରୁଷଙ୍କ ଦାୟିତ୍ୱ । ସଂଯମ ଥିଲା ସ୍ୱଭାବସିଦ୍ଧ । କୁଳ ଓ ଗୋଷ୍ଠୀ ଧର୍ମ ସମାଜରେ ଶାସନ ଶୃଙ୍ଖଳା ରକ୍ଷା କରିବା ଦିଗରେ ହେଉଥିଲା ସ୍ଵତଃ ସହାୟକ ।

 

ହିନ୍ଦୁ ସଂସ୍କୃତିରେ ଶାସକ ଓ ଶାସିତ ମଧ୍ୟରେ ଦୀର୍ଘ ବ୍ୟବଧାନ ନଥିଲା । ମହାଭାରତର ଶାନ୍ତି ପର୍ବରେ ଯୁଧିଷ୍ଠିର ଭୀଷ୍ମଙ୍କୁ ପ୍ରଶ୍ନ କରିଥିଲେ—“ରାଜା ଶବ୍ଦ ଉତ୍ପନ୍ନ ହେଲା କିପରି’’ ? ଭୀଷ୍ମ କହିଥିଲେ—‘‘ଯେ ସମଗ୍ର ପ୍ରଜାଙ୍କୁ ପ୍ରସନ୍ନ କରନ୍ତି ସେ ହେଉଛନ୍ତି ରାଜା’’ । ଶ୍ରୀମଦଭାଗବତରେ ଅଛି, ‘‘ଯେ ନିଜ ଚେଷ୍ଟାରେ ପ୍ରଜା ମନରେ ଆନନ୍ଦ ଦିଏ, ସେ ହେଉଛନ୍ତି ରାଜା” । ମନୁ ମଧ୍ୟ କହିଛନ୍ତି—‘ସମ୍ୟକ୍ ସର୍ବା ରଞ୍ଜୟତି ପ୍ରଜାଃ । ତାହାକୁ ସମର୍ଥନ କରି ମହାକବି କାଳିଦାସ ଲେଖିଛନ୍ତି—

 

‘‘ଯଥା ପ୍ରହ୍ଲାଦନାଶ୍ଚନ୍ଦ୍ରଃ ପ୍ରତାପାତ୍ତପନୋ ଯଥା

ତଥୈବ ସୋଽଭୁଦନ୍ୟର୍ଥୋ ରାଜା ପ୍ରକୃତି ରଞ୍ଜନାତ୍’’ ।

 

ଅର୍ଥାତ୍ ଯେପରି ଚନ୍ଦ୍ର ସମସ୍ତଙ୍କ ମନରେ ଆହ୍ଲାଦ ଦେଇ, ସୂର୍ଯ୍ୟ ସମସ୍ତଙ୍କୁ କିରଣ ଦାନକରି ନିଜ ନାମକୁ ସାର୍ଥକ କରିଛନ୍ତି, ରାମରାଜ୍ୟରେ ରଘୁ ସେହିପରି ପ୍ରଜାରଞ୍ଜନ କରି ରାଜାନାମ ସାର୍ଥକ କରିଛନ୍ତି । କୌଣସି ପ୍ରାଣୀଙ୍କୁ ଦୈହିକ, ଦୈବିକ ଓ ଭୌତିକ ତାପ ସ୍ପର୍ଶ କରୁନଥିଲା । ତାହା ବର୍ଣ୍ଣନା କରି ‘ରାମଚରିତମାନସରେ ତୁଳସୀ ଦାସ ଲେଖିଛନ୍ତି—

 

‘‘ଦୈହିକ, ଦୈବିକ ଭୌତିକ ତାପା

ରାମ ରାଜ ନାହିଁ କାହୁହି ବ୍ୟାପା ।’’

 

ସେହି ରାମରାଜ୍ୟର ପରମ୍ପରା ଆମ ସଂସ୍କୃତିରୁ କିପରି ବିଦାୟ ନେଇଛି, ତାହା ବୟାନ କରି ରାଜାଜୀ ଗଭୀର ଦୁଃଖ ପ୍ରକାଶ କରିଅଛନ୍ତି । ବର୍ତ୍ତମାନର ରାଜନୀତିରେ ଆମ ସଂସ୍କୃତି ପୂର୍ଣ୍ଣମାତ୍ରାରେ ଉପେକ୍ଷିତ ବୋଲି ସେ ଦୃଢ଼ ସମାଲୋଚନା କରିଅଛନ୍ତି ।

 

ଆମ ସଂସ୍କୃତିରେ ଭଗବତ୍ ବିଶ୍ଵାସ ଯେଉଁ ମୁଖ୍ୟ ନିୟାମକରୂପେ କାର୍ଯ୍ୟ କରୁଥିଲା, ତାହାର ଅବମାନନା ଆଜି ସମାଜରେ ବିବିଧ ଅବ୍ୟବସ୍ଥା ପାଇଁ ଦାୟୀ ବୋଲି ରାଜାଜୀଙ୍କର ମତ । ଆଧୁନିକ ଶିକ୍ଷାପଦ୍ଧତିକୁ ଦୋଷାରୋପ କରି ସେ କହନ୍ତି ଯେ ଏହାଦ୍ୱାରା ଆମ ସମାଜରେ ସୃଷ୍ଟି ହେଉଛି ବସ୍ତୁବାଦୀ ଚିନ୍ତାଧାରା ଓ ବ୍ୟକ୍ତିକୈନ୍ଦ୍ରିକତା । ଆମ ସଂସ୍କୃତିରେ ପୁନର୍ଜନ୍ମର ବିଶ୍ୱାସ ଆମକୁ ଦୟା, ସେବା ଓ ପରୋପକାର ଇତ୍ୟାଦି କର୍ମ ପାଇଁ ଯୋଗାଇ ଥାଏ ଅଫୁରନ୍ତ ପ୍ରେରଣା । ଏକାଧିକ ଦେବଦେବୀଙ୍କର ପୂଜାକୁ ସେ ସମର୍ଥନ କରି କହନ୍ତି ଯେ ଆମ ମନ୍ଦିରମାନଙ୍କରେ ଅନେକ ଦେବଦେବୀ ମନୁଷ୍ୟରୂପରେ ନଥାଇଥା’ନ୍ତି ପଶୁ ରୂପରେ । ଜୀବେ ଦୟାର ଏହା ହେଉଛି ଏକ ଜ୍ୱଳନ୍ତ ନିଦର୍ଶନ । ‘ଈଶାବାସ୍ୟଂ ଇଦଂ ସର୍ବଂ ଯତକିଞ୍ଚିତ୍ ଜଗତ୍ୟାଂ ଜଗତ୍”–ଏହି ମହତ୍ ବାଣୀ ଉପରେ ଆମର ଲୋକ ଚରିତ୍ର ଥିଲେ ଦୃଢ଼ ଓ ଅଟଳ । ତେଣୁ ସୃଷ୍ଟିର ସବୁ ପଦାର୍ଥରେ ଭଗବତ୍ ସତ୍ତା ବିରାଜମାନ ବୋଲି ଲୋକଙ୍କର ବିଶ୍ୱାସ ଥିଲା । ଏବେ ମଧ୍ୟ ବହୁ ପରିମାଣରେ ଅଛି । ତେଣୁ ଆମ ସଂସ୍କୃତିରେ ବହୁ ଦେବତାପୂଜା କୁସଂସ୍କାର ନୁହେଁ ବୋଲି ସେ ଅକାଟ୍ୟ ଯୁକ୍ତି ବାଢ଼ିଛନ୍ତି ।

 

ଧର୍ମଗ୍ରନ୍ଥର ପ୍ରଭାବ ବିଷୟରେ ରାଜାଜୀ କହନ୍ତି ଯେ ପାଶ୍ଚାତ୍ୟ ଦେଶମାନଙ୍କରେ ବାଇବେଲ ଯେପରି ଲୋକଙ୍କ ଜୀବନକୁ ନିୟନ୍ତ୍ରିତ କରେ, ଆମ ଦେଶରେ ସେହିପରି ରାମାୟଣ, ମହାଭାରତ ଓ ପୁରାଣମାନ ଆମ ଜୀବନର ପ୍ରତି ପଦକ୍ଷେପକୁ କରିଥାଏ ନିୟନ୍ତ୍ରିତ । ଏକ ସୂତ୍ରରେ ବନ୍ଧା ଆମର ଧର୍ମ, ଦର୍ଶନ ଓ ପୁରାଣ ଆମ ସଂସ୍କୃତିର ପ୍ରତ୍ୟେକ ବିଭାଗରେ ସ୍ପଷ୍ଟ ପ୍ରତିଫଳିତ । ତେଣୁ ବ୍ୟକ୍ତି ଜୀବନରେ ଏହା ସ୍ୱତଃ ପତିବିମ୍ୱିତ ହେବା ସ୍ୱାଭାବିକ । ଆଧୁନିକ ଶିକ୍ଷାପଦ୍ଧତି ଏହାର ମୂଳୋତ୍ପାଟନ କରିବା ପୂର୍ଣ୍ଣ ମାତ୍ରାରେ ସମ୍ଭବପର ନୁହେଁ ବୋଲି ତାଙ୍କର ଯୁକ୍ତି ।

 

ରାଜାଜୀ କହନ୍ତି ଯେ ଭାରତୀୟମାନେ ସାଧାରଣତଃ ରାମ, ସୀତା ଓ ଭରତଙ୍କୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥାନ୍ତି । ଆମର ଜୀବନ ମୁଖ୍ୟତଃ ପୁରାଣ ଓ ଧର୍ମ ଧାରଣା ଉପରେ ପର୍ଯ୍ୟବସିତ । ଏବେ ଲୋକେ ସରକାରଙ୍କୁ ସନ୍ଦେହ ଦୃଷ୍ଟିରୁ ଦେଖୁଅଛନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହନ୍ତି ଯେ ସେମାନେ ଶାସ୍ତ୍ରପୁରାଣରେ ଯାହା ପଢ଼ିଛନ୍ତି କିମ୍ବା ଶୁଣିଛନ୍ତି ସରକାରୀ କାରବାରରେ ତାହା ଦେଖିବାକୁ ପାଉନାହାନ୍ତି । ଏହି ବ୍ୟତିକ୍ରମ ହିଁ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଅନସ୍ଥାଭାବ ଜାଗ୍ରତ କରୁଛି । ପ୍ରଜାଙ୍କ ମନରୁ ସନ୍ଦେହ ଦୂରକରିବା ଲାଗି ରାମଚନ୍ଦ୍ର ସୀତାଙ୍କୁ ଯେଉଁ ପରୀକ୍ଷାର ସମ୍ମୁଖୀନ କରାଇଥିଲେ ସେହି ଉଦାହରଣ ଦେଇ ସେ କହନ୍ତି ଯେ ରାମାୟଣର ଆଦର୍ଶ ପୁରୁଷାନୁକ୍ରମେ ମଜ୍ଜାଗତ ହୋଇଯାଇଛି । ଦୋଷୀକୁ ଦଣ୍ଡ ନଦେଇ ପୁରସ୍କାର ଦେଉଥିବା ଶାସକଙ୍କୁ ସେମାନେ ବିଶ୍ୱାସ କରିବେ ବା କିପରି ? ବିଶେଷକରି ଲୋକପ୍ରତିନିଧିମୂଳକ ଶାସନରେ, ଯେଉଁଠି କି ଜନତା ଦେଇଥାଏ ଶାସନର ନିର୍ଦ୍ଦେଶନା, ସେଠି ଯଦି ସରକାରୀ କାରବାରକୁ ଭିତ୍ତିକରି ଅବିଶ୍ଵାସର ପ୍ରଶ୍ନ ଉଠେ, ତାହାହେଲେ ଗଣତନ୍ତ୍ରର ମୌଳିକ ସତ୍ତା ରହିଲା କେଉଁଠି ?

 

ସରକାରୀ ଓ ସମବାୟ ଋଣ ନେଇ ଲୋକେ ଅସଦ୍ ବିନିଯୋଗ କରିବାରୁ ପରିଶୋଧ କାଠିକର ପାଠ ହେଉଛି । ତାହା ଆଉ ପଇଠ ହେଉନାହିଁ; କିନ୍ତୁ ଆମ ସଂସ୍କୃତିରେ ଏକ ବଦ୍ଧମୂଳ ବିଶ୍ଵାସ ଥିଲା ଯେ ଧାରୁଆ ହୋଇ ମଲେ ପରଜନ୍ମରେ ମହାଜନ ବାଡ଼ିରେ ଲଙ୍କାଗଛ ହୋଇ ବକେୟା ଋଣ ସୁଝିବାକୁ ପଡ଼ିଥାଏ । ତେଣୁ ପିତୃଋଣ ପରିଶୋଧ ପୁତ୍ରର ଥିଲା ପରମ କର୍ତ୍ତବ୍ୟ । କିନ୍ତୁ ଏବେ ଜନ୍ମାନ୍ତର ବିଶ୍ଵାସ ଲୋକଙ୍କ ମନରୁ କ୍ରମେ ଅପସରି ଯାଉଛି । ତେଣୁ ଋଣ ଆଣି ଲୋକେ ନାହିରେ ତେଲ ପକାଇ ଦେଇ ବସୁଛନ୍ତି । ମୋଟ ଉପରେ ରାଜାଜୀ କହନ୍ତି ଯେ ପ୍ରାଚୀନ ସଂସ୍କୃତିକୁ ଆମେ ଯେତିକି ବିସ୍ମୃତି ଗର୍ଭରେ ହଜାଇ ଦେଉଛୁ, ସମାଜରେ ଅନ୍ୟାୟ ଅନାଚାର ପାଇଁ ସେତିକି ପଥ ପରିଷ୍କାର ହୋଇ ଯାଇଛି ।

 

ରାଜାଜୀ ଆଦୌ ନୈରାଶ୍ୟବାଦୀ ନୁହନ୍ତି । ଆମ ସଂସ୍କୃତିର ଏ ଦୁର୍ଦ୍ଦଶା ସତ୍ତ୍ଵେ ସେ କହନ୍ତି ଯେ ଆମେ ଦୃଢ଼ପ୍ରତିଜ୍ଞ ହୋଇ ଯଦି ସଂସ୍କୃତିର ମୌଳିକତା ଅକ୍ଷୁର୍ଣ୍ଣ ରଖିବା ଲାଗି ନିଜକୁ ସର୍ବାଗ୍ରେ ଭାରତୀୟ ବୋଲି ପରିଚୟ ଦେଇ ଆଗୁସାର ହେବା, ତାହାହେଲେ ଏ ଦେଶ ଓ ଜାତି ପୁନଶ୍ଚ ବିଗତ ବୈଭବ ନିଶ୍ଚୟ ଫେରିପାଇବ ।

Image

 

ଗଣତନ୍ତ୍ରର ଦଧିଚି

 

ବୃତ୍ତାସୁର କବଳରୁ ଦେବତାମାନଙ୍କର ଉଦ୍ଧାର ଲାଗି ଦଧିଚି ଯୋଗ ବଳରେ ନିଜର ଶରୀର ତ୍ୟାଗ କରିଥିଲେ । ସେହିପରି ପବିତ୍ର ଗଣତନ୍ତ୍ରକୁ ଅନିଷ୍ଟକାରୀ ଆସୁରୀ ପ୍ରଭାବରୁ ମୁକ୍ତ କରିବା ଲାଗି ଜୀବନର ସବୁ ଭୋଗ-ବିଳାସ ଓ ଅର୍ଥଲାଳସା ତ୍ୟାଗ କରିଥିଲେ ଏ ଯୁଗର ଦଧିଚି ରାଜାଜୀ । ପୁରାଣ ପ୍ରସିଦ୍ଧ ଅତିଥିବତ୍ସଳ ରାନ୍ତିଦେବ, ଶରଣାଗତବତ୍ସଳ ଶିବି ଇତ୍ୟାଦି ମହାମନା ଭାରତୀୟଙ୍କ ଆଦର୍ଶ ତାଙ୍କଠାରେ ହୋଇଥିଲା ପ୍ରତିଫଳିତ । ଅନେକଙ୍କ ମନରେ ସାଧାରଣତଃ ଗୋଟିଏ ପ୍ରଶ୍ନବାଚୀ ତୋଳିଉଠିଥାଏ, ତାହା ହେଉଛି—ଯେଉଁ ରାଜାଜୀ କଂଗ୍ରେସର ମୁଖ୍ୟ ଆଭିମୁଖ୍ୟ ‘ଗଣତନ୍ତ୍ର’ ପାଇଁ ଅବିକଳ୍ପ ତ୍ୟାଗପୂତ ଜୀବନଯାପନ କରି ଆସିଥିଲେ ସେ କଂଗ୍ରେସରୁ ବିଚ୍ଛିନ୍ନ ହେଲେ କାହିଁକି ? ତାହାର କାରଣ ହେଉଛି ଭାରତୀୟ ସଂସ୍କୃତିହିଁ ଥିଲା ରାଜାଜୀଙ୍କର ପରମଧେୟ । ତେଣୁ ସାମୟିକ ତାଙ୍କୁ ଉଗ୍ରବାଦୀ ବୋଲି କୁହାଯାଉଥିଲା । ଭାରତର ରାଷ୍ଟ୍ରନୀତି ଓ ଅର୍ଥନୀତିକୁ ବିଦେଶୀ ପ୍ରଭାବରୁ ମୁକ୍ତ କରିବାଲାଗି ସେ ଆଜୀବନ ଥିଲେ ଚେଷ୍ଟିତ । ନିଜସ୍ୱ ବିନିମୟରେ ଦେଶକୁ ସେ ନକଲ ନବୀସ କରିବାର ଥିଲେ ତୀବ୍ର ବିରୋଧୀ । ତାହା ବୋଲି ଯେ ସେ ବିଦେଶର ସୁପ୍ରଭାବକୁ ଏଡ଼ାଇ ଦେଉଥିଲେ, ତାହା ନୁହେଁ । ବାପୁଜୀ କହୁଥିଲେ—‘‘ମୋ ଗୃହର ବାତାୟନକୁ ମୁଁ ରୁଦ୍ଧ କରିବାକୁ ଚାହେଁନା । ସବୁ ଦେଶର କୃଷ୍ଟିରୂପକ ମଳୟ ମୋ ଗୃହ ମଧ୍ୟକୁ ପ୍ରବେଶ କରୁ; କିନ୍ତୁ ତଦ୍ଦ୍ୱାରା ମୋ ପାଦ ଭୂଇଁ ଉପରୁ ଉଠି ନଯିବା ପାଇଁ ମୁଁ ସର୍ବଦା ଚେଷ୍ଟିତ-।” ରାଜାଜୀଙ୍କର ମଧ୍ୟ ଅନୁରୂପ ବିଶ୍ୱାସ ଥିଲା । ଯେତେ ଦରିଦ୍ର ଓ ଅନଗ୍ରସର ହେଲେ ମଧ୍ୟ ଭାରତ ତାହାର ନିଜସ୍ୱ ରକ୍ଷା କରିପାରିବ ଏହି ଦୃଢ଼ ବିଶ୍ଵାସ ତାଙ୍କ ମନରେ ଶେଷ ପର୍ଯ୍ୟନ୍ତ ଥିଲା ସଜୀବ-

 

ଗାନ୍ଧୀଜୀ ରାଷ୍ଟ୍ରବାଦର ପ୍ରକୃତ ସ୍ଵରୂପ ବର୍ଣ୍ଣନା କରିବାକୁ ଯାଇ କହିଥିଲେ—କୌଣସି ଦେଶପ୍ରେମୀର ଉଗ୍ରମାନବ ପ୍ରେମ ନଥିଲେ ତା’ର ଦେଶପ୍ରେମ କଦାପି ଉଚ୍ଚ ତଥା ନିରାମୟ ହୋଇ ନପାରେ । ରାଷ୍ଟ୍ରବାଦୀ ନହେଲେ କାହାର ଅନ୍ତରରେ ଅନ୍ତରାଷ୍ଟ୍ରୀୟତାବାଦର ସଞ୍ଚାର ହୁଏ ନାହିଁ । ମୋର ଦେଶପ୍ରେମ କୌଣସି ବହିଷ୍କାରଶୀଳ ବସ୍ତୁ ନୁହେଁ । ବିନା ଅପବାଦରେ ଯେକୌଣସି ପରିସ୍ଥିତିରେ ମାନବ ଜାତିର ସୁସଙ୍ଗତ ତଥା ବୃହତ୍ତମ ହିତସାଧନ, ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସହିତ ଏକତୃତା ପ୍ରତିଷ୍ଠା ମୋର କାମ୍ୟ ।” ଗାନ୍ଧୀଜୀଙ୍କର ଏକାନ୍ତ ଅନୁରକ୍ତ ଭାବେ ରାଜାଜୀ ମଧ୍ୟ କହୁଥିଲେ ଯେ ଆମ ସଂସ୍କୃତିଦ୍ୱାରା ବିଶ୍ୱ ଅନୁପ୍ରାଣିତ କଥା ଉଦ୍‌ବୁଦ୍ଧ ହେଉ, ଏଥିପାଇଁ ମୁଁ ସର୍ବଦା ତତ୍ପର । ‘‘ବିଦେଶର ବିଜ୍ଞାନ ଓ ବୈଷୟିକ କୌଶଳ ଭାରତ ଆୟତ୍ତ କରୁ ଏଥିରେ ମୋର କୌଣସି ଆପତ୍ତି ନାହିଁ; କିନ୍ତୁ କଷ୍ଟଲବ୍ଧ ସ୍ଵାଧୀନତାକୁ ପ୍ରକାରନ୍ତରେ ପର ପାଦତଳେ ସମର୍ପଣ କରି ବାହ୍ୟ ସାହାଯ୍ୟ ସହଯୋଗ ଗ୍ରହଣ ମୁଁ କଦାପି ବରଦାସ୍ତ କରିପାରିବି ନାହିଁ” ।

 

ଆମେରିକାର ସାହାଯ୍ୟ ବିଷୟ ବର୍ଣ୍ଣନା କରି ସେଠାରେ କହିଥିଲେ—‘‘ଡିଟେକ୍‌ଟିଭ୍ ଉପନ୍ୟାସରେ ଯେପରି ଖେଳକୌଶଳ ଚାଲେ ବା ପୂର୍ବ ନିର୍ଦ୍ଧାରିତ ବିବାହ ବନ୍ଧନ ବେଳେ ଯେପରି ଅଭିନୟ ହୁଏ, ଏ ଋଣଗ୍ରହଣ ଠିକ୍ ସେହିପରି ଭାବେ ଚାଲିଛି । ଆମର ଅର୍ଥ ଲୋଡ଼ା ଏକଥା ମୁଁ ସ୍ଵୀକାର କରୁଛି; କିନ୍ତୁ ଯେଉଁ ଆମେରିକାର ଲୋକେ ବର୍ତ୍ତମାନ ଓ ଅନାଗତ ମାନବ ସମାଜ ବିରୋଧରେ ଦଣ୍ଡନୀୟ ଅପରାଧ ଆଚରଣ କରୁଛନ୍ତି (ବୋମା ତିଆରି କରି ଯଦ୍ଧବିଗ୍ରହରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି) ସେମାନଙ୍କଠାରୁ ଆର୍ଥିକ ସାହାଯ୍ୟ ନେବା ପ୍ରମାଦପୂର୍ଣ୍ଣ ବୋଲି ମୋର ମତ”-। ରାଜାଜୀଙ୍କର କେତେବର୍ଷ ତଳର ଏହି ଉକ୍ତିର ପରିଣତି ଦେଶବାସୀ ଏବେ ହୃଦୟଙ୍ଗମ କରିଛନ୍ତି-। ଭାରତ-ପାକିସ୍ଥାନ ଦ୍ୱିତୀୟ ଯୁଦ୍ଧ ସମୟରେ ପାକିସ୍ଥାନକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦେଇ ଭାରତକୁ ଗ୍ରାସ କରିବା ଲାଗି ଆମେରିକା ଯେଉଁ ପରୋକ୍ଷ ଉଦ୍ୟମ କରିଥିଲା, ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆମେରିକା ସାହାଯ୍ୟର କୁଫଳ ସେତିକିବେଳେ ହୃଦୟଙ୍ଗମ କରି ତାହା ଉପେକ୍ଷା କରିଥିଲେ । ସେତିକିବେଳେ ଦେଶବାସୀଙ୍କ ସମକ୍ଷରେ ପ୍ରମାଣିତ ହୋଇଥିଲା ଯୁଗଜ୍ୟୋତି ରାଜାଜୀଙ୍କର ଗଭୀର ପ୍ରଜ୍ଞା ଓ ସୁତୀକ୍ଷ୍‍ଣ ଦୂରଦୃଷ୍ଟିର ନିରାଟ ବାସ୍ତବତା ।

 

ଖାଦ୍ୟ କ୍ଷେତ୍ରରେ ଭାରତର ଅନୁସୃତ ବୈଦେଶିକ ନୀତିକୁ ସେ ନାପସନ୍ଦ କରୁଥିଲେ । ପି. ଏଲ. ୪୮୦ ଚୁକ୍ତିନାମା ଅନୁଯାୟୀ ଭାରତ ଆମେରିକାଠାରୁ ଯେପରି କୋଟି କୋଟି ଟଙ୍କାର ଖାଦ୍ୟ କ୍ରୟକଲା ତାହା ଦେଶର ଅର୍ଥନୀତି କ୍ଷେତ୍ରରେ ସଂକଟ ସୃଷ୍ଟି କରିବ ବୋଲି ସେ ବହୁପୂର୍ବରୁ ଦେଶର ନେତୃବୃନ୍ଦଙ୍କୁ ସାବଧାନୀ ଶୁଣାଇଥିଲେ । ତାଙ୍କର ଯୁକ୍ତିଥିଲା ଯେ ଯଦି ଅନାୟାସରେ ପ୍ରଚୁର ଖାଦ୍ୟ ସଂଗ୍ରହ କରାଯିବ, ତାହାହେଲେ ଭାରତୀୟ କୃଷକ ଅଧିକ ଉତ୍ପାଦନ ଲାଗି ଆଶାନୁରୂପ ଆଗ୍ରହୀ ହେବେ ନାହିଁ । ପୁନଶ୍ଚ କୋଟି କୋଟି ଟଙ୍କା ଋଣ କଲେ ଦେଶର ଆର୍ଥନୀତିକ ବିକାଶ ବାଧାପ୍ରାପ୍ତ ହେବ । ଭାରତର ନିରପେକ୍ଷ ବୈଦେଶିକ ନୀତିର ମଧ୍ୟ ସେ ବିରୋଧ କରି କହୁଥିଲେ ଯେ ବିଶ୍ୱର କୌଣସି ରାଷ୍ଟ୍ର ଏପରି ନୀତି ଗ୍ରହଣ କରିବା ଉଚିତ ନୁହେଁ । କାରଣ ଏତଦ୍ଦ୍ୱାରା ଦେଶ ନିଃସଙ୍ଗ ଓ ସାହାଯ୍ୟହୀନ ହୋଇ ପଡ଼ିବ ।

 

୧୯୫୪ ମସିହାରେ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଇ ଗଭୀର ଅଧ୍ୟୟନରତ ରହୁଥିଲେ ମଧ୍ୟ କଂଗ୍ରେସ ସରକାରଙ୍କର ମନୋମୁଖୀ କାର୍ଯ୍ୟକଳାପ ତାଙ୍କୁ ବାଧ୍ୟ କରିଥିଲା ନିଜ ପ୍ରିୟ କଂଗ୍ରେସ ଅନୁଷ୍ଠାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଲାଗି । ହିନ୍ଦୀକୁ ରାଷ୍ଟ୍ରଭାଷାରୂପେ ସର୍ବଭାରତୀୟ ସ୍ତରରେ ଲଦିଦେବା ନୀତିକୁ ସେ ପସନ୍ଦ କରିପାରିଲେ ନାହିଁ । ଏଣୁ ଦକ୍ଷିଣ ଭାରତରେ ହିନ୍ଦୀ-ବିରୋଧୀ ଆନ୍ଦୋଳନ ତେଜି ଉଠିଲା । ଗାନ୍ଧୀଜୀଙ୍କର ଇଚ୍ଛା-ଥିଲା ଯେ ଇଂରାଜୀ ସ୍ଥାନରେ ହିନ୍ଦୀକୁ ରାଜଭାଷାରୂପେ ପ୍ରଚଳନ କରାଇବା ଲାଗି; କିନ୍ତୁ ରାଜାଜୀ ବାପୁଜୀଙ୍କର ଏହି ଇଚ୍ଛାର ବିରୁଦ୍ଧାଚରଣ କରିଥିଲେ । ସେ ହିନ୍ଦୀ ପ୍ରଚଳନକାରୀ ନେତୃବନ୍ଦଙ୍କୁ ସାବଧାନୀ ଶୁଣାଇ କହିଥିଲେ—You should never think of foisting Hindi on the peoples of non-Hindi states against their will. *** you should know the elementary fact that to all men their mother-tongue is as near as their skin. It is woven into the warp and woof of their thought. Your insistence on Hindi as the link and official language harms the cause of national integration. ତାଙ୍କ ମତରେ ଇଂରାଜୀ ଆମ ଦେଶରେ ଜାତୀୟ ସଂହତିର ସହାୟକ । ଏହି ଭାଷା ଆମ ପକ୍ଷରେ ସମଗ୍ର ବିଶ୍ୱରବାତାୟନ ପରି । ଯେପର୍ଯ୍ୟନ୍ତ ସମଗ୍ର ଦେଶବାସୀ କୌଣସି ଗୋଟିଏ ଭାଷାକୁ କୋର୍ଟକଚେରୀର ଭାଷା-ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଇଂରାଜୀ ଭାଷା ବ୍ୟବହାର ଶ୍ରେୟସ୍କର । ହିନ୍ଦୀକୁ ରେଳଗାଡ଼ି ଓ ଇଂରାଜୀକୁ ଉଡ଼ାଜାହାଜ ସହିତ ସେ ତୁଳନା କରୁଥିଲେ । ତାଙ୍କ ମତରେ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ଦରକାର ରେଳଗାଡ଼ି, ମାତ୍ର ଅଳ୍ପ-ସଂଖ୍ୟକ ଲୋକେ ଶୀଘ୍ର ଯିବାଆସିବା ପାଇଁ ବ୍ୟବହାର କରିଥାନ୍ତି ଉଡ଼ାଜାହାଜ । ଉଡ଼ାଜାହାଜ ତ ଅଛି । ରେଳଗାଡ଼ିର ବହୁଳ ପ୍ରଚାର ହେଉ ବୋଲି ସେ କହୁଥିଲେ । ଇଂରାଜୀ ଭାଷା ଉଠାଇବା ପାଇଁ ଯେଉଁମାନେ ଆନ୍ଦୋଳନ କରୁଥିଲେ, ସେମାନଙ୍କୁ ବଜ୍ରଗମ୍ଭୀର ସ୍ୱରରେ ସେ କହୁଥିଲେ—‘‘ଇଂରାଜୀ କାହିଁକି ଉଠିବ ? ରେଳଲାଇନ, କୋର୍ଟକଚେରୀ, ପାଶ୍ଚାତ୍ୟ ଶିକ୍ଷା ଏ ଦେଶକୁ ଇଂରେଜମାନଙ୍କର ଅବଦାନ । ଯଦି ଇଂରାଜୀ ଭାଷା ଉଠାଇ ଦିଆଯିବ, ସେଗୁଡ଼ିକୁ ଉଠାଇ ଦିଆ ନଯିବ କାହିଁକି ? ଅଳ୍ପ ସଂଖ୍ୟକ ଲୋକଙ୍କର ହେଲେ ମଧ୍ୟ ଏହା କ’ଣ ଏକ କଥିତ ଭାଷା ନୁହେଁ’’ ? ଆନ୍ତର୍ଜାତିକ ଯୋଗାଯୋଗ ପାଇଁ ଇଂରାଜୀକୁ ସେ ଏକ ଦ୍ରୁତଗାମୀ ଉଡ଼ାଜାହାଜ ସହିତ ତୁଳନା କରିଥିଲେ ।

 

ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ଯେ କି ରାଜାଜୀଙ୍କୁ ସର୍ବଶ୍ରେଷ୍ଠ ଦୂରଦ୍ରଷ୍ଟା ରାଜନୀତିଜ୍ଞ ବୋଲି ସ୍ୱୀକାର କରୁଥିଲେ, ପରିସ୍ଥିତି ଚାପରେ ତାଙ୍କର ଏହିସବୁ ଯୁକ୍ତି ପ୍ରତି ସେତେବେଳେ ସମ୍ମାନ ପ୍ରଦର୍ଶନ କରିପାରି ନଥିଲେ । ତାହା ବୋଲି ଯେ ରାଜାଜୀଙ୍କ ଜବାହରଲାଲଙ୍କ ପ୍ରତି ଘୃଣା ଥିଲା, ତାହା ଠିକ୍ ନୁହେଁ । ଜବାହରଲାଲଙ୍କର ବିୟୋଗରେ ସେ କହିଥିଲେ—‘‘ମୋ ଠାରୁ ବାରବର୍ଷ ସାନ......ଦେଶପାଇଁ ମୋ ଅପେକ୍ଷା ୧୨ ଗୁଣ ଅଧିକ ଦରକାରୀ ଓ ମୋ ଅପେକ୍ଷା ୧୨ ଶହ ଗୁଣ ଅଧିକ ଜନପ୍ରିୟ ଜବାହର ଆଉ ନାହାନ୍ତି । ଏ ନିଷ୍ଠୁର ସମ୍ବାଦ ଶୁଣିବାକୁ ଅଲାଜୁକର ଆୟୁଷ ନେଇ ମୁଁ ବଞ୍ଚିରହିଛି । ସେ କେବଳ ଏ ସରକାରର ଦୋଷତ୍ରୁଟିକୁ ସୁଧାରିପାରିବେ ବୋଲି ମୁଁ ଦୀର୍ଘ ୧୦ ବର୍ଷ ଧରି ତାଙ୍କ ସହିତ ସଂଗ୍ରାମ କରି ଆସୁଥିଲି । ଏ ଯୁଦ୍ଧରେ ସେ ମୋତେ ଆଜି ଦୁର୍ବଳ କରି ଛାଡ଼ି ଚାଲିଗଲେ ।” ନେହେରୁଙ୍କର ରାଜାଜୀଙ୍କ ପ୍ରତି ମଧ୍ୟ ଭୟ ଓ ଭକ୍ତି ଥିଲା । ସମାଲୋଚନାରେ ତାଙ୍କ ପ୍ରତି ସଦୟ ହେବା ପାଇଁ ସେ ରାଜାଜୀଙ୍କୁ ବାରମ୍ଵାର ଆବେଦନ ଜଣାଉଥିଲେ । ରାଜନୈତିକ ଜୀବନରେ ସାମୟିକ ପରସ୍ପର ଆସି ଉତ୍ତୋଳନ କରୁଥିଲେ ମଧ୍ୟ ମାନ୍ଦ୍ରାଜ ଆସିଲେ ତାଙ୍କ ଦର୍ଶନ ଲାଗି ସେ ଧାଇଁ ଆସୁଥିଲେ କେଉଁ ଏକ ପ୍ରାଗୈତିହାସିକ ଯୁଗର ମୁନି ଆଶ୍ରମ ଭଳି କଳକି ପ୍ରେସର ଉଦ୍ୟାନ ଭିତରେ ଥିବା ତାଙ୍କର ସେହି କ୍ଷୁଦ୍ର କୁଟୀରକୁ ।

 

ବିଶ୍ୱର ୬୧ଟି ରାଷ୍ଟ୍ର ଆଣବିକ ଅସ୍ତ୍ର-ନିରୋଧ ଚୁକ୍ତିରେ ସ୍ୱାକ୍ଷର କରିଥିଲେ; କିନ୍ତୁ ଫ୍ରାନ୍ସ, ପଶ୍ଚିମ ଜର୍ମାନୀ, ଚୀନ, ଉତ୍ତର କୋରିଆ ଓ ଉତ୍ତର-ଭିଏତ୍‌ନାମ ଏହି ଚୁକ୍ତିପ୍ରତି ସମ୍ମାନ ପ୍ରଦର୍ଶନ କରିନଥିଲେ । ଭୂଗର୍ଭ ବ୍ୟତୀତ, ଜଳ, ସ୍ଥଳ, ଆକାଶରେ ପରମାଣୁବୋମା ବିସ୍ଫୋରଣ ବନ୍ଦ କରିବାକୁ ଏହି ଚୁକ୍ତିରେ ନିର୍ଦ୍ଦେଶ ଥିଲା । ଏହି ଭୟାବହ କାର୍ଯ୍ୟରୁ ବିରତ ହେବାଲାଗି ବରଟାଣ୍ଡର ସେଲ ଓ ରାଜାଜୀଙ୍କ ଭଳି ବହୁ ମନୀଷୀ ସୁଚିନ୍ତିତ ପ୍ରବନ୍ଧମାନ ପ୍ରକାଶକରି ବିଶ୍ୱଜନମତକୁ ଜାଗ୍ରତ କରିଥିଲେ । ଗାନ୍ଧୀ ଶାନ୍ତି ଆନ୍ଦୋଳନର ନେତୃତ୍ୱ ନେଇ ପରମାଣୁ ବୋମା ପରୀକ୍ଷାର କେନ୍ଦ୍ରସ୍ଥଳୀ ଖ୍ରୀଷ୍ଟମାସ ଦ୍ୱୀପରେ ବୀର ଦର୍ପରେ ଉଭା ହୋଇ ସେ ଯୁଦ୍ଧପ୍ରେମୀ ରାଷ୍ଟ୍ରମାନଙ୍କ ବିରୁଦ୍ଧରେ ଶତ-ସିଂହର ସ୍ୱର ଉତ୍ତୋଳନ କରିଥିଲେ ।

 

୧୯୬୨ ମସିହାରେ ନିଜର ଶାରୀରିକ ଦୁର୍ବଳତା ସତ୍ତ୍ଵେ ଶାନ୍ତି କମିସନର ପ୍ରତିନିଧିରୂପେ ସେ ଋଷିଆ, ଇଂଲଣ୍ଡ ଓ ଆମେରିକା ଯାଇ ସେଠାକାର ବିଶିଷ୍ଟ ରାଜନୀତିଜ୍ଞମାନଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କରି ଅଦମ୍ୟ ଉଦ୍ୟମ ଫଳରେ ଋଷିଆ ଓ ଆମେରିକା ମଧ୍ୟରେ ଏକ ପରମାଣୁ—ନିରୋଧ ଚୁକ୍ତି ହୋଇ ପାରିଥିଲା ସମ୍ଭବପର । ଏହି ଗସ୍ତ କ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‌କାଳୀନ ପ୍ରେସିଡେଣ୍ଟ ଲିଣ୍ତନ୍ ଜନ୍‌ସନ୍‌ଙ୍କ ଆଳାପ ଆଲୋଚନା ଲାଗି ତାଙ୍କୁ ଅଧଘଣ୍ଟାଏ ସମୟ ମିଳିଥିଲା । ମାତ୍ର ଜନ୍‌ସନ୍‌ ତାଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱରେ ମନ୍ତ୍ରମୁଗ୍‌ଧ ହୋଇ ସାକ୍ଷାତ୍‌କାରର ନିର୍ଦ୍ଧାରିତ ସମୟସୀମା ଲଂଘନ କରିଥିଲେ । ଅଧଘଣ୍ଟାଏ ସ୍ଥଳେ ସେ ଦୁହିଁଙ୍କର ଆଳାପ ଆଲୋଚନା ଦୀର୍ଘ ଦେଢ଼ଘଣ୍ଟା ଧରି ଚାଲିଥିଲା । ଯେତେବେଳେ ସାକ୍ଷାତକାର ଶେଷ ହେଲା ପରମ୍ପରା ଭଙ୍ଗକରି ପ୍ରେସିଡେଣ୍ଟ ଜନସନ ତାଙ୍କୁ ବିଦାୟ ଦେବାଲାଗି ଚାଲି ଚାଲି ଆସିଥିଲେ ହ୍ଵାଇଟ୍‌ ହାଉସ୍‌ର ଫାଟକ ପର୍ଯ୍ୟନ୍ତ ।

 

ନିଜର ଅସୁସ୍ଥତା ଦୃଷ୍ଟିରୁ ରାଜାଜୀ ଜାପାନରେ ଅନୁଷ୍ଠିତ ହେଉଥିବା ଶାନ୍ତି ସମ୍ମିଳନୀକୁ ଯାଇପାରି ନ ଥିଲେ । ଜାପାନରୁ ଯେଉଁ ପ୍ରତିନିଧିମାନେ ତାଙ୍କୁ ନିମନ୍ତ୍ରଣ କରିବା ଲାଗି ଭାରତ ଆସିଥିଲେ ସେମାନେ ରାଜାଜୀଙ୍କୁ ପରମାଣୁ ବୋମା ବିଧ୍ୱସ୍ତ ନାଗାସାକୀ ଓ ହିରୋସିମା ସହରର ହୃଦୟ-ବିଦାରକ ଆଲୋକ ଚିତ୍ରମାନ ଉପହାର ଦେବାରୁ ସେ ମର୍ମାହତ ହୋଇ ଆବେଗପରାୟଣ ସ୍ୱରରେ କହିଥିଲେ-“ମୁଁ ସେ ସବୁ ଚିତ୍ର ଦେଖିବାକୁ ଚାହେନା । ଜାପାନରେ ମଧ୍ୟ ସେସବୁ ଚିତ୍ର ପ୍ରଦର୍ଶିତ ହେବା ଉଚିତ ନୁହେଁ । କାରଣ ଏସବୁ ଚିତ୍ର ଜାପାନବାସୀଙ୍କ ମନରେ ପୂର୍ବ ସ୍ମୃତି ଜାଗରୂକ କରି ଗଭୀର ଆନ୍ଦୋଳନର ସୂତ୍ରପାତ କରିବ । ବରଂ ଏହି ଚିତ୍ରଗୁଡ଼ିକୁ ସେମାନେ ଇଂଲଣ୍ଡ ଓ ଫ୍ରାନ୍‍ସ ଇତ୍ୟାଦି ଦେଶ, ଯେଉଁମାନେ ଏହି ଅସ୍ତ୍ର ପରୀକ୍ଷା କରି ବିଶ୍ୱକୁ ଧ୍ୱଂସ ପାଖକୁ ଟାଣି ନେଉଛନ୍ତି, ସେହିଠାରେ ପ୍ରଦର୍ଶିତ କରାଇବା ଉଚିତ । ସେ ପୁଣି କହୁଥିଲେ—‘‘ଅଣୁ ଅସ୍ତ୍ର ନିଶ୍ଚିତଭାବେ ଆତ୍ମଘାତୀ । ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଦରକାର; ମାତ୍ର ଏ ଅସ୍ତ୍ର ନୁହେଁ । ଲୋକେ ଚୋର ଭୟରେ କୁକୁର ପାଳନ୍ତି, ମାତ୍ର ବାଘ ପାଳନ୍ତି ନାହିଁ’’ ।

 

ସ୍ପଷ୍ଟବାଦିତା ରାଜାଜୀଙ୍କର ଥିଲା ଏକ ମହନୀୟ ଗୁଣ । ସେ ଯାହା ଚିନ୍ତା କରୁଥିଲେ ସେଥିରେ ଅସ୍ପଷ୍ଟତାର ଆବରଣ ନ ଦେଇ ସେ ବ୍ୟକ୍ତ କରୁଥିଲେ ନିର୍ଭୟ ଚିତ୍ତରେ । ସେନାବାହିନୀରୁ ଅବସର ନେଇ ଆଇଜେନ୍-ହାଓ୍ୱାର ଯେତେବେଳେ ଆମେରିକାର ପ୍ରେସିଡେଣ୍ଟ ରୂପେ ନିର୍ବାଚିତ ହେଲେ, ସେତେବେଳେ ଆମ ଦେଶର ନେତୃବୃନ୍ଦ ତାଙ୍କ ନିକଟକୁ ଅଭିନନ୍ଦନ ବାର୍ତ୍ତାମାନ ପଠାଇଥିଲେ; କିନ୍ତୁ ରାଜାଜୀ ତାଙ୍କ ନିର୍ବାଚନରେ ଆନନ୍ଦ ପରିବର୍ତ୍ତେ ପ୍ରକାଶ କରିଥିଲେ ଗଭୀର ଦୁଃଖ । ସେ କହିଥିଲେ-‘‘ସେନାଧ୍ୟକ୍ଷ ଯଦି କୌଣସି ରାଷ୍ଟ୍ରର ସର୍ବାଧିନାୟକ ହୁଅନ୍ତି ତାହାହେଲେ ଶାନ୍ତି ପ୍ରତିଷ୍ଠାର ଯେକୌଣସି ଉଦ୍ୟମ ବ୍ୟର୍ଥ ହେବା ସ୍ୱାଭାବିକ । କାରଣ ଜଣେ ସେନାଧ୍ୟକ୍ଷଙ୍କ ପକ୍ଷରେ ସାଧାରଣତଃ ଶାନ୍ତିକାମନା ତାଙ୍କ ଜୀବନ ଆଭିମୁଖ୍ୟର ବହିର୍ଭୂତ । କଂସେଇ ଗୋଦହନ କଲେ ମଧ୍ୟ ଅମୃତୋପମ ଦୁଗ୍ଧର ଚିନ୍ତା ନ କରି ଚିନ୍ତା କରିଥାଏ ଗୋମାଂସ କଥା” । ବିଶ୍ୱର ଏକପାର୍ଶ୍ଵରେ ଧ୍ୱଂସର ତାଣ୍ଡବଲୀଳା ଚାଲିଥିଲା ସମୟରେ ଶାନ୍ତି ସମ୍ମିଳନୀର ଉଦ୍ୟମ ବ୍ୟର୍ଥ ଓ ନିଷ୍କ୍ରିୟ ବୋଲି ସେ କହୁଥିଲେ ।

 

ବିନୋବାଜୀଙ୍କ ପ୍ରତି ରାଜାଜୀ ଭକ୍ତି ଓ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ; କିନ୍ତୁ ଭୂଦାନ ଆନ୍ଦୋଳନ ଜରିଆରେ ଜମି ସଂଗ୍ରହ ଓ ବଣ୍ଟନ ପଦ୍ଧତିକୁ ସେ ସମାଲୋଚନା କରୁଥିଲେ । ସେ କହୁଥିଲେ ଜଣେ ବ୍ୟକ୍ତିଙ୍କଠାରୁ ଦାନ ସୂତ୍ରରେ ଜମି ଆଣି ଅନ୍ୟକୁ ଦେଇ ଭୂଦାନ କର୍ମୀମାନେ ନିଜକୁ ଦାନୀ ବୋଲାଇବାକୁ ମୁଁ ପସନ୍ଦ କରିପାରୁ ନାହିଁ । ଦାତା ଗ୍ରହୀତାଙ୍କୁ ସିଧାସଳଖ ଦାନକଲେ ଯେଉଁ ଆନନ୍ଦ ପାଇଥାନ୍ତି, ତାହା ଜମିଦାତାମାନଙ୍କୁ ମିଳୁ ନାହିଁ । ଭୂଦାନ ଆନ୍ଦୋଳନ ଏ ଦେଶରେ ଭୂସମସ୍ୟା ସମାଧାନ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟଭାବେ କହୁଥିଲେ ।

 

ଗଣତନ୍ତ୍ରର ସମୃଦ୍ଧି ଓ ସଫଳତା ପାଇଁ ଏକ ଶକ୍ତଶାଳୀ ବିରୋଧୀ ଦଳ ଗଢ଼ିବା ଲାଗି ଦିନେ ସେ ଯେଉଁ ଦଳର ଥିଲେ ପ୍ରାଣପ୍ରତିଷ୍ଠାତା, ସେହି ଦଳ ବିରୁଦ୍ଧରେ ତାଙ୍କର ସୁପରିଚିତ ଧ୍ୱନି ଥିଲା—‘‘କୋଟା-ପରମିଟ୍-ଲାଇସେନ୍‍ସ-ରାଜ” । ଗଣତନ୍ତ୍ର ଏ ଦେଶରେ ଜଣତନ୍ତ୍ରରେ ପରିଣତ ହେଉଛି ବୋଲି ସେ ଶାସକବର୍ଗଙ୍କୁ ବାରମ୍ବାର ସମାଲୋଚନା କରୁଥିଲେ । ଇନ୍ଦିରା ଗାନ୍ଧୀଙ୍କ ଶାସନକୁ ଏକଛତ୍ରବାଦୀ ଶାସନ ଓ ଇନ୍ଦିରାକୁ ‘ସାମୟିକ ଆକର୍ଷଣୀ’ ବୋଲି ସେ ତୀବ୍ର ଆକ୍ଷେପ କରୁଥିଲେ ।

 

ସଂସଦୀୟ ଗଣତାନ୍ତ୍ରିକ ପଦ୍ଧତି (Parliamentary Democracy)ରେ ଭାରତର ଶାସନ ପ୍ରଚଳିତ ହେବ ବୋଲି ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଏ ଦେଶର ପବିତ୍ର ସମ୍ବିଧାନ ଘୋଷଣା କରିଥିଲା । ସଂସଦୀୟ ଗଣତନ୍ତ୍ରରେ ପୃଥକ ରାଜନୈତିକ ଆଦର୍ଶ ଉପରେ ପ୍ରତିଷ୍ଠିତ ଦୁଇଟି ଦଳର ପ୍ରୟୋଜନୀୟତା ଅପରିହାର୍ଯ୍ୟ; କିନ୍ତୁ ଭାରତରେ ଦୃଢ଼ ବିରୁଦ୍ଧ ଦଳର ଅଭାବ ଗଣତନ୍ତ୍ରକୁ ଏକଛତ୍ରବାଦରେ ପରିଣତ କରୁଛି ବୋଲି ସେ କହୁଥିଲେ । ସମାଜବାଦୀ ଆଦର୍ଶରେ ବିଶ୍ଵାସ କରୁଥିବା କଂଗ୍ରେସ, ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟମାନେ ଗୋଷ୍ଠୀ ଦୃଷ୍ଟିରୁ ଭିନ୍ନ ହେଲେହେଁ, ସେମାନେ ବସ୍ତୁତଃ ଗୋଟିଏ ଦଳର ଛତ୍ରଚ୍ଛାୟା ତଳେ ଆଶ୍ରିତ—ତାହା ହେଉଛି ସମାଜବାଦୀ ଦଳ । ରାଜାଜୀଙ୍କ ମତରେ କ୍ରମବର୍ଦ୍ଧନଶୀଳ ରାଷ୍ଟ୍ରବାଦ, ନିୟନ୍ତ୍ରିତ ଅର୍ଥନୀତି, ବ୍ୟକ୍ତିଗତ ଉଦ୍ୟମ ଓ ଉଦ୍ୟୋଗ ଇତ୍ୟାଦିର ବିକାଶ ଦିଗରେ ଏମାନେ ପରୋକ୍ଷରେ ଅନ୍ତରାୟ ସୃଷ୍ଟି କରୁଅଛନ୍ତି । ଭାରତବାସୀ କ୍ରମେ ଆର୍ଥନୀତିକ ସ୍ଵାଧୀନତା ହାସଲକରିବା ପରିବର୍ତ୍ତେ ଅଧିକରୁ ଅଧିକ ପରମୁଖାପେକ୍ଷୀ ଓ ସରକାରଙ୍କ କ୍ରୀତଦାସରେ ପରିଣତ ହେଉଛନ୍ତି । ଯେଉଁ ସଂଖ୍ୟାଲଘୁ ବିରୋଧୀ ଦଳ ମୁଣ୍ଡଟେକି ଉଠୁଛନ୍ତି, ସେମାନଙ୍କୁ ନେହେରୁଙ୍କ ତୁଙ୍ଗ ବ୍ୟକ୍ତିତ୍ୱ ନିଷ୍‍ପ୍ରଭ ଓ ନିଶ୍ଚଳ କରି ପକାଉଛି । ନିଜର ସ୍ୱାଧୀନ ମତ ବ୍ୟକ୍ତ କରିବା ଲାଗି ଲୋକେ ପୃଥକ୍ ମଞ୍ଚ ପାଉନାହାନ୍ତି । ଲହୁ ଓ ଲୁହର ବିନିମୟରେ ପ୍ରାପ୍ତ ସ୍ଵାଧୀନତା ସ୍ୱାଦହୀନ ହୋଇ ପଡ଼ୁଛି । ପବିତ୍ର ସମ୍ୱିଧାନ କ୍ରମେ ପରିଣତ ହେଉଛି ଐତିହାସିକ ଛିନ୍ନ ପୃଷ୍ଠାରେ । ଏଣୁ ଗଣତନ୍ତ୍ରର ସୁରକ୍ଷାଲାଗି ୧୯୫୯ ଅଗଷ୍ଟ ପହିଲା ଦିନ ଏକ ଜାତୀୟବାଦୀ ସ୍ୱତନ୍ତ୍ର ଦଳର ସ୍ରଷ୍ଟାଭାବେ ସେ ଘୋଷଣା କରିଥିଲେ ଯେ ଭାରତୀୟ ଧର୍ମ ଓ ସଂସ୍କୃତି ତଥା ଗାନ୍ଧୀବାଦର ଆଦର୍ଶରେ ଆମେ ଗଣତନ୍ତ୍ରକୁ ସୁରକ୍ଷିତ କରିବା । ଯେଉଁ ପନ୍ଥାରେ ଦ୍ଵିତୀୟ ମହାଯୁଦ୍ଧର ଭସ୍ମସ୍ତୂପ ଗର୍ଭରୁ ଜର୍ମାନୀର ଅଭ୍ୟୁଦୟ ଓ ଯେଉଁ ପନ୍ଥାରେ ଜାପାନ ‘ପ୍ରାଚ୍ୟ ଜଗତରେ ସୂର୍ଯ୍ୟ’ ଆଖ୍ୟାକୁ ସାର୍ଥକ କରିଛି, ସେହି ପନ୍ଥାରେ ଉଦ୍‌ବୁଦ୍ଧ ହୋଇ ଆମେ ଆଗୁସାର ହେବା । ସ୍ଵାଧୀନତା ଜରିଆରେ ସମୃଦ୍ଧି (Prosperity through freedom) ନାମକ ପୁସ୍ତକରେ ସେ ତାଙ୍କର ଏହିସବୁ ରାଜନୈତିକ ସ୍ୱପ୍ନକୁ ଲିପିବଦ୍ଧ କରିଛନ୍ତି ।

 

ଯାହାକୁ ସେ ସତ୍ୟ ବୋଲି ଭାବୁଥିଲେ, ଯେତେ ଝଡ଼ଝଞ୍ଜା ଆସୁ ପଛକେ ତାହାକୁ ପାଳନ କରିବା ପାଇଁ ଯେକୌଣସି ନିର୍ମମ ପଥ ସେ ବାଛି ନେଉଥିଲେ । ଶଲ୍ୟ ବିଶାରଦଙ୍କ ଶାଣିତ କ୍ଷୁର ଭଳି ତାଙ୍କ ବୌଦ୍ଧିକ ଯୁକ୍ତି ଧାରରେ ସମାଜର ଗଳିତ କ୍ଷତଗୁଡ଼ିକରେ ଅସ୍ତ୍ରୋପଚାର କରିବାଲାଗି ସେ ଥିଲେ ସର୍ବଦା ପ୍ରସ୍ତୁତ । ଗଣତନ୍ତ୍ରର ସଜାଗ ପ୍ରହରୀ ଭାବରେ ୨୪ ଓ ୨୫ତମ ସମ୍ବିଧାନ ସଂଶୋଧନ ସମ୍ପର୍କରେ ସେ ସରକାରଙ୍କୁ ଚେତାବନୀ ଶୁଣାଇ କହିଥିଲେ ଯେ ମୌଳିକ ଅଧିକାର ଓ ସମ୍ପତ୍ତି ଉପରେ ଅଧିକାର କ୍ଷୁର୍ଣ୍ଣ ହେଲେ ସମାଜରେ ବିଶୃଂଖଳା ସୃଷ୍ଟିହିଁ ସାର ହେବ । ବ୍ୟାଙ୍କ ଜାତୀୟକରଣକୁ ସେ ମଧ୍ୟ ବିରୋଧ କରୁଥିଲେ । ଏହାଦ୍ୱାରା ଦେଶର ଆର୍ଥନୀତିକ ବିକାଶ ହେବ ନାହିଁ ଓ ଘରୋଇ ବ୍ୟାଙ୍କମାନଙ୍କଦ୍ୱାରା ଲୋକେ ଯଥେଷ୍ଟ ଉପକୃତ ହେଉଥିଲେ ବୋଲି ସେ କହୁଥିଲେ । ତାଙ୍କ ଜୀବନର ଆଦର୍ଶ ଥିଲା—

 

‘‘Let the whole world rise against me

And calumny and ridicule pour without relent,

Let me lose my most precious possessions

And be driven to beg for my daily food.

Why, let my friends turn against me

And seek to poison my very food.

Let men attack me arrayed in regiment,

And armed with deadly weapons.

Let the heavens break loose and fall on my head

There is no fear in my heart for why should I fear’’.

 

ଶୂବ୍ରମଣ୍ୟ ଭାରତ

 

ସମସ୍ତ ବିଶ୍ଵବାସୀ ମୋ ବିରୁଦ୍ଧରେ ଠିଆ ହୋଇ ବ୍ୟଙ୍ଗବିଦ୍ରୁପ କରନ୍ତୁ । ମୁଁ ସର୍ବହରା ହୋଇ ପଥର ଭିକାରୀ ହୁଏ, ବନ୍ଧୁ ପରମ ଶତ୍ରୁରେ ପରିଣତ ହୁଅନ୍ତୁ, ଆକାଶ ମୋ ମୁଣ୍ଡ ଉପରେ ଛିଡ଼ିପଡ଼ୁ ପଛକେ ମୁଁ ନିଭୀକ ଆଦର୍ଶରେ ଅଟଳ ଅନ୍ୟକୁ ଡରିବି ବା କାହିଁକି ?

Image

 

ଚେତାବନୀ

 

ବିଂଶ ଶତାବ୍ଦୀରେ ରାଜାଜୀ ଏ ଦେଶର ଜନୈକ ଅଗ୍ରସାରଥିରୂପେ ପରିଗଣିତ । ତାଙ୍କର ବାଣୀ ଓ ବାର୍ତ୍ତା ଆଜି ସମଗ୍ର ଦେଶବାସୀଙ୍କ କର୍ଣ୍ଣ-କୁହରରେ ନିନାଦିତ ହେଉଛି ଓ ଅନାଗତ ବହୁବର୍ଷ ପର୍ଯ୍ୟନ୍ତ ନିନାଦିତ ହେବ ମଧ୍ୟ । ଏହି ବାଣୀ ଓ ବାର୍ତ୍ତାରୁ ସେହି ମହାମନା ରାଜନୀତିଜ୍ଞଙ୍କର ଜୀବନରେ ନିର୍ଭୟଚିରତା ଓ ସ୍ଥିତପ୍ରଜ୍ଞାର ସ୍ଥୂଳ ପରିଚୟ ଆମ୍ଭେମାନେ ପାଇଥାଉ-। ତନ୍ମଧ୍ୟରେ ମାତ୍ର କେତୋଟି ଏଠାରେ ପ୍ରଣିଧାନ କରାଯାଇଛି ।

 

୧ । ମନ୍ତ୍ରୀମାନେ ଜନସାଧାରଣଙ୍କ ସେବକ—ରାଜାଜୀ ବାରମ୍ବାର ରାଜ୍ୟ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାବଧାନୀ ଶୁଣାଇ କହିଛନ୍ତି ଯେ ତୁମ୍ଭେମାନେ ହେଉଛ ଜନସାଧାରଣଙ୍କ ସେବକ । ସେମାନଙ୍କୁ ମଧୁର ବଚନ କହି କିମ୍ବା ଫମ୍ପା ପ୍ରତିଶ୍ରୁତି ଦେଇ ବିପଥଗାମୀ କର ନାହିଁ । ଧର୍ମର ଦ୍ୱାହି ଦେଇ କୌଣସି କାର୍ଯ୍ୟ କରନାହିଁ କିମ୍ବା ଲୋକଙ୍କୁ ତାହା କରିବାକୁ ଶିକ୍ଷା ଦିଅ ନାହିଁ । କାରଣ ତୁମ ପ୍ରଣୀତ ଆଇନଠାରୁ ଧର୍ମର ସ୍ଥାନ ଖୁବ୍ ଉଚ୍ଚରେ । ଲୋକଙ୍କ ଆସ୍ଥାବଳରେ ତୁମେ ଯେଉଁ ପଦ ଓ ପଦବୀ ପାଇଛ ତାହାର ଅସଦ୍ ବ୍ୟବହାର ନ କରି ନିର୍ମଳ ଓ ସକ୍ରିୟ ପ୍ରଶାସନ ବଳରେ ସେମାନଙ୍କର ଉପଯୁକ୍ତ ସେବକ ହୁଅ । ଲୋକଙ୍କ ମଧ୍ୟରେ ଅସାଧୁତା ଓ କୁସଂସ୍କାର ଆଣିଲା ଭଳି କୌଣସି ନୀତିର ପ୍ରବର୍ତ୍ତନ କର ନାହିଁ ।

 

୨ । ରାଜନୀତିରେ ଭଲ ଓ ଭେଲ—ରାଜନୀତିଜ୍ଞମାନଙ୍କୁ ଆହ୍ୱାନୀ ଜଣାଇ ରାଜାଜୀ କହିଛନ୍ତି ଯେ ତୁମର କର୍ତ୍ତବ୍ୟ ଅତି ପବିତ୍ର । ରାଜନୀତିରେ ସବୁକିଛି ଭଲ, ଏହା ଭାବିବା ଭୁଲ । ତୁମକୁ ବିଚାର କରିବାକୁ ହେବ ଯେ ରାଜନୀତି ହେଉଛି ନିସ୍ୱାର୍ଥପର ସେବାର ଏକ ଅମୋଘ ଅସ୍ତ୍ର । ଏହାକୁ ପ୍ରତାରଣା କିମ୍ବା ଆତ୍ମବଡ଼ିମା ପ୍ରଖ୍ୟାପନର ଆୟୁଧରୂପେ ବ୍ୟବହାର କରିବା ଉଚିତ ନୁହେଁ-। ଭୋଟ କିଣି ଭେଟଦାତାମାନଙ୍କୁ କଳଙ୍କିତ କରିବା ଏକ ମହାନ୍ ପାପ । ତୁମ୍ଭେମାନେ ଦୂରଦୃଷ୍ଟି ପ୍ରସାରିତ କରି ଭାରତ ଭାଗ୍ୟବିଧାତାଙ୍କର ନିର୍ଦ୍ଧାରିତ ପଥ ଅନୁସରଣ କର । ବନ୍ଧୁମାନଙ୍କ ପରି ବିରୋଧୀମାନଙ୍କୁ ମଧ୍ୟ ଉତ୍ତମ ବ୍ୟବହାର କର । କ୍ଷମତାର ଅନୁଧାବନ କର ନାହିଁ ।

 

୩ । ଦେଶର ଯୋଜନାକୁ ସ୍ଥାଣୁ କରିବାରେ ଯୋଜନାକାରମାନେ ହିଁ ଦାୟୀ—ଯୋଜନାକାରମାନଙ୍କୁ ବାରମ୍ବାର ରାଜାଜୀ କହିଛନ୍ତି ଯେ ଅତ୍ୟାଧିକ ଆଦର୍ଶର ଅନୁବର୍ତ୍ତିତା, ଦୂରଦୃଷ୍ଟି ଓ ସ୍ଥିର ଚିନ୍ତାର ଅଭାବଯୋଗୁଁ ତୁମ୍ଭେମାନେ ଦେଶର ଯୋଜନାରେ ସ୍ଥାଣୁତ୍ୱ ସୃଷ୍ଟି କରୁଅଛ-। ସର୍ବଦା ଆର୍ଥନୀତିକ ବୈଷମ୍ୟ ଦୂର କରିବ ବୋଲି କହିଲେ ଦେଶର ପ୍ରକୃତ ବିକାଶ ଆଣି ପାରିବ ନାହିଁ । ଅଯଥା ଟିକସ ବସେଇ କିମ୍ବା ଆଖିବୁଜି ବିଦେଶରୁ ଋଣ ଆଣି ଯୋଜନା ପାଇଁ ପ୍ରୟୋଜନୀୟ ପୁଞ୍ଜି ସଂଗ୍ରହ କରିବା ମଧ୍ୟ ତୁମମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ମନୋମୁଖୀ ଯୋଜନା ଯୋଗୁଁ ଦେଶରେ ଶ୍ରମିକ ଅଶାନ୍ତି, ରାଜ୍ୟମାନଙ୍କ ମଧ୍ୟରେ ଈର୍ଷାପ୍ରଣୋଦିତ ମନୋଭାବ ଓ ବିବାଦର ସୂତ୍ରପାତ ହେଉଛି । ଏହି ସ୍ଥାଣୁତା ସାମୟିକ ବ୍ୟୟବହୁଳତା, ଅପାରଗତା ଓ ଜାତୀୟ ଧନର ତୋଷରପାତର ହେଉଛି କାରଣ । ଦେଶ ଯୋଜନାରେ ଅବସର ଚାହେନା ବରଂ ଦାବୀ କରେ ଯେ ଏହି ପ୍ରମାଦପୂର୍ଣ୍ଣ ଯୋଜନାର ସ୍ଥାୟୀ ସଂଶୋଧନ ହେଉ ଓ ଏହା ହେଉ ଅଧିକ କ୍ରିୟାଶୀଳ ।

 

୪ । ଶ୍ରମିକମାନେ କାର୍ଯ୍ୟରେ ସଚ୍ଚୋଟ ହୁଅ—ତୁମ୍ଭେମାନେ ଯଦି ପ୍ରକୃତ ଶ୍ରମିକର ଧର୍ମ ମାନି କାର୍ଯ୍ୟ କର, ତାହାହେଲେ ତୁମେ ନିରବଚ୍ଛିନ୍ନ ଭାବେ ଆଉ ସଂଗ୍ରାମରତ ରହିବ ନାହିଁ, ଦାରିଦ୍ର୍ୟ ଅଚିରେ ଅପସରି ଯିବ । ସଚ୍ଚୋଟ କାର୍ଯ୍ୟ ଲାଗି ତୁମେ ମଧ୍ୟ ଉତ୍ତମ ପାରିଶ୍ରମିକର ହକ୍‌ଦାର । କାର୍ଯ୍ୟ ସମୟରେ ତୁମେମାନେ ଆନୁଷଙ୍ଗିକ ସୁବିଧା ଓ ଚିତ୍ତବିନୋଦନର ସୁବିଧା ପାଇବାଲାଗି ହକଦାର । ଯେଉଁମାନେ ନିଜର ସ୍ୱାର୍ଥଲାଗି ଓ କ୍ଷମତା ଆଶାରେ ତୁମକୁ ହାତ-ବାରିସୀ କରୁଛନ୍ତି ସେମାନଙ୍କଠାରୁ ସର୍ବଦା ଦୂରରେ ରହ । ସଚ୍ଚୋଟ ଉପାୟରେ କରାଯାଉଥିବା ଟ୍ରେଡ୍ ଇଉନିୟନ କାର୍ଯ୍ୟର ସ୍ୱାଗତ କର । ଦରଦାମ ବୃଦ୍ଧି ଯୋଗୁଁ ତୁମେ ତଥା ଭାରତର ଜନସାଧାରଣ ଅକଥନୀୟ ଦୁଃଖର ସମ୍ମୁଖୀନ ହେଉଛ । ମହଙ୍ଗା ଭତ୍ତା କିମ୍ବା ବୋନସ ବଢ଼ିଲେ ତୁମ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ । ସରକାରଙ୍କ ଭୁଲ ଅର୍ଥନୀତି ବିରୁଦ୍ଧରେ ତୁମମାନଙ୍କୁ ଆନ୍ଦୋଳନ କରିବାକୁ ପଡ଼ିବ ।

 

୫ । ନିଯୁକ୍ତି ଦାତା ! ସାଧ୍ୟମତେ କର୍ମଚାରୀଙ୍କୁ ସାହାଯ୍ୟ କର—ଯେଉଁମାନେ କର୍ମଚାରୀଙ୍କୁ ନିଯୁକ୍ତ କରୁଛନ୍ତି, ସେମାନଙ୍କୁ ରାଜାଜୀ କହିଛନ୍ତି ଯେ ସେମାନେ କେବଳ ନ୍ୟାୟପରାୟଣ ହେଲେ ଚଳିବ ନାହିଁ, ଶକ୍ତି ମୁତାବକ ଦୟା ମଧ୍ୟ ପ୍ରଦର୍ଶନ କରିବା ସେମାନଙ୍କର ମଧ୍ୟ କର୍ତ୍ତବ୍ୟ । ତୁମର ଓ ତୁମ କର୍ମଚାରୀମାନଙ୍କ ମଧ୍ୟରେ ଶାନ୍ତି ଓ ସଂହତି ରହିବା ଦରକାର । କର୍ମଚାରୀମାନେ ଯେପରି କର୍ମକ୍ଷେତ୍ରରେ ଆନନ୍ଦ ଉପଭୋଗ ଓ ଆତ୍ମସନ୍ତୋଷ ପା’ନ୍ତି ସେଥିପ୍ରତି ତୁମେ ଯତ୍ନବାନ ହୁଅ । ବ୍ୟବସାୟ ବାଣିଜ୍ୟରେ ଅସାଧୁତା ଅବଲମ୍ୱନ କର ନାହିଁ । ଅପମିଶ୍ରଣ ଓ ଓଜନରେ ଭୁଲଭଟକା ରଖିବାର ଅଭ୍ୟାସ ପରିହାର କର । ଶ୍ରମିକମାନଙ୍କ ସମେତ ତୁମର ମଧ୍ୟ ସମାଜ ପ୍ରତି ପବିତ୍ର କର୍ତ୍ତବ୍ୟ ରହିଛି । ତାଲାବନ୍ଦ ଓ ଧର୍ମଘଟ କରି ତୁମେ ସମାଜରେ ଅବ୍ୟବସ୍ଥା ସୃଷ୍ଟି କର ନାହିଁ ।

 

୬ । କୃଷକ ଭାଇ ! ତୁମର ସମ୍ମାନ ଓ ସମୃଦ୍ଧି ଦେବ ଏଇ ମାଟି—କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ରାଜାଜୀ କହିଛନ୍ତି ଯେ ତୁମର ମାଟିପ୍ରତି ଥିବା ଆସକ୍ତି ମୁଁ ଭଲଭାବେ ଜାଣେ । ତମେହିଁ ଜନସାଧାରଣଙ୍କର ଅନ୍ନଦାତା । ଜମିର ପୂରା ଯତ୍ନ ନିଅ ଓ ତାହାକୁ ସୁରକ୍ଷିତ କର । ଚାଷରେ ଏକଚାଟିଆ କାରବାରର ବିରୋଧ କର । ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ଖାଦ୍ୟାଞ୍ଚଳ ପରି ଅଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ବିଲୋପ ସାଧନ କର । ଭୂମିହୀନ ଶ୍ରମିକ ଯେଉଁମାନେ କି ତୁମ କ୍ଷେତ ଖମାରରେ କାମ କରୁଛନ୍ତି ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କର । କାରଣ କୃଷିକ୍ଷେତ୍ରରେ ସେମାନେ ତୁମର ସହକର୍ମୀ । ତୁମ ବିକାଶ ଓ ଆନନ୍ଦରେ ସେମାନଙ୍କୁ ଭାଗୀଦାର କର ।

 

୭ । ଛାତ୍ରମାନେ ! ତୁମେ ହେଉଛି ଭାରତମାତାର ଅମୂଲ୍ୟ ସମ୍ପତ୍ତି—ତୁମେମାନେ ହିଁ ଭାରତର ଭବିଷ୍ୟତ କର୍ଣ୍ଣଧାର । ଜ୍ଞାନ ଆହରଣ ତୁମର ଧେୟ । ସେ ଦିଗରେ ତୁମେ ଶୃଙ୍ଖଳା ଆଚରଣ କର । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମନ୍ଦିରରୂପେ ବିବେଚନା କର । ତୁମେ ଅଭିଲିପ୍‌ସା ନେଇ ଭକ୍ତି ସହକାରେ ଏହି ମନ୍ଦିରରେ ପ୍ରବେଶ କର । ହିଂସା ଓ ସଂଗ୍ରାମ ତୁମ ମାନସିକ ଅଭିବୃଦ୍ଧି ପଥରେ ଷୋଟିଏ ଲେଖାଏଁ ଅନ୍ତରାୟ । ଜାତୀୟ ସଂପତ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କର ଓ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ତାକୁ ସୁରକ୍ଷିତ କର । ତୁମର ଯଦି କିଛି ଦାବି ଅଛି, ତାହାହେଲେ ଶାନ୍ତିପୂର୍ଣ୍ଣ ଉପାୟରେ କର୍ତ୍ତୃପକ୍ଷଙ୍କ ନିକଟରେ ତାହାକୁ ଉପସ୍ଥାପିତ କର । ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ସାଧୁତା, ବୁଦ୍ଧିମତ୍ତା ଓ ସ୍ପଷ୍ଟବାଦିତାର ଉଦାହରଣ ତୁମ ସମକ୍ଷରେ ଉପସ୍ଥାପିତ କରନ୍ତୁ । ଜ୍ଞାନ ଦାନକରିବା ସେମାନଙ୍କର କର୍ତ୍ତବ୍ୟ । ତେଣୁ ସେମାନେ ଅଯଥା ଛାତ୍ର ସମାଜରେ ହିଂସା, ବିଶୃଙ୍ଖଳାର ପ୍ରଶ୍ରୟ ଦେବା ଉଚିତ ନୁହେଁ ।

 

୮ । ସମ୍ପତ୍ତି ତୁମର ବ୍ୟକ୍ତିଗତ ସ୍ୱାର୍ଥ ଓ ସମ୍ଭୋଗରେ ବ୍ୟୟିତ ନ ହେଉ—ଧନୀକ ଗୋଷ୍ଠୀଙ୍କୁ ଲକ୍ଷ୍ୟ କରି ରାଜାଜୀ କହିଛନ୍ତି—‘‘ତୁମ ପାଖରେ ଥିବା ଧନ ସଂପତ୍ତି କେବଳ ତୁମର ନୁହେଁ, ତାହା ସମଗ୍ର ଦେଶବାସୀଙ୍କର । ଏଣୁ କେବଳ ନିଜର ସ୍ୱାର୍ଥ ଓ ସମ୍ଭୋଗରେ ତାହାର ବିନିଯୋଗ କର ନାହିଁ । ଦାନ ଯେ ଦିଏ ଓ ଯେ ନିଏ, ଉଭୟେ ଆଶୀର୍ବାଦ ଲାଭ କରିଥାନ୍ତି । ସତ୍ ପାତ୍ରରେ ଦାନକର । ତୁମକୁ ଦାନଦେବାର ସୁଯୋଗ ଦେଇଛନ୍ତି, ତେଣୁ ଭଗବାନଙ୍କୁ ଧନ୍ୟବାଦ ଦିଅ ।

 

୯ । ମୁଁ ତୁମର ପହିଲା ନମ୍ବର ଶତ୍ରୁ—କମ୍ୟୁନିଷ୍ଟମାନଙ୍କୁ ଲକ୍ଷ୍ୟକରି ରାଜାଜୀ କହିଛନ୍ତି ଯେ ମୁଁ ତୁମର ପହିଲା ନମ୍ୱର ଶତ୍ରୁ ଓ ତୁମେ ମୋର ପହିଲା ନମ୍ବର ଶତ୍ରୁ । କାରଣ ତୁମେମାନେ ଗୋଟିଏ ଭୁଲ ଆଦର୍ଶର ଅନୁସରଣ କରିଥାଅ । ଏହି ଆଦର୍ଶକୁ କାର୍ଯ୍ୟକାରୀ କରିବାର ପନ୍ଥା ମଧ୍ୟ ତୁମର ଭୁଲ । ବ୍ୟକ୍ତିଗତ ଅସୂୟା ମୋର ତୁମମାନଙ୍କ ପ୍ରତି ନାହିଁ । ମୋ ପରି ତୁମେ ଜଣେ ମଣିଷ ଓ ଭାରତୀୟ ମଧ୍ୟ । ତୁମେ ଧର୍ମଦ୍ରୋହୀ, ତୁମର ନୀତି ବିଦେଶରୁ ଆମଦାନୀ ହୋଇଛି, ଯଦ୍ୱାରା କି ଦେଶରେ ସୃଷ୍ଟି ହେଉଛି ଅବ୍ୟବସ୍ଥା । ଏହି ଦେଶକୁ ଏକଛତ୍ରବାଦୀ ଓ ଅଗଣତାନ୍ତ୍ରିକ ଶାସନାଧୀନ କରିବାଲାଗି ତୁମ୍ଭେମାନେ ଉଦ୍ୟମୀ । ସେଇଥିପାଇଁ ତୁମ ଆଦର୍ଶବାଦ ବିରୁଦ୍ଧରେ ମୁଁ ଚାହେ ଅସୀ ଉତ୍ତୋଳନ କରିବାକୁ । ଶେଷରେ ମୁଁ ତୁମକୁ ଅନୁରୋଧ କରିବି ଯେ ତୁମେ ଏକଛତ୍ରବାଦ ପ୍ରତି ଥିବା ଅନୁରକ୍ତି ପରିହାର କରି ଜନନୀ ଜନ୍ମଭୂମିର ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ତା’ର ସେବା କର ।

 

୧୦ । ଇଚ୍ଛା ବିରୁଦ୍ଧରେ ଅଣହିନ୍ଦୀଭାଷୀଙ୍କ ଉପରେ ହିନ୍ଦୀ ଲଦି ଦିଅ ନାହିଁ—ହିନ୍ଦୀପ୍ରେମୀ ଦେଶବାସୀଙ୍କୁ ସେ ସାବଧାନୀ ଶୁଣାଇ କହିଛନ୍ତି ଯେ ଅଣହିନ୍ଦୀଭାଷୀଙ୍କ ଉପରେ ଅନିଚ୍ଛାସତ୍ତ୍ୱେ ହିନ୍ଦୀକୁ ଲଦି ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ତୁମେମାନେ ଜାଣ ଯେ ସବୁ ଲୋକଙ୍କର ମାତୃଭାଷା ଅତି ପ୍ରିୟ । ସେମାନଙ୍କ ଭାବନା ସହିତ ଏହା ଘନିଷ୍ଠ ଭାବେ ଜଡ଼ିତ । ହିନ୍ଦୀକୁ ଅଫିସ ଭାଷାରୂପେ ବ୍ୟବହାର କରିବା ଲାଗି ତୁମେ ଯେଉଁ ବାଧ୍ୟ କରୁଛ, ତାହା ଜାତୀୟ ସଂହତି ପକ୍ଷରେ ଯଥେଷ୍ଟ କ୍ଷତିକାରକ । ବରଂ ଇଂରାଜୀ ଜାତୀୟ ସଂହତି ରକ୍ଷାରେ ସହାୟକ ହୋଇଛି । ଏହା ଅସ୍ୱୀକାର କରି ହେବ ନାହିଁ । ଏହି ଭାଷା ଆମ ପକ୍ଷରେ ସମଗ୍ର ବିଶ୍ଵର ବାତାୟନ ପରି । ତାହା ସତ୍ତ୍ୱେ ଆଂଚଳିକ ଭାଷାର ଗୁରୁତ୍ୱକୁ ଆମେ ଅବଜ୍ଞା କରିପାରିବା ନାହିଁ । ଯେ ପର୍ଯ୍ୟନ୍ତ ସମଗ୍ର ଦେଶବାସୀ ଗୋଟିଏ ଭାଷାକୁ କୋର୍ଟ-କଚେରୀର ଭାଷା-ରୂପେ ଗ୍ରହଣକରିବା ଲାଗି ପ୍ରସ୍ତୁତ ନ ହୋଇଛନ୍ତି, ସେପର୍ଯ୍ୟନ୍ତ ଆମମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇଂରାଜୀ ଭାଷା ବ୍ୟବହାର ଶ୍ରେୟସ୍କର ।

 

୧୧ । ଜାତିଆଣ ପ୍ରଥ । ଓ ଆତ୍ମବଡ଼ିମା ପରିହାର କର—ବିଶ୍ୱର ବିଭିନ୍ନ ଜାତି ଉଦ୍ଦେଶ୍ୟରେ ରାଜାଜୀ କହିଛନ୍ତି ଯେ ଜାତିଆଣ ପ୍ରଥା ଓ ଆତ୍ମପ୍ରୌଢ଼ ସେମାନେ ପରିହାର କରନ୍ତୁ । ସାମ୍ରାଜ୍ୟବାଦ ଲୋପ ପାଇଛି । ପରସ୍ପର ମଧ୍ୟରେ ଶାନ୍ତି ଓ ମୈତ୍ରୀ ରକ୍ଷା କରି ଚଳିବାର ସମୟ ଆସିଛି । ଏପରି କୌଣସି ସମସ୍ୟା ନାହିଁ ଯାହାକି ପରସ୍ପର ବୁଝାମଣା ଓ ସଦିଚ୍ଛା ବଳରେ ସମାଧାନ ହୋଇ ନ ପାରିବ । ବିଶାଳ ହୃଦୟବତ୍ତା, ସବୁବେଳେ ସୁଫଳ ଆଣି ଦେଇଥାଏ । ଭାଗବତ୍‍ଦତ୍ତ ଶୁଭ୍ର ଆଲୋକରେ କର୍ମର ସମସ୍ତ ପଥ ହୋଇଥାଏ ଆଲୋକିତ । ଯଦି ବିଶ୍ୱବାସୀଙ୍କ ହୃଦୟରେ ଶାନ୍ତି ଓ ସହାବସ୍ଥାନ ସଜୀବ ରହେ, ତାହାହେଲେ ଅଚିରେ ବିଶ୍ୱଭାତୃତ୍ୱ ପ୍ରତିଷ୍ଠିତ ହୋଇ ପାରିବ ।

 

୧୨ । ଖଦୀ ତଳିଆ କର୍ମଚାରୀଙ୍କ ପୋଷାକ ପାଇଁ ଉଦ୍ଦିଷ୍ଟ ନୁହେଁ—ଜାତିପିତାଙ୍କୁ ସମ୍ମାନ ପ୍ରଦର୍ଶନ କରି ଦେଶର ଶିକ୍ଷିତ ତଥା ସମ୍ଭ୍ରାନ୍ତ ପରିବାର ଖଦୀକୁ ପ୍ରିୟ ପୋଷାକରୂପେ ଗ୍ରହଣ କରିନେବା ଉଚିତ । ଏଥିପାଇଁ ସେମାନେ ପୂରା ମୂଲ୍ୟ ଦିଅନ୍ତୁ । ଖଦୀର ମୂଲ୍ୟ କମାଇବା ପାଇଁ ସରକାରଙ୍କଠାରେ ରିଆତି ପାଇଁ ଦାବୀ ହେବା ଉଚିତ ନୁହେଁ । ଖଦୀକୁ ସାହାଯ୍ୟ ଦେବା ଆଳରେ ତଳିଆ କର୍ମଚାରୀଙ୍କ ପୋଷାକରୂପେ ଏହାକୁ ଚଳାଇବା ଯୁକ୍ତିଯୁକ୍ତ ନୁହେଁ । ଖଦୀକୁ ଚାକରବାକର ବା ଅଧଃସ୍ତନ କର୍ମଚାରୀଙ୍କର ପୋଷାକରୂପେ ବ୍ୟବହାର କରାଇବା ନିନ୍ଦାର ବିଷୟ । ଯେଉଁମାନେ ଦେଶର ରାଜନୈତିକ ସ୍ଵାଧୀନତାରେ ଗର୍ବାନୁଭବ କରନ୍ତି, ସେମାନେ ଖଦୀକୁ ସମ୍ମାନର ଚିହ୍ନରୂପେ ପରିଧାନ କରନ୍ତୁ । ଯେତେବେଳେ ବାପୁଜୀଙ୍କର ହାତକଟା ସୂତାରେ ବୁଣା ଖଦୀକୁ ଜାତୀୟ ସମ୍ପତ୍ତିରୂପେ ଆମେ ସୁରକ୍ଷିତ କରି ରଖିଛୁ, ସେତେବେଳେ ଅନ୍ୟ ବସ୍ତୁଠାରୁ ଏହାକୁ ଉଚ୍ଚ ଆସନ ବା ନ ଦେବା କାହିଁକି ? ସବୁ ଖଦୀ ଗାନ୍ଧୀଜୀଙ୍କ ହାତକଟା ସୂତାରେ ବୁଣା ହୋଇଛି ବୋଲି ଜ୍ଞାନ କର । ଯୁଦ୍ଧରେ ସୈନିକମାନଙ୍କର ବିଜୟକୁ ଯେପରି ସେନାପତିଙ୍କର ବିଜୟ ବୋଲି ଧରି ନିଆଯାଏ, ସେହିପରି ସବୁ ହାତକଟା ସୂତା ଗାନ୍ଧୀଙ୍କ ହାତରେ କଟା ହୋଇଛି ବୋଲି ଧରି ନ ନେବା କାହିଁକି ? ଏଣୁ ଆର୍ଥନୀତିକ ଯୁକ୍ତି ବାଢ଼ି ଆମେ ଖଦୀକୁ ଟିକିଟିକି କରି ଫିଙ୍ଗି ନ ଦେଇ ଉତ୍ତରାଧିକାରୀ ସୂତ୍ରେ ଅର୍ଜିତ ପୂର୍ବପୁରୁଷଙ୍କ ଦାନରୂପେ ସମ୍ମାନ ଦେଖାଇବା ଉଚିତ ।

 

୧୩ । ଶିକ୍ଷାକ୍ଷେତ୍ରରେ ଶାରୀରିକ ଶ୍ରମର ପ୍ରବର୍ତ୍ତନ କର—ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଶିକ୍ଷାକ୍ଷେତ୍ରରେ ଶାରୀରିକ ଶ୍ରମର କୌଣସି ସ୍ଥାନ ନ ଥିବା ହେତୁ ଏହାର ମହତ୍ତ୍ୱ କ୍ରମେ ହ୍ରାସ ପାଉଛି । ଶ୍ରମ ଶାରୀରିକ ଶ୍ରମକୁ ତାର ପୂର୍ବ ସମ୍ମାନ ଫେରାଇଦେବାକୁ ପଡ଼ିବ । ଶିକ୍ଷାର ପ୍ରସାର ପାଇଁ ଯେଉଁମାନେ ଦାୟିତ୍ୱ ନେଇଛନ୍ତି, ସେମାନଙ୍କୁ ମୋର ଅନୁରୋଧ ଉଚ୍ଚତମ ହେଉ ବା ନିମ୍ନତମ ହେଉ ଶାରୀରିକ ଶ୍ରମକୁ ଶିକ୍ଷାର ଅଙ୍ଗରୂପେ ସେମାନେ ପ୍ରବର୍ତ୍ତନ କରନ୍ତୁ ।

 

୧୪ । ନିଶା ରାକ୍ଷସୀ କବଳରୁ ଲୋକଙ୍କୁ ରକ୍ଷା କର—ମଦ୍ୟପାନଠାରୁ ମନ୍ଦ ଅଭ୍ୟାସ କିଛି ନାହିଁ । ଲୋକଙ୍କର ଘର ଭାଙ୍ଗିବା ପାଇଁ ଯେତେଗୁଡ଼ିଏ କାରଣ ଦେଖାଯାଏ, ତାହା ମଧ୍ୟରେ ଏହି ଗୋଟିକ କାରଣ ହେଉଛି ସର୍ବାଧିକ । ମଦ୍ୟପ ସ୍ୱାମୀଙ୍କ ଲାଗି ବହୁ ରମଣୀଙ୍କ ଜୀବନ ନଷ୍ଟ ହେଉଛି । ବର୍ତ୍ତମାନ ଯୁଗରେ ଯେତେ ପ୍ରକାର ଅପରାଧ ଓ ଦୁର୍ଘଟଣା ହେଉଛି, ସେଥିପାଇଁ ଏହି ନିଶାସେବନ ମୁଖ୍ୟତଃ ଦାୟୀ । ଏହି ରୋଗର ମୂଳ ଖୁବ୍ ଗଭୀର ହୋଇଗଲାଣି । ମଦ୍ୟପର ପରବର୍ତ୍ତୀ ଚାହିଦା ହେଉଛି ନାରୀ । ଏଥିପାଇଁ ବହୁବିଧ ଅପରାଧର ପଥ ହୋଇଯାଏ ଉନ୍ମୁକ୍ତ । ଯେକୌଣସି ମତେ ଲୋକଙ୍କୁ ଏହି ରାକ୍ଷସୀ କବଳରୁ ରକ୍ଷା କରିବାକୁ ହେବ ।

Image

 

ଏ ଯୁଗର ବ୍ୟାସ ଓ ବାଲ୍ମୀକି

 

ରାଜାଜୀ ବାଲ୍ମୀକି ଓ ବ୍ୟାସଙ୍କର କଠିନ ରାମାୟଣ ଓ ମହାଭାରତକୁ ତାମିଲ ଭାଷାରେ ପ୍ରଣୟନ କରି ତାହାକୁ ଗଣସାହିତ୍ୟର ଅନ୍ତର୍ଭୁକ୍ତ କରିଅଛନ୍ତି । ଅବଶ୍ୟ ପରେ ତାହାର ଭାଷାନ୍ତର ଭାରତୀୟ ବିଦ୍ୟାଭବନଦ୍ୱାରା ପ୍ରକାଶିତ ହୋଇଛି । ଏବେ ପ୍ରାୟ ତାହା ସବୁ ଭାରତୀୟ ଭାଷାରେ ଅନୂଦିତ । ବିଷୟବସ୍ତୁ ଦୃଷ୍ଟିରୁ ସାମ୍ୟ ଥିଲେ ମଧ୍ୟ ଏଥିରେ ରାଜାଜୀଙ୍କ ମୌଳିକତା ଅକ୍ଷୁର୍ଣ୍ଣ ରହିଛି । କେଉଁ ଉଦ୍ଦେଶ୍ୟରେ ଏହି ଗ୍ରନ୍ଥ ଦୁଇଟି ସେ ପ୍ରଣୟନ କଲେ ତାହା ବୟାନ କରିବାକୁ ଯାଇ ସେ ଲେଖିଛନ୍ତି—‘‘ମୋର ଜୀବନସନ୍ଧ୍ୟାରେ ଭାରତର ମହାନ୍ ଓ ଘଟଣାବହୁଳ ଏହି ଦୁଇଟି ଗ୍ରନ୍ଥ ମୁଁ ଲେଖିଛି । ମୋ ମତରେ ମୋ ଲୋକଙ୍କ ପାଇଁ ଏହାହିଁ ମୋର ଚରମ ସେବା । ଏଥିରେ ନିହିତ ହୋଇଛି ମୋର ଚରମ ଆନନ୍ଦାନୁଭୂତି । ଏହି ଦେଶର ମୁନି ଋଷିଙ୍କ ସହିତ ଆମର ପୁନରାୟ ଆନ୍ତରିକ ସଂଯୋଗ ସ୍ଥାପନର ବାସ୍ତବ ପ୍ରୟୋଜନୀୟତା ରହିଛି, ଯାହା ଫଳରେ ଆମର ଭବିଷ୍ୟତ ବାଲୁକା ଉପରେ ତୋଳି ନ ଉଠି ଗଠିତ ହେବ କଠିନ ପ୍ରସ୍ତର ଉପରେ I ଆମ ସାହିତ୍ୟରେ ଜାତୀୟ ଚରିତ୍ରର ସମସ୍ତ ବିଭାବ ଲିପିବଦ୍ଧ । ଆମର ମୂଲ୍ୟାୟନ ସମଗ୍ର ବିଶ୍ଵ ହୃଦୟଙ୍ଗମ କରୁ, ଏହାହିଁ ମୋର ଏହି ଗ୍ରନ୍ଥ ପ୍ରଣୟନର ଏକାନ୍ତ ଲକ୍ଷ୍ୟ ।” ଅନ୍ୟତ୍ର ସେ ପୁଣି କହିଛନ୍ତି--‘‘ଗ୍ରୀସଦେଶ, ଯାହା ସମଗ୍ର ବିଶ୍ଵବାସୀଙ୍କଦ୍ୱାରା ଶଂସିତ ତାହା ଆଜି ନାହିଁ । କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି; କିନ୍ତୁ ହୋମରଙ୍କ ‘ଇଲିଆଡ଼’ ଏବଂ ‘ଓଡ଼େଶୀ’ କେବଳ ଗ୍ରୀକ୍ ଭାଷାରେ ନୁହେଁ, ସଭ୍ୟ ଜଗତର ସମସ୍ତ ଭାଷାରେ ଲିପିବଦ୍ଧ । ସେହିପରି ବାଲ୍ମିକୀ, ବ୍ୟାସଙ୍କର ରାମାୟଣ ଓ ମହାଭାରତ ଭାରତର ରାଜନୀତିକ ବିବର୍ତ୍ତନ ସତ୍ତ୍ୱେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ମଧ୍ୟ’’ ।

 

‘‘ରାମାୟଣ ଓ ମହାଭାରତ ଇତିହାସ କିମ୍ବା ଜୀବନୀ ନୁହେଁ । ଏହା ହିନ୍ଦୁ ପୁରାଣର ଅଂଶ ବିଶେଷ । ଆମେ ଗ୍ରୀକ୍ ଜୀବନ ଓ ଗ୍ରୀସୀୟ ସଭ୍ୟତା ବୁଝିପାରିବା ନାହିଁ, ଯଦି ଜିଉସ୍, ଆପଲୋ, ହର୍‌କୁଲେସ୍, ଭିନସ୍, ହେକ୍ଟର ପ୍ରିୟାମ୍, ଆବିଲେସ୍, ଉଲିସେସ ଓ ଅନ୍ୟମାନଙ୍କ ସମ୍ପର୍କରେ ନ ଜାଣିବା । ସେହିପରି ଆମ ପୌରାଣିକ ଚରିତ୍ରମାନଙ୍କ ସମ୍ବନ୍ଧରେ ନ ଜାଣିଲେ ହିନ୍ଦୁଧର୍ମ କ’ଣ ଜାଣିହେବ ନାହିଁ । ପୂରାଣକୁ ବାଦ ଦିଆଯାଇ ନପାରେ । ଦର୍ଶନ, ଧର୍ମାନୁଷ୍ଠାନ କିମ୍ବା ପୁରାଣ ପର୍ଯ୍ୟାପ୍ତ ନୁହେଁ । ଏହା ସମସ୍ତ ପୁରାତନ ଧର୍ମର ତ୍ରିଗୁଣ ରଜ୍ଜୁ ସଦୃଶ । ଏହି ତ୍ରୈର ଅଭାବରେ ଜାତିର ଧର୍ମ ପ୍ରତି ମନୋଭାବ କ’ଣ ତାହା ବୁଝିବା, ରକ୍ଷା କରିବା ଓ ପ୍ରଖ୍ୟାପନ କରିବା ସମ୍ଭବପର ହେବନାହିଁ । ଏପରି ବର୍ଣ୍ଣାଡ଼ଶଙ୍କ ଭଳି ଜଣେ ବିଗ୍ରହ ପୂଜାବିରୋଧୀ ମଧ୍ୟ ପୁରାଣର ମହତ୍ତ୍ଵ ସ୍ୱୀକାର କରିଯାଇ ଅଛନ୍ତି’’ ।

 

ରାଜାଜୀଙ୍କ ମତରେ ଶାସ୍ତ୍ରଫୁରାଣ ଧର୍ମର ଅଭିନ୍ନ ଅଙ୍ଗ ବିଶେଷ । ଗୋଟିଏ ଫଳର ରସ ଓ ସ୍ୱାଦକୁ ସୁରକ୍ଷିତ କରିବା ଲାଗି ଯେପରି ଉପରି ଭାଗରେ ଆବରଣ ବା ଚୋପାର ପ୍ରୟୋଜନୀୟତା ରହିଛି, ସେହିପରି ଜାତୀୟ ସଂସ୍କୃତି ଓ ଧର୍ମର ସୁରକ୍ଷାଲାଗି ପୁରାଣର ପ୍ରୟୋଜନୀୟତା ଅପରିହାର୍ଯ୍ୟ । ଏବେ ବର୍ଣ୍ଣବୈଷମ୍ୟ ଯୁଗରେ ଭାଷାର ବିଭିନ୍ନତା ସତ୍ତ୍ୱେ ରାମାୟଣ ଓ ମହାଭାରତ ଭାରତୀୟଙ୍କୁ ଗୋଟିଏ ସୂତ୍ରରେ କିପରି ବାନ୍ଧି ରଖିପାରିଛି, ସେଥିପାଇଁ ଏହି ଦୁଇ ମହାନ ଗ୍ରନ୍ଥର ଅନୁଶୀଳନ ପ୍ରତ୍ୟେକ ଦେଶବାସୀଙ୍କ ପକ୍ଷରେ ଏକ ପବିତ୍ର କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଅନେକ ପୁରାଣବର୍ଣ୍ଣିତ ଘଟଣାକୁ ଅଘଟନୀୟ ଓ କଳ୍ପନାପ୍ରସୂତ ବୋଲି ମନେ କରିଥାନ୍ତି । ଅନେକ ମଧ୍ୟ ଏହାକୁ ଗଳ୍ପ ପରି ଗୁରୁତ୍ୱ ଆରୋପ ନକରି ଅଧ୍ୟୟନ କରିଥାନ୍ତି; କିନ୍ତୁ ମହାମନୀଷୀ ରାଜାଜୀ କହନ୍ତି ଯେ ଭକ୍ତିମାର୍ଗର ଅନୁସାରୀ ନ ହେଲେ ଯେକୌଣସି ପୁରାଣର ପ୍ରକୃତ ସ୍ୱାଦ ଆସ୍ୱାଦନ କରିବା ଆଦୌ ସମ୍ଭବପର ନୁହେଁ (Bhakti is needed to realise the full meanings of ancient mythology) ।

 

କଥାବସ୍ତୁ ଦୃଷ୍ଟିରୁ ତାଙ୍କର ରାମାୟଣ ବାଲ୍ମୀକିକୃତ ରାମାୟଣର ପୂର୍ଣ୍ଣ ଅନୁକୃତି ନୁହେଁ । ସେଥିରେ ସେ ତୁଳସୀ ଦାସ ଓ ତାମିଲ କବି କାମ୍ୱଙ୍କର ରାମାୟଣର କଥାବସ୍ତୁ ଅନୁସରଣ କରିବାଦ୍ୱାରା ବହୁ ନୂତନ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିଅଛନ୍ତି । ବହୁ ସ୍ଥଳରେ ତାଙ୍କର ପ୍ରିୟ ତାମିଲ କବି କାମ୍ୱ ଓ ବାଲ୍ମୀକିଙ୍କ ଲେଖାରେ ସେ ସୁରୁଚିପୂର୍ଣ୍ଣ ସମନ୍ଵୟ ଆଣି ପାରିଛନ୍ତି ଖୁବ୍ ଚତୁରତା ସହକାରେ । ସେ ପାଠକମାନଙ୍କୁ ସୁଚାଇ ଦେଇଛନ୍ତି ଯେ ଆଧୁନିକତାର ଅଞ୍ଜନ ଲଗାଇ ରାମାୟଣ ଅଧ୍ୟୟନ କରିବା ଉଚିତ ନୁହେଁ । ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଯେ ସୁଗ୍ରୀବ ତାରାକୁ ଭାର୍ଯାରୂପେ ପାଇବାରେ ତାରାର କୌଣସି ଦୋଷ ନାହିଁ । ପୂନର୍ବିବାହଦ୍ୱାରା ତାରାର ସତୀତ୍ୱ କ୍ଷୁର୍ଣ୍ଣ ହୋଇନାହିଁ । ସେଇଥିପାଇଁ ଏବେ ମଧ୍ୟ ସେ ପଞ୍ଚସତୀଙ୍କ ମଧ୍ୟରେ ଅନ୍ୟତମା ।

 

ସଂସ୍କୃତ ରାମାୟଣକାର ବାଲ୍ମୀକିଙ୍କୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ଓ ପରାଣ ରଚନାରେ ତାଙ୍କୁ ଦେଇଛନ୍ତି ସମୁଚ୍ଚ ସମ୍ମାନ । ତାହା ସତ୍ତ୍ୱେ ବାଲ୍ମିକୀଙ୍କ ରାମାୟଣର ବିଷୟବସ୍ତୁ ସାମୟିକ ତାଙ୍କ ସମାଲୋଚନାର ହୋଇଛି ଶରବ୍ୟ । ଉଦାହରଣ ସ୍ୱରୂପ ଉତ୍ତରାକାଣ୍ଡକୁ ସେ ସ୍ୱୀକାର କରିନାହାନ୍ତି । ତେଣୁ ଲେଖିଛନ୍ତି—Although there is beauty in the uttarakanda, I must say my heart rebels against it’ ରାମଚନ୍ଦ୍ରଙ୍କର ଚାରିତ୍ରିକ ମହନୀୟତା ଏଥିରେ ଉପଯୁକ୍ତଭାବେ ବିଜ୍ଞାପିତ ହୋଇନାହିଁ ବୋଲି ସେ ଦୁଃଖପ୍ରକାଶ କରି ସେପରି ନକରିଥିଲେ ଭଲ ହୋଇଥାନ୍ତା ବୋଲି ମତ ଦେଇ ଅଛନ୍ତି । ବାଲ୍ମୀକି ରାମାୟଣର ଯେଉଁ ବିଷୟବସ୍ତୁ ତାଙ୍କୁ ସୁସଂହତ ମନେ ନ ହୋଇଛି, ତାହାର ବର୍ଣ୍ଣନା କରିବାକୁ ସେ କୁଣ୍ଠାବୋଧ କରିଛନ୍ତି ଓ ପାଠକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସତ୍ତ୍ୱେ ରାମଚନ୍ଦ୍ର ତାଙ୍କ ଦୃଷ୍ଟିରେ ଅବତାର । ଏଣୁ ନିଜର ନିରପେକ୍ଷ ମତ ବ୍ୟକ୍ତ କରି ସେ ଲେଖିଛନ୍ତି—

 

‘‘That among the sorrows that Lord and His Consort had to endure in their early Incarnation this liability to have their actions weighed on the earthly scales is a part’’.

 

ମହାତ୍ମା ଗାନ୍ଧୀଙ୍କ ପରି ରାଜାଜୀ ରାମାୟଣ ପାରାୟଣର ସୁଫଳ ଉପରେ ବିଶ୍ଵାସ ସ୍ଥାପନ କରିଛନ୍ତି । ଗାନ୍ଧୀଜୀ ରାମନାମକୁ ସର୍ବ ରୋଗହର ମହୌଷଧି-ରୂପେ ଗ୍ରହଣ କରିଛନ୍ତି । ସେ ବାରମ୍ୱାର କହିଛନ୍ତି ମଣିଷ ଯେକୌଣସି ବ୍ୟାଧିଗ୍ରସ୍ତ ହେଉନା କାହିଁକି, ଆନ୍ତରିକତା ସହକାରେ ରାମନାମ ଉଚ୍ଚାରଣ କଲେ ଆରୋଗ୍ୟ ଲାଭ କରିଥାଏ ।

 

ରାମାୟଣରେ ବାଲ୍ମୀକି ସତ୍ୟର ମହତ୍ତ୍ଵ ପ୍ରଖ୍ୟାପନ କରି ଗାଇଛନ୍ତି—

 

ସତ୍ୟମେବେଶ୍ୱରୋ ଲୋକେ ସତ୍ୟ ଧର୍ମଃ ସଦାଶ୍ରିତଃ

ସତ୍ୟ ମୂଳାନି ସର୍ବାଣି ସତ୍ୟାନ୍ନାସ୍ତି ପରଂ ପଦମ୍ ।।

ଦତ୍ତମିଷ୍ଟଂ ହୃତଂଚୈବ ତପାନିଚ ତପାଂସିଚ

ବେଦାଃ ସତ୍ୟ ପ୍ରତିଷ୍ଠାନାସ୍ତୁସ୍ୱାଚ୍ଛାତ୍ୟପରୋ ଭବେତ୍ ।।

 

(ଅଯୋଧ୍ୟା କାଣ୍ଡ)

 

ଅର୍ଥାତ୍ ଜଗତରେ ସତ୍ୟହିଁ ଈଶ୍ୱର, ସର୍ବଦା ଧର୍ମର ସ୍ଥିତି ସତ୍ୟ ଉପରେ ଆଧାରିତ, ସତ୍ୟଠାରୁ ଆଉ ଅନ୍ୟ କୌଣସି ଉତ୍ତମ ଗତି ନାହିଁ । ଦାନ, ଯଜ୍ଞ, ତପସ୍ୟା, ବେଦ ଓ ହୋମ ସମସ୍ତଙ୍କ ଆଶ୍ରୟ ସତ୍ୟ । ଏଣୁ ସମସ୍ତେ ସତ୍ୟ-ପରାୟଣ ହେବା ଉଚିତ । ରାଜାଜୀ ସତ୍ୟଦ୍ରଷ୍ଟା ବାଲ୍ମୀକିଙ୍କ ରାମାୟଣରେ ସତ୍ୟ ପୂର୍ଣ୍ଣମାତ୍ରାରେ ବିଜ୍ଞାପିତ ବୋଲି କହିଛନ୍ତି । ଯଦି ଆମେ ରାମାୟଣରେ ଗୁମ୍ପିତ ବିଷୟାନୁକ୍ରମକୁ ଇତସ୍ତତ କରୁ ସେଥିରେ ସତ୍ୟର ପ୍ରତିଭା ଆଦୌ ପ୍ରକଟିତ ହୋଇପାରିବ ନାହିଁ ବୋଲି ସେ ଦୃଢ଼ ମତ ବ୍ୟକ୍ତ କରିଅଛନ୍ତି । ଯେଉଁ ରାମାୟଣ ଯୁଗ ଯୁଗ ଧରି ପରାୟଣ ଗ୍ରନ୍ଥରୂପେ ବିବେଚିତ, ତାହା ସାଧୁ, ମହାତ୍ମା କିମ୍ବା ମହାମନୀଷୀଙ୍କଦ୍ୱାରା ପୁଣି ଥରେ ରଚିତ ହେଲେ, ସେଥିରେ ଅବଶ୍ୟ କବିଙ୍କର ପାଟବ ପ୍ରକଟିତ ହୋଇପାରେ; କିନ୍ତୁ ମୂଳଗ୍ରନ୍ଥରେ ପ୍ରଖ୍ୟାପିତ ସତ୍ୟର ବିପର୍ଯ୍ୟୟ ଘଟିବ । ଏଣୁ ତାଙ୍କ ମତରେ ରାମାୟଣର ଭାବ, ଭାଷା ଓ ବିଷୟବସ୍ତୁ ପରିବର୍ତ୍ତନ କରିବା ଆମ ଅଧିକାର ବହିର୍ଭୂତ ।

 

ଲୋକପ୍ରିୟ ମହାଭାରତ ପ୍ରଣୟନ ରାଜାଜୀଙ୍କର ଅନ୍ୟ ଏକ ଅମର କୃତିତ୍ୱ । ମହାଭାରତକୁ ସେ ଆମ ଦେଶର ଏକ ଅତ୍ୟାଶ୍ଚର୍ଯ୍ୟ ସୃଷ୍ଟି ବୋଲି ବର୍ଣ୍ଣନା କରିଅଛନ୍ତି । ଯେପରି ସାଗର ଓ ହିମାଳୟ ମଣିମୁକ୍ତାର ଅସରନ୍ତି ଭଣ୍ଡାର, ସେହିପରି ‘ମହାଭାରତ’ର ଗର୍ଭ ଅନନ୍ତ ମଣିମୁକ୍ତାରେ ପରିପୂର୍ଣ୍ଣ ।

 

‘‘ଯଥା ସମୁଦ୍ରୋ ଭଗବାନ୍ ଯଥା ହି ହିମବାନ୍ ଗିରିଃ

ଉଭୌ ଖ୍ୟାତୌ ରତ୍ନନିଧୋ ତଥା ଭାରତମୁଚ୍ୟତେ ।”

 

ଏହି ମହାନ୍ ଗ୍ରନ୍ଥ ଦେଶବାସୀଙ୍କ ପକ୍ଷେ ଜ୍ଞାନ, ସଂଯମ ଓ ଆତ୍ମଶକ୍ତିର ଏକ ଅପରୂପ ଆଧାର ବୋଲି ତାଙ୍କର ମତ । ଈର୍ଷା, ଦ୍ୱେଷ ଓ କ୍ରୋଧର ଅଧୀନ ହୋଇ ଜୀବନଯାପନ କରିବା ଉଚିତ ନୁହେଁ—ଏହି ପରମ ଶିକ୍ଷା ଆମକୁ ଦେଇଥାଏ ମହାଭାରତ । କଥାରେ କହନ୍ତି ଯାହା ନାହିଁ ଭାରତେ ତାହା ନାହିଁ ଭାରତେ । ମହାଭାରତରେ ବିଜ୍ଞାନ, କଳା, ସାହିତ୍ୟ ସବୁକିଛିର ହୋଇଛି ଅପରୂପ ସମନ୍ଵୟ । ବ୍ୟାସଦେବ ଅଷ୍ଟାଦଶ ପୁରାଣର ପ୍ରଣେତା ଯେଉଁଥିରେ କି ଚାରିଲକ୍ଷ ଦଶହଜାର ଶ୍ଳୋକ ସନ୍ନିବେଶିତ ହୋଇଛି । ସେହି ଜ୍ଞାନ-ଯୋଗୀଙ୍କର ଅମରକୃତି ଅଠର ଖଣ୍ଡ ମହାଭାରତକୁ ଖୁବ୍ କୁସ୍ତ ଅଥଚ ଚମତ୍କାର ଶୈଳୀରେ ପ୍ରକାଶ କରିଛନ୍ତି ରାଜାଜୀ । ଏହା ମୂଳ ସଂସ୍କୃତ ରଚନାର ଆକ୍ଷରିକ ଅନୁବାଦ ନୁହେଁ । ଏଥିରେ ଥିବା ମହତ ଆଦର୍ଶ, ହିନ୍ଦୁ ସଂସ୍କୃତିର ପରମ ପରାକାଷ୍ଠା ଉପସ୍ଥାପିତ ହୋଇଛି ଅତି ଚମତ୍କାର ଶୈଳୀରେ । ଏ ଜାତିକୁ ଏକତାବଦ୍ଧ କରିବା ଲାଗି ବ୍ୟାସଦେବ ମହାଭାରତର ଚରିତ୍ରମାନଙ୍କ ମୁହଁରେ ବାରମ୍ବାର ଶିକ୍ଷା ଦେବାକୁ ପ୍ରୟାସ କରିଛନ୍ତି । ଉଦାହରଣ ସ୍ଵରୂପ—ବିଦୁର ଧୃତରାଷ୍ଟ୍ରଙ୍କୁ କହିଛନ୍ତି—

 

‘‘ଧୂମାୟନ୍ତେ ବ୍ୟପେତିନି

ଜ୍ୱଳନ୍ତି ସହିତାନିଚ

ଧୃତରାଷ୍ଟ୍ରଲୁକା ନିବ

ଜ୍ଞାତୟୋ ଭରର୍ଷିଭ ।”

 

ହେ ଧୃତରାଷ୍ଟ୍ର ! ଜ୍ଞାତି ଓ କୁଟୁମ୍ବ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ଏକତା ଥିଲେ ସେମାନେ ପ୍ରଚଣ୍ଡ ବେଗରେ ଅଗ୍ନି ସଦୃଶ୍ୟ ପ୍ରଜ୍ଜଳିତ ହୁଅନ୍ତି । ଯଦି ଏକତା ନଥାଏ ତାହାହେଲେ ଓଦା କାଠରୁ ଧୂମ ନିର୍ଗତ ହେଲା ଭଳି ସେମାନେ ଜନସମାଜର ଅନିଷ୍ଟ ସାଧନ କରିଥାନ୍ତି । ରାଜାଜୀଙ୍କ ସଂଧାନୀ ଆଖି ଆଗରୁ ଏହିପରି ବହୁ ଆଦର୍ଶ ଦ୍ୟୋତକ ଉକ୍ତି ଓହରି ଯାଇନାହିଁ । ବିଦୁରଙ୍କ ମୁହଁରେ ବ୍ୟାସ ଯେଉଁ ନୀତିବାଣୀ ଶୁଣାଇଛନ୍ତି, ରାଜାଜୀ ସେଗୁଡ଼ିକୁ ସ୍ୱପ୍ରଣୀତ ମହାଭାରତରେ ଉପସ୍ଥାପନ କରିଛନ୍ତି ଖୁବ୍ ସୁନ୍ଦର ତଥା ସରଳ ଶୈଳୀ ଜରିଆରେ ।

 

ବେଦୋତ୍ତର ସାଧନାର ସ୍ମାରକୀ—‘ମହାଭାରତ’ । ବ୍ୟାସ ଏଥିରେ ଯେଉଁ ଉପଦେଶ ଦେଇଛନ୍ତି, ତାହା ମୁଖ୍ୟତଃ ତିନୋଟି ମାର୍ଗ ଦର୍ଶନର ପନ୍ଥାକୁ ସୁଗମ କରିଥାଏ । ସେଗୁଡ଼ିକ ହେଲା (୧) ପୃଥିବୀରେ ମନୁଷ୍ୟ ଅପେକ୍ଷା ଆଉ ଶ୍ରେଷ୍ଠ ଜୀବ କେହି ନାହାନ୍ତି । (୨) ଧର୍ମଠାରୁ ବଡ଼ କିଛି ନାହିଁ । (୩) ହିଂସାବଳରେ ମନୁଷ୍ୟର ହିତସାଧନ ସମ୍ଭବ ନୁହେଁ । ରାଜାଜୀ ତାଙ୍କ ମହାଭାରତରେ ସେଗୁଡ଼ିକୁ ରଖିଛନ୍ତି ଅକ୍ଷୁର୍ଣ୍ଣ । ସେ ସର୍ବସାଧାରଣଙ୍କ ପାଇଁ ଖୁବ୍‌ ସରଳ ତଥା ଉଦାହରଣପୂର୍ଣ୍ଣ ଶୈଳୀରେ ମହାଭାରତଯୁଦ୍ଧରେ ଲୋକକ୍ଷୟ, କୌରବମାନଙ୍କର ବିନାଶ, ଅର୍ଜୁନଙ୍କର ଶକ୍ତିକ୍ଷୟ, ଶ୍ରୀକୃଷ୍ଣଙ୍କର ବଂଶନାଶ, ଗଭୀର ଅନୁଶୋଚନାରେ ପାଣ୍ଡବମାନଙ୍କର ହିମାଳୟ ଯାତ୍ରା, ଯୁଧିଷ୍ଠିରଙ୍କର ସ୍ୱର୍ଗାରୋହଣ ଇତ୍ୟାଦି ବର୍ଣ୍ଣନା କରି ହିଂସାଦ୍ୱାରା ମାନବସମାଜର କଲ୍ୟାଣ ସମ୍ଭବପର ନୁହେଁ ବୋଲି ବ୍ୟାସଦେବଙ୍କ ସହିତ ସ୍ୱର ମିଳାଇ ବିଶ୍ୱବାସୀଙ୍କ ମନରେ ଚେତନା ସଂଚାର କରିବା ଲାଗି ହୋଇଛନ୍ତି ପ୍ରୟାସୀ । ମାନବସମାଜର କଲ୍ୟାଣକଳ୍ପେ ରାଜାଜୀଙ୍କର ସମସ୍ତ ସ୍ୱପ୍ନ ଓ ସାଧନା ଏଥିରେ ହୋଇଛି ବିନିଯୁକ୍ତ । ମନୁଷ୍ୟ ପାଇଁ ପ୍ରକୃତ ଧର୍ମ ଯାହା ତାହାର ପରିକଳ୍ପନା ଓ ଚର୍ଚ୍ଚା କରିଛନ୍ତି ସେ ଅତି ନିଖୁଣ ଭାବରେ । ହିନ୍ଦୁ ସଂସ୍କୃତିର ଜଣେ ଶ୍ରେଷ୍ଠ ବାର୍ତ୍ତାବହରୂପେ ସେ ଯେଉଁ ଆପ୍ରାଣ ଉଦ୍ୟମ କରି ଯାଇଛନ୍ତି, ବିଶ୍ଵରେ ମହାଭାରତ ଥିବା ପର୍ଯ୍ୟନ୍ତ ବ୍ୟାସଙ୍କ ସହିତ ସେ ମଧ୍ୟ ମୃତ୍ୟୁଞ୍ଜୟୀ ହୋଇ ରହିବେ । ବିଷୟବାସନାର ଜଞ୍ଜାଳ ଜଳଦ ଏଡ଼ାଇ ମଣିଷ ତନ୍ମଧ୍ୟରୁ ଦିବ୍ୟ ଚେତନାର ଆଲୋକ ଆହରଣ କରୁ ଏହା ବୋଧହୁଏ ଥିଲା ରାଜାଜୀଙ୍କ ମହାଭାରତ ପ୍ରଣୟନର ମୁଖ୍ୟ ଲକ୍ଷ୍ୟ ।

 

ରାଜାଜୀ ବହୁ ପୁସ୍ତକର ପ୍ରଣେତା; କିନ୍ତୁ ରାମାୟଣ ଓ ମହାଭାରତ ତାଙ୍କ ଲେଖକ ଜୀବନର ସର୍ବଶ୍ରେଷ୍ଠ କୃତି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜେ ମଧ୍ୟ ସେ ତାହା ସ୍ୱୀକାର କରି ଲେଖିଛନ୍ତି—“I have retold the Mahabharata and Ramayana is, in my opinion, the best service I have renderd to my people’’. ରାମାୟଣ, ମହାଭାରତକୁ ସେ କେବଳ ଗଳ୍ପ ପୁସ୍ତକ ଆକାରରେ ଗ୍ରହଣ କରିନାହାନ୍ତି । ଯେଉଁ ପୂର୍ବପୁରୁଷମାନେ ବସ୍ତୁତାନ୍ତ୍ରିକତାର ଶରବ୍ୟ ନ ହୋଇ ଜୀବନର ଗୂଢ଼ତତ୍ତ୍ୱ ସଂଧାନ କରିଥିଲେ ଓ ନ୍ୟାୟର ପୂଜାରୀ ଥିଲେ, ଏହି ମହାନ୍ ଗ୍ରନ୍ଥଦ୍ୱୟ ସେମାନଙ୍କ ହୃଦୟର ବାର୍ତ୍ତାବହ ବୋଲି ସେ କହିଛନ୍ତି । ବାଲ୍ମିକୀ ରାମାୟଣ ରଚନା କରି କହିଥିଲେ—

 

“ଯାବତ୍ ସ୍ଥାସ୍ୟନ୍ତ ଗିରୟଃ ସରିତାଶ୍ଚ ମହୀତଳେ

ତାବଦ୍ରାମାୟଣୀ ତଥା ଲୋକେଷୁ ପ୍ରଚରିଷ୍ୟତି”

 

ଅର୍ଥାତ୍ ପୃଥିବୀରେ ଗିରି ଓ ନଦୀମାନେ ଥିବା ପର୍ଯ୍ୟନ୍ତ ରାମାୟଣ କଥା ଲୋକମାନଙ୍କ ମଧ୍ୟରେ ପ୍ରଚାରିତ ହେଉଥିବ । ସେହିପରି ରାମାୟଣ ଓ ମହାଭାରତର ପ୍ରଣେତାଭାବରେ ରାଜାଜୀ ଯୁଗେ ଯୁଗେ ଅବିସ୍ମର ହୋଇ ରହିଥିବେ ଓ ଭାରତୀୟ ଜନମାନସରେ ରାମାୟଣ ଓ ମହାଭାରତରେ ଅମୃତୋପମ ଉପଦେଶ ଓ କାହାଣୀ ଉଜ୍ଜୀବିତ ହୋଇ ରହିଥିବ ।

 

“ଯେନ ତ୍ୱୟା ଭାରତ ତୈଳପୂର୍ଣ୍ଣଃ

ପ୍ରଜ୍ଜ୍ୱାଳିତୋ ଜ୍ଞାନମୟ ପ୍ରଦୀପଃ’’ ।

 

ଅର୍ଥାତ୍ ବ୍ୟାସଦେବଙ୍କ ଉଦ୍ଦେଶ୍ୟରେ କବି ଲେଖିଛନ୍ତି ଯେହେତୁ ତୁମେ ଭାରତ ଯୁଦ୍ଧ ରୂପକ କାହାଣୀର ତୈଳ ଢାଳି ଗୀତା ରୂପକ ଏକ ଜ୍ଞାନମୟ ପ୍ରଦୀପ ସମଗ୍ର ବିଶ୍ୱ ପାଇଁ ଜାଳି ଦେଇ ଯାଇଛ ତେଣୁ ତୁମେ ପ୍ରଣମ୍ୟ ।” ରାଜାଜୀ ବ୍ୟାସଙ୍କ ପରି ମହାଭାରତ ପ୍ରଣୟନ କରି ସାରି ଗୀତା ମଧ୍ୟ ପ୍ରଣୟନ କରିଛନ୍ତି । ତାଙ୍କ ଗୀତାର ପ୍ରାଞ୍ଜଳ ବିନ୍ୟାସ, ସର୍ବବୋଧ୍ୟ ଓ ବେଶ୍ ରୁଚିକର । ଏଥିରେ ଥିବା ଜୀବନ ନିର୍ଦ୍ଦେଶକୁ ସେ ସ୍ପଷ୍ଟ କରିପାରିଛନ୍ତି । ତାଙ୍କ ମତରେ ସନ୍ୟାସଦ୍ୱାରା ଯେଉଁ ପରିମାଣରେ ମାନସିକ ସ୍ଥିରତା ଆସେ, ତାହାଠାରୁ ଅଧିକ ଆସେ କର୍ମବ୍ୟସ୍ତତା ମଧ୍ୟରେ ଗୀତା ଅଧ୍ୟୟନ ଦ୍ୱାରା । ତେଣୁ ସେ କହିଛନ୍ତି—“The Gita is not merely a Hindu Bible, but also a treatise on human psychology.’’

 

ରାଜାଜୀଙ୍କର ରାମାୟଣ ଓ ମହାଭାରତ କିଛିଦିନ ପୂର୍ବେ ଆମେରିକାର ଏକାଧିକ ବିଶ୍ଵବିଦ୍ୟାଳୟର ପାଠ୍ୟ ପୁସ୍ତକ ରୂପେ ମଞ୍ଜୁରୀ ପାଇଥିଲା । ଏଥିଯୋଗୁଁ ଅବଶ୍ୟ ତାଙ୍କୁ ସଂପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବହି ଦାଖଲ କରିବାକୁ ପଡ଼ିନଥିଲା । ବିଦେଶୀ ବିଶ୍ୱବିଦ୍ୟାଳୟର ପାଠ୍ୟ ପୁସ୍ତକରୂପେ ଲେଖା ନିର୍ବାଚିତ ହେଲା ପରେ ଜଣେ ବନ୍ଧୁ ତାଙ୍କୁ ଅଭିନନ୍ଦନ ଜଣାଇ ଯେଉଁ ପତ୍ର ଲେଖିଥିଲେ ରାଜାଜୀ ତା’ର ପ୍ରତ୍ୟୁତ୍ତରରେ ଲେଖିଥିଲେ—‘‘I detest the idea of my books being canvassed with the uneducated representatives of Education”. ଏହାଦ୍ୱାରା ପରୋକ୍ଷରେ ବିଶ୍ୱବିଦ୍ୟାଳୟ ସ୍ତରରେ ହେଉଥିବା ପାଠ୍ୟପୁସ୍ତକ ନିର୍ବାଚନର ସେ ସମାଲୋଚନା କରିଥିଲେ ।

Image

 

Unknown

ଗାନ୍ଧୀଯୁଗର ଶେଷ ସୈନିକ

 

ବିଦେଶୀମାନଙ୍କ ମତରେ ରାଜାଜୀ ଥିଲେ ପ୍ରାଚ୍ୟଜଗତର ମେରୁ ଜ୍ୟୋତି । ମନରେ ସନ୍ଦେହ ରଖି ସେ କୌଣସି କାର୍ଯ୍ୟ କରୁନଥିଲେ । ବିଜ୍ଞାନ, ସଂସ୍କୃତି, ସାହିତ୍ୟ ଯାହା ହେଉନା କାହିଁକି, ସବୁ ବିଷୟରେ ଟିକିନିକି ଭାବେ ଜାଣିବାକୁ ସେ ଥିଲେ ଅତ୍ୟନ୍ତ ଆଗ୍ରହୀ । ତାଙ୍କ ଦେହ ଖରାପ ହେଲେ ଡାକ୍ତର ଯେଉଁ ଔଷଧ ଦେଉଥିଲେ, ସେ ତାହାର ରାସାୟନିକ ପ୍ରକ୍ରିୟା ଜାଣିବାକୁ ସର୍ବାଗ୍ରେ ଆଗ୍ରହ ପ୍ରକାଶ କରୁଥିଲେ । ଏଣୁ ସାଧାରଣ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବାକୁ ଭୟ କରୁଥିଲେ । ବି. ସି. ଜି. ଟୀକା ଶରୀର ପ୍ରତି କ୍ଷତିକାରକ ବୋଲି ସେ ସର୍ବପ୍ରଥମେ ତା’ର ବିରୋଧ କରିଥିଲେ । ପରେ ରସାୟନବିତ୍‌ମାନେ ରାଜାଜୀଙ୍କ ଉକ୍ତିର ସତ୍ୟତା ଉପଲବ୍ଧି କରି ଆଶ୍ଚର୍ଯ୍ୟ ହୋଇଥିଲେ । ଥରେ ରାଜାଜୀଙ୍କର ‘ରମଣରଶ୍ମି’ ଉପରେ ଗୋଟିଏ କ୍ଷୁଦ୍ର ପ୍ରବନ୍ଧ ‘ଭବନ୍‍ସ ଜର୍ଣ୍ଣାଲ୍‍’ରେ ପ୍ରକାଶ ପାଇଥିଲା । ସେହି ପ୍ରବନ୍ଧ ପଢ଼ି ଭାବା ଆଣବିକ ଗବେଷଣା କେନ୍ଦ୍ରର ଜଣେ ପୁରୁଣା ବୈଜ୍ଞାନିକ କହିଥିଲେ—‘‘ବିଜ୍ଞାନର ଛାତ୍ର ନହୋଇ ରାଜାଜୀ ମାତ୍ର ଦୁଇପୃଷ୍ଠା ମଧ୍ୟରେ କଠିନ ରମଣରଶ୍ମି ପରି ପଦାର୍ଥ ବିଜ୍ଞାନକୁ ଯେପରି ସରଳ ଓ ସର୍ବଜନବୋଧ୍ୟ କରିପାରିଛନ୍ତି, ତାହା ମୋ ପକ୍ଷରେ ଅସମ୍ଭବ” । କେବଳ ବିଜ୍ଞାନ ନୁହେଁ, ସବୁ ବିଷୟରେ ପ୍ରଶ୍ନ ପଚାରିବା ଥିଲା ତାଙ୍କର ପ୍ରବୃତ୍ତିଗତ । ତେଣୁ ତାଙ୍କ ଜୀବନୀ ପ୍ରଣେତା ମୋନିକା ଫେଲଟନ ତାଙ୍କୁ ଚିନ୍ତାରାଜ୍ୟର ଗୋମକ୍ଷୀ (gadfly) ସହିତ ତୁଳନା କରିଛନ୍ତି । ଗୋମକ୍ଷୀ ବା ଡାଁସର ଦଂଶନ ଯେପରି ସୁପ୍ତପ୍ରାଣୀଙ୍କୁ ଜାଗ୍ରତ କରେ, ସେହିପରି ତାଙ୍କ ପ୍ରଶ୍ନର ଚାତୁରୀ ଯେକୌଣସି ବ୍ୟକ୍ତିର ଚିନ୍ତାରାଜ୍ୟକୁ ଦଂଶନ କରି ସୁପ୍ତମନକୁ ଜାଗ୍ରତ କରିଥାଏ । ଏଣୁ ଯେକୌଣସି ବ୍ୟକ୍ତିଙ୍କ ସହିତ ରାଜାଜୀଙ୍କ ଆଲୋଚନା ହୋଇଥାଏ ବେଶ୍ ବୌଦ୍ଧିକ ଓ ସୁଖପ୍ରଦ ।

 

ସେ ଥିଲେ ଯୁକ୍ତିବାଦୀ । ସବୁ ବିଷୟର କାରଣ ଓ ବାସ୍ତବତା ଉପରେ ତାଙ୍କର ଦୃଷ୍ଟି ଥିଲା ତୀକ୍ଷ୍‍ଣ । ଭଗବାନଙ୍କ ଉପରେ ତାଙ୍କର ଅଟଳ ବିଶ୍ୱାସ ଥିଲା । ତେଣୁ ତାଙ୍କର ଭଗବତ୍ ବିଶ୍ଵାସ ତର୍କ ଓ ହେତୁବାଦର ସୀମାରେଖା ଲଂଘନ କରିଥିଲା । ଉପନିଷଦ ପ୍ରଣୟନ କରିବାଦ୍ୱାରା ତାଙ୍କର ସମସ୍ତ ବିଶ୍ଵାସ ବୈଜ୍ଞାନିକ ଭିତ୍ତି ଉପରେ ହୋଇଥିଲା ପ୍ରତିଷ୍ଠିତ । ତାହାସତ୍ତ୍ୱେ ସେ ବେଦାନ୍ତୀମାନଙ୍କ ପରି ଲୋକପ୍ରିୟ ହିନ୍ଦୁଧର୍ମକୁ ବିଦ୍ରୁପ କରୁନଥିଲେ । ହିନ୍ଦୁଧର୍ମକୁ ଧାନ୍ୟ ସହିତ ସେ ଥରେ ତୁଳନା କରି କହିଥିଲେ ଯେ ସେ ତା’ର ସମସ୍ତ ଉପଜାତ ପଦାର୍ଥର ଯଥାର୍ଥ ଉପଯୋଗ କରିବାକୁ ଚାହାନ୍ତି । ଏଣୁ ହିନ୍ଦୁଧର୍ମର ପ୍ରାୟ ସମସ୍ତ ପୁରାଣ ସେ ପଢ଼ି ତା’ର ପ୍ରଭାବର ପାବନତାରେ ହୋଇଥିଲେ ଆତ୍ମବିଭୋର । ତାହା ବୋଲି ଯେ ସେ ଅନ୍ୟ ଧର୍ମର ଚିନ୍ତାଧାରା ପ୍ରତି ଆସକ୍ତ ଓ ଅନୁରକ୍ତ ନଥିଲେ, ଏପରି ଭାବିବା ଭୁଲ୍ । ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମପ୍ରତି ତାଙ୍କର ସମଦୃଷ୍ଟି ଥିଲା । ସେଇଥିପାଇଁ ରାଜନୀତିକ ଜୀବନରେ ସେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଖୁବ୍ ସହାନୁଭୂତିଶୀଳ ଦୃଷ୍ଟିରେ ଦେଖୁଥିଲେ । ବାପୁଜୀଙ୍କ ପରି ସଂଖ୍ୟାଲଘୁ ସଂପ୍ରଦାୟର ସ୍ୱାର୍ଥ ସଂରକ୍ଷଣ ଲାଗି ସେ ବ୍ୟକ୍ତ କରୁଥିଲେ ତାଙ୍କ ଉଦାର ହୃଦୟର ଅସରନ୍ତି ଦରଦ ।

 

ଲୋକେ ବେଳେବେଳେ ପ୍ରଶ୍ନ କରିଥାନ୍ତି, ରାଜାଜୀ ତ ବ୍ରାହ୍ମଣ ଥିଲେ ଦ୍ରାବିଡ଼ ମୁନେତା କାଳାଗମ ପରି ଏକ ଦଳ ତାଙ୍କର ଆସ୍ଥା ଭାଜନ ହେଲା କିପରି ? ତାହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ରାଜାଜୀଙ୍କର ଥିଲା ବ୍ରାହ୍ମଣର ଦୂରଦୃଷ୍ଟି, ଯଦ୍ଦ୍ୱାରା ସେ ଧର୍ମ ଓ ଦର୍ଶନର ପ୍ରକୃତ ଅନୁଶୀଳନ କରିପାରୁଥିଲେ; କିନ୍ତୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ଥିଲେ ସଂକୀର୍ଣ୍ଣ ଜାତିଆଣ ସଂପୂର୍ଣ୍ଣ ପ୍ରଥାରୁ ମୁକ୍ତ । ଡି. ଏମ୍. କେ. ଆନ୍ଦୋଳନକୁ ସେ ବ୍ରାହ୍ମଣଇରେ ଆନ୍ଦୋଳନ ବୋଲି ଭାବୁନଥିଲେ । ତାଙ୍କ ଦୃଷ୍ଟିରେ ସେହି ଆନ୍ଦୋଳନ ଥିଲା ସି. ଏନ୍. ଆନ୍ନା ଦୁରାଇଙ୍କ ପରି ଜନୈକ ଉତ୍ସାହୀକର୍ମୀଙ୍କ ଦ୍ୱାରା ପରିଚାଳିତ ଏକ ବାସ୍ତବ ରାଜନୈତିକ ଆନ୍ଦୋଳନ-। ଆନ୍ନା ଦୁରାଇଙ୍କ ପ୍ରତି ତାଙ୍କର ଥିବା ପ୍ରଗାଢ଼ ସ୍ନେହ ବିଷୟ ଉଲ୍ଲେଖ କରି ସେ କହୁଥିଲେ ‘‘I sustained and valued that friendship, because I thought it would help to bring about better understanding between brahmins and non-brahmins and put an end to the ageold animosity between then.’’ ଅନ୍ଧଭାବରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଦଳପ୍ରତି ଆସକ୍ତି ପ୍ରକାଶ କରିବା ଥିଲା ତାଙ୍କ ଚରିତ୍ରର ବହିର୍ଭୂତ । ପରେ ଯେତେବେଳେ ସେ ଦେଖିଲେ ଯେ ସେହି ଦଳର କର୍ମୀମାନେ ପ୍ରତିଷ୍ଠାତାଙ୍କ ଦ୍ୱାରା ନିର୍ଦ୍ଧାରିତ ପନ୍ଥା ଅନୁସରଣ କରୁନାହାନ୍ତି, ସେତେବେଳେ ସେ ସେହି ଦଳପତି ହୋଇପଡ଼ିଥିଲେ ଅନାସକ୍ତ । ପେରିୟାର ରାମସ୍ୱାମୀ ନାଇକାର ସତ୍ୟାଗ୍ରହ ଆନ୍ଦୋଳନରେ ଥିଲେ ରାଜାଜୀଙ୍କର ଘନିଷ୍ଠ ସହକର୍ମୀ; କିନ୍ତୁ ପରେ ନାଇକାର କଂଗ୍ରେସ ଛାଡ଼ି ପ୍ରତିଷ୍ଠା କରିଥିଲେ ଦ୍ରାବିଡ଼ କାଜାଗମ ଦଳ । ବ୍ରାହ୍ମଣଙ୍କ ବିରୋଧରେ ଅଭିଯାନ କରିବା ଥିଲା ତାଙ୍କର ଲକ୍ଷ୍ୟ ।

 

ହରିଜନମାନଙ୍କର ବିକାଶ କଳ୍ପେ ଯେଉଁ କେତେଜଣ କର୍ମୀ ଗାନ୍ଧୀଜୀଙ୍କ ଆଦର୍ଶରେ କାମ କରୁଥିଲେ, ରାଜାଜୀ ଥିଲେ ସେମାନଙ୍କ ମଧ୍ୟରେ ଅଗ୍ର ସାରଥି । ଏବେ ଅବଶ୍ୟ ଅସ୍ପୃଶ୍ୟତା ବିରୁଦ୍ଧରେ ଆଇନଗତ ଓ ସାମାଜିକ କଟକଣା ଜାରି ହେଲାଣି; କିନ୍ତୁ ଆଜକୁ ପ୍ରାୟ ୬୦ ବର୍ଷ ପୂର୍ବେ ଅସ୍ପୃଶ୍ୟତ ନିବାରଣ ପାଇଁ ଜଣେ ନୈଷ୍ଠିକ ତାମିଲ ବ୍ରାହ୍ମଣଙ୍କ ଉଦ୍ୟମ କିପରି ସମାଜରେ ଘୃଣ୍ୟ କର୍ତ୍ତବ୍ୟରୂପେ ବିବେଚିତ ହେଉଥିଲା, ତାହା ସହଜେ ଅନୁମେୟ । କେରଳର ନମ୍ବୁଦ୍ରି ବ୍ରାହ୍ମଣଙ୍କ ପରି ମାନ୍ଦ୍ରାଜର ବ୍ରାହ୍ମଣମାନେ ସେ ସମୟରେ ହରିଜନମାନଙ୍କୁ ଚାଣ୍ଡାଳ ବୋଲି ଆଖ୍ୟା ଦେଇଥିଲେ । ତାଙ୍କର ଏକ ବଦ୍ଧମୂଳ ବିଶ୍ଵାସ ଥିଲା ଯେ ଅସ୍ପୃଶ୍ୟଜାତିର ପବନ ବାଜିଲେ ବ୍ରାହ୍ମଣର କାୟା ଅପବିତ୍ର ହୋଇଯାଉଥିଲା । ଏଣୁ ବ୍ରାହ୍ମଣ ବସ୍ତିରେ ହରିଜନମାନେ ଯାତାୟାତ କଲାବେଳେ ଅଣ୍ଟାରେ ଘଣ୍ଟି ବାନ୍ଧୁଥିଲେ । ସେମାନଙ୍କର ଆଗମନ ଘଣ୍ଟି ଶୁଣି ବ୍ରାହ୍ମଣମାନେ ଦ୍ୱାର ବନ୍ଦକରି ଦେଉଥିଲେ । କେବଳ ହରିଜନ କାହିଁକି ବୈଶ୍ୟମାନଙ୍କୁ ମଧ୍ୟ ସେ ସମୟରେ ଦକ୍ଷିଣ ଭାରତୀୟ ବ୍ରାହ୍ମଣମାନେ ଅତି ହେୟ ଓ ଘୃଣାଚକ୍ଷୁରେ ଦେଖୁଥିଲେ । ସେହି ପରମ୍ପରା ଭାଙ୍ଗିବା ଲାଗି ରାଜାଜୀ ତାଙ୍କ ଝିଅ ଲକ୍ଷ୍ମୀର ବିବାହ ଦେଇଥିଲେ ବୈଶ୍ୟ ଦେବଦାସ (ଗାନ୍ଧୀଙ୍କ ପୁତ୍ର)ଙ୍କ ସହିତ ।

 

ସାଂପ୍ରଦାୟିକ ଘୃଣାର ଦୂରୀକରଣ ଲାଗି କାର୍ଯ୍ୟ କଲାବେଳେ ସେ କୃତ୍ରିମ ସଂହତି ଆଣିବା ଲାଗି ଚେଷ୍ଟା କରୁନଥିଲେ । ସାଂପ୍ରଦାୟିକ ମୈତ୍ରୀ ପ୍ରକୃତିଗତ ହେଉ, ଓ ସାଂସ୍କୃତିକ ସଂହତି ଆସୁ, ଏଥିପାଇଁ ସେ ଥିଲେ ବ୍ୟଗ୍ର । ତାଙ୍କର ବୌଦ୍ଧିକ ଚିନ୍ତାଧାରାରେ ଅବରୋହଣ ପଦ୍ଧତି ସ୍ଥାନ ପାଉନଥିଲା । ସବୁ ସ୍ତରରେ ଆରୋହଣ ପଦ୍ଧତି ତାଙ୍କର ଥିଲା ଶ୍ରେୟ । ନେହେରୁଙ୍କ ଭାଷାରେ—‘‘Rajaji represents fundamentally the highest type of mind of India.’’ ପ୍ରକୃତରେ ରାଜାଜୀଙ୍କ ହୃଦୟ ଥିଲା ଭାରତୀୟ ଅନୁବୋଧର ପରମ ପ୍ରତୀକ । ଅନ୍ଵେଷଣ ଓ ସଂଯୋଜନ ଭାରତୀୟ ଅନୁବୋଧର ଅପରିତାଜ୍ୟ ସତ୍ତା । ଏତଦ୍ ଭିନ୍ନ ବିଶ୍ଵାସ, ଶ୍ରଦ୍ଧା, ତାତ୍‌କାଳିକ ଜ୍ଞାନଦ୍ୱାରା ଭାରତୀୟ ତା’ର ପାରମ୍ପରିକ ପରାକାଷ୍ଠା ପ୍ରଦର୍ଶନ କରିଥାଏ । ରାଜାଜୀ ଯେ କେବଳ ସ୍ୱକୀୟ ତୀକ୍ଷ୍‍ଣ ମେଧା ବଳରେ ସମସ୍ୟାର ଅନ୍ତର୍ଭାଗ ଦେଖି ପାରୁଥିଲେ, ସେପରି ଭାବିବା ଠିକ୍ ନୁହେଁ । ଭଲମନ୍ଦ ବିଚାର ଶକ୍ତି ଅର୍ଥାତ୍ ବିବେକ ଯେକି ଭାରତୀୟ ମନକୁ ନିରାମୟ ରଖେ, ରାଜାଜୀଙ୍କର ତାହା ଥିଲା ସର୍ବଦା ସକ୍ରିୟ । ତେଣୁ ସେ ଯେକୌଣସି ସମସ୍ୟାର ନ୍ୟାୟୋଚିତ ସମାଧାନ କରିପାରୁଥିଲେ । ତାଙ୍କର ବୌଦ୍ଧିକ ଚିନ୍ତା ଆବେଗ ପରାୟଣତାଠାରୁ ଥିଲା ବହୁ ଦୂରରେ ।

 

ସେ ଆଜନ୍ମସିଦ୍ଧ ନଥିଲେ । ପ୍ରାଥମିକ ଜୀବନରେ ତାମିଲ ଭାଷାରେ ପୁରାଣଶାସ୍ତ୍ର ସମ୍ୟକଭାବେ ଅନୁଶୀଳନ କରିଥିଲେ ମଧ୍ୟ ତାଙ୍କର ସଂସ୍କୃତ ସାହିତ୍ୟରେ ସେତେ ପ୍ରବେଶ ନଥିଲା-। ତାଙ୍କୁ ଯେତେବେଳେ ପଚାଶ ବର୍ଷ ସେ ସଂସ୍କୃତ ଅଧ୍ୟୟନ ଆରମ୍ଭ କରିଥିଲେ ଓ ସେଥିରେ ଆଶାନୁରୂପ ପାଣ୍ଡିତ୍ୟ ଅର୍ଜନ କରିପାରିଥିଲେ । କେବଳ ବିଦ୍‍ବଭା ନୁହେଁ, ନୈପୁଣ୍ୟ ବା ପାଟବ ପ୍ରଦର୍ଶନ କରି ସେ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇଥିଲେ । ସାଧାରଣ ମେଧାସମ୍ପନ୍ନ ଯେକୌଣସି ବ୍ୟକ୍ତି ଶ୍ରମ ବଳରେ ବିଦ୍ଵାନ ହୋଇପାରେ, କିନ୍ତୁ ରାଜାଜୀଙ୍କ ସ୍ତରରେ ପହଞ୍ଚିବା ଖୁବ୍ ମୁଷ୍ଟିମେୟଙ୍କ ଭାଗ୍ୟରେ ଘଟିଥାଏ ।

 

ରାଜାଜୀଙ୍କୁ ଦାର୍ଶନିକ କହିବା କେତେଦୂର ସମୀଚୀନ ତାହା ବିଚାର ସାପେକ୍ଷ । ସେ ମୁଖ୍ୟତଃ ଥିଲେ ଜଣେ ନୀତିଶାସ୍ତ୍ରଜ୍ଞ ଓ ସଦାଚାରମାର୍ଗୀ । ବ୍ୟକ୍ତି ଓ ସମାଜର ଆଚାର ଅନ୍ଵେଷଣ କରିବାରେ ସେ ଥିଲେ ଧୂରୀଣ । ଏଣୁ ତାଙ୍କ ପ୍ରଣୀତ ଦର୍ଶନ ଓ ଧର୍ମ ସମ୍ବନ୍ଧୀୟ ପୁସ୍ତକରେ ସେ ଦର୍ଶନତତ୍ତ୍ଵର ବ୍ୟାଖ୍ୟା ନକରି ଜୀବନ ପାଇଁ ପ୍ରକୃତ ତଥା ପ୍ରକୃଷ୍ଟ ମାର୍ଗପ୍ରଦର୍ଶନ କରିଯାଇ ଅଛନ୍ତି । ଶଙ୍କରଙ୍କର ଅଦ୍ୱୈତବାଦ ଓ ରାମାନୁଜଙ୍କର ବିଶିଷ୍ଟାଦ୍ୱୈତବାଦରେ ଯଥାକ୍ରମେ ଭକ୍ତି ଓ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲେ ମଧ୍ୟ ସେ ଉଭୟ ଦାର୍ଶନିକ ମତବାଦ ମଧ୍ୟରେ ସମନ୍ୱୟ ଆଣିବାକୁ ଚେଷ୍ଟା କରିଛନ୍ତି । ତାଙ୍କରି ଭାଷାରେ କହିବାକୁ ଗଲେ ‘Bhakti and jnana are one and the same’. କେବଳ ଦର୍ଶନ ନୁହେଁ, ବିଜ୍ଞାନ କିପରି ଲୋକପ୍ରିୟ ହୋଇପାରିବ, ସେଥିପାଇଁ ରଜାଜୀଙ୍କ ଉଦ୍ୟମ ଥିଲା ଅବ୍ୟାହତ । ସେ ବିଜ୍ଞାନ ଛାତ୍ର ନଥିଲେ ମଧ୍ୟ ପଦାର୍ଥ ବିଜ୍ଞାନ ଉପରେ ଶିଶୁମାନଙ୍କ ଲାଗି ଖଣ୍ଡିଏ ପୁସ୍ତକ ପ୍ରଣୟନ କରିଥିଲେ ।

 

ଗତ ପଚାଶବର୍ଷ ମଧ୍ୟରେ ରାଜାଜୀ ଯେଉଁସବୁ ଭାଷଣ ଦେଇଛନ୍ତି, ସେଗୁଡ଼ିକୁ ଅନୁଶୀଳନ କଲେ ଜଣାଯାଏ ଯେ ତାଙ୍କର ସମସ୍ତ ଭାଷଣରେ ସମୟର ବ୍ୟାଖ୍ୟା ସ୍ପଷ୍ଟ ହୋଇଉଠିଛି । ତାଙ୍କ ଭାଷଣ ବାଗ୍ମିତାଠାରୁ ଅଧିକ ଅନୁଶୀଳନରେ ଭାରାକ୍ରାନ୍ତ । ୧୯୩୭ ରୁ ୧୯୩୯ ପର୍ଯ୍ୟନ୍ତ ସେ ଥିଲେ ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ । ସେତେବେଳେ ମାନ୍ଦ୍ରାଜ ବିଧାନ ପରିଷଦରେ ବହୁ ନିର୍ଭୀକ ସଭ୍ୟ କଂଗ୍ରେସର ସଂସ୍କାରଧର୍ମୀ କାର୍ଯ୍ୟପନ୍ଥାର ସମର୍ଥନ କରୁଥିଲେ । ସେମାନଙ୍କ ମଧ୍ୟରେ ରାଇଟ ଅନରେବଲ ଶ୍ରୀନିବାସ ଶାସ୍ତ୍ରୀ ଥିଲେ ଅଗ୍ରଣୀ । ତାଙ୍କର ବାଗ୍ମିତା ପ୍ରଚଣ୍ତ ବିଦ୍ୟୁତ୍ ପ୍ରବାହ ପରି ମନକୁ ସ୍ପର୍ଶ କରିପାରୁଥିଲେ ମଧ୍ୟ ରାଜାଜୀ ତର୍କପୂର୍ଣ୍ଣ ଭାଷଣ ବଳରେ ତାଙ୍କୁ ପରାସ୍ତ କରୁଥିଲେ । କାରଣ ତାଙ୍କ ଭାଷଣ ବିଦ୍ୟୁତ୍ ପ୍ରବାହ ପରି ଚଞ୍ଚଳ ନଥିଲେ ମଧ୍ୟ ଶର ସଦୃଶ ଥିଲା ତୀକ୍ଷ୍‍ଣ । ଏଣୁ ବିରୋଧୀଦଳ ଯେତେ ଶକ୍ତିଶାଳୀ ଥିଲେ ମଧ୍ୟ ତାଙ୍କର ତୁଙ୍ଗ ବ୍ୟକ୍ତିତ୍ୱ ନିକଟରେ ପରାଜୟ ସ୍ୱୀକାର କରୁଥିଲେ ।

 

ଲେଖାରେ ଥିଲା ତାଙ୍କର ପ୍ରକାଶମୟ ଭଙ୍ଗୀ । ଖୁବ୍ ସଂକ୍ଷେପରେ ଅଥଚ ବଳିଷ୍ଠ ଶୈଳୀ ମାଧ୍ୟମରେ ସେ ନିଜର ମତ ବ୍ୟକ୍ତ କରୁଥିଲେ । ଅଦରକାରୀ ଜିନିଷ ତାଙ୍କ ଲେଖା ଓ ବକ୍ତବ୍ୟରେ ସ୍ଥାନ ପାଉନଥିଲା ? ଟଲଷ୍ଟୟଙ୍କ ଗଳ୍ପପରି ତାଙ୍କ ଗଳ୍ପଗୁଡ଼ିକ ବେଶ ଉପଦେଶାତ୍ମକ । ପାଠକ ବା ଶ୍ରୋତା ମନରେ ସେଗୁଡ଼ିକ ସହଜେ ରେଖାପାତ କରିଥାଏ । ଉପନିଷଦ ଓ ଭାଗବତ୍ ଗୀତାର ସେ ଯେଉଁ ବ୍ୟାଖ୍ୟା କରିଛନ୍ତି, ସେଥିରେ ସେ ଅନ୍ୟ ଭାରତୀୟ ଲେଖକଙ୍କ ପରି କେବଳ ସ୍ୱକୀୟ ଜ୍ଞାନଗାରିମା ପ୍ରଦର୍ଶନ କରିନାହାନ୍ତି । ପାଠକର ଚିନ୍ତାରାଜ୍ୟରେ ଆଲୋକ ସଂପାତ ହେଉ, ଏହି ଉଦ୍ଦେଶ୍ୟରେ ଚୈତନ୍ୟର ଦ୍ୱାର ଉନ୍ମୁକ୍ତ କରିବାଲାଗି ସେ ସେଥିରେ ଉଦ୍ୟମ କରିଛନ୍ତି । ଏହା ସତ୍ତ୍ୱେ ଅନେକ ପ୍ରଶ୍ନ କରିଥାନ୍ତି ଯେ ରାଜାଜୀ ଅସାଧାରଣ ବିଦ୍‌ବତ୍ତା, ନୈତିକ ଦୃଢ଼ତା ଓ ରାଜନୈତିକ ଧୂରୀଣତାର ଅଧିକାରୀ ହୋଇଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ଗଣସମର୍ଥନ ପାଇଲେ ନାହିଁ କାହିଁକି ? ତାହାର କାରଣ ହେଉଛି ଉତ୍ତର ଭାରତ ଥିଲା ସ୍ଵାଧୀନତା ଆନ୍ଦୋଳନର ପୀଠସ୍ଥଳୀ । ଅତଏବ ଜଣେ ଦକ୍ଷିଣ ଭାରତୀୟଙ୍କ ପକ୍ଷରେ ଜାତୀୟ ନେତା ହେବା ସେତେ ସହଜ ନଥିଲା । ଭୌଗୋଳିକ ଓ ଐତିହାସିକ ପରିସ୍ଥିତି ଦୃଷ୍ଟିରୁ ଜାତୀୟ ଆନ୍ଦୋଳନର ଆବେଗାତ୍ମକ ସ୍ରୋତରେ ଦକ୍ଷିଣ ଭାରତୀୟଙ୍କଠାରୁ ଅଧିକ ସଂଖ୍ୟାରେ ଉତ୍ତର ଭାରତୀୟ ଝାସଦେବା ଥିଲା ସ୍ୱାଭାବିକ ।

 

ଜାତୀୟ କଂଗ୍ରେସର ଇତିହାସ ଆଲୋଚନା କଲେ ଜଣାଯାଏ ଯେ ସ୍ୱାଧୀନତାପ୍ରାପ୍ତି ପର୍ଯ୍ୟନ୍ତ ଜଣେ ହେଲେ ଦକ୍ଷିଣ ଭାରତୀୟ କଂଗ୍ରେସର ସ୍ଥାୟୀ ସଭାପତି ହୋଇ ପାରି ନଥିଲେ । ସି. ବିଜୟ ରାଘବାଚାରୀ, ଆନନ୍ଦ ଚାରଲୁ, ସାର୍ ସି. ଶଙ୍କରନ୍ ନାୟାର ଥିଲେ ଗାନ୍ଧୀଯୁଗର ଜଣେ ଜଣେ ନେତୃସ୍ଥାନୀୟ ବ୍ୟକ୍ତି । ଏସ. ଶ୍ରୀନିବାସ ଆୟାଙ୍ଗାର ସଭାପତି ଥାଇ ଗାନ୍ଧୀଜୀଙ୍କ ସହିତ ସୁସମ୍ପର୍କ ରକ୍ଷା କରି ନପାରିବାରୁ ବୋଧହୁଏ ସେହି ପଦରୁ ବିଦାୟ ନେଇଥିଲେ । ରାଜାଜୀ ଖୁବ୍ ସୀମିତ ସମୟଲାଗି କଂଗ୍ରେସର ମୁଖ୍ୟ ଥିଲେ ମଧ୍ୟ ଥରେ ହେଲେ ସେ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସଭାପତି ହୋଇପାରି ନଥିଲେ । ତାହା ବୋଲି ଯେଉଁମାନେ ସଭାପତି ହୋଇଥିଲେ ସେମାନେ ରାଜାଜୀଙ୍କ ଠାରୁ ଉଚ୍ଚ ଆସନର ଅଧିକାରୀ ଏପରି ଭାବିବା ଭୁଲ । ସେତେବେଳେ ଜଣେ ଦକ୍ଷିଣ ଭାରତୀୟ ଯେତେ ଉଚ୍ଚକୋଟୀର ଜାତୀୟବାଦୀ ହେଲେ ମଧ୍ୟ ନେତାବହୁଳ ଉତ୍ତର ଭାରତରେ କୌଣସି ପଦ ଓ ପଦବୀର ପ୍ରତିଦ୍ଵନ୍ଦୀ ହେବା ସେତେ ସହଜ ନଥିଲା । ୧୯୫୦ ମସିହା ଜାନୁଆରୀ ମାସରେ ଭାରତୀୟ ସାଧାରଣତନ୍ତ୍ରର ପ୍ରଥମ ରାଷ୍ଟ୍ରପତି ହେବା ଲାଗି ଜବାହରଲାଲ ଯେତେବେଳେ ରାଜାଜୀଙ୍କ ନାମ ପ୍ରସ୍ତାବ କଲେ ଉତ୍ତର ଭାରତୀୟ କଂଗ୍ରେସ ନେତାମାନେ ତାହା ସମର୍ଥନ କରିନଥିଲେ । ଯଦିଓ ରାଜାଜୀ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିଜର ବଳିଷ୍ଠ ଯୁକ୍ତିବଳରେ ସହକର୍ମୀମାନଙ୍କୁ ଜୟ କରିପାରିଥିଲେ, ତଥାପି ଗଣସମର୍ଥନ ପାଇବା ତାଙ୍କ ପକ୍ଷରେ ହୋଇଥିଲା ଦୁଷ୍କର । ମାନ୍ଦ୍ରାଜର ତ୍ରିପୁକାନ୍‌ଠାରେ ସେ ପାଇପାରିଥିଲେ ଅଗଣିତ ଜନତାର ସମର୍ଥନ ସତ; କିନ୍ତୁ ବମ୍ବେର ଚୌପାଟି, ଦିଲ୍ଲୀର ରାମଲୀଳା ମଇଦାନ୍ ଓ କଲିକତାର ମଇଦାନ୍ ପଡ଼ିଆରେ ଜନତାର ରାଜନୈତିକ ସମର୍ଥନ ପାଇବାରେ ସେ ହୋଇଥିଲେ ଅସମର୍ଥ । ଯେହେତୁ ସେତେବେଳେ ଦେଶର ଭାଗ୍ୟ ନିର୍ଦ୍ଧାରଣ କରାଯାଉଥିଲା ମୁଖ୍ୟତଃ ବମ୍ବେ, ଦିଲ୍ଲୀ ଓ କଲିକତାଠାରେ । ତେଣୁ ରାଜାଜୀଙ୍କ ନେତୃତ୍ୱ ପ୍ରତି ଆଶାନୁରୂପ ଗୁରୁତ୍ୱ ଦିଆଯାଉ ନଥିଲା ।

 

୧୯୩୦ ରୁ ୧୯୪୦ ମସିହା ପର୍ଯ୍ୟନ୍ତ କଂଗ୍ରେସର ଇତିହାସ ଅନୁଶୀଳନ କଲେ ଜଣାଯାଏ ଯେ ରାଜାଜୀ ଥିଲେ ସେ ସମୟରେ କଂଗ୍ରେସର ସର୍ବୋଚ୍ଚ ନୀତି ବିଧାୟକ । ତାଙ୍କରି ଉଦ୍ୟମରେ ୧୯୪୦ ମସିହାରେ ପୁନା କଂଗ୍ରେସରେ ସ୍ଥିର କରାଯାଇଥିଲା ଯେ ଯଦି ଭାରତକୁ କୌଣସି ଶକ୍ତି ଆକ୍ରମଣ କରେ ତାହାହେଲେ ଦେଶର ସୁରକ୍ଷାଲାଗି ସଶସ୍ତ୍ର ଉଦ୍ୟମ କରାଯିବ । ଏହା ଥିଲା କଂଗ୍ରେସର ନୀତିବିରୁଦ୍ଧ । ଏଣୁ ଗାନ୍ଧୀଜୀ ସେଥିରେ ସମ୍ମତ ହୋଇନଥିଲେ । ତାହା ସତ୍ତ୍ୱେ ରାଜାଜୀ ଥିଲେ ନିଶଙ୍କମନା । ମୁସଲିମ୍ ଲିଗର କଂଗ୍ରେସ ସହିତ ଏକ ମିଳାମିଶା କରାଇବାଲାଗି ସେ ଖେଡ଼ୁଆଳ ମନୋବୃତ୍ତି ନେଇ କହିଥିଲେ ଯଦି ଲିଗ୍ କଂଗ୍ରେସ କଥାରେ ରାଜି ହୁଏ, ତାହାହେଲେ ଜିନ୍ନା ଭାରତର ପ୍ରଧାନମନ୍ତ୍ରୀ ହେଲେ କଂଗ୍ରେସର କିଛି ଆପତ୍ତି ନାହିଁ; କିନ୍ତୁ ଜିନ୍ନା ତାହା ପ୍ରତ୍ୟାଖ୍ୟାନ କରିଥିଲେ । ତାହାହେଲେ ରାଜାଜୀ ଏପରି ପ୍ରସ୍ତାବ ଉଠାଇଥିଲେ କାହିଁକି ? ମୁସଲମାନ-ଅଧ୍ୟୁଷିତ ଅଞ୍ଚଳରେ ଆତ୍ମଦୃଢ଼ତା ପାଇଁ ସେ କାହିଁକି ଚାହୁଁଥିଲେ ? ତାହାର କାରଣ ହେଉଛି ହିନ୍ଦୁ-ମୁସଲମାନ ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ଗୋର ସରକାର ସେତେବେଳେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହେଉନଥିଲେ । ଏଣୁ ସ୍ୱାଧୀନତା ସଂଗ୍ରାମୀଙ୍କ ମନରେ ଦେଖା ଦେଇଥିଲା ଗଭୀର ନୈରାଶ୍ୟ । ପୁନଶ୍ଚ ଜିନ୍ନାଙ୍କର ଏକଜିଦିଆ ମନୋବୃତ୍ତି ଯୋଗୁଁ ହିନ୍ଦୁ-ମୁସଲମାନ ଐକ୍ୟ କ୍ରମେ ଅବାସ୍ତବ ହୋଇ ପଡ଼ୁଥିଲା । ତେଣୁ ରାଜାଜୀ ବାସ୍ତବବାଦୀ ଦୃଷ୍ଟିକୋଣରୁ ବିଚାର କରୁଥିଲେ ଯେ ମୁସଲମାନମାନଙ୍କର ଦାବୀ ପ୍ରତ୍ୟାଖ୍ୟାନ କରାଯିବାଠାରୁ ସ୍ୱାଧୀନତା ସଂଗ୍ରାମକୁ ଅନିର୍ଦ୍ଦିଷ୍ଟକାଳ ଲାଗି ବନ୍ଦ ରଖିବା ଆଦୌ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ । କାରଣ ସେତେବେଳେ ସମଗ୍ର ଜାତି ସ୍ୱାଧୀନତା ପ୍ରାପ୍ତିପାଇଁ ଅଧୈର୍ଯ୍ୟ ହୋଇ ଉଠିଥିଲା ।

 

ଗାନ୍ଧୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଭାରତ-ଛାଡ଼ ଆନ୍ଦୋଳନ; କିନ୍ତୁ ରାଜାଜୀ ସେଥିରେ ସହଯୋଗ ନ କରିବାରୁ ତାଙ୍କୁ ଅପଯଶ ଅର୍ଜନ କରିବାକୁ ପଡ଼ିଥିଲା । ସେ ସ୍ୱତଃପ୍ରବୃତ୍ତ ହୋଇ ଦୀର୍ଘ ୨୫ ବର୍ଷର ସୁନାମକୁ ଜଳାଞ୍ଜଳି ଦେଇଥିଲେ । କେବଳ ନୀତିଗତ ଦୃଢ଼ତା ଯୋଗୁଁ ସେ ଖୁବ୍ ସାହସିକତା ସହକାରେ ଜନାପବାଦକୁ କରିପାରିଥିଲେ ନିଜର ମଉଳି ମଣ୍ଡନ । ଜଣେ ଲୋକପ୍ରିୟନେତା ସାଧାରଣତଃ ଲୋକମତକୁ ସ୍ୱୀକାର କରିନେଇଥାଏ । ଯେହେତୁ ଜନତାର ସ୍ନେହ ଓ ଘୃଣା ରାଜନୀତିର ହେଉଛି ଉପଜୀବ୍ୟ ଉପାଦାନ, ତେଣୁ ଜଣେ ନେତାଙ୍କର ବ୍ୟକ୍ତିଗତ ନୀତି ଲୋକପ୍ରିୟ ରାଜନୀତି ପରିଚାଳନାରେ ସାମୟିକ ସହାୟକ ହୋଇନଥାଏ; କିନ୍ତୁ ରାଜାଜୀ ବେଳେବେଳେ ଜନତାର ରାୟକୁ ସ୍ୱୀକାର ନ କରିବାରୁ ରାଜନୀତିକ ଜୀବନର ବହୁ କ୍ଷେତ୍ରରେ ଅପ୍ରିୟ ହୋଇଥିଲେ । ତାହା ସତ୍ତ୍ୱେ ସହକର୍ମୀମାନେ ତାଙ୍କୁ ଅସମ୍ମାନ କରୁନଥିଲେ । କାରଣ କ୍ଷମତାର ଅପପ୍ରୟୋଗ ନ କରି ସମସ୍ୟାର ସମାଧାନକୁ ସେ ପବିତ୍ର କର୍ତ୍ତବ୍ୟ ବୋଲି ମନେ କରୁଥିଲେ । ଅବଶ୍ୟ ନେହେରୁଙ୍କ ପରି ତାଙ୍କର ପ୍ରସାରିତ ଦୃଷ୍ଟିକୋଣ ନଥିଲା; କିନ୍ତୁ ସବୁ ବିଷୟରେ ଥିଲା ତାଙ୍କର ଗଭୀର ଅନୁପ୍ରବେଶ । ରାଡ଼ାର ଯେପରି ପାଣି ପାଗର ଅଗ୍ରସୂଚନା ଦିଏ ରାଜାଜୀ ସେହିପରି ଅନାଗତ ସମସ୍ୟାଗୁଡ଼ିକର ସୂଚନା ଦେଇ ପାରୁଥିଲେ ।

 

ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ରାଜାଜୀ ବାପୁ ବିବେକର ପ୍ରହରୀ ଥିଲେ ମଧ୍ୟ ସବୁବେଳେ ନିଜ ବିବେକାନୁମୋଦିତ ପନ୍ଥା ଅନୁସରଣ କରୁଥିଲେ । ସବୁବେଳେ ଯେ ତାଙ୍କ ପନ୍ଥା ନିର୍ଭୁଲ ହେଉଥିଲା, ତାହା ନୁହେଁ; କିନ୍ତୁ ସମ୍ଭବତଃ ସେ ଥିଲେ ଅଭୟମନା । ଯେଉଁ ଭୟ ସଂସ୍କୃତି ଓ ମାନବିକତାକୁ ରସାତଳଗାମୀ କରେ, ତାହା ରାଜାଜୀଙ୍କ ହୃଦୟକୁ ସ୍ପର୍ଶକରି ପାରିନଥିଲା । ତେଣୁ ଭଗବାନଙ୍କ ବ୍ୟତୀତ ସେ କେବେ କାହାକୁ ଭୟ କରୁନଥିଲେ । ସେ ସର୍ବଦା କହୁଥିଲେ–‘ଭଗବାନଙ୍କୁ ଭୟକରିବା ହେଉଛି ଜ୍ଞାନ ଆହରଣର ସର୍ବପ୍ରଥମ ସୋପାନ’’ । ୧୯୪୨ ମସିହା ଜୁଲାଇ ଦ୍ୱିତୀୟ ସପ୍ତାହରେ ‘ଭାରତ ଛାଡ଼ ପ୍ରସ୍ତାବ ଓ୍ୱାର୍ଦ୍ଧା କଂଗ୍ରେସରେ ପାଶହେଲା । ତାହାର ବିରୋଧ କରି ରାଜାଜୀ ମାନ୍ଦ୍ରାଜ ବିଧାନ ସଭା ଓ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଲେ-

 

ତାପରେ ୧୯୪୨ ଅଗଷ୍ଟ ସାତ ଓ ଆଠ ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟି ବମ୍ବେସ୍ଥିତ ଗଓ୍ୱାଲିଆ ଟ୍ୟାଙ୍କ୍ ମଇଦାନରେ ବସିବାର ସ୍ଥିରହେଲା । ‘ଭାରତ ଛାଡ଼’ ଆନ୍ଦୋଳନର କାହିଁକି ବିରୋଧ କରୁଛନ୍ତି, ତାହା ସର୍ବସାଧାରଣଙ୍କୁ ଜଣାଇବା ଲାଗି ରାଜାଜୀ ବମ୍ବେ ଯାତ୍ରାକଲେ । ମଟୁଙ୍ଗାସ୍ଥିତ ନାପୋ ହଲରେ ଅଗଷ୍ଟ ୫ ତାରିଖ ଦିନ ସେ ଭାଷଣ ଦେବେ ବୋଲି ସବୁପ୍ରକାର ଆୟୋଜନ କରାଗଲା । ତା ପୂର୍ବରୁ (କଂଗ୍ରେସ ସମାଜବାଦୀ ଦଳର ଅନ୍ୟତମ ପ୍ରତିଷ୍ଠାତା) ଇସୁଫ୍ ମେହେରାଲ୍ଲୀ, ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ଅଶୋକ ମେହେଟା ଓ ଏମ. ଆର. ମାସାନୀଙ୍କ ସମେତ ବହୁ ନେତା ଭାରତ ଛାଡ଼ ସପକ୍ଷରେ ଭାଷଣମାନ ଦେଇ ବମ୍ବେବାସୀଙ୍କ ମନରେ ଏହି ଆନ୍ଦୋଳନ ପ୍ରତି ସୃଷ୍ଟିକରି ସାରିଥିଲେ ଅତୁଟ ସମର୍ଥନ । ତେଣୁ ନାପୋ ହଲରେ ଆଶାନୁରୂପ ଜନସମାଗମ ହୋଇନଥିଲେ ମଧ୍ୟ ବହୁ ବିଜ୍ଞବ୍ୟକ୍ତି ସ୍ୱତନ୍ତ୍ରବାଦୀ ରାଜାଜୀଙ୍କ ଭାଷଣ ଶୁଣିବା ଲାଗି ହୋଇଥିଲେ ସମବେତ । ଯେତେବେଳେ ସେ ହଲର ଦ୍ୱାରଦେଶରେ ଆସି ପହଞ୍ଚିଲେ, ତାଙ୍କୁ ସମବେତ କଂଗ୍ରେସର ବହୁ ସମର୍ଥକ ବ୍ୟଙ୍ଗବିଦ୍ରୂପ କରିଥିଲେ; କିନ୍ତୁ ଦୃଢ଼ପ୍ରତିଜ୍ଞ ରାଜାଜୀ ତାହା ପ୍ରତି ଭ୍ରୂକ୍ଷେପ ନକରି ହସି ହସି ଉପବେଶନ କରିଥିଲେ ସଭାମଞ୍ଚ ଉପରେ । ତାଙ୍କ ମୁହଁକୁ ଲକ୍ଷ୍ୟକରି ପିଚୁ ଫିଙ୍ଗା ଯାଇଥିଲା । ‘ରାଜାଜୀ ଫେରିଯାଅ’, ‘ରାଜାଜୀ ମୁର୍ଦ୍ଦାବାଦ’, ‘ଭାରତ ଛାଡ଼ ଜିନ୍ଦାବାଦ ଇତ୍ୟାଦି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ନାପୋ ହଲର ଚତୁର୍ପାଶ୍ୱ । ଯେତେବେଳେ ଡାକବାଜି ଯନ୍ତ୍ର ପାଖରେ ଭାଷଣ ଦେବାକୁ ସେ ଛିଡ଼ାହେଲେ, ସେତେବେଳେ ନାନାପ୍ରକାର ଧ୍ୱନିଜନିତ ଗୋଳମାଳ ଆରମ୍ଭ କରି କଂଗ୍ରେସ ସମର୍ଥକମାନେ ତାଙ୍କୁ କୁହାଇ ଦେଲେ ନାହିଁ । ପରିସ୍ଥିତି ଦୃଷ୍ଟିରୁ ଉଦ୍ୟୋକ୍ତାମାନେ ସେଦିନ ସଭା ନକରିବାକୁ ତାଙ୍କୁ ଅନୁରୋଧ କଲେ; କିନ୍ତୁ ରାଜାଜୀ ଭାଷଣ ଦେବାଲାଗି ଜିଦ୍‍ଧରି ଡାକବାଜି ଯନ୍ତ୍ର ପାଖରେ ଛିଡ଼ାହୋଇ ରହିଲେ । ଅଧଘଣ୍ଟାଏ ପରେ ପରିସ୍ଥିତି ଟିକିଏ ଶାନ୍ତ ପଡ଼ିଲା । ତା’ପରେ ଧୀରମନ୍ଥର ଗତିରେ ନିଜର ବକ୍ତବ୍ୟ ଆରମ୍ଭ କରି ରାଜାଜୀ କହିଲେ—‘‘ବଂଧୁଗଣ ! ଯେଉଁ ଯୁବକ ଜଣକ ମୋତେ ପିଚୁ ଫୋପାଡ଼ିଲେ, ସର୍ବପ୍ରଥମେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଯେଉଁ ବିଷୟରେ ଆଜି କହିବି, ସେଥିରେ ସେ ମୋ ସହିତ ଏକମତ ନୁହନ୍ତି, ଏତଦ୍ଦ୍ୱାରା ତାହାହିଁ ସେ ମୋତେ ଜଣାଇଦେଲେ । ତାଙ୍କର ଆତ୍ମପ୍ରତ୍ୟୟଗତ ସାହସିକତା ଯୋଗୁଁ ସେ ମୋର ପ୍ରଶଂସାଭାଜନ ହୋଇପାରିଛନ୍ତି । ଆଜି ଭାରତ ତାଙ୍କରି ଭଳି ଦୃଢ଼ପ୍ରତିଜ୍ଞ ଯୁବସଂପ୍ରଦାୟ ଚାହେଁ !” ଯେଉଁମାନଙ୍କ ସହାୟତାରେ ଆମ୍ଭେମାନେ ଜାପାନୀ ଆକ୍ରମଣକୁ ପ୍ରତିହତ କରି ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଜୟଯୁକ୍ତ ହୋଇ ପାରିବା” । ଏହିପରି ଭାଷଣ ଆରମ୍ଭ କରି ସେ ଉଗ୍ର ଜନତାକୁ କ୍ରମେ ଶାନ୍ତକରି ନିଜର ସ୍ୱତନ୍ତ୍ର ବିଚାର ପ୍ରତି ସହାନୁଭୂତିଶୀଳ ଦୃଷ୍ଟି ଆକର୍ଷଣ କରି ପାରିଥିଲେ ।

 

ଆଉଥରେ ଦେଶର କେତେକ ସ୍ଥାନରେ ‘ମୋଫ୍‍ଲା ବିଦ୍ରୋହ’ ଯୋଗୁଁ ଯେଉଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଅନୁଧ୍ୟାନ କରିବାକୁ ରାଜାଜୀ ତ୍ରିଚୁର ଯାଇଥିଲେ । ତାଙ୍କୁ ସେଠାରେ ଗୋଟିଏ ସଭାରେ ଭାଷଣ ଦେବାକୁ ବାଧ୍ୟ କରାଗଲା । ରାଜାଜୀ ଯେତେବେଳେ ସଭାମଞ୍ଚକୁ ଗଲେ, ସେତେବେଳେ ତାଙ୍କ ଉପରକୁ ଲକ୍ଷ୍ୟକରି କୌଣସି ବ୍ୟକ୍ତି ଟେକା ଫିଙ୍ଗିଲା । ରାଜାଜୀ ଖୁବ୍ ଅଳ୍ପକେ ସେଥିରୁ ରକ୍ଷା ପାଇଗଲେ । ଟିକିଏ ହେଲେ ବିବ୍ରତ ନହୋଇ ସେ ତାଙ୍କର ଭାଷଣ ଆରମ୍ଭ କରି ଜଣେ ଆଇନଜ୍ଞଙ୍କ ଢାଞ୍ଚାରେ କହିଥିଲେ—‘‘The very act of stone throwing shows that my opponents have no case !” ସଙ୍ଗେ ସଙ୍ଗେ ସଭାକକ୍ଷ ଶାନ୍ତ ହୋଇଯାଇଥିଲା ।

 

ଆତ୍ମନିର୍ଭରଶୀଳତା ସବୁବେଳେ ଥିଲା ରାଜାଜୀଙ୍କର ଚରିତ୍ରଗତ । ଯେତେଦୂର ସମ୍ଭବ ନିଜେ ନିଜର ଡାକ୍ତର ହେବାକୁ ସେ ସବୁଠାରୁ ବେଶୀ ପସନ୍ଦ କରୁଥିଲେ । ତାଙ୍କର ଯୁକ୍ତି ଥିଲା–‘Nobody knows one's system (Constitution) better than one self’ । ଯେ ଯାହାର ଶରୀର ବିଷୟରେ ଡାକ୍ତରଠାରୁ ବେଶୀ ଜାଣେ ବୋଲି ସେ କହୁଥିଲେ । ୧୯୨୦ ମସିହାରେ କାରାବାସ ସମୟରେ ସେ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ସହକର୍ମୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ମୋତିଲାଲ ନେହେରୁ, ପୁରୁଷୋତ୍ତମ ଦାସ ଟଣ୍ଡନ୍ ଓ ଆଚାର୍ଯ୍ୟ ନରେନ୍ଦ୍ରଦେବ ଇତ୍ୟାଦି ସେହି ରୋଗରେ ପୀଡ଼ିତ ହେଲେ ମଧ୍ୟ ବହୁ ଚିକିତ୍ସା ସତ୍ତ୍ୱେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିନଥିଲେ, କିନ୍ତୁ ରାଜାଜୀ ପଥ୍ୟାପଥ୍ୟର କଠୋର ଶୃଙ୍ଖଳା ଭିତରେ ନିଜକୁ ଏହି ଦୁରାରୋଗ୍ୟ ବ୍ୟାଧି କବଳରୁ ରକ୍ଷା କରି ପାରିଥିଲେ ।

 

ଅନେକ ଭାବନ୍ତି ଯେ ରାଜାଜୀଙ୍କ ହୃଦୟ ଖୁବ କଠୋର ଥିଲା; କିନ୍ତୁ ତାହା ଭୁଲ୍ । ତାଙ୍କ ହୃଦୟ ଥିଲା ପ୍ରକୃତରେ କୁସୁମଠାରୁ କୋମଳ । ଅତି ମାତ୍ରାରେ ଆବେଗ ପ୍ରକାଶ ନ କରିବା ଥିଲା ତାଙ୍କର ଚାରିତ୍ରିକ ବିଶେଷତ୍ୱ; କିନ୍ତୁ ତାଙ୍କ ହୃଦୟ ଥିଲା ଦୟା, କ୍ଷମା ଓ ସହାନୁଭୂତିର ଏକ ଅସରନ୍ତି ଭଣ୍ଡାର । ଯେଉଁମାନେ ଅଳ୍ପ ସମୟ ପାଇଁ ତାଙ୍କ ସମ୍ପର୍କରେ ଆସୁଥିଲେ, ସେମାନେ ତାଙ୍କ ହୃଦୟର କୋମଳତା ଅନୁଭବ ନକରିବା ସ୍ୱାଭାବିକ । ଏଣୁ ସେମାନେ ତାଙ୍କୁ କଠୋରହୃଦୟ (Steel-hearted) ବୋଲି ଆକ୍ଷେପ କରିଥାନ୍ତି; କିନ୍ତୁ ଯେଉଁମାନେ ତାଙ୍କର ନିକଟତମ ହେବାର ସୁଯୋଗ ପାଇଥିଲେ, ସେମାନେ ତାଙ୍କ କୋମଳହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ । ରାଜାଜୀ ଯେତେବେଳେ ତାମିଲନାଡ଼ୁ ପ୍ରଦେଶ କଂଗ୍ରେସର ସଭାପତି ଥିଲେ, ସେତେବେଳେ ମାନ୍ଦ୍ରାଜର ତତ୍‌କାଳୀନ ବିଶିଷ୍ଟ କଂଗ୍ରେସ ନେତା ସତ୍ୟମୂର୍ତ୍ତିଙ୍କ ସହିତ ତାଙ୍କର କୌଣସି କାରଣରୁ ମତଭିନ୍ନତା ଆସିଥିଲା; କିନ୍ତୁ ଯେତେବେଳେ ସେ ସଭାପତି ପଦରୁ ବିଦାୟ ନେଲେ, ବିବାଦ ସତ୍ତ୍ୱେ ସତ୍ୟମୂର୍ତ୍ତିଙ୍କୁ ସେ ଚାହିଥିଲେ ଉତ୍ତରାଧିକାରୀ କରିବାକୁ । ଏଣୁ ସତ୍ୟମୂର୍ତ୍ତି ଆନନ୍ଦରେ ଆତ୍ମହରା ହୋଇ ରାଜାଜୀଙ୍କ ଉଦ୍ଦେଶ୍ୟରେ କହିଥିଲେ—‘He has a heart of gold’ ଅର୍ଥାତ୍ ତାଙ୍କ ହୃଦୟ, ପାଷାଣରେ ନୁହେଁ, ଶୁଦ୍ଧ ସୁବର୍ଣ୍ଣରେ ଗଢ଼ା । ଯେହେତୁ ସେ କର୍ମକ୍ଷେତ୍ରରେ ରହୁଥିଲେ ଅବିଚଳ ଓ ନୀତିନିଷ୍ଠ, ଏଣୁ ମୁଣ୍ଡରେ ବଜ୍ରପଡ଼ିଲେ ମଧ୍ୟ ସେ ପାଦେହେଲେ ପଛକୁ ଓହରି ଆସୁନଥିଲେ । ପ୍ରକୃତରେ ସେ ଥିଲେ ଜଣେ ଯୋଗୀ । ତେଣୁ ଆବେଗଜନିତ ହୃଦୟର ସ୍ପନ୍ଦନକୁ ସେ ନିଜର ଦୃଢ଼ ପ୍ରଜ୍ଞା ବଳରେ କରିପାରୁଥିଲେ ସହଜେ ନିୟନ୍ତ୍ରଣ । ଅଯଥା ବାହ୍ୟ ଆଡ଼ମ୍ବରର ଆଶ୍ରୟ ନ ନେଇ ନୀରବ କର୍ମୀଭାବେ ସେ ହୃଦୟର ଆବେଗକୁ କର୍ମକ୍ଷେତ୍ରରେ ପ୍ରୟୋଗ କରିପାରୁଥିଲେ । ସାଧାରଣ ବାଧାବିଘ୍ନରେ ବ୍ୟତିବ୍ୟସ୍ତ ହୋଇ ହଠାତ୍ ଅଶ୍ରୁମୋଚନ କରିବା, ତାଙ୍କୁ କେହି କେବେ ଦେଖିନାହାନ୍ତି । ବଙ୍ଗଳାର ରାଜ୍ୟପାଳ ଥିଲାବେଳେ ଯେତେବେଳେ ବାପୁ ବିୟୋଗ ବାର୍ତ୍ତା ପାଇଲେ ସେ ହଠାତ୍ କାନ୍ଦି ଉଠିଥିଲେ । ରାଜନୈତିକ ଜୀବନରେ ବୋଧହୁଏ ସେହି ଥରକ ପାଇଁ ରାଜାଜୀଙ୍କ ଆବେଗର ବହିଃପ୍ରକାଶ ତାଙ୍କର ସହକର୍ମୀମାନେ ଦେଖିବାକୁ ପାଇଥିଲେ । ମୁଖ୍ୟତଃ ତାଙ୍କର ଆବେଗ ଥିଲା ତର୍କାନୁକୂଳ ।

 

ବହୁ କ୍ଷେତ୍ରରେ ରାଜାଜୀ ଦେଶବାସୀଙ୍କ ଦ୍ୱାରା ହୋଇଥିଲେ ଅନାଦୃତ । ବ୍ୟକ୍ତି ତଥା ଗୋଷ୍ଠୀର ତିରସ୍କାର ପ୍ରତି ସେ ସର୍ବଦା ରହୁଥିଲେ ବିମୁଖ । ଥରେ ବିଶ୍ଵକବି ରବୀନ୍ଦ୍ରନାଥ ଲେଖିଥିଲେ—‘The mountain remains unmoved by its seeming defeat by the mist.’ କୁହେଳିକା ପର୍ବତକୁ ଘେରି ଅଦୃଶ୍ୟ କରି ପକାଇଲେ ମଧ୍ୟ ପର୍ବତ ଦର୍ପୋନ୍ନତ ଶିର ଟେକି ରହିଥାଏ ନିଶ୍ଚଳ । ସେହିପରି ବାରମ୍ବାର ତାଙ୍କ ଚତୁର୍ପାର୍ଶ୍ୱରେ ଅପ୍ରିୟତାର ନିରନ୍ଧ୍ର କୁହେଳି ଘେରି ରହିଥିଲେ ମଧ୍ୟ ସେ ପର୍ବତ ପରି ଥିଲେ ସ୍ଥିର ଓ ଉଦାର । ତେଣୁ ଅଶୀ ବର୍ଷରେ ସ୍ୱକୀୟ ମାନସିକ ଦୃଢ଼ତା ଓ ରାଜନୈତିକ ଅସନ୍ତୋଷକୁ ପୁଞ୍ଜି କରି ସେ ପ୍ରତିଷ୍ଠା କରିଥିଲେ ସ୍ୱତନ୍ତ୍ର ଦଳ । ଏପରି ପରିଣତ ବୟସରେ ପ୍ରଚଳିତ ଶାସନପଦ୍ଧତିକୁ ବିରୋଧ କରି ଗୋଟିଏ ଦଳ ଗଢ଼ିବା ବିଶ୍ୱରାଜନୀତି ଇତିହାସରେ ବିରଳ । ‘Realization of life through strife’ ଥିଲା ତାଙ୍କ ଜୀବନର ଆଦର୍ଶ । ସେ କହୁଥିଲେ ‘‘ଆମେ ଯେତିକି ସ୍ପଷ୍ଟଭାବରେ ଆମର ଭୁଲ ବୁଝିପାରିବା, ଉଚିତ ମାର୍ଗରେ କର୍ମ କରିବା ଲାଗି ଆମେ ସେତିକି ପ୍ରେରଣା ପାଇବା”; କିନ୍ତୁ ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତି ବା ଦଳବିଶେଷ ତାଙ୍କର ଭୁଲ ବୁଝିବାକୁ ନାରାଜ, ଯାହାକି ରାଜାଜୀଙ୍କ ଗାତ୍ରଦାହର ହୋଇଥିଲା ପ୍ରଥମ ଓ ପ୍ରଧାନ କାରଣ । ଥରେ ଇନ୍ଦିରାଗାନ୍ଧୀ ଗୋଟିଏ ସଭାରେ ରାଜାଜୀଙ୍କ ଅନୁସୃତ ନୀତିର ସମାଲୋଚନା କରି ଏକ ଦୀର୍ଘ ଭାଷଣ ଦେଇଥିଲେ । ତାହା ଖଣ୍ଡନ କରିବାକୁ ଯାଇ ରାଜାଜୀ ପ୍ରତ୍ୟୁତ୍ତରରେ କହିଥିଲେ—‘‘I know Indira when she was three. She has not grown since.’’ ଏଥିରୁ ତାଙ୍କ ସମାଲୋଚନା ଶୈଳୀ ଓ କ୍ଷୁରଧାର ମେଧାର ସ୍ଥୂଳ ପରିଚୟ ମିଳିଥାଏ ।

Image

 

ଭାରତର ଅତନ୍ଦ୍ର ପ୍ରହରୀ

 

ରାଜାଜୀ ଆଧୁନିକ ଭାରତର ଭୀଷ୍ମପିତାମହ । ଭୀଷ୍ମଙ୍କ ପରି ତାଙ୍କ ସଂକଳ୍ପରେ ସେ ଥିଲେ ଅଟଳ । ଦୃଢ଼ସଂକଳ୍ପ ଉପରେ ତାଙ୍କ ଜୀବନ ମୁଖ୍ୟତଃ ପ୍ରତିଷ୍ଠିତ । ଭୀଷ୍ମଙ୍କ ପରି ସେ ଥିଲେ ଚିନ୍ତା ଓ ଧ୍ୟାନରତ । ତାଙ୍କର ନୈତିକ ସାହସ ଓ ସ୍ଵାର୍ଥତ୍ୟାଗ ପ୍ରତି ତାଙ୍କ ବିରୋଧୀମାନେ ମଧ୍ୟ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ମହାଭାରତର ଯୋଦ୍ଧାମାନଙ୍କ ପରି ସେ ଅଭୟ ଓ ଅପରିଗ୍ରହର ମୂର୍ତ୍ତିମନ୍ତ ଅବତାର । ଜାତୀୟ ଓ ଆନ୍ତର୍ଜାତୀୟ ବ୍ୟାପାରରେ ତାଙ୍କ ସରଳ ଓ ବିବେକାନୁମୋଦିତ ଉପଦେଶ ତଥା ସତ୍ୟ ଓ ଧର୍ମ ଉପରେ ଗୁରୁତ୍ୱ ପ୍ରଦାନ ଆଧୁନିକ ଜଗତରେ ଶାନ୍ତିପର୍ବ ସହିତ ତୁଳନୀୟ । ଗୋଟିଏ ପଦରେ କହିଲେ ରାଜାଜୀ ହେଉଛନ୍ତି—‘ବଜ୍ରାଦପି କଠୋରାଣି ସୁଦୁନି କୁମୃମାଦପି’ । ସେ ମଧ୍ୟ ଏକାଧାରରେ ବିଜ୍ଞ, ବିଚାରବନ୍ତ ଓ ଅନ୍ତର୍ଦୃଷ୍ଟିସମ୍ପନ୍ନ । ସେ ଗଭୀର ଆଧ୍ୟାତ୍ମିକ ଚେତନାର ଅଧିକାରୀ । ତାଙ୍କ ଚରିତ୍ରର ଏହି ମହନୀୟ ବିଭାଗ ଦୋଷଦର୍ଶିତାର ଆବରଣ ଅନ୍ତରାଳରେ ପ୍ରଚ୍ଛନ୍ନ । ଉପରଠାଉରିଆ ଭାବେ ଦେଖି ତାଙ୍କୁ ଅନେକ ଧୂର୍ତ୍ତ ବୋଲି କହିଥାନ୍ତି; କିନ୍ତୁ ସେ ବେଶ୍‍ ଅନ୍ତର୍ଦୃଷ୍ଟିସଂପନ୍ନ ଓ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ସ୍ପଷ୍ଟଭାବେ ସବୁକିଛି ଦେଖି ପାରନ୍ତି । ସାଧାରଣ ନେତାମାନଙ୍କ ନିକଟରେ ସେଇଥିପାଇଁ ସେ କ୍ଷମଣୀୟ ନୁହନ୍ତି-। ତାଙ୍କର ଏହି ସ୍ପଷ୍ଟ ଅନ୍ତର୍ଦୃଷ୍ଟି ଯୋଗୁଁ ମିତ୍ର ଓ ଶତ୍ରୁ ଉଭୟେ ତାଙ୍କୁ ଆଶାନୁରୂପ ଆଚରଣ ପ୍ରଦର୍ଶନ କରିଥାନ୍ତି । ଏଥିପାଇଁ ଅବଶ୍ୟ ତାଙ୍କୁ ମୂଲ୍ୟଦେବାକୁ ପଡ଼ିଥାଏ । ତାହା ସତ୍ତ୍ୱେ ସେ ଅସନ୍ତୋଷ ପ୍ରକାଶ କରିନଥାନ୍ତି ।

 

ଗୋଟିଏ ସଂସ୍କୃତ ଶୁଭାଷିତରେ ଉଲ୍ଲେଖ ଅଛି—‘‘ଅପ୍ରିୟସ୍ୟ ଚ ପଥସ୍ୟ ବକ୍ତାଶ୍ରୋତା ଚ ଦୁର୍ଲ୍ଲଭାଃ ।” ଯେକୌଣସି ଦେଶର ସାଧାରଣ ଜୀବନରେ ତାଙ୍କ ପରି ଜଣେ ନେତା ଦୁର୍ଲ୍ଲଭ, ଯେକି କାହା ପ୍ରତି ବିଦ୍ୱେଷ ପ୍ରକାଶ କରିନଥାନ୍ତି । ସମସ୍ତଙ୍କ ଶୁଭ ଚିନ୍ତକଭାବେ ଯଥେଷ୍ଟ ସାହସିକତା ସହକାରେ ନିଃଶଙ୍କ ଚିତ୍ତରେ ସେ ନିଜର ମତ ବ୍ୟକ୍ତ କରିଥାନ୍ତି । ନିଜର ନିନ୍ଦା ଓ ପ୍ରଶଂସା ପ୍ରତି ଭ୍ରୁକ୍ଷେପ ନକରି ଜନସାଧାରଣଙ୍କ ହିତକଳ୍ପେ ଯାହା ପ୍ରୟୋଜନ ତାହା ସେ ବ୍ୟକ୍ତ କରିଥାନ୍ତି । ବୟସ ତାଙ୍କର ତୀକ୍ଷ୍‍ଣ ପ୍ରଜ୍ଞା, କୁଶାଗ୍ରବୁଦ୍ଧି ଓ ସୁଦୂରପ୍ରସାରୀ ଦୃଷ୍ଟିକୋଣ ଉପରେ ଆଞ୍ଚ ଆଣିପାରି ନାହିଁ ।

 

୧୯୫୩ ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଁ ସଭାପତିତ୍ୱ କରିଥିଲି । ସେଥିରେ ସେ ଦୀକ୍ଷାନ୍ତ ଭାଷଣ ଦେଇ ଭବିଷ୍ୟତ ପ୍ରତି ସାବଧାନୀ ଶୁଣାଇ କହିଥିଲେ–“I shudder to think of the future of this nation because we are rearing up a generation solely fed on material values.” ଅର୍ଥାତ୍ ଏ ଜାତିର ଭବିଷ୍ୟତ ଚିନ୍ତା କଲାବେଳେ ମୁଁ ମନରେ ତୀବ୍ର ବିକ୍ଷୋଭ ଅନୁଭବ କରୁଛି-। କାରଣ ଭୌତିକ ମୂଲ୍ୟବୋଧକୁ ଭିତ୍ତିକରି ଆମେ ଆମର ବଂଶଧରଙ୍କୁ ଗଢ଼ିବାକୁ ଯାଉଛୁ । ଏବେ ବହୁବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ତାଙ୍କର ସେହି ଭବିଷ୍ୟତବାଣୀର ସତ୍ୟତା ଆଜି ଛାତ୍ରଅଶାନ୍ତି, ଆଇନଶୃଙ୍ଖଳାଭଙ୍ଗ ଇତ୍ୟାଦି ବହୁ ଅବ୍ୟବସ୍ଥା ଜରିଆରେ ପ୍ରତିପାଦିତ ।

 

ଯାହାହେଉନା କାହିଁକି ଉତ୍ତମ ଓ ଉପଯୁକ୍ତ ଉପଦେଶ ପ୍ରତି ଠିକ ସମୟରେ କେହି ଭ୍ରୂକ୍ଷେପ କରିନଥାନ୍ତି । ନୋବେଲ ପୁରସ୍କାର ବିଜେତା ଆଲବର୍ଟ ସୁଏଜର୍‌ଙ୍କ ଭାଷାରେ—‘‘It is the fate of every truth to be the object of ridicule when it is first proclaimed.” ଅର୍ଥାତ୍ ସତ୍ୟ ଯେତେବେଳେ ପ୍ରଥମେ ପ୍ରଚାରିତ ହୁଏ ତାହାକୁ ଲୋକେ ବିଦ୍ରୁପ କରିଥାନ୍ତି ।

 

ପରିଣତ ବୟସରେ ରାଜାଜୀଙ୍କର ଅକ୍ଷୟ ପ୍ରଜ୍ଞା ଓ ବୈଦଗ୍‌ଧ୍ୟର ଗୂଢ଼ ସୂତ୍ର କ’ଣ ? ସେ ନିରଳସ ଜୀବନଯାପନ କରି ମଧ୍ୟ ଉଚାଙ୍ଗ ଚିନ୍ତାପ୍ରସୂତ ଆଦର୍ଶ ଦେଖାଇ ଆସିଅଛନ୍ତି । ତାଙ୍କର ଜୀବନ ତପସ୍ୟା ଓ ସାଧନା ଉପରେ ଆଧାରିତ । ଟେନିସନ୍‌ଙ୍କ କବିତାର ଇଉଲିସିସଙ୍କ ପରି ସେ ବିଶ୍ୱାସ କରନ୍ତି ଯେ ‘noble work of note yet to be done despite one’s age.’ ଅର୍ଥାତ୍ ବୟସନିର୍ବିଶେଷରେ ମଧ୍ୟ ସର୍ବଦା ମହତକାର୍ଯ୍ୟ କରିବାର ଅବକାଶ ରହିଛି । ଯଥାର୍ଥେ ସେ ଜଣେ କର୍ମଯୋଗୀ । ଭଗବତ୍‌ଚିନ୍ତା, ସତ୍ୟ ଓ ଧର୍ମ ପ୍ରତି ଆତ୍ମୋତ୍ସର୍ଗ ଦ୍ୱାରା କାଳର କ୍ରୁରତାକୁ ସେ ପରାଭୂତ କରି ପାରିଛନ୍ତି । ମଣିଷର ସମସ୍ତ କାର୍ଯ୍ୟ ଓ ଚିନ୍ତା କାଳର କ୍ରୀଡ଼ାନକ । ମହତାଦର୍ଶ ଉପରେ ପ୍ରତିଷ୍ଠିତ ମନୁଷ୍ୟର ଜୀବନ କେବଳ ସମୟକୁ ଜୟ କରିପାରେ । ସ୍ଥିତି ଓ ଆକ୍ଷେପ ପ୍ରତି ଅନ୍ୟମନସ୍କ ରହି ଅବିରତ ଯଥାର୍ଥ ଓ ନ୍ୟାୟସଂଗତ କାର୍ଯାଲାଗି ସେ ଆଜୀବନ ସଂଗ୍ରାମ କରି ଆସିଛନ୍ତି । ବିଜ୍ଞତା ଓ ନ୍ୟାୟପ୍ରତି ଯେତେଦିନ ପର୍ଯ୍ୟନ୍ତ ଲୋକଙ୍କର ଆସ୍ଥା ରହିଛି ସେତେଦିନ ପର୍ଯ୍ୟନ୍ତ ଏହା ରହିବ ଅକ୍ଷୟ ।

 

ଈଷାବାସ୍ୟ ଉପନିଷଦ ଅନୁଯାୟୀ କେବଳ ଯଥାର୍ଥ କର୍ମ ସମ୍ପାଦନ ଦ୍ୱାରା ମଣିଷ ଶହେ ବର୍ଷ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଯାତ୍ରା କରିବାଲାଗି ଆଶାୟୀ ହୋଇଥାଏ—‘‘କୁର୍ବାନ୍ନେବହଃ କର୍ମଣି ଜୀଜୀଭିଷେତ୍ ଶତମ୍ ସମହଃ’ ।

 

ଭଗବତ୍ ଗୀତାରେ ଅଛି ଯେ ମନୁଷ୍ୟ ଯେତେବେଳେ ତା’ର ସମସ୍ତ କାର୍ଯ୍ୟ ଭଗବାନଙ୍କ ନିକଟରେ ଉତ୍ସର୍ଗକରେ, ସେତେବେଳେ ସେ ଭଗବାନଙ୍କର ଏକ ଯନ୍ତ୍ରରୂପେ କାର୍ଯ୍ୟ କରିଥାଏ । ସ୍ୱାର୍ଥ ଓ ଅହମିକା ତା ମନରୁ ବିଦାୟ ନେଇଥାନ୍ତି । ଏହି ଦୁଇ ଶତ୍ରଙ୍କୁ ଜୟ କରିପାରିଲେ ମନ ଏକ ଜ୍ଵଳନ୍ତ ତୀରର ରୂପ ନେଇ ଅପ୍ରତିହତ ଭାବେ ପହଞ୍ଚିଥାଏ ଠିକ୍ ଲକ୍ଷ୍ୟ ସ୍ଥଳରେ । ସେହିପରି ବହୁବର୍ଷ ନିରବଚ୍ଛିନ୍ନ ସଂଗ୍ରାମ, ଯନ୍ତ୍ରଣା, ଅଧ୍ୟବସାୟ, ଚିନ୍ତନ ଓ ଅବିଶ୍ରାନ୍ତ ତ୍ୟାଗପୂତ କାର୍ଯ୍ୟାବଳୀ, ରାଜାଜୀଙ୍କ ମନକୁ କରିଛି ଏକ ଜ୍ୱଳନ୍ତ ତୀରରେ ପରିଣତ ଯାହାକି ଯଥାର୍ଥଭାବେ ସ୍ପର୍ଶ କରିପାରୁଛି ବାସ୍ତବତାକୁ ।

 

ରାଜାଜୀ ଆଜି ଭାରତୀୟ ଚିନ୍ତାଶୀଳ ଗୋଷ୍ଠୀର ନୈତିକ ଅନ୍ତରାତ୍ମା ପରି । ସେ ଆମର ଅତନ୍ଦ୍ର ପ୍ରହରୀ ଯେ କି ଦେଶର ଅଭିଭାବକମାନଙ୍କୁ ଦେଉଛନ୍ତି ଉପଯୁକ୍ତ ଦିଗ୍‌ଦର୍ଶନ । ଭାରତର ଅଦୃଷ୍ଟ ପ୍ରତି ତାଙ୍କର ଦୃଷ୍ଟି ସର୍ବଦା ତୀକ୍ଷ୍‍ଣ । ତାଙ୍କର ଆଦର୍ଶ ଓ କାର୍ଯ୍ୟ ସତ୍ୟନିଷ୍ଠା ଉପରେ ପ୍ରତିଷ୍ଠିତ । ମୁଁ ବୟସରେ କନିଷ୍ଠ ହେଲେ ମଧ୍ୟ ତାଙ୍କର ଜୟନ୍ତୀ ବାସରରେ ଏହି ବୈଦିକ ଆଶୀର୍ବାଦ କରୁଛି—‘‘ଶତମାନମ୍ ଭବତି ଶତାୟୁ ପୁରୁଷଃ ।”

 

ସର୍ବଶକ୍ତିମାନ ପରମେଶ୍ୱର ରାଜାଜୀଙ୍କୁ ଶତାୟୁ କରନ୍ତୁ । ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ଭାରତର ସମୃଦ୍ଧି ଉଦ୍ଦେଶ୍ୟରେ ସତ୍ୟ ଉପରେ ଆଧାରିତ ଏକ ବୁଦ୍ଧିଜୀବୀ ସମାଜ ଗଠନ କରିବା ଲାଗି ସେ ଯେଉଁ ପବିତ୍ର ପ୍ରଚେଷ୍ଟା ଚଳାଇଛନ୍ତି, ତାହା ପୂରଣ କରିବାଲାଗି ଭଗବାନ ତାଙ୍କୁ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ ।

 

(୧୯୬୯ ମସିହା ଡିସେମ୍ବର ପ୍ରଥମାର୍ଦ୍ଧରେ ପ୍ରକାଶିତ ‘ଭବନସ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ କେ. ଏମ୍. ମୁନସୀଙ୍କର ‘Rajaji, The great Sentinel’ର ଅନୁବାଦ)

Image

 

ଜଣେ କର୍ମଠ ଚରମପନ୍ଥୀ

 

ରାଜାଜୀଙ୍କ ସ୍ମୃତିକୁ ମନେପକାଇବା ପାଇଁ ସଚେତନ ହୋଇ କୌଣସି ଉଦ୍ୟମ ନକଲେ ମଧ୍ୟ ସେଗୁଡ଼ିକ ମୋ ମନ ଭିତରେ ଉଙ୍କି ମାରୁଛି । ୧୯୫୨ ମସିହାରେ ମୁଁ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲି । ଏହି ନିର୍ବାଚନରେ କଂଗ୍ରେସ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ନାନା ବିଶୃଙ୍ଖଳା ପ୍ରକାଶ ପାଇଁ ଦଳ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଦଳର ଯେଉଁ ସଂଖ୍ୟାଗରିଷ୍ଠତା ଥିଲା, ସେଥିରେ ୫ ବର୍ଷ ସରକାର ଚାଲିବ ବୋଲି ବିଶ୍ଵାସ କରାଯାଉ ନଥିଲା । ସେତେବେଳେ ଏପରି ଜଣେ ଲୋକର ଆବଶ୍ୟକତା ଥିଲା, ଯେକି ଏ ସରକାରର ନେତୃତ୍ୱ ନେଇପାରିବ ଏବଂ ସଭ୍ୟମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିପାରିବ ।

 

ରାଜାଜୀ ସେହି ନେତୃସ୍ଥାନୀୟ ଲୋକ । ମୋର ଠିକ୍ ଭାବରେ ମନେପଡ଼ୁଛି ଯେ ଶ୍ରୀ ସି. ସୁବ୍ରମନ୍ୟମ୍‌ ଓ ଶ୍ରୀମତୀ ସୁନ୍ଦରମ୍, ରାମଚନ୍ଦ୍ରନ୍ ତଥା ଅନ୍ୟମାନଙ୍କୁ ନେଇ ଗଠିତ ଗୋଟିଏ ପ୍ରତିନିଧିଦଳ ରାଜାଜୀଙ୍କୁ ସାକ୍ଷାତ କରି ତାଙ୍କୁ ବିଧାନ ସଭା ସଂଖ୍ୟାଗରିଷ୍ଠ ଦଳର ନେତୃତ୍ୱ ନେବାକୁ ଅନୁରୋଧ କଲେ । ରାଜାଜୀ ସେତେବେଳେ ଭାରତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାଆନ୍ତି । ତାଙ୍କର ରାଜନୀତିକ ପ୍ରତିଦ୍ୱନ୍ଦୀମାନେ ଦର୍ଶାଇଲେ ଯେ ରାଜାଜୀ ଯଦି ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରନ୍ତି ତେବେ ତାହା ତାଙ୍କ ଚରମ ସ୍ୱାର୍ଥପରତାର ହେବ ପରିଚାୟକ । ପ୍ରତିଦ୍ୱନ୍ଦୀମାନଙ୍କର ଏହି କୁରୁଚିସଂପନ୍ନ ସମାଲୋଚନା ଅବଶ୍ୟ ରାଜାଜୀ ମୁଖ୍ୟମନ୍ତ୍ରୀ ହେବାପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟିକରି ପାରିନଥିଲା ।

 

ବିଧାନସଭା କଂଗ୍ରେସ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାର ଅଧିକାରୀ ହେବାକୁ ସେ ରାଜି ହେଉନଥିଲେ । ସେ ଆନ୍ତରିକତାର ସହ ଅନୁଭବ କରୁଥିଲେ ଯେ ବ୍ୟବସ୍ଥାପକମାନେ ନିର୍ବାଚିତ ପ୍ରତିନିଧି ହିସାବରେ ଯେପରି ସମ୍ମାନଜନକ ଭାବେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିପାରିବେ, ସେଥିପାଇଁ ଏକ ଆଚରଣବିଧି ପ୍ରସ୍ତୁତ କରିବେ । ପ୍ରଶାସନିକ କ୍ଷେତ୍ରରେ ବିଧାୟକମାନେ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରନ୍ତୁ, ଏକଥା ସେ ଆଦୌ ଭାବୁନଥିଲେ । ସେ ବିଧାନସଭା କଂଗ୍ରେସ ଦଳର ନେତା ହେବାପରେ ଏ କାର୍ଯ୍ୟ ବନ୍ଦ କରିଦେଲେ । ବିଧାନସଭାରେ ରାଜାଜୀ ଥିଲେ ଜଣେ କଠୋର କର୍ମକର୍ତ୍ତା । ବିଧାନସଭା ବୈଠକ ବସିଥିଲାବେଳେ ବିଧାୟକମାନେ ବାହାରେ ରହନ୍ତୁ, ଏକଥା ସେ ଚାହୁନଥିଲେ । ଯେତେବେଳେ କୌଣସି ବିଧାୟକ ଅନୁପସ୍ଥିତ ରହିବା ଆବଶ୍ୟକ ପଡ଼ୁଥିଲା ତା ପୂର୍ବରୁ ସେ ରାଜାଜୀଙ୍କ ଅନୁମତି ନେଉଥିଲେ । କଂଗ୍ରେସ ସଭ୍ୟମାନେ ଯେତେବେଳେ ଅନୁପସ୍ଥିତ ରହୁଥିଲେ ସେହି ସମୟରେ ତତ୍ତୁଲ୍ୟ ସଂଖ୍ୟକ ବିରୋଧୀ ଦଳ ସଭ୍ୟ ଅନୁପସ୍ଥିତ ରହିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ପଡ଼ୁଥିଲା । ଅଧିବେଶନ ପୂର୍ବରୁ ଏପରିକି ଅନେକ ସମୟରେ ଦେଖାଯାଇଛି ବିଧାନସଭା ଆରମ୍ଭ ହେବା ବହୁପୂର୍ବରୁ ସକାଳ ଆଠଘଣ୍ଟାରୁ ରାଜାଜୀ ତାଙ୍କ ଆସନରେ ବସି କାର୍ଯ୍ୟ କରୁଥାଆନ୍ତି । ସମୟାନୁବର୍ତ୍ତିତା ରକ୍ଷାକରି ପାରିନଥିବା ବିଧାୟକମାନେ ଏହାଦ୍ୱାରା ଲଜ୍ଜା ଅନୁଭବ କରନ୍ତି । ଦଳୀୟ ବୈଠକଗୁଡ଼ିକରେ ମଧ୍ୟ ସେ ସେହି ପ୍ରକାର ଶୃଙ୍ଖଳା ରକ୍ଷା କରୁଥିଲେ । ଏହି ବୈଠକଗୁଡ଼ିକରେ ସମସ୍ତ ସଭ୍ୟ ଯୋଗ ଦେଉଥିଲେ । ଏବଂ ସମସ୍ତ ସମସ୍ୟା ଟିକିନିଖି ଆଲୋଚନା ହେଉଥିଲା । ବିଧାନସଭା ଅଧିବେଶନ ହେଉ ବା ଦଳୀୟ ଅଧିବେଶନ ହେଉ ସବୁଠାରେ ରାଜାଜୀ ଥିଲେ ଜଣେ ଶୃଙ୍ଖଳିତ ଶିକ୍ଷକ ଭଳି । ଯେତେଦିନ ପର୍ଯ୍ୟନ୍ତ ସେ ପୋର୍ଟ ସେଣ୍ଟଜର୍ଜରେ ଥିଲେ ବାରଣ୍ଡାଗୁଡ଼ିକ ଖାଲି ପଡ଼ିଥିଲା ଏବଂ ତାଙ୍କ ସୁଶାସନର ପ୍ରଭାବ ଏହା ଉପରେ ଅନୁଭୂତ ହେଉଥିଲା ।

 

ରାଜାଜୀ ଅତି ସରଳ ଜୀବନଯାପନ କରିଆସିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ସମସ୍ତେ ତାଙ୍କର ଏହି ଜୀବନ ପ୍ରଣାଳୀକୁ ଅନୁସରଣ କରିବା ଆବଶ୍ୟକ । ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ତାଙ୍କର ସରଳ ଓ ନିରଡ଼ମ୍ବର ଘର ଛାଡ଼ିନଥିଲେ । ଗୋଟିଏ ତୀର୍ଥକ୍ଷେତ୍ରଭଳି ତାଙ୍କର ଘର ସଦାସର୍ବଦା ଥିଲା ବିଧାୟକମାନଙ୍କ ପାଇଁ ମୁକ୍ତ । ସାଧାରଣ ଜୀବନର କ୍ରମ ଅବନ୍ନତିକୁ ସେ ବରାବର ନିନ୍ଦା କରୁଥିଲେ ।

 

କ୍ଷମତାସୀନ ଦଳ ଅର୍ଥବଳରେ ଭେଟ ପାଇବ ଏବଂ ଜନସାଧାରଣଙ୍କ ଆସ୍ଥାବଳରେ ପାଇବ ନାହିଁ—ଏହା ସେ ଚିନ୍ତାକରି ବଡ଼ ଦୁଃଖିତ ହେଉଥିଲେ, ଟ୫୦ଙ୍କା ! ନେଇ ମଧ୍ୟ ଭୋଟ ଦେବା ମନା କରିଥିବା ଜଣେ ହରିଜନ ଉପରେ ରାଜାଜୀ ଲେଖିଥିବା ଗୋଟିଏ ସନ୍ଦର୍ଭ ସମ୍ପର୍କରେ ସେ ବରାବର ମୋ ଆଗରେ କହନ୍ତି—‘‘ଏଇ ହରିଜନଙ୍କ ଭଳି ପ୍ରତ୍ୟେକ ଭାରତୀୟ ହେବା ଉଚିତ୍; କିନ୍ତୁ ହେଉ ନାହାନ୍ତି ।”

 

ଏହି କାରଣରୁ ଏକ ଦଳ ଗଠନ କରିବା ପାଇଁ ରାଜାଜୀ ସ୍ଥିର କରିଥିଲେ । ସେ ଅନୁଭବ କଲେ ଯେ, ଯଦି ଏପରି ଏକ ଦଳ ଗଠିତ ହୁଏ ତେବେ କଂଗ୍ରେସ ଦଳ ପାଣ୍ଠି ଉଠାଇବାରୁ ବଞ୍ଚିତ ହୋଇ କେବଳ ଜନସେବା ବଳରେ ହିଁ ଭୋଟରଙ୍କଠାରୁ ଭୋଟ ଆଣିବ । ମୁଁ କହିପାରେ ଯେ, ଏହିଠାରେ ରାଜାଜୀଙ୍କ ହିସାବ ବୋଧେ ଭୁଲ ହୋଇଗଲା । କାରଣ ବ୍ୟବସାୟୀ ଶିଳ୍ପପତିମାନେ ରାଜନୀତିକ ଦଳକୁ ଚାନ୍ଦା ଦେବାଟା ଏକ ପୁଞ୍ଜି ବିନିଯୋଗ ବୋଲି ଭାବିଥାଆନ୍ତି । ଏ କ୍ଷେତ୍ରରେ ସେମାନେ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶକୁ ସମ୍ମାନ ଦେବା ବିଷୟକୁ ନ୍ୟୁନ ମନେକରନ୍ତି । ତେଣୁ ତେଣୁ ଯେଉଁ ଘୋଡ଼ା ଜିତିବା ଭଳି ଦେଖାଯାଉଥିବ ତାକୁହିଁ ସେମାନେ ସାହାଯ୍ୟ କରନ୍ତି । ମୁଁ ଦିନେ ଗୋଟିଏ ଫିସ୍‌ମିଲ୍ (ମତ୍ସ୍ୟସାର) କାରଖାନା ଖୋଲିବା କଥା ପ୍ରକାଶ କଲି । ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ମତ୍ସ୍ୟ ଆସୁଛି । ସେଗୁଡ଼ିକ ସଂରକ୍ଷଣ ଅଭାବରୁ ନଷ୍ଟହୋଇ ଯାଉଥିବାରୁ ତାହାକୁ ଗୋଟିଏ ଜାଗାରେ ଏକତ୍ରିତ କରିବା ପାଇଁ ମୁଁ ଏହା କରିଥିଲି; କିନ୍ତୁ ରାଜାଜୀ ମୋର ଏହି ପ୍ରସ୍ତାବକୁ ଆଦୌ ଅନୁମୋଦନ କଲେନାହିଁ । ରାଜାଜୀ କହିଲେ ଏପରି ମାଛ ପିଡ଼ିଆ ପ୍ରସ୍ତୁତଦ୍ୱାରା ଦୁଗ୍ଧ ପ୍ରଦାନକାରୀ ପ୍ରାଣୀମାନେ ସେମାନଙ୍କ ନିରାମୀଷାଶୀ ସ୍ଥିତିରୁ ବଞ୍ଚିତ ହେବେ । ଧର୍ମ ଉପରେ ରାଜାଜୀଙ୍କ ଏପରି ଗୁରୁତ୍ୱ ପ୍ରଦାନ ମୋ ମନକୁ ଆସୁଛି । ମାନ୍ଦ୍ରାଜ ସେତେବେଳେ ଏକ ମରୁଡ଼ି ପରିସ୍ଥିତି ଭିତରେ ଗତି କରୁଥିଲା । ରାଜାଜୀ କହୁଥିଲେ ଯେ, ଧର୍ମ ଯେତେବେଳେ ବୁଡ଼ିଯାଉଛି ଏବଂ ଅଧର୍ମ ମୁଣ୍ଡ ଟେକୁଛି, ସେତେବେଳେ ଈଶ୍ୱର ଓ ପ୍ରକୃତି ବିଶ୍ୱକୁ ଦଣ୍ଡଦେବା ପାଇଁ ନିଜ ନିଜର ପନ୍ଥା ସ୍ଥିର କରୁଛନ୍ତି । ବର୍ଷା ହେବାଲାଗି ପ୍ରାର୍ଥନା କରିବାକୁ ସେ ପ୍ରବର୍ତ୍ତାଇ ଥିଲେ । ରାଜ୍ୟସାରା ପ୍ରାର୍ଥନା ଶୁଣିଲେ ଏବଂ ରାଜ୍ୟରେ ବର୍ଷା ହେଲା ।

 

ସାହିତ୍ୟରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ରହିଛି ଏବଂ ଚିଠି ଲେଖିବା ବେଳେ ସେ ଖୁବ୍ ସଂକ୍ଷିପ୍ତରେ ଲେଖନ୍ତି । ଚିଠିର ଉତ୍ତର ଦେବାବେଳେ ସେ ସାଧାରଣତଃ ଦୁଇଟି ବାକ୍ୟରୁ ବେଶୀ ଲେଖୁନଥିଲେ । ନିଜ ହାତରେ ପୋଷ୍ଟକାର୍ଡରେ ସେ ଏହା ଲେଖୁଥିଲେ । ରାଜ୍ୟରେ ଯେତେବେଳେ ଟିକସ ବସାଇବାକୁ ପ୍ରସ୍ତାବ କଲେ, ମୁଁ ତାଙ୍କୁ ଲେଖିଲି ତାହା ପରିବର୍ତ୍ତେ ରାଜ୍ୟ ସରକାର ଋଣ କରନ୍ତୁ । ସେ ଲେଖିଲେ ଯେ ଋଣଟା ଟିକସର ବିନିମୟ ଭାବେ କାର୍ଯ୍ୟ କରେନାହିଁ ଏବଂ ଆପଣ ଏହା ନିଶ୍ଚେ ଜାଣନ୍ତି ।

 

ରାଜାଜୀ ନଇଁଯିବା ଅପେକ୍ଷା ଚେଇଁ ଉଠିବାକୁ ଅଧିକ ପସନ୍ଦ କରନ୍ତି । ସେତେବେଳେ ମେଡିକାଲ କଲେଜରେ ନାମ ଲେଖାଇବା ଯେଉଁ ଇଣ୍ଟରଭିଉ ହେଉଥିଲା, ସେଥିରେ ୧୫୦ ନମ୍ବର ଲେଖାଏଁ ଦିଆଯାଉଥିଲା, ଏହା ଏକ ଦୁର୍ନୀତିମୂଳକ କାର୍ଯ୍ୟ ବୋଲି ରାଜାଜୀ ବିଚାର କଲେ ଓ ତାଙ୍କର ଇଙ୍ଗିତରେ ମନ୍ତ୍ରୀମଣ୍ଡଳ ଏହି ନମ୍ୱର ୫୦କୁ କମାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଫଳରେ ଜନସାଧାରଣରେ ପ୍ରବଳ ସ୍ୱର ଉତ୍ତୋଳିତ ହେଲା । ଲୋକେ ଭାବିଲେ ଯେ ଇଣ୍ଟରଭିଉ ନମ୍ୱର କମାଇ ଦିଆଯିବ । ଫଳରେ ବ୍ରାହ୍ମଣ ଛାତ୍ରମାନେ ଅଧିକ ସୁବିଧା ପାଇଯିବେ । ଏପରି ବିରୋଧରେ ରାଜାଜୀ ମର୍ମାହତ ହେଲେ ଏବଂ ଜନମତକୁ ମାନିନେଲେ ।

 

ସେ ଏପରି ଭାବେ ଜନମତକୁ ଗ୍ରହଣ କରିନେବାରୁ ମୁଁ ଦୁଃଖିତ ହେଲି ଓ ତାଙ୍କୁ ଲେଖିଲି, ‘‘ତାଙ୍କ ଭଳି ଓ ପଣ୍ଡିତ ନେହେରୁଙ୍କ ଭଳି ନେତା ସାଧାରଣ ଜୀବନରେ ସେମାନଙ୍କର ସ୍ଥିତିକୁ ଦୃଢ଼ ରଖିବା ତଥା ନିଜର ନୈତିକ ବିଶ୍ୱାସରେ ଅଟଳ ରହିବା ମୁଁ ଆଶା କରେ । କୌଣସି ପରିସ୍ଥିତିରେ ସେମାନେ ମୁଣ୍ଡ ନୁଆଁଇବା ମୁଁ ଚାହେଁ ନାହିଁ । ସେ ତାର ଉତ୍ତର ଦେଲେ ପରିସ୍ଥିତିର ବାସ୍ତବତାକୁ ସମ୍ମୁଖୀନ ହେବାକୁ ହିଁ ହେବ ।

 

ତାଙ୍କର ବିଚାରଧାରା ସବୁବେଳେ ଅଗ୍ରଗାମୀ । ଉଦାହରଣସ୍ୱରୂପ, ପ୍ରାଥମିକ ଶିକ୍ଷାସମ୍ପର୍କୀୟ ତାଙ୍କ ଚିନ୍ତାଧାର ଯାହା ଥିଲା, ସେଥିରେ ସେ ବିଚାର କରିଥିଲେ ଯେ ତାହାଦ୍ୱାରା ଜାତିପ୍ରଥା ଲୋପ ପାଇବ; କିନ୍ତୁ ଦୁଃଖର କଥା ଯେ କଂଗ୍ରେସ ଦଳରେ ସେ ଗୋଟିଏ ଦୃଢ଼ସ୍ତମ୍ଭ ଭଳି ଥିଲେ ମଧ୍ୟ ଦଳ ତାଙ୍କ ମତକୁ ସମର୍ଥନ କଲାନାହିଁ ଏବଂ ଏହି ଘଟଣା ଉପରେ ଇସ୍ତଫା ଦେବାପାଇଁ ତାଙ୍କ ଉପରେ ଚାପ ପକାଗଲା । ଏହା ଫଳରେ ସେହି ପୁରାତନ ଶିକ୍ଷାପଦ୍ଧତି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ।

 

ରାଜାଜୀଙ୍କୁ ଅନେକ ସମୟରେ ତାଙ୍କର ସମାଲୋଚକମାନେ ରକ୍ଷଣଶୀଳ ବୋଲି କହିଥାଆନ୍ତି । ସେ ତାଙ୍କ ସମାଲୋଚକଙ୍କ ଅପେକ୍ଷା କାର୍ଯ୍ୟରେ ଅଧିକ ଅଗ୍ରଗାମୀ । ମାନ୍ଦ୍ରାଜ ଋଣ ସାହାଯ୍ୟ ଆଇନ୍ ଓ ତାନଜୋର ପାନିଆଲ ଆଇନର ସେ ହେଉଛନ୍ତି ମୁଖ୍ୟ ସୁତ୍ରଧର । ଏହି ଦୁଇଟି ନରମପନ୍ଥୀ ଆଇନଗତ ବ୍ୟବସ୍ଥାଦ୍ୱାରା । କୃଷକମାନେ ବହୁ ପରିମାଣରେ ଉପକୃତ ହେଉଛନ୍ତି ।

 

ଘଟଣାକୁ ଲକ୍ଷ୍ୟ କରି ରାଜାଜୀ ଯଥାର୍ଥ ଶବ୍ଦ ବ୍ୟବହାର କରିଥାଆନ୍ତି । କମ୍ୟୁନିଷ୍ଟମାନେ ତାଙ୍କର ପହିଲା ନମ୍ୱର ଶତ୍ରୁ ବୋଲି ସେ ଘୋଷଣା କରିଥିଲେ । ପୂର୍ତ୍ତ ବିଭାଗରେ ଚାଲିଥିବା ଦୁର୍ନୀତି ଓ ଅପବ୍ୟୟକୁ ଲକ୍ଷ୍ୟ କରି ତାହା ଦୁଇ ନମ୍ବର ଶତ୍ରୁ ବୋଲି ସେ କହିଥିଲେ । ପଦବୀରେ ରହିଥିବା-ବେଳେ ଏବଂ ବାହାରେ ମଧ୍ୟ ସେ ବହୁ ଅଭିଯାନ ଚଳାଇ ଆସିଲେ । ଆଣବିକ ଯୁଦ୍ଧ ବିରୁଦ୍ଧରେ ତାଙ୍କର ଅଭିଯାନ ଅନ୍ୟ କେହି ଲୋକ ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ଚାଲିଥିଲା ।

 

ବି. ସି. ଜି. ବିରୁଦ୍ଧରେ ମଧ୍ୟ ସେ ଅନୁରୂପ ଦୃଢ଼ ଅଭିଯାନ ଚଳାଇଥିଲେ । ଏପରି କୌଣସି ବିଷୟ ନାହିଁ । ଯାହାକୁ କି ସେ ସମ୍ପୂର୍ଣ୍ଣଭାବେ ବୁଝି ନାହାନ୍ତି । ପ୍ରାୟ ପ୍ରତ୍ୟେକ ବିଷୟ ଉପରେ ସେ ଜଣେ ବିଶେଷଜ୍ଞ ଭଳି କହି ପାରନ୍ତି ।

 

ରାଜାଜୀ ହେଉଛନ୍ତି ଏକ ମାତ୍ର ରାଜନୀତିଜ୍ଞ ଯାହାଙ୍କ ବିରୁଦ୍ଧରେ ସ୍ଵାର୍ଥ ଅଭିଯୋଗ କରାଯାଇ ପାରିବ ନାହିଁ କିମ୍ବା ବିପୁଳ ସମ୍ପତ୍ତି ହାସଲ ପାଇଁ ପଦବୀର ଅପବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ କରାଯାଇ ପାରିବ ନାହିଁ । ଦେଶର ମଙ୍ଗଳ ଲାଗି ସମସ୍ତ ରାଜନୀତିଜ୍ଞ ତାଙ୍କ ସରଳ ଜୀବନଯାପନ ପ୍ରଣାଳୀକୁ ଅନୁସରଣ କରିବା ଆବଶ୍ୟକ ।

 

ରାଜାଜୀ ଯେଉଁ ମତ ପୋଷଣ କରିଥିଲେ ଠିକ ତାର ବିପରୀତ ମତ ମୁଁ ପୋଷଣ କରିଛି; କିନ୍ତୁ ଆଜି ମଧ୍ୟ ଏହି କୁଳବୃଦ୍ଧଙ୍କୁ ପ୍ରଶଂସା କରିବା ବ୍ୟତୀତ ମୋର ଆଉ କିଛି ନାହିଁ । ତୀକ୍ଷ୍‍ଣଧୀଶକ୍ତିସମ୍ପନ୍ନ ଓ ମହାନ ନେତା ରାଜାଜୀ ମୋର ସାଧାରଣ ଜୀବନର ରୂପରେଖ ଦେଇଛନ୍ତି । ମୋ ପ୍ରତି ତାଙ୍କର ପ୍ରଗାଢ଼ ସ୍ନେହ ମୁଁ ଅନୁଭବ କରୁଛି; କିନ୍ତୁ ତାଙ୍କ ସହିତ ସର୍ବଦା ଯୋଗସୂତ୍ର ସ୍ଥାପନ କରି ପାରୁନାହିଁ । ବେଳେବେଳେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାପାଇଁ ମୁଁ ଯାଇଥାଏ । ଏପରି ବୃଦ୍ଧ ବୟସରେ ତାଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଓ ବ୍ୟବହାର ଏତେ ମନମୁଗ୍ଧକର ଯେ କ୍ୱଚିତ ଲୋକଙ୍କଠାରେ ତାହା ଦେଖାଯାଏ । ଯେଉଁମାନେ କି ସେମାନଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କ ମନରେ ସ୍ଥାୟୀ ଭାବେ ଏକ ଧାରଣା ସୃଷ୍ଟି କରିପାରନ୍ତି, ରାଜାଜୀ ସେମାନଙ୍କ ମଧ୍ୟରେ ଜଣେ ।

 

ରାଜାଜୀଙ୍କ ଜୀବିତାବସ୍ଥାରେ ଲିଖିତ ।

(ଟି. ଏ. ପାଇଙ୍କ ପ୍ରବନ୍ଧର ଅନୁବାଦ)

Image

 

ଗୌରବୋଜ୍ଜ୍ୱଳ ଦେଶସେବା

 

ରାଜାଜୀ ତ୍ୟାଗ ଓ ଆତ୍ମୋତ୍ସର୍ଗର ଯେଉଁ ଅମ୍ଳାନ ଆଦର୍ଶ ଉପସ୍ଥାପନ କରିଯାଇ ଅଛନ୍ତି ତାହା ଦେଶବାସୀଙ୍କ ପକ୍ଷରେ ଏକାନ୍ତ ଅନୁସରଣୀୟ । ଜଣେ ତାଙ୍କ ସହିତ ଏକମତ ହୋଇ ନ ପାରେ, କିନ୍ତୁ ତାଙ୍କର ସାଧୂତା ଓ ସତ୍ ଉଦ୍ଦେଶ୍ୟ ସଂପର୍କରେ କେହି ପ୍ରଶ୍ନ କରି ପାରିବେ ନାହିଁ । ନିର୍ଭୟରେ ସେ ନିଜ ମତକୁ ସ୍ପଷ୍ଟ ଓ ସଠିକ ଭାବେ ପ୍ରକାଶ କରୁଥିଲେ । ଭାରତୀୟ ରାଜନୀତିକ ମଞ୍ଚରେ ଯଥାର୍ଥ ସେ ହେଉଛନ୍ତି ଭୀଷ୍ମ । ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ ଅର୍ଥାତ୍ ୧୯୧୮ ମସିହାରେ ସେ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ ସହକାରୀ ହେବା ଦିନଠାରୁ ମୁଁ ତାଙ୍କ ବଂଧୁତା ପାଇବାର ସୁଯୋଗ ଲାଭ କରିଥିଲି । ସମୟର ଗତି ସଙ୍ଗେ ସଙ୍ଗେ ଆମ ମଧ୍ୟରେ ସଂପର୍କ ଅତି ନିବିଡ଼ ହୋଇଥିଲା । ଶ୍ରମ ଓ ଶ୍ରମିକ ସଂଘ କ୍ଷେତ୍ରରେ ମୋ କାର୍ଯ୍ୟ ପ୍ରତି ଯଥୋଚିତ ସମ୍ମାନ ଦେଇ ସେ କଂଗ୍ରେସର ଶ୍ରମିକ ସମ୍ପର୍କୀୟ ବିଷୟ ଓ ସେମାନଙ୍କର ବହୁବିଧ ସମସ୍ୟାମାନ ମୋ ସହିତ ଆଲୋଚନା କରୁଥିଲେ ଓ ମୋର ମତ ବିଚାରକୁ ନେଉଥିଲେ ।

 

ଭାରତ ଶାସନ ଆଇନ ଅନୁସାରେ କଂଗ୍ରେସ ଯେତେବେଳେ ମାନ୍ଦ୍ରାଜ ପ୍ରଦେଶର ଶାସନ ହାତକୁ ନେଲା, ସେତେବେଳେ ନେତୃତ୍ୱର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହେଲା । ସେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବେ ମୋତେ ବାଛି ଶ୍ରମ, ଶିଳ୍ପ ସମବାୟ, ଶକ୍ତି ଇତ୍ୟାଦି ବିଭାଗର ଦାୟିତ୍ୱ ଦେଇଥିଲେ । ସେତେବେଳେ ଏହି ପ୍ରଥମ କଂଗ୍ରେସ ସରକାରକୁ ଏକ କଠୋର ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ହେଉଥିଲା । କାରଣ ତତ୍‌କାଳୀନ ଲାଟଙ୍କର କ୍ଷମତା ଥିଲା ଅପରିସୀମ । ଅନେକ ବିଷୟରେ ଲାଟ ଏବଂ ସରକାରଙ୍କ ସହିତ ମୁହାଁମୁହିଁ ଆଲୋଚନାକୁ ଏଡ଼ାଇ ଦେଇ ଏକ ଯଥାର୍ଥ ବୁଝାମଣା ଏବଂ ସନ୍ତୋଷଜନକ ସମାଧାନରେ ପହଞ୍ଚି ପାରିବା ଥିଲା ରାଜାଜୀଙ୍କ ବଳିଷ୍ଠ ନେତୃତ୍ୱର ପରିଚାୟକ ।

 

୧୯୩୭-୩୯ ମଧ୍ୟରେ ଆମେ ଯେତେବେଳେ ମନ୍ତ୍ରୀମଣ୍ଡଳରେ ସହକର୍ମୀ ଥିଲୁ ସେତେବେଳେ ମଧ୍ୟ ଅନେକ ଘଟଣାରେ ମୁଁ ଓ ରାଜାଜୀ କେତେକ ସମସ୍ୟା ପ୍ରତି ଆମ୍ଭମାନଙ୍କର ଆଭିମୁଖ୍ୟ ସଂପର୍କରେ ଦ୍ୱିମତ ହେଇଥିଲୁ; କିନ୍ତୁ ମୁଁ ନିଶ୍ଚିତ ଭାବେ କହିବି ଯେ ମୋର ସିଦ୍ଧାନ୍ତ ଠିକ୍ ବୋଲି ତାଙ୍କର ହୃଦବୋଧ ହେଲେ ଓ ସେ ମୋ ପରାମର୍ଶ ବିଚାର ଲାଗି ଗ୍ରହଣ କଲେ, ତାଙ୍କର ପଦ ଓ ପଦବୀ ପ୍ରତି ଅସମ୍ମାନ ହେବ, ଏହା ସେ କେବେ ହେଲେ ଭାବୁ ନଥିଲେ । ହାର୍ଭେସ୍‍ଙ୍କ ମାଲିକାନାରେ ଥିବା ମାଦୁରାଇ ଓ ପାପାନାଶମ୍ ମିଲମାନଙ୍କରେ ଏକ ବଡ଼ ଧରଣର ଶ୍ରମବିବାଦ ଉପୁଜିଥିଲା ଏବଂ ସେଥିଯୋଗୁଁ ମାଲିକମାନେ ତାଲାବନ୍ଦ ଘୋଷଣା କରିଥିଲେ । ପ୍ରାୟ ୨୦ ହଜାର ଶ୍ରମିକ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସତ୍ତ୍ୱେ ସେମାନେ ସେ ସୁଯୋଗରୁ ବଞ୍ଚିତ ହୋଇଥିଲେ । ଏହି ତାଲାବନ୍ଦ ପ୍ରାୟ ୩ ମାସ ଧରି ଚାଲିଥିଲା । ଏକ ଯୁକ୍ତିଯୁକ୍ତ ସମାଧାନ ଗ୍ରହଣ କରିବା ଲାଗି ମାଲିକଙ୍କୁ ରାଜି କରାଇବା ପାଇଁ ମୋର ସମସ୍ତ ଚେଷ୍ଟା ବିଫଳ ହେଲା । ଶ୍ରମିକମାନଙ୍କ ସ୍ୱାର୍ଥ-ବିରୋଧୀ କେତେକ ସର୍ତ୍ତରେ ସେମାନେ ତାଲାବନ୍ଦ ପ୍ରତ୍ୟାହାର କରି ମିଲ୍ ଚଳାଇବାକୁ ନିଷ୍ପତ୍ତି ନେଲେ । ଯେଉଁ ଶ୍ରମିକମାନେ ସକ୍ରିୟ ଭାବେ ଶ୍ରମିକ ସଂଘର କାର୍ଯ୍ୟରେ ଲିପ୍ତ ଥିଲେ କିମ୍ବା ଯେଉଁମାନଙ୍କୁ ମାଲିକ ଚାହୁ ନ ଥିଲେ ସେମାନଙ୍କୁ ବାଦ ଦିଆଯାଇ କେବଳ ସେମାନଙ୍କର ବିଶ୍ୱସ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ୱାନ କଲେ । ନୂତନ ନିଯୁକ୍ତି ଥିଲା ତାଙ୍କର ଉଦ୍ଦେଶ୍ୟ । ମୁଁ ଯେତେବେଳେ ତାହା ଜାଣିଲି ରାଜାଜୀଙ୍କୁ ପରାମର୍ଶ ଦେଲି ଯେ ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ଏକ ସନ୍ତୋଷଜନକ ସମାଧାନ ନ ହେଲେ ପରିଚାଳନା କର୍ତ୍ତୃପକ୍ଷ ତାଙ୍କ ନିଜ ବାଟରେ ଯିବାକୁ ଓ ମିଲ ଖୋଲିବାକୁ ଅନୁମତି ଦେବା ଆଦୌ ଉଚିତ ନୁହେଁ । କୌଣସି ଏକ ନ୍ୟାୟୋଚିତ ରାଜିନାମାରେ ନ ପହଞ୍ଚିବା ପର୍ଯ୍ୟନ୍ତ ପରିଚାଳନା କର୍ତ୍ତୃପକ୍ଷ ଯେପରି ମିଲ୍ ଖୋଲି ନ ପାରନ୍ତି ସେହି ମର୍ମରେ ଏକ ନିର୍ଦ୍ଦେଶ ଦେଇ ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୪୪ ଧାରା ଅନୁସାରେ ଏକ ଆଦେଶ କାର୍ଯ୍ୟକାରୀ କରିବାକୁ ମୁଁ ନିଷ୍ପତି କଲି । ମୋର ଏହି ପରମ୍ପରା ଚ୍ୟୁତ ପ୍ରଶାସନିକ ଆଭିମୁଖ୍ୟ ଦେଖି ରାଜାଜୀ ଅବଶ୍ୟ ବିସ୍ମିତ ହୋଇଥିଲେ; କିନ୍ତୁ ଭୁଲ ବାଟରେ ଯାଉଥିବା ମାଲିକଙ୍କୁ ବାଟକୁ ଆଣିବା ପାଇଁ ଏକ କଠୋର ଦୃଷ୍ଟିଭଙ୍ଗୀ ନିଆଯିବା ଆବଶ୍ୟକ ବୋଲି ସେ ପରିଶେଷରେ ମୋ ସହିତ ଏକମତ ହୋଇଥିଲେ ।

 

ସେତେବେଳେ ଲାଟ ସାହେବ ରହୁଥାନ୍ତି ଉତ୍‌କାମଣ୍ଡରେ । ରାଜାଜୀ ଯେତେବେଳେ ଟେଲିଫୋନ୍ କରି ପ୍ରସ୍ତାବିତ ପଦକ୍ଷେପ ବିଷୟ ତାଙ୍କୁ ଜଣାଇଲେ, ଲାଟ ସେଥିରେ ସମ୍ମତ ହେଲେ ନାହିଁ; କିନ୍ତୁ ରାଜାଜୀ ଥିଲେ ତାଙ୍କ ସିଦ୍ଧାନ୍ତରେ ମେରୁ ପରି ଅଟଳ । ତେଣୁ ସେ କାଳ ବିଳମ୍ବ ନ କରି ଲାଟଙ୍କୁ ଜଣାଇ ଦେଲେ ଯେ ତାଙ୍କ ସରକାରଙ୍କ ମତ ଯଦି ଗୃହୀତ ନ ହୁଏ ତାହାହେଲେ ତାଙ୍କ ସରକାର ଇସ୍ତଫା ଦେବାକୁ ବାଧ୍ୟ ହେବେ । ପରିଶେଷରେ ଭାରତ ଇତିହାସରେ ସର୍ବପ୍ରଥମେ ମାଲିକଙ୍କୁ ଉଚ୍ଚ ସ୍ତମ୍ଭ ଉପରେ ଥିବା ଆସନରୁ ଓହ୍ଲାଇ ଆସି ଶ୍ରମିକମାନଙ୍କ ସହିତ ସମାଧାନ କରିବାକୁ ବାଧ୍ୟ କରି ୧୪୪ ଧାରା ଆଦେଶ ଜାରୀ ହେଲା । ରାଜାଜୀ ଥରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନେଲେ, ସେ ତା’ର ଶେଷ ପରିଣାମ ପ୍ରତି ଭ୍ରୁକ୍ଷେପ ନ କରି ସେଥିରେ ରହୁଥିଲେ ଅଟଳ ।

 

ପୁଣି ୧୯୩୯ ମସିହାରେ ଚିତାଭାଲସା ଝୋଟ କଳରେ ବସିରହିବା ଧର୍ମ-ଘଟ (Stay-in-strike) ଆରମ୍ଭ ହେଲା । କୌଣସି ଉତ୍ତେଜନାର ସୃଷ୍ଟି ସୂଚନା ନଥିଲେ ମଧ୍ୟ ବିଶାଖାପାଟନାର ତତ୍‌କାଳୀନ ଜିଲ୍ଲା ମାଜିଷ୍ଟ୍ରେଷ୍ଟ ମି. କ୍ରମ୍ୱି ମିଲ ଭିତରକୁ ପ୍ରବେଶ କରି ନିରସ୍ତ୍ର ଶ୍ରମିକମାନଙ୍କ ଉପରେ ଅଯଥା ଗୁଳିଚାଳନା ଆଦେଶ ଦେଲେ । ମୁଁ ଯେତେବେଳେ ୧୯୩୭ ମସିହାରେ ଶ୍ରମବିଭାଗ ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କଲି ମୁଁ ସବୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଏକ ନିର୍ଦ୍ଦେଶନାମା ଦେଇଥିଲି ଯେ ଯେକୌଣସି ସମୟରେ ଧର୍ମଘଟ ଓ ତାଲାବନ୍ଦ ହେଲେ ଗୁଳିଚାଳନା ବା କୌଣସି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନେ ନିଜ ଉଦ୍ଦେଶ୍ୟ ଶ୍ରମିକ ପ୍ରତିନିଧିଙ୍କୁ ଜଣାଇ ଚରମ କାର୍ଯ୍ୟପନ୍ଥା ଏଡ଼ାଇବାକୁ ଚେଷ୍ଟା କରିବା ଉଚିତ । ମୁଁ ସବୁବେଳେ ଅନୁଭବ କରିଛି ଯେ ଧର୍ମଘଟକୁ ଏକ ଆଇନ ଶୃଙ୍ଖଳା ସମସ୍ୟା ବୋଲି ବିବେଚନା କରିବା ଉଚିତ ନୁହେଁ; କିନ୍ତୁ ମାନବିକ ଦୃଷ୍ଟିରୁ ବିଚାରକରି କାର୍ଯ୍ୟ କରିବା ଉଚିତ । ଅଚଳ ଅବସ୍ଥାର ଆଶୁ ସମାଧାନଲାଗି ଦ୍ୱିପାକ୍ଷିକ ଆଲୋଚନା ସର୍ବଦା ଶ୍ରେୟସ୍କର ।

 

ମି. କ୍ରମ୍ବିଙ୍କ ଆଦେଶ ଫଳରେ ଯେଉଁ ଗୁଳିକାଣ୍ଡ ହେଲା ତାହା କେବଳ ଚିତାଭାଲସା ନୁହେଁ, ସମଗ୍ର ମାନ୍ଦ୍ରାଜ ପ୍ରଦେଶରେ ସୃଷ୍ଟି କରିଥିଲା ବ୍ୟାପକ ଉତ୍ତେଜନା ଓ ଅସନ୍ତୋଷ । ଏକ ବିଚାର ବିଭାଗୀୟ ତଦନ୍ତ ଲାଗି ମୁଁ ରାଜାଜୀଙ୍କୁ ପରାମର୍ଶ ଦେଇଥିଲି । ତାହା ମଧ୍ୟ ସେ ଗ୍ରହଣ କରିଥିଲେ । ସେହି ତଦନ୍ତ ରିପୋର୍ଟ ଉପରେ ମି: କ୍ରମ୍ବିଙ୍କୁ ଓ୍ୱାଲ୍‌ଟିଅରରୁ ବେଲୁଚିକୁ ବଦଳି କରାଯାଇଥିଲା ।

 

ବହୁ କ୍ଷେତ୍ରରେ ରାଜାଜୀ ପ୍ରଥମ ସ୍ଥାନର ଅଧିକାରୀ । ମାନ୍ଦ୍ରାଜ ପ୍ରଦେଶରେ ବିକ୍ରୀ କର ଏବଂ ନିଶାନିବାରଣ ପ୍ରବର୍ତ୍ତନ କରି ସେ ଦେଶକୁ ଯେଉଁ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି, ତାହା ତାଙ୍କ ଦେଶ ସେବାର ଦୁଇଟି ଜ୍ଵଳନ୍ତ ଦୃଷ୍ଟାନ୍ତ । କେତେକ ମହଲରୁ ପ୍ରବଳ ବିରୋଧ ସତ୍ତ୍ଵେ ସେ ଗଭୀର ବିଜ୍ଞତା ଓ କୌଶଳର ସହ ସେ ଦୁଇଟି ପଦକ୍ଷେପ କାର୍ଯ୍ୟକାରୀ କରାଇଥିଲେ । ବିକ୍ରୀ କର ଆଇନ ଯେତେବେଳେ ବ୍ୟବସ୍ଥା ସଭାରେ ଗୃହୀତ ହେଲା ତାହା ଲାଟସାହେବଙ୍କର ଆବଶ୍ୟକୀୟ ସ୍ୱୀକୃତି ପାଇବ ନାହିଁ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା; କିନ୍ତୁ ସ୍ୱୀକୃତି ନଦେଲେ ତାଙ୍କ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବା ପର୍ଯ୍ୟନ୍ତ ଚରମ ପଦକ୍ଷେପ ନେଇପାରନ୍ତି ବୋଲି ସେ ଦିଲ୍ଲୀ ମହଲକୁ ବୁଝାଇ ଦେଇଥିଲେ । ତାପରେ ସେହି ଆଇନକୁ ବଡ଼ଲାଟଙ୍କର ସ୍ୱୀକୃତି ତୁରନ୍ତ ମିଳିଥିଲା ।

 

୧୯୪୨ ମସିହା ଅଗଷ୍ଟ ଆନ୍ଦୋଳନବେଳେ ଗାନ୍ଧୀଜୀଙ୍କର ‘ଭାରତ ଛାଡ଼’ ଆହ୍ୱାନ ଫଳରେ ଅଗଣିତ ସ୍ଵାଧୀନତାକାମୀ ବ୍ୟକ୍ତି ତାଙ୍କ ବଳିଷ୍ଠ ନେତୃତ୍ୱର ଅନୁସରଣ କରିଥିଲେ । ଗାନ୍ଧୀଜୀ ବିଦେଶୀଙ୍କ ବିରୁଦ୍ଧରେ ହିଂସାତ୍ମକ ପନ୍ଥା ଅବଲମ୍ବନ କରିବାର ଥିଲେ ବିରୋଧୀ । ତେଣୁ ସେ ସ୍ଥିରକଲେ ଯେ ଅହିଂସା ତଥା ଅସହଯୋଗ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ । ଏହି ପ୍ରଶ୍ନ ଉପରେ ରାଜାଜୀ ବାପୁଜୀଙ୍କ ସହିତ ଏକମତ ହେଲେ ନାହିଁ । ଅବଶ୍ୟ ପରବର୍ତ୍ତୀ ଘଟଣାଗୁଡ଼ିକ ଗାନ୍ଧୀଜୀଙ୍କ ଦୂରଦୃଷ୍ଟିର ପ୍ରମାଣ ଦେଇଥିଲା । ରାଜାଜୀ ଯେତେବେଳେ ବ୍ରିଟିଶମାନଙ୍କ ସହିତ ସହଯୋଗନୀତି ଅବଲମ୍ବନ କରିବାକୁ କହିଲେ ତାଙ୍କୁ ପ୍ରବଳ ବିରୋଧ ଜନମତର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଲୋକପ୍ରିୟତା ମୋହରେ ନିଜ ଆଦର୍ଶଗତ ଦୃଢ଼ତାରୁ ସେ ଓହରି ଆସିବାକୁ ପ୍ରସ୍ତୁତ ନଥିଲେ । ଏହା ତାଙ୍କ ଚରିତ୍ରର ଏକ ମୌଳିକ ବିଶେଷତ୍ୱ ।

 

ଅନେକ ପ୍ରଶ୍ନ ଉପରେ ଆମ ମଧ୍ୟରେ ମତ ପାର୍ଥକ୍ୟ ସତ୍ତ୍ୱେ ମୋର ରାଜାଜୀଙ୍କ ପ୍ରତି ସମ୍ମାନ ଓ ତାଙ୍କର ମୋ ପ୍ରତି ଶ୍ରଦ୍ଧା ଆଦୌ ହ୍ରାସ ପାଇନଥିଲା । ମୁଁ ଉପରାଷ୍ଟ୍ରପତି ପଦ ଗ୍ରହଣ କରିଲା ପରେ ତାଙ୍କ ପାଖକୁ ଯାଇଥିଲି । ମୋ ନିର୍ବାଚନ ଯୋଗୁଁ ରାଜାଜୀ ମୋତେ ସାଦର ସମ୍ଭାଷଣ ଜଣାଇଥିଲେ । ମୁଁ ଯେତେବେଳେ ରାଷ୍ଟ୍ରପତି ପଦପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ଗ୍ରହଣକଲି, ସେ ମୋ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଅରାଜି ହୋଇଥିଲେ । ଏହା ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବନାହିଁ ଯେ ରାଜାଜୀ ରାଷ୍ଟ୍ରପତି ନିର୍ବାଚନରେ ସ୍ୱାଧୀନ ଭୋଟ ଦାନକୁ ଦୃଢ଼ଭାବେ ପ୍ରତିପାଦନ କରୁଥିଲେ । ସେ କହିଥିଲେ ଯେ ଉଚ୍ଚ ଓ ନୀଚ ପ୍ରତ୍ୟେକ ବ୍ୟକ୍ତି ପ୍ରାର୍ଥୀ ମନୋନୟନ କରିପାରନ୍ତି; କିନ୍ତୁ ଭୋଟଦାତାଙ୍କ ସ୍ଵାଧୀନ ବିଚାର ଉପରେ ଭୋଟଦାନ ଛାଡ଼ିଦିଆଯିବା ଉଚିତ । ଯାହାହେଉ, ମୁଁ ଯେତେବେଳେ ନିର୍ବାଚକମାନଙ୍କୁ ସେମାନଙ୍କ ବିବେକାନୁମୋଦିତ ପନ୍ଥାରେ ଭୋଟଦେବାକୁ ଅନୁରୋଧ କଲି, ରାଜାଜୀ ନିଜେ ପୂର୍ବରୁ ଯାହା କହିଥିଲେ ତାହାକୁ ସମର୍ଥନ କଲେ ନାହିଁ ।

 

(ରାଜାଜୀଙ୍କ—୯୩ ତମ ସ୍ମରଣିକାରେ ପ୍ରକାଶିତ ଶ୍ରୀ ଭି. ଭି. ଗିରିଙ୍କ ପ୍ରବନ୍ଧର ଅନୁବାଦ)

Image

 

ଜବାହରଲାଲଙ୍କ ଯତ୍ନ ନିଅନ୍ତୁ

 

“ଦୟାକରି ଜବାହରଲାଲଙ୍କ ଯତ୍ନ ନିଅନ୍ତୁ” ଏହାହିଁ ଥିଲା ଗାନ୍ଧିଜୀଙ୍କ ବିୟୋଗାନ୍ତେ ଭାରତର ସର୍ବଶେଷ୍ଠ ଗୋରା ବଡ଼ଲାଟ ମାଉଣ୍ଟ ବ୍ୟାଟେନଙ୍କୁ ତତ୍କାଳୀନ ପଶ୍ଚିମବଙ୍ଗ ରାଜ୍ୟପାଳ, ଆଧୁନିକ ଭାରତର ଭୀଷ୍ମ ପିତାମହ ରାଜାଜୀଙ୍କ ଆବେଗପୂର୍ଣ୍ଣ ଅନୁରୋଧ । ଗାନ୍ଧିଜୀଙ୍କ ହତ୍ୟାଜନିତ ଦାରୁଣ ଦୁଃସମ୍ୱାଦ ବଡ଼ଲାଟ ଟେଲିଫୋନ ଯୋଗେ ରାଜାଜୀଙ୍କୁ ଜଣାଇବାରେ ରାଜାଜୀ ପ୍ରତ୍ୟୁତ୍ତରରେ ତାଙ୍କୁ ଏହି ଅନୁରୋଧ କରିଥିଲେ ।

 

ଏହା ପ୍ରେତ କି ବିପର୍ଯୟ ! ରାଜାଜୀ ଦୃଢ଼ଭାବେ ପାଦ ରଖି ଧୀର ଓ ଅବିଚଳିତଭାବେ ଦଣ୍ଡାୟମାନ ହୋଇଥିଲେ । ସେ ଯେ କିଭଳି ଜଣେ ବାସ୍ତବବାଦୀ ନେତା ତାହା ଗାନ୍ଧିଜୀଙ୍କ ହତ୍ୟା ଘଟଣାରେ ତାଙ୍କ ପ୍ରତିକ୍ରିୟାରୁ ହିଁ ପ୍ରମାଣିତ ହୁଏ । କଲିକତାଠାରେ ସେଦିନ ତାଙ୍କର କେତେକ ଦୈନନ୍ଦିନ କାର୍ଯ୍ୟ ସମାପନ ଲାଗି ସେ ପ୍ରସ୍ତୁତ ହେଉଥିଲେ । ଆମ୍ଭେମାନେ କାର୍ ଭିତରେ ବସିବା ସଙ୍ଗେ ସଙ୍ଗେ ଜଣେ ଚପରାଶି ଧାଇଁ ଧାଇଁ ଆମ ଆଡ଼କୁ ଆସିଲା ଏବଂ କେହି ଜଣେ ଜରୁରୀଭାବେ ଟେଲିଫୋନରେ ମୋତେ ଡାକୁଛନ୍ତି ବୋଲି ସମ୍ବାଦ ଦେଲା । ମୁଁ ମୋର ପରିଚୟ ଦେବା ସଙ୍ଗେ ସଙ୍ଗେ ଦାରୁଣ ଦୁଃସମ୍ୱାଦ ମିଳିଗଲା ପି. ଟି. ଆଇ. ସୂତ୍ରରୁ—‘‘ଆପଣଙ୍କୁ ଦୁଃଖର ସହିତ ମୋତେ କହିବାକୁ ପଡ଼ୁଛି ଯେ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଛି । ଦୟାକରି ରାଜ୍ୟପାଳଙ୍କୁ ଜଣାଇ ଦିଅନ୍ତୁ ।” ମୁଁ ଯାହା କହିଥିଲି, ସେ ତାହା ଠିକ୍ ଅଛି ବୋଲି ନିଶ୍ଚିତ ହେବା ଲାଗି ସମ୍ୱାଦର ପୁନରାବୃତ୍ତି କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରିଥିଲି । ଅତି ଦୁଃଖର ସହିତ ମୁଁ ରାଜାଜୀଙ୍କୁ ଏହି ଦାରୁଣ ଦୁଃସମ୍ବାଦ ଦେଲି । ତାଙ୍କ ହୃଦୟର କୋହକୁ ଚାପିରଖି ଲର୍ଡ ମାଉଣ୍ଟ ବ୍ୟାଟେନଙ୍କୁ ଟେଲିଫୋନ କରିବା ପାଇଁ ସେ ମୋତେ ନିର୍ଦ୍ଦେଶ ଦେଲେ ଏବଂ ସଙ୍ଗେ ସଙ୍ଗେ ଏହି ଟେଲିଫୋନ୍ କଲ୍‍ଟି ମିଳିଗଲା । ଏହି ମର୍ମନ୍ତୁଦ ଘଟଣା ସମ୍ପର୍କରେ ନିଶ୍ଚିତ ଭାବେ ଅବହିତ ହେବାପରେ—‘‘ଲର୍ଡ ଲୁଇସ୍ ! ଦୟାକରି ଜବାହାରଲାଲଙ୍କ ଯତ୍ନ ନିଅନ୍ତୁ” ଏତିକି ମାତ୍ର କହି ରାଜାଜୀ ତାଙ୍କର କଥାବାର୍ତ୍ତା ଶେଷ କରିଥିଲେ । ଭାରତର ପ୍ରଥମ ଏହି ମହାନ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏହାହିଁ ଥିଲା ତାଙ୍କ ହୃଦୟର ଆବେଗଭରା ଶ୍ରଦ୍ଧା ଓ ସ୍ନେହ ।

 

ମୋ ଜୀବନଧାରା ଉପରେ ରାଜାଜୀଙ୍କର ଅତ୍ୟନ୍ତ ଶକ୍ତିଶାଳୀ ପ୍ରଭାବ ପଡ଼ିଥିଲା—ଏବଂ କଲିକତାରେ ଏ. ଡି. ସି. ଭାବେ ରହିବା ସମୟ ମଧ୍ୟରେ ମୋର ଜୀବନର ବାସ୍ତବ ଶିକ୍ଷା ମୁଁ ଅର୍ଜନ କରିଥିଲି । ଏହି ଚତୁର ଦାର୍ଶନିକ ଜନନାୟକଙ୍କଠାରେ ଦୂର ଭବିଷ୍ୟତକୁ ଦେଖିପାରିବା ଲାଗି ଶକ୍ତି ନିହିତ ଥିଲା । କଂଗ୍ରେସ ଛାଡ଼ିବା ପରେ ୧୯୪୫ ମସିହାରେ ସେ ଏକାକୀ ରହୁଥିଲେ । ସେତିକିବେଳେ ଥରେ କରାଇକୁଡ଼ି ପର୍ଯ୍ୟଟନ ବଙ୍ଗଳାରେ ତାଙ୍କୁ ଭେଟିବାର ସୁଯୋଗ ମୋତେ ମିଳିଥିଲା । ସେ ମୋତେ ଗୋଟିଏ ସରଳ ପ୍ରଶ୍ନ ପଚାରି ଥିଲେ । ଯୁବକ ! ଆଗାମୀ ଅଳ୍ପ କେତେ ବର୍ଷ ମଧ୍ୟରେ ଆମ ଦେଶ କେଉଁଆଡ଼କୁ ଗତି କରୁଛି ବୋଲି ତୁମେ ବିଚାରୁଛ ? ଅନ୍ୟ ଯେକୌଣସି ମାମୁଲି ଲୋକ ପରି ମୁଁ ସଙ୍ଗେ ସଙ୍ଗେ ଉତ୍ତର ଦେଲି ଯେ ଦଶବର୍ଷ ପରେ ଆମ ଦେଶ ସଂପ୍ରତି କ୍ରମବର୍ଦ୍ଧନମାନ ମୁସଲିମ ଲିଗ୍ ବିପଦର ସମ୍ମୁଖୀନ ହେବ । ସେ ସେଥିରେ ଏକମତ ନହୋଇ କହିଲେ-ମୁସଲିମ୍ ଲିଗ୍ ସମ୍ପର୍କରେ ଆଦୌ ବିବ୍ରତ ହୁଅନାହିଁ—ସେ ସମସ୍ୟା ସହଜରେ ସୁଧୁରିଯିବ, ମାତ୍ର ମନେରଖ ଆମ ଦେଶକୁ ଏକ ଉତ୍କୃଷ୍ଟ ଧରଣର କମ୍ୟୁନିଷ୍ଟବାଦର ମୁକାବିଲା କରିବାକୁ ପଡ଼ିବ ।” ପରବର୍ତ୍ତୀ ଘଟଣାବଳୀ ରାଜାଜୀଙ୍କର ଏହି ଭବିଷ୍ୟତ ବାଣୀକୁ ପ୍ରମାଣିତ କରିଛି ।

 

ନେତୃମଣ୍ଡଳ ତଥା ଜନସାଧାରଣଙ୍କର ବିପୁଳ ସମ୍ମାନ ରାଜାଜୀଙ୍କ ପ୍ରତି ରହିଛି । ବହୁ କଠିନ ତଥା ଜଟିଳ ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ତାଙ୍କ ନିକଟରେ ଗଚ୍ଛିତ ଥିବା ପରି ମନହୁଏ-। ଯେତେବେଳେ ଲର୍ଡ଼ ମାଉଣ୍ଟ ବ୍ୟାଟେନ୍ କଲିକତାଠାରେ ତାଙ୍କୁ ଅଭ୍ୟର୍ଥନା ଦିଆଯାଇଥିବା ଏକ ସଭାରେ ପ୍ରଥମ ଥର ପାଇଁ ସେ ଅବସର ଗ୍ରହଣ କରୁଥିବା ବିଷୟ ପ୍ରକାଶ କଲେ, ସଭାର ଜଣେ ଅତିଥି ରାଜାଜୀଙ୍କ ଆଡ଼କୁ ବୁଲିପଡ଼ି ତାଙ୍କଠାରୁ ଏହାର ସମାଧାନ ପନ୍ଥା ଚାହିଥିଲେ । ରାଜାଜୀ ତାଙ୍କର ତତ୍‌କ୍ଷଣାତ୍‌ ବୁଦ୍ଧି ବଳରେ ସଙ୍ଗେ ସଙ୍ଗେ ଉତ୍ତର ଦେଇ କହିଲେ–‘‘ମହାଶୟ, ଲୁଇସ ତାଙ୍କ ନିଜଘର ଇଂଲଣ୍ଡକୁ ଫେରିଯିବାକୁ ଚାହାନ୍ତି ! ସେତେବେଳେ ଫେରିଯିବା ପାଇଁ ତାଙ୍କୁ ଯେଉଁ ଦେଶ ସଙ୍କେତଦେବ ତାହା ଇଂଲଣ୍ଡ ନ ହୋଇ ଭାରତ ହେବ-।”

 

ଥରେ କଲିକତାଠାରେ ଗୋଟିଏ ଗେଟାରୀ ବୈଠକରେ ଡକ୍ଟର ସି. ପି. ଗମସ୍ୱାମୀ ଆୟାର ସଭାପତିତ୍ୱ କରି ତାଙ୍କର ଚମତ୍କାର ବକ୍ତୃତା ବଳରେ ଉପସ୍ଥିତ ଜନତାକୁ ସ୍ତମ୍ଭୀଭୂତ କରି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରେ ଆମେରିକା ଓ ରୁଷିଆର ରାଷ୍ଟ୍ରଦୂତମାନେ ମଧ୍ୟ ଥିଲେ । ନିଜର ସ୍ୱଭାବସୁଲଭ ରହସ୍ୟପୂର୍ଣ୍ଣ ଢଙ୍ଗରେ ରାଜାଜୀ ମଧ୍ୟ ଅନୁରୂପ ଏକ ଉପଭୋଗ୍ୟ ବକ୍ତୃତା ସେଠାରେ ଦେଇଥିଲେ । ତାଙ୍କୁ ଭାଷଣର ଉପସଂହାରରେ ସେ ବ୍ୟବହାର କରିଥିବା କେତେଟି ଶବ୍ଦ ଏବେ ମଧ୍ୟ ମୋର ମନେଅଛି ।

 

‘‘ଆମେରିକା ତେଲ ଓ ରୁଷିଆର କଷ୍ଟିକ ସୋଡ଼ା ଏକ ହେଉ ଏବଂ ଉଭୟର ସମ୍ମିଶ୍ରଣରେ ଯେଉଁସବୁ ସାବୁନ ପ୍ରସ୍ତୁତ ହେବ ତାହା ପୃଥିବୀର ଆବର୍ଜନାକୁ ଧୋଇ ସଫା କରିଦେଉ”—ଏହାହିଁ ଥିଲେ ରାଜାଜୀଙ୍କ ବକ୍ତବ୍ୟର ଶେଷାଂଶ । ତାଙ୍କର ଏହି ବକ୍ତବ୍ୟରେ ସଭାର ଚାରିଆଡ଼ୁ ଆନନ୍ଦଧ୍ୱନି ଉଠିଥିଲା ଏବଂ ଉଭୟ ବିଦେଶୀ କୁଟନୀତିଜ୍ଞ ନିଜ ନିଜ ଆସନରୁ ଉଠି ହାର୍ଦ୍ଦିକତାର ସହିତ କରମର୍ଦ୍ଦନ କରିଥିଲେ । ସମସ୍ତ ସଭାସଦ ଛିଡାହୋଇ ଜୟଧ୍ୱନି କରିଥିଲେ ।

 

ସାଂସାରିକ ବସ୍ତୁପ୍ରତି ରାଜାଜୀ କେବେହେଲେ ଗୁରୁତ୍ୱ ଆରୋପ କରୁନଥିଲେ । ପଶ୍ଚିମବଙ୍ଗର ରାଜ୍ୟପାଳ ପଦ ସେ ଯେତେବେଳେ ଛାଡ଼ିଲେ, ତାଙ୍କ ପୂର୍ବତନ ରାଜ୍ୟପାଳମାନଙ୍କ ପରମ୍ପରା ଅନୁସରଣ ନକରି ସେ ବାରଗୋଟି ଚନ୍ଦନକାଠର ‘ସୋ କେସ୍‌’ ପାଇଁ ବରାଦ ଦେଇ ରାଜ୍ୟପାଳ ଥିଲାବେଳେ ଯାହା ଉପହାର ବା ଉପଢୌକନ ତାଙ୍କୁ ମିଳିଥିଲା ସେଥିରେ ସେ ସମସ୍ତ ରଖିଦେଇ ଯାଇଛନ୍ତି । ସେଥିରୁ କେତେକ ନିତାନ୍ତ ଦରକାରୀ ଜିନିଷ ନିଜ ବ୍ୟବହାର ପାଇଁ ରଖିବାକୁ ତାଙ୍କୁ ଯେତେବେଳେ କୁହାଗଲା, ସେ ଉତ୍ତର ଦେଲେ ଯେ, ରାଜଗୋପାଳାଚାରୀ ହିସାବରେ ମୋତେ ଏସବୁ ଜିନିଷ ମିଳିଲା ନାହିଁ । ପଶ୍ଚିମ-ବଙ୍ଗର ରାଜ୍ୟପାଳ ଭାବେ ଏସବୁ ମୁଁ ପାଇଥିଲି ମାତ୍ର ! ସେ ଅନୁଭବ କରିଥିଲେ ଯେ ପ୍ରଥମ ରାଜ୍ୟପାଳ ଭାବେ ସେ ତାଙ୍କ ଉତ୍ତରାଧୀକାରୀମାନଙ୍କ ଲାଗି କେତେକ ସୁସ୍ଥ ପରମ୍ପରା ସୃଷ୍ଟି କରାଯିବା ଉଚିତ । ମୋର ମନେଅଛି ସେ ସାମୟିକ ଭାବେ ବ୍ୟବହାର କରୁଥିବା ଗୋଟିଏ ସିଲ୍‍କ ସାଲରଙ୍ଗର ମିଳିଥିବା ଖଣ୍ଡିଏ ହାତୀଦାନ୍ତନିର୍ମିତ ବାଡ଼ି ନିଜ ବ୍ୟବହାର ଲାଗିରଖିବା ନିମନ୍ତେ ତାଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ସେ କହିଲେ “ମୁଁ ଯଦି ଏ ବାଡ଼ିକୁ ନିଏ, ତେବେ ଏହାର ମୂଲ୍ୟ ସ୍ୱରୂପ ଯେକୌଣସି ଅପରାଧପ୍ରବଣ ବ୍ୟକ୍ତି ଏହାକୁ ମୋ ବିରୁଦ୍ଧରେ ମଧ୍ୟ ବ୍ୟବହାର କରିବ’’ । ସେହିଁ ହାତୀ ଦାନ୍ତ ବାଡ଼ିଟି ଅଦ୍ୟାବଧି ପଶ୍ଚିମବଙ୍ଗ କଲିକତା ରାଜଭବନର ‘ସୋ କେସ୍’ ମଣ୍ଡନ କରିଛି !

 

ଜଣେ ସୁ-ଶାସକ ଭାବେ ରାଜାଜୀଙ୍କର ସ୍ୱତନ୍ତ୍ର ନୈପୁଣ୍ୟ ରହିଥିଲା ! ମାନ୍ଦ୍ରାଜର ପୋଲିସ୍ ଡେପୁଟି କମିଶନର ଥିଲାବେଳେ ମୁଁ ଏକ କ୍ଷୁଦ୍ର ସମସ୍ୟାର ସମ୍ମୁଖୀନ ହୋଇଥିଲି । ଜଣେ ପ୍ରତିଷ୍ଠିତ ନେତା ସହରର ବିଭିନ୍ନ ସ୍ଥାନରେ ପ୍ରତିଦିନ ସଭା କରି ୧୪୪ ଧାରା ଭଙ୍ଗ କରିବା ପାଇଁ ଯୋଜନା କରୁଥିଲେ । ପୋଲିସ କମିସନର ମୁଁ ଦୁହେଁ ରାଜାଜୀଙ୍କ ନିକଟକୁ ଗଲୁ । ସେତେବେଳେ ସେ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ଥାଆନ୍ତି । ଆମେ ତାଙ୍କୁ କହିବାକୁ ଯାଇଥିଲୁ ଯେ, ଆମେ କେବେହେଲେ ଏପରି ଭାବେ ଆଇନ୍ ଭଙ୍ଗ କରିବାକୁ ଦେବୁ ନାହିଁ । ମାତ୍ର ଜଣେ ବିଚକ୍ଷଣ କୌଶଳୀ ବ୍ୟକ୍ତି ରାଜାଜୀ ଆମକୁ ପରାମର୍ଶ ଦେଲେ ଯେ ସଭାକରି ଆଇନଭଙ୍ଗ କରିବା ପାଇଁ ଆମେ ତାଙ୍କୁ ସୁଯୋଗ ଦେବା ଉଚିତ ଏବଂ ତାଙ୍କର ଏହି ଅସ୍ୱାଭାବିକ ପରାମର୍ଶର ପରିଣାମ ବିଷୟରେ ମଧ୍ୟ ସେ ଆମକୁ ବୁଝାଇ ଦେଲେ । ତାଙ୍କ କହିବା ଅନୁସାରେ ଉକ୍ତ ନେତାଙ୍କ ପ୍ରଥମ ଏବଂ ଦ୍ୱିତୀୟ ସଭାରେ ସ୍ଵାଭାବିକ ଜନସମାବେଶ ହୋଇଥିଲା । ମାତ୍ର ସେଥିରୁ ନୂତନତ୍ୱ ଲୋପ ପାଇଯିବା ପରେ ଜନସମାବେଶ ଅସ୍ୱାଭାବିକ ଭାବେ କମି ଆସିଲା ଏବଂ ଏହାକୁ ଏକ ଅଯଥା କସରତ୍ ବୋଲି ବିଚାରି ଉକ୍ତ ନେତା ତାଙ୍କର ସଭା କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ । ଏହି ନେତାଙ୍କୁ ଅଭିଯୁକ୍ତ କରିବା ପାଇଁ ପୋଲିସକୁ ହୁଏତ ବହୁପ୍ରମାଣ ସଂଗ୍ରହ କରିବାକୁ ପଡ଼ିଥାଆନ୍ତା । ମାତ୍ର ରାଜାଜୀଙ୍କ ପରାମର୍ଶ ଫଳରେ ପୋଲିସଙ୍କୁ ସେଥିରୁ କ୍ଷାନ୍ତି ମିଳିଲା ଏବଂ ୩୪ଗୋଟି ସଭ୍ୟ ପରେ ଲୋକ ସମାବେଶ ଏତେ କମିଗଲା ଯେ, ତାଙ୍କୁ କାହିଁକି ଗିରଫ କରାଗଲା ନାହିଁ ବୋଲି ଉକ୍ତ ନେତା ଜଣକ ରାଗି ଉଠିଥିଲେ । ଆଇନ୍ ଭଙ୍ଗ ଅପରାଧ ଯୋଗୁ ତାଙ୍କୁ ଗିରଫ କରିବାପାଇଁ ମଧ୍ୟ ଯଥେଷ୍ଟ ପ୍ରମାଣ ଆମ ହାତରେ ଥିଲା । ମାତ୍ର ଉକ୍ତ ଘଟଣାର ସେହିଠାରେ ହିଁ ପରିସମାପ୍ତି ହେବା ଉଚିତ ବୋଲି ରାଜାଜୀ ମତ ଦେଲେ ।

 

ରାଜାଜୀଙ୍କର କାହାରି ପ୍ରତି ଘୃଣା ନଥିଲା କି ଭୟ କ’ଣ ସେ ଜୀବନରେ ଜାଣି ନଥିଲେ-। ଦିନେ ସକାଳବେଳା, ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳ ନିଷ୍ପତ୍ତି କରିଥିଲେ । ଏ ସମ୍ପର୍କରେ ବାହାରେ ଥିବା ଗଣ୍ଡଗୋଳକୁ ରୋକିବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜାଜୀଙ୍କୁ ଜଣାଇବା ଲାଗି ପୋଲିସ କମିଶନର ଓ ମୁଁ ତାଙ୍କ ନିକଟକୁ ଯାଇଥିଲୁ । ଅନ୍ୟ ଯେକୌଣସି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଭଳି ଆସନ୍ନ ପରିସ୍ଥିତିର ମୁକାବିଲା ଲାଗି ଦଳର ସଚେତକ ବା ସଭ୍ୟମାନଙ୍କ ସହିତ ଆଲୋଚନାରେ ବ୍ୟସ୍ତ ରହିବା ସ୍ୱାଭାବିକ । ମାତ୍ର ଆଶ୍ଚର୍ଯ୍ୟର କଥା ଯେ ରାଜାଜୀ ଗୋଟିଏ ଇଜି ଚେୟାରରେ ଶୋଇ ନିର୍ଲିପ୍ତ ଭାବେ ‘କାଉପର’ଙ୍କ ଚିଠିଗୁଡ଼ିକ ପଢ଼ୁଥିବାର ଆମେ ତାଙ୍କୁ ଦେଖିଲୁ ।

 

ଆମ ଭିତରୁ ଯେଉଁମାନେ ଅବସର ଗ୍ରହଣର ବୟସ ସୀମାରେ ପହୁଞ୍ଚିଲେଣି ବା ଅବସର ନେଇ ସାରିଲେଣି ଏହି କଠିନ ପରିଶ୍ରମୀ ବୟୋବୃଦ୍ଧ ନେତାଙ୍କଠାରୁ ସେମାନଙ୍କର ବହୁ ବିଷୟ ଶିଖିବାର ଅଛି । ମୁଁ ପ୍ରାର୍ଥନା କରୁଛି ଯେ ରାଜାଜୀ ତାଙ୍କ ଜୀବନର ଶତକ ଅତିକ୍ରମ କରିବା ଅବକାଶରେ ତାଙ୍କ ସମ୍ବନ୍ଧରେ ଆଉ ଏକ ନିବନ୍ଧ ଲେଖିବାର ସୁଯୋଗ ମତେ ମିଳୁ । ତା’ ହେଲେ ଗାନ୍ଧିଜୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ୧୨୫ ବର୍ଷ ପୂରଣ କରିବା ଲାଗି ବଞ୍ଚି ରହିଥିବା ଏହି ମହାନ୍ ବ୍ୟକ୍ତିଙ୍କ ବିଷୟରେ ମୋର ଆଉ ଯାହାସବୁ କହିବାର ଅଛି, ତାହା ମୁଁ ପ୍ରକାଶ କରି ପାରିବି ।

 

(ଏମ୍ . ସିଙ୍ଗ. ଗଭେଲୁଙ୍କ ପ୍ରବନ୍ଧର ଅନୁବାଦ)

Image

 

ମହାନ୍ ଭାରତୀୟ

 

ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ କହିଥିଲେ—“ଜଣେ ମହାନ୍ ବ୍ୟକ୍ତିଙ୍କର ମାତ୍ର ଗୋଟିଏ ଗୋଟିଏ କାର୍ଯ୍ୟରୁହିଁ ତାଙ୍କପ୍ରତି ଲୋକଙ୍କର ଚିରଦିନ ପାଇଁ ଉଚ୍ଚ ଧାରଣା ସୃଷ୍ଟି ହୋଇଥାଏ ଏବଂ ସେହିପରି ଗୋଟିଏ ଗୋଟିଏ ସମସ୍ୟା ସମାଧାନରେ ଜଣେ ବିରାଟ ବ୍ୟକ୍ତିଙ୍କ କୃତିତ୍ୱହିଁ ତାଙ୍କ ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ସଫଳ ପ୍ରଭାବ ସୃଷ୍ଟି କରିଥାଏ ।” କୋଟି କୋଟି ଲୋକ ଶ୍ରଦ୍ଧା ଓ ସମ୍ମାନ କରୁଥିବା ରାଜାଜୀଙ୍କ ଜୀବନରେ ଏହି ଦୁଇଟି ପରୀକ୍ଷା ସତ୍ୟ ବୋଲି ପ୍ରମାଣିତ ହୋଇଛି । ସେହି ଦୃଷ୍ଟିରୁ ମୋ ମତରେ ରାଜାଜୀଙ୍କୁ ଜଣେ ମହାନ୍ ଭାରତୀୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଜୀବନକାଳ ମଧ୍ୟରେ ସେ ବହୁ କ୍ଷେତ୍ରରେ କୃତିତ୍ୱ ସହକାରେ କାର୍ଯ୍ୟ କରି ଆସିଅଛନ୍ତି ଓ ୧୯୫୦ ମସିହା ଜାନୁଆରୀ ମାସରେ ସାର୍ବଭୌମ ସାଧାରଣତନ୍ତ୍ର ଭାରତର ଗଭର୍ଣ୍ଣର-ଜେନେରାଲଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଉଚ୍ଚ ପଦବୀରେ ରହି ଅସାଧାରଣ ଗୌରବର ହୋଇ ପାରିଛନ୍ତି ନିରଙ୍କୁଶ ଅଧିକାରୀ । ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ତତ୍‌କାଳୀନ ମନ୍ତ୍ରୀମଣ୍ଡଳରେ ଗୃହୀତ ପ୍ରସ୍ତାବ ଅନୁଯାୟୀ—‘ରାଜାଜୀ ତୀକ୍ଷ୍ଣ ଦୂରଦୃଷ୍ଟି ଓ ବଳିଷ୍ଠ ନେତୃତ୍ୱର ଅଧିକାରୀ ।

 

ଭାରତରେ ଅଗଣିତ ରାଜନୀତିଜ୍ଞ ମୁଣ୍ଡଟେକି ଉଠିଛନ୍ତି ସତ୍ୟ; କିନ୍ତୁ ଏ ଦେଶର ବିପର୍ଯ୍ୟୟ ଘଟୁଛି ଉପଯୁକ୍ତ ନେତୃତ୍ୱର ଅଭାବରୁ । ରାଜାଜୀ ଜଣେ ଉଚ୍ଚକୋଟୀର ଜନନାୟକ । ସେ ସାମୟିକ ଭୁଲ୍ କରିଛନ୍ତି; କିନ୍ତୁ ତାଙ୍କ ପରି ଏତେ ଠିକ୍ କୌଣସି ନେତା କରିପାରି ନାହାନ୍ତି । ବିଶେଷକରି ବହୁବିଧ ପ୍ରତିକୂଳ ଘଟଣାରେ ତାଙ୍କର ମାନସିକ ଶକ୍ତି କ୍ଷୁରଭଳି ଓ ବିଗତ ବହୁ ଦଶନ୍ଧି ଧରି ତାଙ୍କର ସ୍ମୃତି ଓ ମେଧାଶକ୍ତି ସୁପରସୋନିକ ଭଳି କାର୍ଯ୍ୟ କରି ଆସିଛି । ଅକଳନ୍ତି ଅଧ୍ୟୟନ ମଧ୍ୟ ତାଙ୍କ ମାନସିକ ଶକ୍ତିକୁ କରିଛି ପ୍ରଖର । ଭାରତୀୟ ରାଜନୀତି ଇତିହାସରେ ତାଙ୍କର ନିର୍ଭୁଲ ଦୂରଦୃଷ୍ଟି ପ୍ରଣିଧାନଯୋଗ୍ୟ । ଗାନ୍ଧୀଜୀ ଥରେ କହିଥିଲେ—‘‘ରାଜାଜୀ ମୋଠାରୁ ଅନ୍ୟୁନ ୬ ମାସ ଆଗରୁ ଦେଖିପାରନ୍ତି ।” ଆମେରିକାର ସ୍ୱନାମଧନ୍ୟ ରାଷ୍ଟ୍ରପତି ଜନ୍. ଏଫ୍. କେନେଡ଼ି ଥରେ କହିଥିଲେ—‘‘ମୁଁ ରାଷ୍ଟ୍ରପତି ହେବା ପରଠାରୁ ରାଜାଜୀଙ୍କର ଅତିଶୟ ସଭ୍ୟତବ୍ୟଞ୍ଜକ ଓ ସୁରୁଚିପୂର୍ଣ୍ଣ ପ୍ରଭାବ ମୋତେ ବହୁ କ୍ଷେତ୍ରରେ କରିଛି ପ୍ରଭାବିତ ।” ନିରବଚ୍ଛିନ୍ନ ଲୋକସଂପର୍କ ରଖିବାଲାଗି ସେ ଥିଲେ ଦୁର୍ଲ୍ଲଭ ଶକ୍ତିର ଅସରନ୍ତି ଭଣ୍ଡାର । ତାଙ୍କର ଗଭୀର ଚିନ୍ତା ଓ ବାକ୍‍ଶକ୍ତି ବୁଦ୍ଧିଜୀବୀଙ୍କ ମନରେ ପ୍ରତ୍ୟୟ ସୃଷ୍ଟିକରି ପାରୁଥିଲା । ସଭାସମିତିରେ ତାଙ୍କର ତର୍କମୂଳକ-ଉଦାହରଣପୂର୍ଣ୍ଣ ବକ୍ତୃତା ଜନମାନସରେ ପକାଇ ପାରୁଥିଲା ଅଲିଭା ପ୍ରଭାବ ।

 

ତାଙ୍କର ହୃଦୟ ଥିଲା ନିରାମୟ । ସମସ୍ୟା ଯେତେ ଜଟିଳ ହେଲେ ମଧ୍ୟ ତାଙ୍କର ସମାଧାନୀ ଶକ୍ତି ନିକଟରେ ସ୍ୱତଃ ହୋଇ ପଡ଼ୁଥିଲା ସରଳ । ତାହା ସତ୍ତ୍ୱେ ସେ କୌଣସି ସମସ୍ୟାକୁ ହେୟ ମନେ କରୁନଥିଲେ । ପରିଣତ ବୟସରେ କ୍ଷୀଣ ଦୃଷ୍ଟିଶକ୍ତି ସତ୍ତ୍ୱେ ସେ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧଗୁଡ଼ିକୁ ଲେଖୁଥିଲେ ନିଜ ହାତରେ । ମୁଦ୍ରଣ ଅବସ୍ଥାରେ ମଧ୍ୟ କଠିନ ସଂଶୋଧନ ଦାୟିତ୍ୱ ସେ ନିଜେ ବହନ କରିଥାନ୍ତି । ତାହାଦ୍ୱାରା ଶବ୍ଦ ଯୋଜନା ଅଦଳବଦଳ କରିବା ପାଇଁ ତାଙ୍କୁ ମିଳିଥାଏ ସୁଯୋଗ ।

 

ତାଙ୍କର ଧୀମତା ତଥା ଅପରିସୀମ ସାହସ ଓ ସାରଲ୍ୟ ଅଧୁନା ପ୍ରବାଦରେ ପରିଣତ ହୋଇଛି । ଝଡ଼ଝଂଜା ପ୍ରବାହିତ ହେଲେ ମଧ୍ୟ ସେ ଗୋଟିଏ ଉଜ୍ଜଳ ନକ୍ଷତ୍ରର ଅନୁସରଣରେ ବାହି ନେଉଥିଲେ ନିଜର ନୀତି-ଆଦର୍ଶରୂପକ ଏକ ବିରାଟ ପୋତକୁ । ସେହି ନକ୍ଷେତ୍ର ହେଉଛି ତାଙ୍କର ବିବେକ ଓ ଧୀଶକ୍ତି । ତାଙ୍କର ଦୃଢ଼ ଇଚ୍ଛା ଓ ସାଧାରଣ କର୍ତ୍ତବ୍ୟବୋଧକୁ କେହି କେବେ ବିରୋଧ କରିପାରୁ ନଥିଲେ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କ ମହାନ୍ ବ୍ୟକ୍ତିତ୍ୱ ଯୋଗୁଁ ସେ ହୋଇପାରୁଥିଲେ ଜନୈକ ଅପ୍ରତିଦ୍ୱନ୍ଦୀ କର୍ମଯୋଗୀ । ବିଚକ୍ଷଣଭାବେ ସେ କରିପାରୁଥିଲେ ବୁଦ୍ଧି ଓ ଚରିତ୍ରବତ୍ତାର ଅପୂର୍ବ ସମନ୍ୱୟ । ସୁଦକ୍ଷ ଶାସକ ହିସାବରେ ସେ ଅତୁଳନୀୟ । ତାଙ୍କ ଅସାଧାରଣ ଓ ଅବ୍ୟର୍ଥ ବୌଦ୍ଧିକ ତଥା ନୈତିକ ବିଚାରଶକ୍ତି ଓ ବାସ୍ତବମୁଖୀ ସମସ୍ୟା ସମାଧାନ ଓ ପରିଚାଳନାଗତ ପାଟବ ଯେକୌଣସି ଏକନିଷ୍ଠ ଜାତୀୟ ନେତାଙ୍କ ପକ୍ଷେ ଅନୁସରଣୀୟ । ବହୁପୁରୁଷ ପରେ ମଧ୍ୟ, ଜ୍ଞାନ ତଥା ମାନବିକତାର ବିରାଟ ଆଲୋକସ୍ତମ୍ଭ ରାଜାଜୀଙ୍କୁ ଭାରତୀୟ ମହାଜାତି ସ୍ମରଣ କରୁଥିବ । ହୁଏତ ବର୍ତ୍ତମାନ ରାଜନୈତିକ ଶାସନଗାଦିକୁ ଅଧିକାର କରି ରହିବା ବ୍ୟକ୍ତିମାନେ ଲୋକଙ୍କ ମାନସପଟରୁ ପୂରାପୂରି ଲିଭିଯିବେ ।

 

ସ୍ଵାଧୀନତା ସଂଗ୍ରାମ ସମୟରେ ସେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ଆଉ କିଛିବାଟ ଆଗେଇ ନେଇ ସେଥିରେ ଆଉ ଏକ ନୂତନ ଅଧ୍ୟାୟ ଯୋଗ କରିଥିଲେ । ତାହା ହେଲା, ଭାରତୀୟମାନଙ୍କ କବଳରୁ ଭାରତୀୟଙ୍କ ସ୍ଵାଧୀନତା ଲାଭ । ଏହାର ପ୍ରକୃତ ଅର୍ଥ ଆଗାମୀ ଆଉ କେତେବର୍ଷ ମଧ୍ୟରେ ଜଣାପଡ଼ିବ ।

 

ରାଜାଜୀ ଜୀବନରେ ଯେତୋଟି ଲକ୍ଷ୍ୟ ହାସଲ କରିଛନ୍ତି, ତନ୍ମଧ୍ୟରେ ଅଶୀବର୍ଷ ବୟସ ପରେ ସେ ହାସଲ କରିଥିବା ଲକ୍ଷ୍ୟ ବଡ଼ । ଚିନ୍ତାହୀନ ରାଜନୀତିଜ୍ଞମାନଙ୍କ ଗହଣରେ ବସି ସେ ଆଉଥରେ ନିଷ୍ପତ୍ତି କଲେ ଯେ, ଅତୀତରେ ସେ ଯାହାସବୁ ସମୟ ସମୟରେ କରି ଆସିଥିଲେ ସେହିଭଳି ଏକ ନୂଆକାମ ପୁଣିଥରେ କରିବେ । ସମ୍ୱିଧାନ ଅତି ଆଦର୍ଶଗତ ଭାବରେ ଲୋକଙ୍କୁ ବ୍ୟକ୍ତି-ସ୍ୱାଧୀନତା ଓ ମୌଳିକ ଅଧିକାର ଦେଇଥିବା ବେଳେ ଅମଲାତନ୍ତ୍ର କ୍ଷମତା ବଳରେ ‘ପରମିଟ୍ କୋଟା-ଲାଇସେନ୍‍ସରାଜ, ପ୍ରବର୍ତ୍ତନ କରି ଦେଶର ଅର୍ଥନୀତିକୁ ଯେତେବେଳେ ବିପର୍ଯ୍ୟସ୍ତ କରାଗଲା ଏବଂ ଦୁର୍ନୀତି ସାରା ଦେଶରେ ଛାଇଗଲା, ସେତେବେଳେ ଅଶୀତି ବର୍ଷ ବୟସ୍କ ଏହି କ୍ଷୀଣକାୟ ଲୋକଟିର ଜାତୀୟ ରଙ୍ଗମଞ୍ଚରେ ପୁନରବିର୍ଭାବ ଘଟିଲା ଏବଂ ପ୍ରକୃତ ସ୍ଵାଧୀନତା ସପକ୍ଷରେ ସେ ପୁଣି ଥରେ ସଂଗ୍ରାମ କଲେ । ପୁରାତନ ଧର୍ମ ଓ ସଂସ୍କୃତି ସାଙ୍ଗକୁ ସାଧାରଣ ଜୀବନରୁ ଶୃଙ୍ଖଳା ଓ ମୂଲ୍ୟବୋଧ ଲୋପ ପାଇବାକୁ ବସିଲା । ଏହି ପରିପ୍ରେକ୍ଷୀରେ ରାଜାଜୀ ଏକ ନୂତନ ରାଜନୈତିକଦଳ ଗଠନ କଲେ । ସ୍ୱରାଜ୍ୟରେ ତାଙ୍କର ସାପ୍ତାହିକ ନିବନ୍ଧ ଏବଂ ବିଭିନ୍ନ ରାଜ୍ୟରେ ତାଙ୍କର ଭାଷଣ ଶାସକଗୋଷ୍ଠୀ ମନରେ ଭୟ ଓ ନୈରାଶ୍ୟ ସଂଚାର କଲା-। ସମ୍ଭବତଃ ପୃଥିବୀର ଇତିହାସରେ ଅନ୍ୟ କୌଣସି ବ୍ୟକ୍ତି ରାଜାଜୀଙ୍କ ଭଳି ଏତେ ପରିଣତ ବୟସରେ ଏବଂ ପ୍ରବଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ନିଜ ଲୋକଙ୍କ ପାଇଁ ଏତେ ଚେଷ୍ଟା, ସାହସ ବା ଶ୍ରମ କରିନାହାନ୍ତି । ରାଜାଜୀ ହିଁ ଭାରତୀୟ ମହାଜାତିକୁ ସ୍ୱାଧୀନତାର ପ୍ରକୃତ ପ୍ରେରଣା ଦେଇଛନ୍ତି । କ୍ରମାଗତ ଭାବେ ଏକଦଳୀୟ ଶାସନ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଭାରତୀୟ ରାଜନୀତିକୁ ଏକ ନିଷ୍ପତ୍ତିମୂଳକ ଦିଗ୍‌ଦର୍ଶନ ଦେଇଥିଲେ ।

 

“ଏକ ଦଳୀୟ ଶାସନ ଆଉ ଚଳିବ ନାହିଁ’’—ଏହାହିଁ ଥିଲା ରାଜାଜୀଙ୍କର ଆହ୍ୱାନ ଏବଂ ତାଙ୍କର କାମନା ଅନୁଯାୟୀ ରାଜନୈତିକ ମୋଡ଼ ବଦଳିଗଲା । ବିଗତ ଦଶନ୍ଧି ସମୟରେ ରାଜାଜୀ ଦେଶପାଇଁ ଯେଉଁ ବିପୁଳ ଦାନ ଦେଇଯାଇଛନ୍ତି ତାହା ତାଙ୍କ ଦଳର ସଭ୍ୟ ସଂଖ୍ୟା ବା ସେମାନେ କେତେ ଭୋଟ ପାଇଲେ, ତାହା ଦ୍ୱାରା କଳନା କରାଯାଇ ନ ପାରେ । ତାଙ୍କର ସେହି ମହାନ୍ କାର୍ଯ୍ୟ ମୌଳିକ ଅଧିକାରର ସୁରକ୍ଷା ଦିଗରେ ସାଧାରଣ ଉଦ୍ୟମକୁ ଆଗେଇ ନେଇଛି । ଆଇନସମ୍ମତ ଶାସନ ପ୍ରତିଷ୍ଠା ଦିଗରେ ତାଙ୍କର ବହୁମୂଲ୍ୟ ଅବଦାନକୁ ଦେଶବାସୀ ଚିରଦିନ ପାଇଁ ମନେରଖିବେ । ରାଜାଜୀ ଆମର ହୃତ ଆତ୍ମସମ୍ମାନକୁ ଫେରାଇ ଆଣି ଆମ ହାତରେ ତୋଳି ଦେଇଛନ୍ତି ଏବଂ ଆମକୁ ବୁଝାଇ ଦେଇଛନ୍ତି ଯେ କେବଳ ଖାଇବା ଲାଗି ବଞ୍ଚିବା ଆମର କାମ ନୁହେଁ—ଆମେ ଯେତିକି ଜାଣୁ, ତାହାଠାରୁ ଆମେ ଅଧିକ ବଡ଼ । ଯେଉଁ ସମ୍ମାନ ଓ ପ୍ରଜ୍ଞାବଳରେ ଗୋଟିଏ କୃତଜ୍ଞ ଜାତି ନିଜର ସନ୍ଧ୍ୟା ପଥକୁ ଆଲୋକିତ କରୁଥାଏ, ରାଜାଜୀ ଏ ପର୍ଯ୍ୟନ୍ତ ଦେଉଥିବା ନିରବଚ୍ଛିନ୍ନ ସେବା ଓ ତାଙ୍କର ଉଚ୍ଚ ଚରିତ୍ରବତ୍ତା ହିଁ, ତାହାର ପାଥେୟ । ପ୍ରେରଣା ଯୌବନ, ବୟସ ବା ମୃତ୍ୟୁର ବିଚାର କରେନାହିଁ । କେବଳ ଗଭୀର ଧର୍ମ ବିଶ୍ୱାସ ଏବଂ ଅବିଚଳିତ ଆତ୍ମପ୍ରତ୍ୟୟ ବଳରେହିଁ ବ୍ୟକ୍ତି ବଞ୍ଚିରହେ—ଯାହାକି ଆଜି ୯୦ ବର୍ଷ ବୟସରେ ମଧ୍ୟ ରାଜାଜୀଙ୍କ ପକ୍ଷେ ସମ୍ଭବ ହୋଇଛି । ତାଙ୍କର ସ୍ୱଭାବଗତ ଭଦ୍ର ଆଚରଣ ତାଙ୍କୁ ଚେତାଇ ଦେଉଛି ଯେ, ମନୁଷ୍ୟର ଭାଗ୍ୟ ନିୟନ୍ତ୍ରଣ କରୁଥିବା ସର୍ବଶକ୍ତିମାନଙ୍କ ଇଚ୍ଛାକୁ ପ୍ରକାଶ କରାଇବାରେ ସେ ଏକ ନିମିତ୍ତ ମାତ୍ର ।

 

(ରାଜାଜୀଙ୍କ ଜୀବିତ କାଳରେ ଲିଖିତ ଏନ. ଏ. ପାଲିକୀବାଲାଙ୍କ ପ୍ରବନ୍ଧର ଅନୁବାଦ)

Image

 

ମରିନାହିଁ ସେତ ମରଣଜୟୀ

 

୧୯୭୨ ମସିହା ଡିସେମ୍ବର ତା୨୫ରିଖ । ସଂଧ୍ୟା ୫ଟା ୪୪ ମିନିଟ । ଦୀର୍ଘ ଆଠଦିନ ଧରି ରୋଗ ଶଯ୍ୟାରେ ମରଣ ସହିତ ତୁମଳ ସଂଗ୍ରାମ କଲାପରେ ଭାରତର ଅଦ୍ୱିତୀୟ ସଂଗ୍ରାମୀ ଯୁଗପୁରୁଷ ଭୀଷ୍ମପିତାମହ ରାଜାଜୀଙ୍କ ଦୀର୍ଘ କର୍ମମୟ ଜୀବନର ଅବସାନ ଘଟିଲା । ତାହା ସହିତ ଗାନ୍ଧୀଯୁଗର ଘଟିଲା ଅବସାନ । ମୃତ୍ୟୁବେଳକୁ ତାଙ୍କର ବୟସ ହୋଇଥିଲା ୯୪ ବର୍ଷ ୧୬ ଦିନ । ସେ ଥିଲେ ଯଥାର୍ଥରେ ଶାଶ୍ୱତ ମହାକାଳର ଏକ ଅଭ୍ରାନ୍ତ ଭ୍ରୂକୂଟୀ । ଚଲାପଥର ପଥିକ ସେ ନଥିଲେ ବରଂ ପଥ ତାଙ୍କର ଥିଲା ଅନୁଗାମୀ ମହାପୁରୁଷ ଯିଶୁଙ୍କ ଶୁଭ ଜନ୍ମଦିବସରେ ଜେରୁଜେଲମ ଆକାଶକୁ ଆଲୋକିତ କରିଥିଲା ଏକ ଉଜ୍ଜଳ ତାରକା; କିନ୍ତୁ ସେହିଦିନ ଅର୍ଥାତ୍ ଧନୁମାସ, ସୋମବାର, ଷଷ୍ଠୀ ଦିବସର ଶୁଭତିଥିରେ ଭାରତ ଆକାଶରୁ ବିଲୟ ଲଭିଲା ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ । ଘୂର୍ଣ୍ଣାୟମାନ ପୃଥିବୀର କିୟଦଂଶ ସତେ ଯେପରି ବିଚ୍ଛିନ୍ନ ହୋଇ ମିଶିଗଲା ଅନନ୍ତ ମହାଶୂନ୍ୟର ପ୍ରଶାନ୍ତ ନୀଳିମା ମଧ୍ୟରେ ।

 

ମୃତ୍ୟୁର ଆଠଦିନ ପୂର୍ବରୁ ସେ ପୀଡ଼ିତ ହୋଇ ପଡ଼ିଥିଲେ ମୂତ୍ରକୃଚ୍ଛ୍ର ରୋଗରେ । ସେହି ରୋଗହିଁ ତାଙ୍କୁ ଇହଧାମରୁ ବାଟ କଢ଼ାଇନେଲା । ତାଙ୍କର ବର୍ତ୍ତମାନ ଦୁଇ ପୁଅ ଓ ଦୁଇ ଝିଅ ଜୀବିତ ଅଛନ୍ତି । ଏମାନଙ୍କର ନାମ ସି. ଆର. କୃଷ୍ଣସ୍ୱାମୀ, ଶ୍ରୀ ନରସିଂହ ସ୍ୱାମୀ, ଶ୍ରୀମତୀ ନାମଗିରି ଓ ଶ୍ରୀମତୀ ଲକ୍ଷ୍ମୀ । ତାଙ୍କର ଅନ୍ୟତମ ପୁତ୍ର ଡକ୍ଟର ରାମସ୍ୱାମୀ ତାଙ୍କ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି-। ଶ୍ରୀମତୀ ଲକ୍ଷ୍ମୀ ସ୍ୱର୍ଗତଃ ଦେବଦାସ ଗାନ୍ଧୀଙ୍କ ପତ୍ନୀ ।

 

ଶେଷ ପର୍ଯ୍ୟନ୍ତ ରାଜାଜୀ ତାଙ୍କର ସ୍ୱଭାବସୁଲଭ ହାସ୍ୟଭାବ ଛାଡ଼ି ନଥିଲେ । ମୃତ୍ୟୁର ଅଳ୍ପ କିଛିଦିନ ପୂର୍ବରୁ ଉଦ୍‌ବିଘ୍ନ ଓ ଦୁଃଖାଭିଭୂତ ଆତ୍ମୀୟମାନଙ୍କୁ ଦେଖି ସେମାନଙ୍କ ମଧ୍ୟରୁ ଜଣକୁ ଡାକି ସେ ପଚାରିଥିଲେ—‘‘ତୁମେ ଏତେ ଦୁଃଖିତ କାହିଁକି ? ମୁଁ ଏପର୍ଯ୍ୟନ୍ତ ମୃତ୍ୟୁରାଜ ଯମଙ୍କଠାରୁ ଡାକରା ପାଇନାହିଁ । ଶେଷରେ ମୃତ୍ୟୁରାଜ ଯମଙ୍କଠାରୁ ଅଲଂଘନୀୟ ଆହ୍ୱାନ ଆସିଲା । ତାଙ୍କର ସ୍ଥୂଳଶରୀରରେ ଅଗ୍ନି ସନ୍ଦିପିତ ହେଲା ତ୍ରିନିପାଲିର କୃଷ୍ଣପେଟା ଶ୍ମଶାନରେ । ଦୁଇଲକ୍ଷ ଶୋକାକୁଳ ନରନାରୀ ସେହି ମହାରଥୀଙ୍କର ଶେଷ ଦର୍ଶନ କଲେ; କିନ୍ତୁ ମୃତ୍ୟୁଞ୍ଜୟୀ ରାଜାଜୀ ମରିବେ ବା କିପରି ? ଗୋଟିଏ ଦେହ ତ୍ୟାଗକରି ଆଜି ଯେ କୋଟିଏ ହୃଦୟରେ ପ୍ରତିଭାତ । ଲାଲ ଲାଜପତରାୟଙ୍କ ମୃତ୍ୟୁ ସମ୍ବାଦ ପାଇ ବାପୁଜୀ କହିଥିଲେ—‘‘Man like Lala cannot die so long as the sun shines in the skys,” ସେହିପରି ଭାରତ ଆକାଶରେ ଯେପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହେଉଥିବେ, ସେ ପର୍ଯ୍ୟନ୍ତ ରାଜାଜୀଙ୍କ ମୃତ୍ୟୁ ଅସମ୍ଭବ ।

Image

 

ଶ୍ରଦ୍ଧାଞ୍ଜଳି

 

୧.

ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଭାରତୀୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଓ ସମ୍ଭବତଃ ସାରା ବିଶ୍ୱରେ ସର୍ବଶ୍ରେଷ୍ଠ ମାନବ । —ମନିକା ଫେଲ୍ ଟନ୍

୨.

ରାଜାଜୀ କ୍ଷୁରଧାରସମ ତୀକ୍ଷ୍‍ଣ ବୁଦ୍ଧିସମ୍ପନ୍ନ ମହାମାନବ । —ଜନ୍‍ଗନ୍ଥର

୩.

ରାଜାଜୀଙ୍କ ପରି ଭାରତରେ ଖୁବ୍ ଅଳ୍ପ ସଂଖ୍ୟକ ବ୍ୟକ୍ତି ଅଛନ୍ତି, ଯାହାଙ୍କ ସହିତ ମୁଁ ଅତି କଠିନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥାଏ । ସେ ଯେଉଁ ସମାଧାନର ବାଟ ବତାନ୍ତି, ସେଥିରେ ସାଧାରଣତଃ ମୁଁ ହୋଇଥାଏ ଏକମତ । ଗଭୀର ଆତ୍ମୋତ୍ସର୍ଗ ଓ ସଂହତି ଦୃଷ୍ଟିରୁ ଭାରତର ସେ ହେଉଛନ୍ତି ଅଗ୍ରସାରଥି । ତାଙ୍କର ଆତ୍ମବିଶ୍ୱାସ ଏତେ ଦୃଢ଼ ଯେ ସେଥିରୁ ତାଙ୍କୁ ବିଚ୍ୟୁତ କରିବା ଏକ ବିରାଟ ବିଡ଼ମ୍ୱନା । ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟ ଥିଲେ ମଧ୍ୟ ବ୍ୟକ୍ତିଗତ ବିଶ୍ଵାସ ଓ ପ୍ରତିଜ୍ଞାରୁ ବାପୁଜୀ ତାଙ୍କୁ ଓହରାଇ ପାରୁନଥିଲେ; କିନ୍ତୁ ବାପୁଜୀଙ୍କ ତୁଙ୍ଗ ବ୍ୟକ୍ତିତ୍ୱ ସମକ୍ଷରେ ଆମେ ସବୁ ମ୍ରୀୟମାଣ ହୋଇ ପଡ଼ୁଥିଲୁ । ତାଙ୍କର ଅନନ୍ୟ ସାଧାରଣ ମେଧାଶକ୍ତି ବଳରେ ସବୁ ଜଟିଳ ପ୍ରଶ୍ନର ସ୍ଥୂଳ ଆଲୋଚନା କରି ସେ ଯେଉଁ ସମାଧାନ କରିପାରୁଥିଲେ ତାହା ଆମ ପକ୍ଷରେ ସାଧାରଣତଃ ସମ୍ଭବପର ହେଉନଥିଲା । —ଜବାହରଲାଲ ନେହେରୁ

୪.

ସ୍ଵାଧୀନତା ପୂର୍ବ ତଥା ପରବର୍ତ୍ତୀ ଯୁଗରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଯେଉଁ କତିପୟ ନେତୃସ୍ଥାନୀୟ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ଓ ଚୂଡ଼ାନ୍ତ ଭୂମିକା ଗ୍ରହଣ କରିଅଛନ୍ତି ସେମାନଙ୍କ ମଧ୍ୟରେ ରାଷ୍ଟନୀତିଜ୍ଞ ରାଜାଜୀ ଅନ୍ୟତମ । ରାଜନୀତିକ ବିଜ୍ଞତାରେ କେବଳ ଗାନ୍ଧୀଜୀଙ୍କ ଦ୍ୱିତୀୟ ଥାଇ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ନେତୃତ୍ୱରେ ସେ ଏକ ବିଶିଷ୍ଟ ସ୍ଥାନାଧିକାର କରିଥିଲେ । ସେ ଜଣେ ଅତି ଦୃଢ଼ ଓ ଆତ୍ମବିଶ୍ଵାସ ସଂପନ୍ନ ବ୍ୟକ୍ତି ଏବଂ ଅଧିକାଂଶ ସ୍ଥଳରେ ତାଙ୍କ ସହକର୍ମୀଙ୍କ ଠାରୁ ଭିନ୍ନମତ ପୋଷଣ କରୁଥିଲେ । କେହି ତାଙ୍କର ସମର୍ଥକ ନଥିଲେ ମଧ୍ୟ ସେ କେବେ ଦ୍ୱିଧାଗ୍ରସ୍ତ ହେଉନଥିଲେ । ସ୍ଵାଧୀନତା ପରବର୍ତ୍ତୀ କାଳରେ ଅବଶ୍ୟ କଂଗ୍ରେସ ରାଜନୀତିରେ ସେ ସକ୍ରୀୟ ଭୂମିକା ଗ୍ରହଣ କରିନଥିଲେ । କଂଗ୍ରେସ ନେତୃତ୍ୱ ସହିତ ତାଙ୍କର କ୍ରମବର୍ଦ୍ଧମାନ ମତାନୈକ୍ୟ ସ୍ୱତନ୍ତ୍ରପାର୍ଟି ଗଠନ ପାଇଁ ତାଙ୍କୁ ବାଧ୍ୟକଲା ଏବଂ ଅତିଶୀଘ୍ର ସେ ବିରୋଧ ମତବାଦର ଜଣେ ଦୁର୍ଦ୍ଧର୍ଷ ନେତା ହୋଇ ପ୍ରସିଦ୍ଧି ଲାଭ କରିଥିଲେ । ଦେଶର ରାଜନୀତିରେ ବିରୋଧୀ ବ୍ୟକ୍ତିତ୍ୱ ସୃଷ୍ଟି କରିବା ପ୍ରଶଂସାର କେବଳ ଦୁଇଜଣ ନେତା ଅଧିକାରୀ । ସେ ଦୁହେଁ ହେଲେ ରାଜାଜୀ ଓ ରାମମନୋହର ଲୋହିଆ । ଦୁଇଟି ପୃଥକ ମଣ୍ଡପରୁ ସେମାନେ ବିରୋଧାସ୍ତ୍ରକୁ ଶାଣିତ କରିଥିଲେ ଏବଂ ଐତିହାସିକ ଚତୁର୍ଥ ସାଧାରଣ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ । ବ୍ୟକ୍ତିଗତ ଭାବେ ଭାରତର ଏହି ମହାନ୍ ନେତାଙ୍କ ସହିତ ଅନେକ ସାଧାରଣ ପ୍ରଶ୍ନ ଉପରେ ମୋର ମତାନୈକ ଥିଲା । ତଥାପି ତାଙ୍କ ଧୀଶକ୍ତି, ପ୍ରଗାଢ଼ଜ୍ଞାନ, ସମୁଚ୍ଚ ଚରିତ୍ର ଓ ଅସାଧାରଣ ସାଧୁତା ପାଇଁ ମୋର ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଭକ୍ତି ଥିଲା । ସେ ଥିଲେ ଭାରତୀୟ ବୌଦ୍ଧିକ ପରମ୍ପରାର ଏକ ସ୍ଥିତପ୍ରଜ୍ଞ ଧ୍ରୁବତାରା । —ଜୟପ୍ରକାଶ ନାରାୟଣ

୫.

ରାଜାଜୀଙ୍କ ବିୟୋଗରେ ଭାରତ ଜଣେ ମହାନ୍ କର୍ମଯୋଗୀଙ୍କୁ ହରାଇଲା । ଆଧୁନିକ ଭାରତର ସେ ଥିଲେ ଅନ୍ୟତମ ନିର୍ମାତା, ତାଙ୍କ ବିୟୋଗ ଏକ ଜାତୀୟ କ୍ଷତି ଏବଂ ଆମ୍ଭମାନଙ୍କର ପକ୍ଷରେ ଅତୀବ ମର୍ମନ୍ତୁଦ । ଦୀର୍ଘ ୫୦ ବର୍ଷକାଳ ସେ ଜାତୀୟ ଜୀବନର ପୁରୋଭାଗରେ ଥିଲେ ଏବଂ ସ୍ୱାଧୀନତା ଲାଭପରେ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେ କେବଳ ଜଣେ ପ୍ରଧାନ ରାଷ୍ଟ୍ରନୀତିଜ୍ଞ ନଥିଲେ, ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ । —ଇନ୍ଦିରା ଗାନ୍ଧୀ

୬.

ବହୁବାର ମୁଁ ତାଙ୍କର ପ୍ରସନ୍ନ ସାନ୍ନିଧ୍ୟ ଲାଭକରିଛି । କଲିକତାରେ ସେ ଯେପରି ଓଜସ୍ୱିନୀ ଓ ବନ୍ଧୁତ୍ୱପୂର୍ଣ୍ଣ ଭାଷଣ ଦେଇଥିଲେ, ସେଥିରେ ଆମେ ଆତ୍ମବିମୋହିତ ହୋଇ ପଡ଼ିଥିଲୁ । ଇଂରାଜୀ ଭାଷାରେ ତାଙ୍କର ପୂର୍ଣ୍ଣ ପ୍ରବେଶ ଥିଲା । ତାଙ୍କର ଇଂରାଜୀ କହିବାର ଶୈଳୀ ଖୁବ୍ କମ୍ ବିଲାତୀ ଲୋକଙ୍କ ପକ୍ଷେ ସମ୍ଭବପର । ବ୍ରିଟିଶ୍ ଆଇନ ଇତିହାସରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ୧୯୪୮ ମସିହା ଜୁନ୍‌ ମାସରେ ସର୍ବପ୍ରଥମେ ଭାରତୀୟ ବଡ଼ଲାଟରୂପେ ସେ ମୋଠାରୁ ଦାୟିତ୍ଵନେଇ ଯେପରି ନିପୁଣତା ସହକାରେ ପ୍ରଶାସନିକ ବ୍ୟବସ୍ଥା କରିଥିଲେ ତାହା ଯଥାର୍ଥ ପ୍ରଶଂସନୀୟ । ମୋଠାରୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ବହନ କରିବାଲାଗି ସେଥିଲେ ଭାରତର ଯୋଗ୍ୟତମ ସନ୍ତାନ ।

 

ତାଙ୍କ ପରି ଉଚ୍ଚକୋଟିର ହାସ୍ୟରସିକ ମୁଁ ଖୁବ୍ କମ୍ ଦେଖିଛି । ସେ ଯେତେବେଳେ ମୋଠାରୁ ବଡ଼ଲାଟ ଦାୟିତ୍ୱ ନେବାଲାଗି ରାଷ୍ଟ୍ରପତି ଭବନକୁ ଆସିଥିଲେ ମୁଁ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଥିଲି । ସେ ତାହାକୁ ଲକ୍ଷ୍ୟକରି ଲେଖିଥିଲେ—‘‘So the magician inducted me into trouble’’ । କରଦ ରାଜାମାନଙ୍କ ସହିତ ଭାରତ ସରକାର ଯେଉଁପରି ଚୁକ୍ତି କଲେ ସେଥିରେ ସେ ଆଦୌ ସୁଖୀ ନୁହନ୍ତି ବୋଲି ମୋ ନିକଟକୁ ଏକ ପତ୍ରରେ ଲେଖିଥିଲେ । ପାର୍ଲିଆମେଣ୍ଟାରୀ ଗଣତନ୍ତ୍ରରେ ତାଙ୍କର ଅଗାଧ ବିଶ୍ୱାସ ଥିଲା । ବିକଳ୍ପ ସରକାର ଗଠନଲାଗି ଭାରତପାଇଁ ଏକ ଦୃଢ଼ ବିରୋଧୀ ଦଳ ଗଢ଼ି ଉଠିବ, ଏହାହିଁ ଥିଲା ତାଙ୍କର ଏକାନ୍ତ କାମନା । ସେହି ଆଶାରେ ସେ ସ୍ଵତନ୍ତ୍ରଦଳ ପ୍ରତିଷ୍ଠା କରିଥିଲେ । ସେ ଯେତେବେଳେ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ, ଲଣ୍ଡନରେ କିଛି ସମୟ ପାଇଁ ଯାତ୍ରା ସ୍ଥଗିତ କରି ମୋ ଝିଅର ଆତିଥ୍ୟ ଗ୍ରହଣ କରିଥିଲେ । ଆମ ପୁନର୍ମିଳନରେ ସେ ଗଭୀର ଆନନ୍ଦ ପ୍ରକାଶ କରିଥିଲେ ।

 

୧୯୬୭ ମସିହାରେ ମୋର ଭାରତ ଗସ୍ତ ସମୟରେ କେବଳ ତାଙ୍କୁ ଦେଖିବା ପାଇଁ ମୁଁ ମାନ୍ଦ୍ରାଜ ଯାଇଥିଲି । ସେତେବେଳକୁ ତାଙ୍କୁ ପ୍ରାୟ ୯୦ ବର୍ଷ । ତାପରେ ସେ ଦିଲ୍ଲୀ ଆସିଥିଲେ । ରାଷ୍ଟ୍ରପତି ଭବନର ଅତିଥିଶାଳାରେ ମୁଁ ଓ ମୋ ବଡ଼ ଝିଅ ପାଟ୍ରିକା ବ୍ରାବୋର୍ଣ୍ଣି ତାଙ୍କ ସହିତ ବହୁ ସମୟ ଧରି ଆବେଗପୂର୍ଣ୍ଣ ବାର୍ତ୍ତାଳାପ କରିଥିଲୁ । ମୋ ଅନୁରୋଧକ୍ରମେ ‘ମୋ ଜୀବନ ଓ ସମୟ’ ଶିରୋନାମାରେ ଏକ ଟେଲିଭିଜନ୍ ସାକ୍ଷାତକାରରେ ସେ ବହୁ ଉପାଦେୟ କଥା କହିଥିଲେ, ଯାହାକୁ କି ଏପର୍ଯ୍ୟନ୍ତ ୭୯ଟି ଦେଶର ଲୋକେ ଉପଭୋଗ କରିବାର ସୁଯୋଗ ପାଇ ସାରିଲେଣି । ସେମାନଙ୍କ ମତରେ ଏହା ଏକ ଅଦ୍ୱିତୀୟ ସାକ୍ଷାତକାର । ଯେଉଁ ଭାରତୀୟ ନେତୃବୃନ୍ଦ ବନ୍ଧୁତା, ଶାନ୍ତି ଓ ସଦ୍ଦିଚ୍ଛା ଜରିଆରେ କ୍ଷମତା ହସ୍ତାନ୍ତରକୁ ସମର୍ଥନ କରିଥିଲେ, ସେମାନଙ୍କର ସେ ଥିଲେ ଶେଷ ଶ୍ରେଷ୍ଠ ପ୍ରତିନିଧି । ଜବାହରଲାଲ ନେହେରୁ, ବଲ୍ଲଭଭାଇ ପଟେଲ ଓ ରାଜଗୋପାଳାଚାରୀ ନଥିଲେ ଭାରତୀୟଙ୍କ ହାତରେ ଶାସନଭାର ଅର୍ପଣ କରିବାଲାଗି ବୋଧହୁଏ ମୁଁ କୌଣସି ସକ୍ରିୟ ସମାଧାନରେ ପହଞ୍ଚି ପାରିନଥାନ୍ତି । ଆମେ ସେହି ସମାଧାନରେ ପହଞ୍ଚିବା ଲାଗି ଏପରି ପଥ ପରିଷ୍କାର କରିଥିଲୁ, ଯାହାକୁ କି ବ୍ରିଟିଶ ପାର୍ଲିଆମେଣ୍ଟ ଉଚ୍ଛ୍ୱସ୍ଥିତ ପ୍ରଶଂସା କରି ମତ ଦେଇଥିଲେ ଯେ ତାହା ହେଉଛି—‘ A treaty of peace without a war’ । ତାଙ୍କର ନାମ କେବଳ ଭାରତରେ ନୁହେଁ ଇଂଲଣ୍ଡରେ ମଧ୍ୟ ଏବେ ବି ଅବିସ୍ମରଣୀୟ । —ୟରଲ ମାଉଣ୍ଟବ୍ୟାଟେନ୍

୭.

ତାମିଲ୍ ଗାନ୍ଧୀ ରାଜାଜୀ ଏକ ନବଯୁଗର ଦିଗ୍‌ଦର୍ଶକ । କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ନ କରି ପାରିଲେ, ମହାତ୍ମା ଗାନ୍ଧୀ ତାହାର ସମାଧାନ ପାଇଁ ରାଜାଜୀଙ୍କର ସାହାଯ୍ୟ ଲୋଡ଼ୁଥିଲେ । ତାଙ୍କର ବିଦବତ୍ତା, ବିଚାର ଶକ୍ତି ଏତେ ସଂହତିସଂପନ୍ନ ଯେ ସମସ୍ତଙ୍କୁ ତାହା ମନ୍ତ୍ରମୁଗ୍‍ଧ କରିଥାଏ । ତେଣୁ ତାଙ୍କ ପ୍ରଶାସନିକ କାର୍ଯ୍ୟକଳାପ ସର୍ବସାଧାରଣଙ୍କର ହୋଇଥାଏ ବିଚାର ବହିର୍ଭୂତ । ଗାନ୍ଧୀଜୀଙ୍କ ପନ୍ଥା ଅନୁସରଣ ଲାଗି ସେ ସର୍ବସ୍ୱ ତ୍ୟାଗ କରିଥିଲେ । —ସରୋଜିନୀ ନାଇଡୁ

୮.

ଭରତୀୟ ଭାବଧାରା ଉପରେ ରାଜାଜୀଙ୍କ ପ୍ରଭାର ସୁଦୂର-ପ୍ରସାରୀ । ସେ ଜଣେ ଅତି ଅସାଧାରଣ ପଣ୍ଡିତ ଓ ଜୀବନର ବହୁ କ୍ଷେତ୍ରରେ ତାଙ୍କର ଅବଦାନ ଅନବଦ୍ୟ । ଯେକୌଣସି ପରିସ୍ଥିତିକୁ ଆପଣାର କରି ତହିଁରୁ ମୁନଫା ଉଠାଇବା ଓ ତା’ର ପ୍ରକୃତ ମୂଲ୍ୟାୟନ କରିବାପାଇଁ ଭାରତୀୟମାନଙ୍କର ଯେଉଁ ଶକ୍ତି ଅଛି, ତାହାର ଯଥାର୍ଥ ବିଶ୍ଳେଷଣ କରିବାପାଇଁ ରାଜାଜୀଙ୍କ ଅପେକ୍ଷା ଅଧିକ ଯୋଗ୍ୟତର ବ୍ୟକ୍ତି ମିଳିବା ଅସମ୍ଭବ । ଯଥାର୍ଥେ ସେ ଜଣେ ଯୁଗ ପୁରୁଷ । ଆମ ସଂସ୍କୃତିର ସତ୍ୟାନୁସରଣ ପାଇଁ ସେ ଆମକୁ ଯେଉଁ ଆହ୍ୱାନ ଦେଇଛନ୍ତି, ତଦ୍ଦ୍ୱାରା ସେ ଯୁଗସ୍ମର ହୋଇ ରହିବେ । —ବିଜୟଲକ୍ଷ୍ମୀ ପଣ୍ଡିତ

୯.

ମୋତେ ଯଦି ଗୋଟିଏ ବାକ୍ୟରେ ରାଜାଜୀଙ୍କୁ ବର୍ଣ୍ଣନା କରିବାକୁ ଦିଆଯାଏ, ତେବେ ମୁଁ କହିବି, ସେ ଐକାନ୍ତିକ ଭାବେ ଏକକ....ସେ ଏକ ସ୍ଵୟଂ ସଂପୂର୍ଣ୍ଣ....କୌଣସି କଥାରେ ରାଜି ହୁଅନ୍ତୁ ବା ନ ହୁଅନ୍ତୁ, ତାହା କେବଳ ତାଙ୍କର ଏକକ ବିଶେଷତ୍ଵ । —ଡକ୍ଟର ରାଜେନ୍ଦ୍ର ପ୍ରସାଦ

୧୦.

ରାଜାଜୀଙ୍କ ବ୍ୟତୀତ ଅନ୍ୟ କୌଣସି ମହାପୁରୁଷ ମୋତେ ଏତେ ସଭ୍ୟ ଓ ବୌଦ୍ଧିକ ଚିନ୍ତାଧାରାରେ ପ୍ରଭାବିତ କରିନାହାନ୍ତି । —ପ୍ରେସିଡେଣ୍ଡ କେନେଡି

୧୧.

ରାଜାଜୀ ଥିଲେ ସ୍ୱାଧୀନଚେତା, ଅସାଧାରଣ ପ୍ରଜ୍ଞାବାନ୍ ମହାପୁରୁଷ । ତାଙ୍କଠାରୁ ଭର୍ତ୍ସନା ଶୁଣିବା ଏକ ସୌଭାଗ୍ୟର ବିଷୟ । —କେନିଥ୍ ଗଲ୍ ବ୍ରେଥ୍

୧୨.

ଅସାଧାରଣ ମେଧା, ସଂହତି ଓ ତ୍ୟାଗର ସେ ଥିଲେ ମୂର୍ତ୍ତିମନ୍ତ ଅବତାର । —ରିଚାର୍ଡ ନିକ୍‌ସନ୍

୧୩.

ନେହେରୁ, ପଟେଲ, ଜୀନ୍ନା ସମସ୍ତେ ରାଷ୍ଟ୍ରନୀତିଜ୍ଞ; ମାତ୍ର ସମସ୍ତଙ୍କଠାରୁ ବଡ଼ ରାଷ୍ଟ୍ରନୀତିଜ୍ଞ ହେଉଛନ୍ତି ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ । —ଷ୍ଟାଫୋର୍ଡ କ୍ରିପସ୍—(୧୯୪୫ ମସିହା)

୧୪.

ରାଜାଜୀ ଥିଲେ ଗଣତନ୍ତ୍ରରେ ପରମ ବିଶ୍ଵାସୀ । ବ୍ୟକ୍ତି ସ୍ଵାଧୀନତା ବିନା ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ ଏହା ଥିଲା ତାଙ୍କର ଦୃଢ଼ ବିଶ୍ଵାସ । ବ୍ୟକ୍ତି ପ୍ରେରଣା ଅବ୍ୟାହତ ଲାଗି ସେ ସ୍ଵତନ୍ତ୍ର ଦଳ ଗଢ଼ିଥିଲେ । ସେ କେବଳ ଜଣେ ରାଷ୍ଟ୍ରନୀତିଜ୍ଞ ନଥିଲେ ଦୃଢ଼ନୀତି, ସଂକଳ୍ପ ଓ ନିଷ୍ଠା ଦୃଷ୍ଟିରୁ ସେ ଥିଲେ ଯଥାର୍ଥେ ଜଣେ ଋଷି । —ଆଚାର୍ଯ୍ୟ କୃପାଳିନୀ

୧୫.

ରାଜାଜୀ ଥିଲେ ଜଣେ ଦୂରଦ୍ରଷ୍ଟା ରାଜନୀତିଜ୍ଞ । ଭାରତୀୟ ଜୀବନରେ ଯାହା ଶ୍ରେଷ୍ଠ ତାହା ପୁଞ୍ଜିଭୂତ ହୋଇଥିଲା ତାଙ୍କରିଠାରେ । ସେ ଥିଲେ ଜନୈକ ନିଷ୍ଠାପର ଦେଶପ୍ରେମୀ, ପ୍ରବୀଣ ବିଦ୍ୱାନ ଓ ଏ ଯୁଗର ପ୍ରତିଭାଶାଳୀ ଲେଖକ । —ଜି. ଏସ. ପାଠକ

୧୬.

ରାଜାଜୀ ଥିଲେ ଜଣେ ରାଜର୍ଷି ଓ କର୍ମଯୋଗୀ । —ଅଟଳ ବିହାରୀ ବାଜପେୟୀ

୧୭.

ଭାରତୀୟ ସ୍ଵାଧୀନତାର ଅନ୍ୟତମ ସ୍ରଷ୍ଟା ରାଜାଜୀ ଆମ ଶାସନକଳକୁ ପ୍ରତିଭା ଓ ଆଧ୍ୟାତ୍ମିକ ମୂଲ୍ୟବୋଧରେ ଶାଣିତ କରିଯାଇଛନ୍ତି । —ଏସ୍. କେ. ପାତିଲ୍

୧୮.

ରାଜାଜୀ ହେଉଛନ୍ତି ଭାରତର ଏକମାତ୍ର ବ୍ୟକ୍ତି ଯେ କି ସ୍ୱକୀୟ କାର୍ଯ୍ୟକଳାପରେ ବହନ କରି ପାରିଥିଲେ ଗାନ୍ଧୀଜୀଙ୍କର ପ୍ରତିଛବି । —କାମରାଜ

୧୯.

ସତ୍ୟ ଓ ନ୍ୟାୟ ପ୍ରତି ପ୍ରଗାଢ଼ ଅନୁରକ୍ତି ଯୋଗୁଁ ରାଜାଜୀ ବିଶ୍ୱରେ ଥିଲେ ସର୍ବତ୍ର ବିଦିତ । ତାଙ୍କର ରାଜନୀତିକ ଚିନ୍ତାଧାରା ବିଶ୍ଵବାସୀଙ୍କ ପକ୍ଷେ ଅବିସ୍ମରଣୀୟ । —ଆବୁ ସୟଦ ଚୌଧୁରୀ

୨୦.

ସ୍ଵାଧୀନତା ହାସଲ ଓ ଗଣତନ୍ତ୍ରର ପ୍ରତିଷ୍ଠା ଦିଗରେ ରାଜାଜୀଙ୍କ ଐତିହାସିକ ଭୂମିକା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । —ଦେବକାନ୍ତ ବଡ଼ୁଆ

Image

 

ବାଣୀ ଓ ବାର୍ତ୍ତା

 

୧.

ଦେଶପ୍ରେମକୁ ନୂତନ ସଂଜ୍ଞା ଦେବାକୁ ହେବ । ନୂଆକରି ଉପଲବ୍ଧି କରିବାକୁ ହେବ । ପୂର୍ବ କାଳରେ ଏହା କେବଳ ସଂଗ୍ରାମ ଓ ଆନ୍ଦୋଳନରେ ସୀମାବଦ୍ଧ ଥିଲା; କିନ୍ତୁ ବର୍ତ୍ତମାନ ଗୋଟିଏ ନୂତନ ଗୃହ ନିର୍ମାଣ କରିବାଭଳି ଏହା ଏକ ଦୁରୂହ ବ୍ୟାପାର ।

 

 

୨.

ଏକ ନିୟମାନୁବର୍ତ୍ତିତା ବା ସାମ୍ୟ ଜରିଆରେ ଦେଶରେ ଏକତା ଆଣିବା ଅସମ୍ଭବ ।

 

 

୩.

ଧୈର୍ଯ୍ୟ ଦୁର୍ବଳତା ନୁହେଁ’ ଏହା ହେଉଛି ଶକ୍ତି ଓ ଦୃଢ଼ତାର ପ୍ରତୀକ ।

 

 

୪.

ଆଣବିକ ଅସ୍ତ୍ର ଆତ୍ମଘାତୀ । ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଦରକାର; ମାତ୍ର ଏ ଅସ୍ତ୍ର ନୁହେଁ । ଲୋକେ ଚୋର ଭୟରେ କୁକୁର ପାଳନ୍ତି, ବାଘ ପାଳନ୍ତି ନାହିଁ ।

 

 

୫.

ଚୋର, ଠକ, କଳାବଜାରୀ ପିନ୍ଧୁଛନ୍ତି ବୋଲି ଖଦୀ ତାହାର ମହତ୍ତ୍ୱ ହରାଇ ନାହିଁ । ଚୋର, ଠକ ବା ଅପରାଧୀ ରାମନାମ ଉଚ୍ଚାରଣ କଲେ, ସେ ନାମର ମହତ୍ତ୍ୱ କମିଯାଏ ନାହିଁ ।

 

 

୬.

ଭାରତୀୟ ଜାତୀୟ କଂଗ୍ରେସ ଏକ ବନସ୍ଥଳୀରୂପେ ପରିବ୍ୟାପ୍ତ । ଜଙ୍ଗଲରେ କେହି କେବେ ଗଛ ଲଗାଏ ନାହିଁ । ଏହା ଆପଣ ଛାଏଁ ଉଠେ । ଭାରତୀୟ କଂଗ୍ରେସକୁ କେହି ସେହିଭଳି ଗଠନ କରିନାହିଁ ଏହା ଆପଣା ଛାଏଁ ଲୋକଙ୍କ ଭିତରୁ ଉପୁଜୁଛି ଓ ଦେଶରେ ପରିବ୍ୟାପ୍ତ ହୋଇଛି । ଏହା ଭାରତୀୟ ଜନତାର ସ୍ୱଭାବିକ ସଂଗଠନ ।

 

 

୭.

ଭାରତ ସବୁ ଧର୍ମର ପୀଠସ୍ଥଳୀ । କୌଣସି ଧର୍ମକୁ ଭାରତ ଉପେକ୍ଷା କରିନାହିଁ, କୌଣସି ଧର୍ମର ବିରୋଧ କରିନାହିଁ । ସବୁଧର୍ମ ଓ ଦର୍ଶନ ଓ ବିଜ୍ଞାନର ଅପୂର୍ବ ସମନ୍ଵୟ ଘଟିଛି ଏଇ ଭାରତରେ ।

 

 

୮.

ପୁରୀ ପବିତ୍ରତାର ପୀଠସ୍ଥଳୀ । ପ୍ରଭୁ ଜଗନ୍ନାଥ ମାନବିକତାର ପ୍ରତୀକ ଏବଂ ଜାଗତିକ ଧର୍ମ ଓ ପ୍ରକୃତି ତ୍ରିଶକ୍ତିର ପ୍ରକାଶସ୍ଥଳୀ ।

 

 

୯.

କୌଣସି ଜାତିର ଚରମ ନୀତିବାଦୀ ଲୋକେ ଯେଉଁ ଅସାଧ୍ୟ ଆଦର୍ଶ ଲୋକଙ୍କ ଆଗରେ ଉପସ୍ଥାପିତ କରନ୍ତି, ତାକୁ କେହି ସେହି ଜାତିର ସଂସ୍କୃତି ବୋଲି ବୁଝିବା ଉଚିତ ନୁହେଁ ।

 

 

୧୦.

ଭଗବାନଙ୍କ ବ୍ୟତୀତ ମଣିଷ ଦୁନିଆରେ ଆଉ କାହାକୁ ଭୟ କରିବା ଉଚିତ ନୁହେଁ ।

 

 

୧୧.

ସତ୍ୟ ଶାଶ୍ଵତ; କିନ୍ତୁ ଆମର ଅନ୍ଵେଷଣ ସୀମିତ ହୋଇଥିବା ଯୋଗୁଁ ତାହାର ଆଂଶିକ ସତ୍ତା ଖୋଜି ପାଇଥାଉ ।

 

 

୧୨.

ଆମର ମସ୍ତିଷ୍କ ଗୋଟିଏ ଯନ୍ତ୍ରପରି । ଯୁବାବସ୍ଥାରେ ଏହାର ଯନ୍ତ୍ରାଂଶକୁ ଠିକ୍‌ଭାବରେ ଖଞ୍ଜାଯିବା ଦରକାର ।

 

 

୧୩.

ଶିଶୁମାନଙ୍କର ଉପଯୁକ୍ତ ବିକାଶ ଲାଗି ତାଙ୍କ ମନରେ ସାଧ୍ୟମତେ ପ୍ରଚୁର ପରିମାଣରେ ଆନନ୍ଦ ଭରିଦିଅ । ତାଙ୍କୁ କେବଳ ତଥାକଥିତ ଶିକ୍ଷାଦାନ ସୂର୍ଯ୍ୟକିରଣ ନପାଉଥିବା ଗଛମୂଳରେ ସାରଦେବା ସହିତ ସମାନ ।

 

 

୧୪.

ଯାହା ସତ୍ୟ, ସବୁ ପରିସ୍ଥିତିରେ ତାହାର ସତ୍ୟତା ପ୍ରତିପାଦ୍ୟ ।

 

 

୧୫.

ଯେଉଁ ଦେଶରେ ସରକାରଙ୍କ ଶାସନଗତ ଆଧିକ୍ୟ ନାହିଁ, ସେ ଦେଶର ସରକାର ଯଥାର୍ଥେ ପ୍ରଶଂସନୀୟ ।

 

 

୧୬.

ଦେଶରକ୍ଷା ବିଭାଗର ଜଣେ ସେନାଧ୍ୟକ୍ଷ ଗୋଟିଏ ରାଷ୍ଟ୍ରର ରାଷ୍ଟ୍ରପତି ହେଲେ ଶାନ୍ତି ଆଶା କରିବା ବ୍ୟର୍ଥ, ଯୁଦ୍ଧର ସେନାଧ୍ୟକ୍ଷ ଓ ଶାନ୍ତି ପ୍ରସ୍ତାବକୁ ମଧ୍ୟ ଯୁଦ୍ଧ ଜରିଆରେ ଚିନ୍ତା କରିଥାଏ-। ଯେ ଗୋବଧ କରେ, ସେ ଦୋହନ ସମୟରେ ଦୁଗ୍‌ଧ କଥା ଚିନ୍ତା ନକରି, ଚିନ୍ତା କରିଥାଏ ମାଂସର କଥା ।

 

 

୧୭.

ମୃତ ବ୍ୟକ୍ତିଙ୍କ ସଂପର୍କରେ କ୍ରୁର ମନ୍ତବ୍ୟ ପ୍ରକାଶ କରିବା ସର୍ବାଦୌ ପରିହାର୍ଯ୍ୟ ।

 

 

୧୮.

ଇତିହାସ ଲେଖିଲାବେଳେ ଲେଖକ ନିଜ ବ୍ୟକ୍ତିତ୍ୱର ପରିସ୍ଫୁଟଲାଗି ଉଦ୍ୟମୀ ହେଲେ, ସତ୍ୟ ଘଟଣା ଅନ୍ଧକାର ଗର୍ଭରେ ଲୁଚିଯାଏ ।

 

 

୧୯.

ମୁଁ ଭଗବାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭୟ କରେ ନାହିଁ, କାରଣ ଭଗବତ୍ ଭୟ ହେଉଛି ପ୍ରକୃତ ଜ୍ଞାନର ଉପକ୍ରମଣିକା ।

Image

 

ଜୀବନ ପଞ୍ଜିକା

 

୧୮୭୯

ରାଜାଜୀଙ୍କ ଜନ୍ମ

 

 

 

୧୯୦୦

ସାଲେମ୍‌ରେ ଓକିଲାତି

 

 

 

୧୯୧୯

ସତ୍ୟାଗ୍ରହରେ ଯୋଗଦାନ

 

 

 

୧୯୨୧-୨୨

କଂଗ୍ରେସର ସାଧାରଣ ସଂପାଦକ

 

 

 

୧୯୩୫

ମାନ୍ଦ୍ରାଜ କଂଗ୍ରେସ କମିଟିର ସଭାପତି

 

 

 

୧୯୩୭

ମାନ୍ଦ୍ରାଜର ପ୍ରଧାନମନ୍ତ୍ରୀ

 

 

 

୧୯୪୧

କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ

 

 

 

୧୯୪୭-୪୮

ବଙ୍ଗଳାର ରାଜ୍ୟପାଳ

 

 

 

୧୯୪୮-୫୦

ଭାରତର ବଡ଼ଲାଟ

 

 

 

୧୯୫୦-୫୧

ଭାରତର ସୌରାଷ୍ଟ୍ରମନ୍ତ୍ରୀ

 

 

 

୧୯୫୨-୫୪

ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ

 

 

 

୧୯୫୫

ଭାରତରତ୍ନ ଉପାଧିଲାଭ

 

 

 

୧୯୫୯

ଭାରତୀୟ ସ୍ୱତନ୍ତ୍ରଦଳ ପ୍ରତିଷ୍ଠା

 

 

 

୧୯୬୨

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ବିଲାତ ଓ ଆମେରିକା ଯାତ୍ରା ।

 

 

 

୧୯୭୨

ତିରୋଧାନ

Image